ମାମଲା ପରିଚାଳନାରେ ଓଡ଼ିଶା ପଛୁଆ, ୧୭ ପ୍ରତିଶତ ମାମଲା ୧୦ ବର୍ଷରୁ ଅଧିକ ଦିନ ହେଲା ଫଇସଲା ଅପେକ୍ଷାରେ ରହିଛି
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୨: ପ୍ରଥମ ଥର ପାଇଁ ଦେଶର ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ସେମାନଙ୍କ ନିମ୍ନ ଅଦାଲତଗୁଡ଼ିକରେ ୧୦ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଚାରାଧୀନ ଅବସ୍ଥାରେ ପଡି ରହିଥିବା ମାମଲା ଗୁଡ଼ିକର ଫଇସଲା କରି ସେହି ସଂଖ୍ୟା ପ୍ରାୟତଃ ‘ଶୂନ’ରେ ପହଂଚାଇବାରେ ସକ୍ଷମ ହୋଇଛନ୍ତି । ଏହା କିଛି ଛୋଟ କଥା ନୁହେଁ । କାରଣ, ଦେଶରେ ନିମ୍ନ ଅଦାଲତମାନଙ୍କରେ ଏକ ଦଶନ୍ଧୀରୁ ଅଧିକ ଦିନ ଧରି ବିଚାରଧୀନ ପଡି ରହି ଥିବା ମାମଲା ସଂଖ୍ୟା ୨୩ ଲକ୍ଷ, ଯାହାକି ନିମ୍ନ ଅଦାଲତରେ ବିଚାରାଧୀନ ଥିବା ମୋଟ ସଂଖ୍ୟକ ମାମଲାର ୯ ପ୍ରତିଶତ ।
ନିମ୍ନ ଅଦାଲତରେ ଏକ ଦଶନ୍ଧୀରୁ ଅଧିକ ଦିନ ଧରି ବିଚାରାଧୀନ ପଡ଼ି ରହିଥିବା ମାମଲା ସଂଖ୍ୟାକୁ ‘ଶୂନ’ ସ୍ତରକୁ ଖସାଇ ଆଣି ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ହେଉଛି -ହରିୟାନା,ପଂଜାବ, ହିମାଚଳପ୍ରଦେଶ, କେରଳ ଓ ଚଣ୍ଡିଗଡ଼ । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ବିଚାର ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱୀତ କରାଯିବା ଏବଂ ୧୦ ବର୍ଷ ବା ତଦୁଦ୍ଧ୍ୱର୍ ସମୟ ଧରି ବିଚାରାଧୀନ ଥିବା ମାମଲା ସବୁର ତୁରନ୍ତ ଫଇସଲା କରାଯିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହୋଇଛି । ଅନ୍ୟ ପାଂଚଟି ରାଜ୍ୟ ଦିଲ୍ଲୀ, ଆସାମ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ମଧ୍ୟ ବିଶେଷ ପଛରେ ନାହାନ୍ତି । ଏହିସବୁ ରାଜ୍ୟରେ ବିଚାରାଧୀନ ମାମଲାଗୁଡ଼ିକର ଫଇସଲାକୁ ତ୍ୱରାନ୍ୱୀତ କରାଯାଇ ଦଶ ବର୍ଷ ବା ତା’ଠାରୁ ଅଧିକ ଦିନର ବିଚାରାଧୀନ ମାମଲା ସଂଖ୍ୟା ୧ ପ୍ରତିଶତକୁ କମା ଯାଇ ପାରିଛି । ତେବେ, ବିଭିନ୍ନ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକୁ ଏଠାରେ ହିସାବରେ ନିଆଯାଇ ନାହିଁ ।
ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୧୭୦୦୦ ନିମ୍ନ ଅଦାଲତରେ ୨.୫୪ କୋଟି ମାମଲା ବିଚାରାଧୀନ ରହିଛି । ସେଥିରୁ ୨୨.୭୬ ଲକ୍ଷ ମାମଲା ହେଉଛି ୧୦ ବର୍ଷରୁ ଅଧିକ ଦିନର । ନ୍ୟାସନାଲ ଜୁଡ଼ିସିଆଲ ଡାଟା ଗ୍ରୀଡ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ, ହରିୟାନା, ପଂଜାବ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀ ପ୍ରଭୃତି ରାଜ୍ୟର ନିମ୍ନ ଅଦାଲତମାନଙ୍କରେ ବିଚାରଧୀନ ଥିବା ମାମଲା ସଂଖ୍ୟ କିଛି କମ୍ ନ ଥିଲା । ତେବେ, ଏସବୁ ରାଜ୍ୟରେ ୧୦ ବର୍ଷରୁ ଉଦ୍ଧ୍ୱର୍ ଦିନର ବିଚାରାଧୀନ ମାମଲା ସଂଖ୍ୟା ‘ଶୂନ’ ସ୍ତରକୁ ଅଣିବା ପାଇଁ ସବୁ ପୁରୁଣା ମାମଲାର ଫଇସଲାକୁ ତ୍ୱରାନ୍ୱୀତ କରାଯାଇଥିଲା । ବିଚାରପତିଙ୍କ ଦକ୍ଷତା ଏବଂ ରାଜ୍ୟ ସରକାର ଓ ହାଇକୋର୍ଟଗୁଡ଼ିକର ପ୍ରେ-ଆକ୍ଟିଭ୍ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇଛି ।
ଦେଶର ବିଭିନ୍ନ ନିମ୍ନ ଅଦାଲତରେ ବହୁ ସଂଖ୍ୟକ ମାମଲା ବିଚାରାଧୀନ ପଡି ପନି ରହୁ ଥିବାରୁ ବହୁ ସଂଖ୍ୟାରେ ବିଚାରାଧୀନ ବଂଦୀ ବର୍ଷ ବର୍ଷ ଧରି ଜେଲ୍ରେ ରହୁଛନ୍ତି । ମାମଲାଗୁଡ଼ିକର ଠିକ୍ ସମୟରେ ବିଚାର ସରି ଦଣ୍ଡବିଧାନ ହୋଇଥିଲେ ସେମାନେ ଯେତିକ ଦିନ ଜେଲ ଦଣ୍ଡ ଭୋଗି ଥା’ନ୍ତେ ତା’ଠାରୁ ଢେର ଅଧିକ ଦିନ ସେମାନେ ବିଚାରାଧୀନ ବଂଦୀ ଭାବେ ଜେଲ୍ରେ କାଟି ସାରିଲେଣି । ସରକାରୀ ହିସାବ ଅନୁଯାୟୀ, ଦେଶର ବିଭିନ୍ନ ଜେଲ୍ରେ ଅଟକ ଥିବା କଏଦୀଙ୍କ ସଂଖ୍ୟାର ଏକତୃତୀୟାଂଶ ହେଉଛନ୍ତି ବିଚାରାଧୀନ ବନ୍ଦୀ । ବର୍ଷ ବର୍ଷ ଧରି ନ୍ୟାୟ ଦେବାରେ ବିଚାର ବ୍ୟବସ୍ଥାର ବିଫଳତା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କିଛି ରାଜ୍ୟ ନିଜର ବିଚାର ବ୍ୟବସ୍ଥାରେ ଉନ୍ନତି ଆଣି ବିଚାରଧୀନ ମାମଲା ସଂଖ୍ୟା କମାଇବାରେ ସକ୍ଷମ ହୋଇଥିବା ବେଳେ ଗୁଜୁରାଟ, ବିହାର, ୟୁପି, ଓଡ଼ିଶା, ପଶ୍ଚିମ ବଙ୍ଗ ଭଳି କିଛି ରାଜ୍ୟ ଏବେ ବି ପଛୁଆ ରହିଛନ୍ତି । ଏସବୁ ରାଜ୍ୟରେ ବହୁ ସଂଖ୍ୟକ ମାମଲା, ବିଶେଷକରି ୧୦ ବର୍ଷରୁ ଉଦ୍ଧ୍ୱର୍ ଦିନର ବିଚାରାଧୀନ ମାମଲା ବିଚାର ସରି ନ ପାରି ପଡି ରହିଛି । ଗୁଜୁରାଟରେ ସର୍ବାଧିକ ୨୦ ପ୍ରତିଶତ ୧୦ ବର୍ଷରୁ ଉଦ୍ଧ୍ୱର୍ ଦିନର ମାମଲା ବିଭିନ୍ନ ନିମ୍ନ ଅଦାଲତରେ ବିଚାର ପାଇଁ ପଡି ରହିଥିବା ବେଳେ ଓଡ଼ିଶାରେ ୧୭ ପ୍ରତିଶତ, ବିହାରରେ ୧୬ ପ୍ରତିଶତ, ୟୁପିରେ ୧୩ ପ୍ରତିଶତ, ପଶ୍ଚିମ ବଂଗ ଓ ଉତ୍ତରାଖଂଡ଼ରେ ୧୨ ପ୍ରତିଶତ ଏବଂ ଜାମ୍ମୁ-କାଶ୍ମୀରରେ ୧୧ ପ୍ରତିଶତ ୧୦ ବର୍ଷରୁ ଅଧିକ ଦିନର ମାମଲା ବିଚାରଧୀନ ରହିଛି ।
ବହୁ ସଂଖ୍ୟାରେ ମାମଲା ବର୍ଷ ବର୍ଷ ଧରି ବିଚାର ପାଇଁ ପଡି ରହିବା ଦ୍ୱାରା ମହିଳା ଓ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଅଧିକ ହଇରାଣ ହରକତ ହେଉଥିବା ଜଣାପଡିଛି । ନିମ୍ନ ଅଦାଲତରେ ଦୀର୍ଘ ବର୍ଷ ଧରି ବିଚାରଧୀନ ଥିବା ୨.୫୪ କୋଟି ମାମଲାରୁ ୧୫ ପ୍ରତିଶତ ହେଉଛି ମହିଳା ଓ ବୟୋଜ୍ୟେଷ୍ଠ ନାଗରିକଙ୍କ ସଂପର୍କୀତ । ବୟୋଜ୍ୟେଷ୍ଠ ନାଗରିକଙ୍କ ଆଡୁ ହୋଇଥିବା ୧୧ ଲକ୍ଷ ଓ ମହିଳାଙ୍କ ଆଡୁ ହୋଇଥିବା ୨୬ ଲକ୍ଷ ମାମଲା ଦେଶର ବିଭିନ୍ନ ନିମ୍ନ ଅଦାଲତରେ ୧୦ ବର୍ଷରୁ ଅଧିକ ଦିନ ହେଲା ବିଚାରାଧୀନ ପଡି ରହିବା ଦ୍ୱାରା ସେମାନଙ୍କୁ ନ୍ୟାୟ ମିଳିବା ବିଳମ୍ବିତ ହେଉଛି । ବିଚାର ବ୍ୟବସ୍ଥାରେ ସଂପୂର୍ଣ୍ଣ ସୁଧାର ଆଣିବା ଏବଂ ଅଧୁନିକ ବୈଷୟିକ କୌଶଳକୁ ଆପଣାିବା ମାଧ୍ୟମରେ ଏହି ସମସ୍ୟାର ସମାଧାନ ସମ୍ଭବ ବୋଲି ରିପୋର୍ଟରେ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS