ପଣ୍ଡତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଲୋକାର୍ପିତ
ବାରିପଦା, ୮ ସେପ୍ଟେମ୍ବର: ବାରିପଦାର ରଂଗମାଟିଆ ଠାରେ ଗତ ୬ ତାରିଖ ଦିନ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି। ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ମୟୁରଭଂଜ ଜିଲ୍ଲା ସମେତ ପଡୋଶୀ ଛତିଶଗଡ଼ ଓ ପଶ୍ଚିମ ବଙ୍ଗର ଜନସାଧାରଣ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇ ଉପକୃତ ହୋଇ ପାରିବେ । ଦୀର୍ଘ ଚାରି ଦଶନ୍ଧୀରୁ ଅଧିକ ହେଲା ଏହି ମେଡ଼ିକାଲ କଲେଜ ହସପିଟାଲ ପ୍ରତିଷ୍ଠା ପାଇଁ ଅଂଚଳବାସୀ ଦାବି କରି ଆସୁଥିଲେ । ୬ ତାରିଖରୁ ପିଆରଏମ୍ ମେଡ଼ିକାଲ କଲେଜରେ ପାଠପଢା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଲେଜ ସମ୍ମିଳନୀ କକ୍ଷରେ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ, ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଅଂଚଳର ସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ଉନ୍ନତି ଘଟିବ ବୋଲି କହିଥିଲେ । ବିଶିଷ୍ଟ ଓଲିଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ମେଡ଼ିକାଲ କଲେଜର ନାମକରଣ କରାଯାଇ ଥିବାରୁ ଅଂଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି । ତାଙ୍କ ସରକାର ଆଦିବାସୀ ଅଧ୍ୟୁଷିତ ପଛୁଆ ଅଂଚଳର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଉତ୍ସବରେ ଯୋଗ ଦେଇ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି ଯୋଗୁ ଦୁଇ ବର୍ଷ ମଧ୍ୟରେ ଏହି ମେଡ଼ିକାଲ କଲେଜର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାଠପଢା ଆରମ୍ଭ ହୋଇପାରିଛି । ଏଭଳି ଆଉ ସାତଟି ମେଡ଼ିକାଲ କଲେଜ ବାଲେଶ୍ୱର, ବଲାଂଗୀର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ନିର୍ମାଣ ହେବାକୁ ଯାଉଛି । ଏଠାରେ ଉଲ୍ଲେଖନୀୟ ଯେ, ଗତ ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ କୋରାପୁଟ ଠାରେ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ଉଦ୍ଘାଟନ କରିଛନ୍ତି । ଦକ୍ଷିଣ ଓଡ଼ିଶାର ମାଲକାନଗିରି, ରାୟଗଡା, କୋରାପୁଟ, ନବରଂଗପୁର ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଏହାଦ୍ୱାରା ଉପକୃତ ହେବେ । ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ମଧ୍ୟ ସୋମବାରରୁ ପାଠପଢା ଆରମ୍ଭ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS