ରବିବାର ଥିଲା ଦୁଃଖର ଦିନ…
– ପ୍ରସାଦ ରାଓ –
ଭୁବନେଶ୍ୱର, ସେପ୍ଟେମ୍ବର ୧୨: କର୍ମଜୀବୀଙ୍କୁ ସପ୍ତାହର ଗୋଟିଏ ଦିନ ମନ ଖୋଲି ପରିବାର ସହ ବିତାଇବାକୁ ସମୟ ମିଳି ଥାଏ । ସକାଳୁ ଆରମ୍ଭ ହୋଇ ଯାଏ ବଜାରରେ ଭିଡ଼ । ପନିପରିବା ଠାରୁ ଆରମ୍ଭ କରି ଆମିଷ ପର୍ଯ୍ୟନ୍ତ, ସବୁଠି ଲାଗି ଥାଏ ଗହଳି । ବ୍ୟବସାୟୀମାନେ ଫୁରସତରେ ଆସିଥିବା ଗ୍ରାହକମାନଙ୍କୁ ସେବା ଦେଇ ବେଶ୍ କିଛି କମାଇବାର ସୁଯୋଗରେ ଥା’ନ୍ତି । ସେହିଭଳି, ପରିବାର ମୁଖିଆମାନେ ପୁଅ, ଝିଅଙ୍କ ଫରମାଏସ୍ ପୂରଣ କରିବା ସହ ସେମାନଙ୍କ ସହ କିଛି ସମୟ ବିତାଇବାର ଆନନ୍ଦ ନେଇ ଥା’ନ୍ତି । ପ୍ରାୟତଃ ଏହା ହେଉଛି ପ୍ରତି ପରିବାରର ନିୟମିତ ଅନୁଭବ । ତେବେ, ବେଳେ ବେଳେ ଘଟି ଯାଉଥିବା କିଛି ଘଟଣା ବ୍ୟତିକ୍ରମ ଭାବେ ଦେଖା ଦେଇ ଥାଏ । କେବଳ ଗୋଟିଏ ନିର୍ଦ୍ଧିଷ୍ଟ ପରିବାର ପାଇଁ ନୁହେଁ, ଏହି ପରିବାର ସହ ସଂପର୍କ ଥିବ, ନଥିବା ସମସ୍ତଙ୍କୁ ଦୁଃଖ ଦିଏ । ଦୁଃଖର ମାତ୍ରା କମ୍, ବେଶୀ ହୋଇ ପାରେ । ମାତ୍ର, ଦୁଃଖର ଅନୁଭବ ସବୁଠି ଦେଖିବାକୁ ମିଳେ ।
ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଦୁଃଖର ରବିବାର ଥିଲା ୨୦୧୭ ସେପ୍ଟେମ୍ବର ୧୦ ତାରିଖ । ପାର୍ବଣ ଋୁତୁ ଚାଲିଛି । ସହରର ମାହୋଲ ଚଳଚଂଚଳ ରହିଛି । ଦିନ ୧୨ଟା ପର୍ଯ୍ୟନ୍ତ ସବୁ କିଛି ଥିଲା ସ୍ୱାଭାବିକ । ଖରା ଓ ଗୁଳୁଗୁଳି ଯୋଗୁ ଘରୁ ବାହାରିବାକୁ ମନ ହେଉ ନଥାଏ । ଠିକ୍ ଗୋଟାଏ ବେଳେ ଖବର ଆସିଲା ନିର୍ମାଣାଧୀନ ସତ୍ୟନଗର ରେଳବାଇ ଓଭରବ୍ରିଜ୍ର ଗୋଟିଏ ସ୍ଲାବ୍ ଭୁଶୁଡ଼ି ଜଣକର ମୃତ୍ୟୁ ଘଟିଛି, ଅନେକ ଆହତ ହୋଇଛନ୍ତି । ବମିଖାଲ ଛକରେ ଏହି ଦୁର୍ଘଟଣା ଘଟିଛି । ଫ୍ଲାଏଓଭରର ଦୁଇଟି ପିଲର୍କୁ ଯୋଡିବା ସକାଶେ ସଦ୍ୟ ପଡିଥିବା କଂକ୍ରିଟ୍ ସ୍ଲାବ୍ ଫ୍ରେମ୍ ସହ ଭୁଶୁଡି ପଡ଼ିବା ଖବର ଅପ୍ରତ୍ୟାଶିତ ଥିଲା । କାରଣ, କିଛି ସମୟ ଆଗରୁ ମୁୁଁ ସେହି ବାଟ ଦେଇ ଘରକୁ ଫେରିଥିଲି । ସବୁ କିଛି ସ୍ୱାଭାବିକ ଥିଲା । ଅଚାନକ କଣ ଏମିତି ହେଲା?
ସ୍ଲାବ୍ ଭୁଶୁଡିବାର କାରଣ ତୁରନ୍ତ ସ୍ପଷ୍ଟ ହେଲା ନାହିଁ ସିନା ଭୁଶୁଡି ପଡିଥିବା ସ୍ଲାବ୍ର କଂଚା ସିମେଂଟ, କଂକ୍ରିଟ ଓ ଲୁହାରଡ଼ ତଳେ ଚାପି ହୋଇ ଜଣକର ମୃତ୍ୟୁ ଘଟି ଥିବା ଖବର ମନକୁ ଉଦାସ କରି ଦେଲା । ଉଦୁଉଦିଆ ଖରାରେ ସ୍ଲାବ ପକାଇବା କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ କିଛି କଂକ୍ରିଟ୍ ପାହାଡ ତଳେ ଚାପି ହୋଇ ରହିଥିବା ଆଶଙ୍କା ମଧ୍ୟ ସମସ୍ତଙ୍କୁ ବିଚଳିତ କରୁଥିଲା । ସେହିବାଟ ଦେଇ ଯିବା, ଆସିବା ଅନ୍ୟ ପଥଚାରୀଙ୍କ ମଧ୍ୟରୁ କେହି ଭୁଶୁଡି ପଡି ଥିବା ସ୍ଲାବ୍ ତଳେ ଚପି ହୋି ରହି ଥାଇ ପାରେ, ଏହି ସନେ୍ଦହରେ ଘଟଣା ସ୍ଥଳରେ ଜମା ହୋଇ ଯାଇଥିବା ଲୋକମାନେ ନିଜ ଆଡୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । କଟକ-ପୁରୀ ରାସ୍ତା ଦେଖେଣାହାରୀଙ୍କ ଭିଡରେ ଜାମ୍ ହୋଇ ଯିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା । କେବଳ ଆମ୍ବୁଲାନ୍ସର ସାଇରନ୍ ଶୁଣିବାକୁ ମିଳିଥିଲା ସଂପୃକ୍ତ ଅଂଚଳରେ । ପ୍ରାୟ ୭ରୁ ୮ ଘଂଟାର ଅପରେସନ୍ରେ ଭାଗ ନେଇ ଥିଲେ ଅଂଚଳବାସୀଙ୍କ ସମେତ ପୁଲିସ, ଅଗ୍ନିଶମ ବିଭାଗ, ଓଡ୍ରାଫ୍ଟ ଟିମ୍ ଓ ଏନଡ଼ିଆରଏଫ ସଦସ୍ୟମାନେ । କଂକ୍ରିଟ୍ ସ୍ଲାବ୍ ତଳୁ ଉଦ୍ଧାର କରାଯାଇଥିଲା ଏକମାତ୍ର ମୃତ ବ୍ୟକ୍ତି ଓ ଗୁରୁତର ଆହତ ତାଙ୍କର ୮ ବର୍ଷର ଶିଶୁ କନ୍ୟା ସମେତ କିଛି ନିର୍ମାଣ ଶ୍ରମିକଙ୍କୁ । କଂକ୍ରିଟ୍ ସ୍ଲାବ୍ ପକାଇବା କାର୍ଯ୍ୟରେ ନିୟୋଜିତ ଏହିି ଶ୍ରମିକମାନେ ପ୍ରାୟ ୨୦ରୁ ୩୦ ଫୁଟ୍ ଉପରୁ ତଳକୁ ଖସି ପଡି ଓଦା ସମେଂଟ, କଂକ୍ରିଟ୍ ତଳେ ଚାପି ହୋଇ ରହି ଥିଲେ । ମୋଟ୧୭ ଜଣ ଆହତ ହୋଇଥିବା ଜଣାପଡିଛି । ସବୁ ଠାରୁ ଅଧିକ ହୃଦୟବିଦାରକ ଦୃଶ୍ୟ ଥିଲା, ୮ ବର୍ଷର କୁନି ଝିଅକୁ ସ୍କୁଟିରେ ବସାଇ ଘରକୁ ଫେରୁଥିବା ବାପାର ଘଟଣା ସ୍ଥଳରେ ମୃତ୍ୟୁ ଘଟଣା । ଭୁଶୁଡି ପଡିଥିବା କଂକ୍ରିଟ୍ ଛାତ ତଳେ ବାପା, ଝିଅ ଦୁହେଁ ଚାପି ହୋଇ ରହିଥିଲେ । ବାପାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଝିଅକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ଚିକିତ୍ସା ପାଇଁ ହାକ୍ତରଖାନାକୁ ପଠା ଯାଇ ଥିଲା ।
ଦୁର୍ଘଟଣାରେ ମୃତ ସତ୍ୟବ୍ରତ ପଟ୍ଟନାୟକ ଜଣେ ପ୍ଲାଇଉଡ୍ ବ୍ୟବସାୟୀ । ମଂଚେଶ୍ୱରରେ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ଥିବା ବେଳେ ସେ ପରିବାର ସହ ରହୁଥିଲେ ଝାରପଡା ଅଂଚଳରେ । ୮ ବର୍ଷର ଝିଅ ଶୀତଲ୍ ସହୀଦ ନଗରରେ ଥିବା ଏକ ନୃତ୍ୟ ଶିକ୍ଷାନୁଷ୍ଠାନରୁ ନୃତ୍ୟ ଶିକ୍ଷା କରି ବାପାଙ୍କ ସହ ଘରକୁ ଫେରୁ ଥିବା ବେଳେ ଫ୍ଲାଇଓଭର ଛାତ ଭୁଶୁଡ଼ି ତା’ତଳେ ଚାପି ହୋଇ ଯାଇଥିଲେ । ବାପା କଂକ୍ରିଟ୍ ଗଦା ତଳେ ଫସି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ସୁଦ୍ଧା ଝିଅ ଶୀତଲ୍କୁ ବଂଚାଇବା ଲୋଭରେ ତା’ ଉପରୁ କଂକ୍ରିଟ୍ ଗଦା ହଟାଇବାର ପ୍ରୟାସ କରିଥିବା ଦେଖେଣାହାରୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ବାପ, ଝିଅଙ୍କୁ ଉଦ୍ଧାର କଲା ବେଳକୁ ବାପା ସତ୍ୟବ୍ରତ ଆରପାରିକୁ ଚାଲି ଯାଇଥିଲେ । ଝିଅ ହୋସ୍ ଆସିବା ପରେ ଡାକ୍ତରଖାନାରେ ଖୋଜୁଥିଲା ବାପାଙ୍କୁ । ଏହାଠାରୁ ଅଧିକ ହୃଦୟ ବିଦାରକ ଦୃଶ୍ୟ କଣ ହୋଇପାରେ! ସତ୍ୟବ୍ରତଙ୍କ ପରିବାର ଉଜୁଡି ଯାଇଛି । ରାଜ୍ୟ ସରକାରଙ୍କ ଆଡୁ ଘଟଣା ପରେ ପରେ ପୂର୍ତ ବିଭାଗର ଦୁଇ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିରାଚରିତ ଷ୍ଟାଇଲ୍ରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ପୁଲିସ ଆଡୁ ତୁରନ୍ତ ସଂପୃକ୍ତ ଠିକା ସଂସ୍ଥା ‘ପଣ୍ଡା ଇନ୍ଫ୍ରା’ ବିରୋଧରେ ମାମଲା ରୁଜୁ ହୋଇ ଥିଲା । ସୋମବାର ସଂସ୍ଥାର ପରିଚାଳନା ନିଦେ୍ର୍ଦଶକ ପ୍ରତାପ ପଣ୍ଡା ଭୁବନେଶ୍ୱର ଡ଼ିସିପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଜଣେ ଯନ୍ତ୍ରୀ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଛନ୍ତି । ‘ପଣ୍ଡା ଇନ୍ଫ୍ରା’ ଅନ୍ୟ ଦୁଇ ନିଦେ୍ର୍ଦଶକଙ୍କୁ ଗିରଫ କରିବା ସକାଶେ ପୁଲିସ ଖୋଜୁଛି । ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ସୋମବାର ଦୁର୍ଘଟଣା ସ୍ଥଳକୁ ଯାଇ ସ୍ଲାବ୍ ଖସିବାର କାରଣ ସଂପର୍କରେ ତଦନ୍ତ କରିଛନ୍ତି । ବୈଷୟିକ କାରଣରୁ ନା ଅବହେଳାରୁ ଏହି ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ଚାଲିଛି । ଏକ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ ଦଳକୁ ନିଦେ୍ର୍ଦଶ ଦେଇଛନ୍ତି ।
ଏତେ ସବୁ କାର୍ଯ୍ୟାନୁଷ୍ଠାନ ସତ୍ୱେ ରାଜନୀତି ମୁଖ୍ୟମନ୍ତ୍ରୀଙ୍କ ପିଛା ଛାଡିନି । ସୋମବାର ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ରାଜ୍ୟ ବିଧାନସଭାରେ ହଟ୍ଟଗୋଳ କରି ବିଧାନସଭାକୁ ଏକାଧିକ ଥର ଅଚଳ କରିଥିଲେ । ରବିବାର ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖି ସରକାରଙ୍କ ଆଡୁ ତୁରନ୍ତ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇଥିଲେ ସୁଦ୍ଧା ଘଟଣା ସଂପର୍କରେ ଗୃହରେ ବିସ୍ତୃତ ଆଲୋଚନା ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା । ବିଜେପି ମଧ୍ୟ ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ ‘ପଣ୍ଡା ଇନ୍ଫ୍ରା’ର ବିଭିନ୍ନ ପ୍ରକଳ୍ପରେ ପୁଂଜି ବିନିଯୋଗ କରିଥିବା ଏବଂ ଏହି ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରୁଥିବା ଜାରି ସୁଦ୍ଧା ତୃତୀୟ ମହଲା ସହଯୋଗରେ ସୁରକ୍ଷା ପ୍ରଦାନ କରୁଥିବା ଅଭିଯୋଗ କରି ସରକାରଙ୍କୁ କାଠଗଡାକୁ ଟାଣି ଥିଲେ । ତେବେ, ତାଙ୍କ ବିରୋଧରେ ବିଜେପି କରିଥିବା ଅଭିଯୋଗକୁ ପ୍ରମାଣିତ କରିବାକୁ ବିଧାୟକ ସାହୁ ଚ୍ୟାଲେଂଜ କରିବା ସହ ତଥ୍ୟ, ପ୍ରମାଣ ଥିଲେ ତାଙ୍କୁ ସଭ୍ୟ ପଦରୁ ହଟାଇ ଦେଖାନ୍ତୁ ବୋଲି ସାହୁ ପାଲଟା ଆଡ୍ୱାନ ଦେଇଥିଲେ । ଏସବୁ ଭିତରେ ପୁଲିସ ଡ଼ିଜି ଡ଼କ୍ଟର ଆରପି ଶର୍ମା ଓ କଟକ-ଭୁନେଶ୍ୱର ପୁଲିସ କମିସନର ଖୁରାନିଆ ମିଡ଼ିଆକୁ କହିଛନ୍ତି ଯେ, ରବିବାର ଘଟଣାର ତଦନ୍ତ ଚାଲିଛି । ଯେ କେହି ଦୋଷୀ ଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ ।
ବିରୋଧୀଙ୍କ ଅଭିଯୋଗ ହେଉଛି, ‘ପଣ୍ଡା ଇନ୍ଫ୍ରା’ ଦ୍ୱାରା ନିର୍ମିତ ମାଳତୀପାଟପୁର ଆରଓବି ତ୍ରୁଟୀପୂର୍ଣ୍ଣ ଡ଼ିଜାଇନ ଓ ନିମ୍ନମାନର କାର୍ଯ୍ୟ ଯୋଗୁ ବିପଦସଂକୁଳ ଅବସ୍ଥାରେ ରହିଥିବା ଜାଣି ମଧ୍ୟ ରସୁଲଗଡ, ଜଟଣୀ, ସମ୍ବଲପୁର, ରାଉରକେଲା ଫ୍ଲାଏଓଭର ଏବଂ ଖୋର୍ଦ୍ଧା-ନୟାଗଡ ରାସ୍ତାରେ ୧୫୦ କୋଟି ଟଙ୍କାରେ ପୋଲ ଓ ରାସ୍ତା ନିର୍ମାଣ କାମ ଏହି ସଂସ୍ଥାକୁ ଦିଆଯାଇଛି । ରସୁଲଗଡ-ସତ୍ୟନଗର ଫ୍ଲାଇଓଭର ନିର୍ମାଣ ପାଇଁ ୨୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇ ୨୦୧୨ରୁ କାମ ଆରମ୍ଭ ହୋଇଥିଲା । ୨୦୧୪ରେ ତାହା ସରିବା କଥା । କିନ୍ତୁ ସରିନି । ୨୦୧୮ ସୁଦ୍ଧା କାର୍ଯ୍ୟ ସରିବା ନେଇ ସନେ୍ଦହ ରହିଛି । ବ୍ୟୟ ଅଟକଳ ୪୪ କୋଟି ଟଙ୍କାରେ ପହଂଚିଲାଣି । ଶାସକ ଦଳର ଆଶୀର୍ବାଦ ନ ଥିଲେ ଏହି ସଂସ୍ଥା କୋଟି କୋଟି ଟଙ୍କାର ନିର୍ମାଣ କାର୍ଯ୍ୟର ଠିକା ପାଉ ନ ଥା’ନ୍ତା । ମୁଖ୍ୟମନ୍ତ୍ରୀ ‘ପିସି’ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ପୂର୍ତ ବିଭାଗର ପିସି କାରବାର ଯୋଗୁ ଆଜି ଜଣେ ନିରୀହ ବ୍ୟକ୍ତିଙ୍କ ଜୀବନ ଯାଇଛି । ପୂର୍ତ ବିଭାଗରେ ହରିଲୁଟ ଚାଲିଛି ଏବଂ ଉପଯୁକ୍ତ ତଦାରଖ ଅଭାବରୁ ରବିବାରର ଏହି ଦୁର୍ଘଟଣା ଘଟିଛି । ତେଣୁ, ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ କଥା କହୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ କଥା ଓ କାର୍ଯ୍ୟରେ ଫରକ ନ ଥିବା ପ୍ରମାଣିତ କରିବା ସମୟ ଆସିଛି । ସରକାର ଯେତେ ଯାହା କ୍ଷତିପୂରଣ ଦିଅନ୍ତୁ ନା କାହିଁକି ସତ୍ୟବ୍ରତଙ୍କ ପରିବାର, ବିଶେଷକରି ତାଙ୍କ ୮ ବର୍ଷର ଝିଅ ଶୀତଲ୍ ପାଇଁ ତାହା ମୂଲ୍ୟହୀନ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁଁ ଏହି ପରିବାରର କ୍ଷତି ଭରଣା ହେବ । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ସଂପୃକ୍ତ ଠିକା ସଂସ୍ଥା ବା ପୂର୍ତ ବିଭାଗ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜ ଦଳରେ ଥିବା ‘କଳାମୁହାଁ ଘୋଡା’ଙ୍କ ବିରୋଧରେ ମଧ୍ୟ ତଦନ୍ତ କରାନ୍ତୁ । ଏହା ହେଲେ ହିଁ ଦୁର୍ନୀତି ପ୍ରସଂଗରେ ତାଙ୍କ ନିପେକ୍ଷତା ପ୍ରମାଣିତ ହେବ । ବିରୋଧୀଙ୍କ ଏହି ଆହ୍ୱାନକୁ ମୁଖ୍ୟମନ୍ତ୍ରୀ କେତେଦୂର ସମ୍ମାନ ଦେବେ, ତାହା ଆଗାମୀ ଦିନରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS