ଭଣ୍ଡବାବା ଗୁରୁମିତ ରାମ ରହିମର ସିର୍ସା ଆଶ୍ରମରେ ତଲାସୀ ଅଭିଯାନ, ଆଖି ଝଲସିଲା ଭଳି କଳା ସଂପତ୍ତି !
ସିର୍ସା (ହରିଆନା), ୯ ସେପ୍ଟେମ୍ବର: ଦେଶ ବିଦେଶର କୋଟି, କୋଟି ଡ଼େରା ଭକ୍ତଙ୍କ ତ୍ରାଣକର୍ତା ସାଜି ଥିବା ଡ଼େରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରୁମିତ ରାମ ରହିମ ସିଂହ ଏବେ ହରିଆନାର ରୋହତକ ସ୍ଥିତ ସୁନାରିଆ ଜେଲ୍ରେ ଜଣେ ସାଧାରଣ କଏଦୀ । ଡ଼େରାର ଦୁଇ ଜଣ ସାଧ୍ୱୀଙ୍କୁ ଆଶ୍ରମ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ବାବା ଗୁରୁମିତ ବିଚାରଣାର ସମ୍ମୁଖୀନ ହୋଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଇଟି ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଲେଖାଏ ମୋଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧୫ ଲକ୍ଷ ଟଙ୍କା ଲେଖାଏ ମୋଟ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ଜରିମାନା ଅର୍ଥରୁ ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ସାଧ୍ୱୀଙ୍କୁ ୧୪ ଲକ୍ଷ ଟଙ୍କା ଲେଖାଏ ମୋଟ ୨୮ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ନିଦେ୍ର୍ଦଶ ଦେଇଛନ୍ତି । ଏହି ଦୁଇ ମାମଲାରେ ହୋଇଥିବା ରାୟକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଆବେଦନର ସୁଯୋଗ ରହି ଥିବାରୁ ଭଣ୍ଡବାବା ରାମ ରହିମ କେତେ ଦିନ ଜେଲରେ ଅଟକ ରହିବେ, ତାହା ସମୟ କହିବ । ତେବେ, ବାବା ଜେଲ୍ ଯିବା ପରେ ତାଙ୍କ ରହସ୍ୟମୟ କୁବେର ଭଣ୍ଡାରର ରହସ୍ୟ ଖୋଲିବାରେ ଲାଗିଛି । ସିର୍ସା ସ୍ଥିତ ଡ଼େରା ସଚ୍ଚା ସୌଦା ଆଶ୍ରମରେ ଚମକଦାର୍ ଡ଼ିଜାଇନର ପୋଷାକରେ ସଜ୍ଜିତ ହୋଇ ରଂଗୀନ ଜୀବନ ବିତାଇ ଆସି ଥିବା ବାବା ଏବେ ସୁନାରିଆ ଜେଲ୍ରେ ଜଣେ ସାଧାରଣ କଏଦୀର ପୋଷାକ ପିନ୍ଧି ଦିନ କାଟୁଛନ୍ତି ଏବଂ ଜେଲ୍ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି । ଏହା ତାଙ୍କ ପାଇଁ ଦୁଃଖଦାୟକ ହୋଇଛି । ଡ଼େରା ଭକ୍ତଙ୍କୁ ଲୁଟି ହଜାର ହଜାର କୋଟି ଟଙ୍କାର ସଂପତ୍ତି ଠୁଳ କରି ଥିବା ବାବା କିଭଳି ଭାବେ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିଲେ, ତାହା ଏବେ ଗୋଟି ଗୋଟି ହୋଇ ପଦାକୁ ଆସୁଛି ।
ଭଣ୍ଡବାବା ଗୁରୁମିତ ରାମ ରହିମ ସିଂହ ଇନ୍ସା ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯିବାର ୧୫ ଦିନ ପରେ ହରିଆନା ସରକାର ପଂଜାବ ଓ ହରିଆନା ହାଇକୋର୍ଟଙ୍କ ଅନୁମତିକ୍ରମେ ସିର୍ସାସ୍ଥିତ ବାବାଙ୍କ ମୁଖ୍ୟ ଆଶ୍ରମରେ ୮ ତାରିଖରୁ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ୭୦୦ ଏକରରୁ ଉଦ୍ଧ୍ୱର୍ ଜମିରେ ନିର୍ମିତ ଏହି ମୁଖ୍ୟ ଆଶ୍ରମରେ ଏବେ ବି ସଶସ୍ତ୍ର ଭକ୍ତ ଛପି ରହିଥିବା ଆଶଙ୍କାରେ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଅତ୍ୟନ୍ତ ସତର୍କତାର ସହ ତଲାସୀ ଚଳାଇଥିବା ସୂଚନା ମିଳିଛି । ଅବସରପ୍ରାପ୍ତ ସେସନ୍ସ ଜଜ୍ ଅନିଲ କୁମାର ସିଂ ପାୱାରଙ୍କୁ ହାଇକୋର୍ଟ କମିସନର ଭାବେ ନିଯୁକ୍ତି ଦେଇ ଏହି ତଲାସୀର ସଂପୂର୍ଣର୍ ଦାୟିତ୍ୱ ଦେଇଛନ୍ତି । ସେ ଆଶ୍ରମର ଯେକୌଣସି ଅଂଶକୁ ଯାଂଚ କରିପାରିବେ ବୋଲି କୋର୍ଟରୁ ଅଧିକାର ମିଳିଛି । ଆଶ୍ରମ ପରିସରରୁ ବହୁ ସଂଖ୍ୟାରେ କଂକାଳ ମିଳିବା ଆଶଙ୍କା କରାଯାଉ ଥିବାରୁ ସନ୍ଦିଗ୍ଧ ଅଂଚଳକୁ ଖୋଳି ଯାଂଚ କରିବା ପାଇଁ ୬୦ ଜଣଙ୍କୁ ନେଇ ଟିମ୍ ଗଠନ କରାଯାଇଥିବା ଏବଂ ତିନିଟି ବୁଲ୍ଡୋଜର୍ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ଡ଼େରା ସଚ୍ଚା ସୌଦା ମୁଖ୍ୟ ଆଶ୍ରମକୁ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ସେନା ବାହିନୀ ଘେରି ରହିଛନ୍ତି । ୪୧ କଂପାନୀ ଅର୍ଦ୍ଧସାମରିକ ବାହିନୀ ସିର୍ସାରେ ମୁତୟନ ରହି ଥିବା ବେଳେ ଅର୍ଦ୍ଧସାମରିକ ବାହିନୀ ଓ ହରିଆନା ପୁଲିସକୁ ନେଇ ୫୦ଟି ଟିମ୍ ଆଶ୍ରମ ଭିତରେ ଯାଂଚ କାର୍ଯ୍ୟ ଚଳାଇଛନ୍ତି । ଆଶ୍ରମରେ ୪୦ ସ୍ୱାଟ୍ କମାଂଡୋ ସହ ବୋମା ନିଷ୍କି୍ରୟକାରୀ ଦଳ ମୁତୟନ ଅଛନ୍ତି । ୧୦ଟି ଟିମ୍ ରିଜର୍ଭରେ ରଖା ଯାଇଛି । ସେନା ମଧ୍ୟ ମୁତୟନ ହୋଇଛନ୍ତି । ଆଶ୍ରମ ଭିତରେ ରହୁଥିବା ଭକ୍ତଙ୍କ ମଧ୍ୟରୁ ୧୫୭ ଜଣଙ୍କ ନିକଟରେ ବନ୍ଧୁକ ଲାଇସେନ୍ସ ଥିଲା । ୧୨୦ ଜଣ ପ୍ରଶାସନକୁ ସେମାନଙ୍କ ଲାଇସେନ୍ସ ହସ୍ତାନ୍ତର କରିଥିବା ବେଳେ ଅନ୍ୟ ୩୭ ଜଣ ହସ୍ତାନ୍ତର କରି ନାହାନ୍ତି । ଯାଂଚକାରୀ ଦଳ ସେମାନଙ୍କ ଆଡୁ ଆକ୍ରମଣର ଆଶଙ୍କା କରି ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି ।
ଜିଲ୍ଲା ରାଜସ୍ୱ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସିର୍ସାରେ ଡ଼େରା ସଚ୍ଚା ସୌଦାର ୯୫୩ ଏକର ଜମି ରହିଛି । ଯାହାର ମୂଲ୍ୟ ପ୍ରାୟ ୧୪୩୫ କୋଟି ଟଙ୍କା । ୭୬୬ ଏକର ଜମି ଉପରେ ଡ଼େରା ମୁଖ୍ୟାଳୟ ରହିଛି । ଯାହାର ମୂଲ୍ୟ ପ୍ରାୟ ୧୩୫୯ କୋଟି ଟଙ୍କା । ଏହାଛଡା, ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ମଧ୍ୟ ରହିଛି , ଯାହାର ମୂଲ୍ୟ ଆକଳନ କରାଯାଉଛି । ଡ଼େରା ଭକ୍ତମାନେ ମୃତ୍ୟୁ ପରେ ମଧ୍ୟ ଆଶ୍ରମ ସହ ଯୋଡି ହୋଇ ରହିବା ସେମାନଙ୍କ ପରିବାର ଚାହୁଁ ଥିବାରୁ ବହୁ ସଂଖ୍ୟକ ଭକ୍ତଙ୍କୁ ମୃତ୍ୟୁପରେ ଆ୍ୟମ ପରିସରରେ ପୋତି ଦିଆଯାଇଛି । ତେଣୁ ସେମାନଙ୍କ ଅସ୍ତି, କଂକାଳ ଆଶ୍ରମ ପରିସରରୁ ମିଳିବା ବିଚିତ୍ର ନୁହେଁ ବୋଲି ସର୍ଚ୍ଚ ଅପରେସନ ଆରମ୍ଭ ହେବା ସମୟରେ ଦାୟିତ୍ୱରେ ଥିବା ଅଧିକାରୀମାନେ ସଫେଇ ଦେଇଛନ୍ତି । ଅଶ୍ରମ ଭିତରେ ବିଭିନ୍ନ ସ୍ଥାନ ଖୋଦେଇ ବେଳେ ମାଟି ତଳୁ ବହୁମାତ୍ରାରେ ଅସ୍ତି, କଂକାଳ ମିଳିବ ବୋଲି ସର୍ଚ ଟିମ୍ ମଧ୍ୟ ଆଶଙ୍କା କରୁଛି । ଶୁକ୍ରବାର ପ୍ରଥମ ଦିନର ତଲାସୀ ବେଳେ ଆଶ୍ରମରୁ ବହୁମାତ୍ରାରେ ପୁରୁଣା ନୋଟ୍, ପ୍ଲାଷ୍ଟିକ୍ କରେନ୍ସି, ବହୁ ସଂଖ୍ୟକ ଲ୍ୟାପଟପ୍, କଂପ୍ୟୁଟର, ବିନା ଲେବୁଲ୍ରେ ଗଚ୍ଛିତ ରଖା ଯାଇଥବା ବହୁ ପରିମାଣର ବ୍ରାଣ୍ଡେଡ୍ ଔଷଧ ଜବତ ହୋଇଛି । ତିନିଟି କୋଠରୀକୁ ସିଲ୍ କରିଦିଆଯାଇଛି । ଆଶ୍ରମ ଭିତରେ ଚାଲିଥିବା ତଲାସୀ ଅଭିଯାନର ଭିଡ଼ିଓ ରେକର୍ଡିଂ ପାଇଁ ୬୦ଟି କ୍ୟାମେରା ବ୍ୟବହାର କରାଯାଉଥିବା ଜଣାପଡିଛି । ବାବା ରାମ ରହିମ ନିଜକୁ ସଜାଇବା ପାଇଁ ହଜାର ହଜାର ସଂଖ୍ୟାରେ ବ୍ରଣ୍ଡେଡ୍ ପୋଷାକ ବିଭିନ୍ନ କୋଂରୀରେ ସଜାଇ ରଖିଥିବା ତଲାସୀ ବେଳେ ଦେଖିବାକୁ ମିଳିଥିଲା । ବହୁମାତ୍ରାରେ ମୂଲ୍ୟବାନ ସୌଖୀନ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।
ବାବାଙ୍କ ଦୁଷ୍କର୍ମର ଚିଠା ଲମ୍ବା ହୋଇ ଥିଲେ ମଧ୍ୟ ଜଣେ ସାଧ୍ୱୀ ସାହାସ କରି ୨୦୦୪ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ପଂଜାବ ଓ ହରିଆନା ହାଇକୋର୍ଟଙ୍କୁ ଏକ ଗୋପନପତ୍ର ପଠାଇ ଆଶ୍ରମରେ ଚାଲିଥିବା କଳା କାରନାମାର ପର୍ଦ୍ଦାଫାସ୍ କରିଥିଲେ । ପରେ ସୁପ୍ରିମ କୋର୍ଟ ଦୁଷ୍କର୍ମ ଅଭିଯୋଗର ସିବିଆଇ ତଦନ୍ତ ଆଦେଶ ଦେଇଥିଲେ । ସିବିଆଇ ୧୮ ଜଣ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିବା ବେଳେ ମାତ୍ର ୨ ଜଣ ସାଧ୍ୱୀ କୋର୍ଟ ଆସି ବୟାନ ଦେବାକୁ ସାହସ କରିଥିଲେ । ପ୍ରଭାବଶାଳୀ ବାବା ଗୁରୁମିତ ସେମାନଙ୍କୁ ଦବାଇବା ସକାଶେ ସମସ୍ତ ପ୍ରୟାସ କରିଥିଲେ । ସିବଆଇର ତଦନ୍ତକୁ ମଧ୍ୟ ପାଂଚ ବର୍ଷ କାଳ ଅଟକାଇ ଦେଇଥିଲେ । ତେବେ, ତଦନ୍ତକାରୀ ଅଧିକାରୀମାନେ ସନ୍ତର୍ପଣରେ ବାବାଙ୍କ ବିରୋଧରେ ଏଭଳି ଅକାଟ୍ୟ ପ୍ରମାଣ ଏକାଠି କରିଥିଲେ ଯେ ଶେଷରେ ବାବାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯିବାକୁ ପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS