ବିଜେଡ଼ିକୁ ଫସାଇବା ପାଇଁ ଅମିତ ଶାହାଙ୍କ ଚତୁର ଖେଳ -‘ମିଶନ ୧୨୦’
ଭୁବନେଶ୍ୱର,୭ ସେପ୍ଟେମ୍ବର: ୨୦୧୯ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟର ତନିଟି ପ୍ରମୁଖ ରାଜନୈତିକ ଦଳରେ ଚାଲିଛି ସଂଖ୍ୟା-ଦୌଡ । ଏହା ବିଜେପିର ‘ମିଶନ-୧୨୦’କୁ ଚର୍ଚ୍ଚାରେ ରଖିବା ପାଇଁ ବିଜେପିର ଏକ ସୁଚିନ୍ତିତ ଯୋଜନା ମନେ କରାଯାଉଛି । ଚତୁର ଅମିତ ଶାହା ନିଜେ ଚର୍ଚ୍ଚାରେ ରହିବା ଓ ଓଡ଼ିଶା ବିଜେପିକୁ ଚର୍ଚ୍ଚାରେ ରଖିବା ପାଇଁ ଏହି କୌଶଳ ଆପଣାଇଛନ୍ତି । ବିଜେପି ଓଡ଼ିଶାର କେଉଁ ୧୨୦ ଆସନରୁ ବିଜୟୀ ହେବ, ସେ ତଥ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନିକଟରେ ନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସଂଖ୍ୟାକୁ ତାହା ଜାଣନ୍ତି ନାହିଁ । କେବଳ, ଅନ୍ଧାରରେ ବାଡି ବୁଲା ଚାଲିଛି । ବିଜେଡ଼ିକୁ ଝଟକା ଦେବା ପାଇଁ ବଡ଼ ପାଟିରେ ୧୨୦ ସଂଖ୍ୟା ଘୋଷି ହେଉଛନ୍ତି ଶାହା ଓ ପ୍ରଧାନ ।
ବିଜେପିର ଏହି ଚାଲ୍ରେ କିଛି ଦିନ ହେଲା ରାଜ୍ୟ ବିଜେଡ଼ିର ପ୍ରମୁଖ ନେତାମାନେ ବାଉଳି ହେଉଛନ୍ତି । ସମବାୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭଳି ପୁରୁଖା ନେତା ମଧ୍ୟ ଶାହାଙ୍କ ଚତୁରତା ଆଗରେ ଫସି ଯାଇଥିବା ଲକ୍ଷ୍ୟ କରାଯାଉଛି । ୨୦୧୯ରେ ବିଜେଡ଼ି ୧୨୩ ବିଧାନସଭା ଆସନ ପାଇବ ବୋଲି ପାତ୍ର ବିବୃତି ଦେଇ ତାହାର ଯଥାର୍ଥତା ପ୍ରତିପାଦିତ କରିବା ସକାଶେ ଘରୋଇ ଅଙ୍କକଷା ଚଳାଇ ଥିବା ବେଳେ ରାଜ୍ୟ ବିଜେଡ଼ି ମୁଖପାତ୍ର ପ୍ରଶାନ୍ତ ନନ୍ଦ ସୂର୍ଯ୍ୟଙ୍କ ଏହା ‘ବ୍ୟକ୍ତିଗତ’ ମନ୍ତବ୍ୟ କହି ଏଥିପ୍ରତି ଦଳର ସଭାପତିଙ୍କ ସହମତି ନଥିବା ଆଭାସ ଦେଇଛନ୍ତି । ଦଳ ୧୪୭ ଆସନରେ ଲଢିବାକୁ ଥିବାରୁ ସବୁ ଆସନରେ ଜିତିବ ବୋଲି ସେ ଦଳ ପକ୍ଷରୁ ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣତଃ ସେଭଳି କିଛି ଗୁରୁତର କଥା ହୋଇ ନ ଥିଲେ ନିଜେ ବିବୃତି ନ ଦେଇ ନୀରବ ରହିବାକୁ ପସନ୍ଦ କରିଥା’ନ୍ତି । ଦଳର ମୁଖପାତ୍ରମାନେ ମୋର୍ଚ୍ଚା ସମ୍ଭାଳନ୍ତି । ତେବେ, ଶାହା ଓଡ଼ିଶା ମାଟିରେ ପାଦ ଦେଉ ଦେଉ ନବୀନଙ୍କୁ ଉସୁକାଇବାରେ ସକ୍ଷମ ହୋଇଛନ୍ତି । ୬ ତାରିଖ ଭୁବନେଶ୍ୱରରେ ପହଂଚି ସେ କର୍ମୀ ଓ ବୁଦ୍ଧିଜୀବୀଙ୍କୁ ଉଦବୋଦନ ଦେବା ଛଳରେ ୧୨୦ ସଂଖ୍ୟା ଦୋହରାଇବା ସହ ନବୀନଙ୍କ ପାଟିରୁ କଥା ଖସାଇବାକୁ ଚାହିଁ ଥିଲେ । ଶାହା କହିଥିଲେ, ସେ ଓଡ଼ିଶାର ଗ୍ରାମାଂଚଳ ଜନତା ସହ ସିଧାସଳଖ ସଂପର୍କରେ ଅଛନ୍ତି । ଓଡ଼ିଶାବାସୀ ୧୮ ବର୍ଷର ବିଜେଡ଼ି ଶାସନରେ ଅତିଷ୍ଟ । ୧୭ ବର୍ଷ ହେଲା ଗୋଟିଏ ଦଳର ସରକାର ଥାଇ ସୁଦ୍ଧା ରାଜ୍ୟର ବିକାଶ କାହିଁକି ହେଉନି ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଗୁଜୁରାଟରେ ନରେନ୍ଦ୍ର ଭାଇ ମୋଦୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ୧୫ ବର୍ଷ ସରକାର ଥିଲା । ବେକାରଙ୍କୁ ରୋଜଗାର ଦେବା ସହ ଗ୍ରାମାଂଚଳର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା । ବିକାଶ କ୍ଷେତ୍ରରେ ଗୁଜୁରାଟକୁ ଏକ ‘ମଡ଼େଲ’ ଭାବେ ବିଚାର କରାଯାଉଛି । ବିଭିନ୍ନ ଅଂଚଳକୁ ରାସ୍ତା ସଂଯୋଗ ସହ ବ୍ୟବସାୟିକ ଅଭିବୃଦ୍ଧିକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ଓଡ଼ିଶାରେ ପ୍ରକୃତିକ ସଂପଦ ଭରପୁର ଥିବା ସତ୍ୱେ ନବୀନ ପଟ୍ଟନାୟକଙ୍କ ସରକାର ୧୭ ବର୍ଷ ମଧ୍ୟରେ ତାହାର ଉପଯୁକ୍ତ ବିନିଯୋଗ କରି ପାରି ନାହାନ୍ତି । ତେଣୁ, ୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟର ଗ୍ରମାଂଚଳ ଭୋଟର ଏହି ସରକାର ବିରୋଧରେ ମତ ଦେଇଥିଲେ । ୨୦୧୯ରେ ବିଜେଡ଼ି ସରକାରକୁ ସଂପୂର୍ଣ୍ଣ ଭାବେ ଓପାଡି ଫିଙ୍ଗି ଦେଇ ବିଜେପିକୁ କ୍ଷମତାସୀନ କରିବେ । ‘ଆମକୁ ୧୨୦ ବିଧାନସଭା ଆସନ ମିଳିବା ନିଶ୍ଚିତ’ ବୋଲି ପ୍ରକାଶ କରି ଶାହା ନବୀନଙ୍କ ନାଡି ଚିପିବାର ପ୍ରୟାସ କରିଥିଲେ । ନବୀନ ମଧ୍ୟ ମୁହଁ ଖୋଲିଛନ୍ତି । ଏହା ଏକ ରାଜନୈତିକ ଭାଷଣ ଜାଣି ସୁଦ୍ଧା ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ଏତେ ଅଧିକ ଆସନ (ମିସନ-୧୨୦) ପାଇବା ନେଇ ତାଙ୍କର ସନେ୍ଦହ ରହିଛି । ଶାହାଙ୍କ ହାୱାକୁ ନବୀନ ଦେହକୁ ନ ନେଇ ପୂର୍ବ ଭଳି ସୂର୍ଯ୍ୟ, ଦାମ, ପ୍ରଶାନ୍ତଙ୍କ ଭଳି କୁହାଳିଆ ନେତାଙ୍କୁ ହାୱା କରିବାକୁ ଛାଡି ଦେବା ଉଚିତ ଥିଲା ବୋଲି ତାଙ୍କ ସମର୍ଥକ ମହଲରେ ମତପ୍ରକାଶ ପାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS