ବିଜେପୁର ବିଧାନସଭା ଉପ ନିର୍ବାଚନ, ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ବିଦ୍ରୋହ


ଭୁବନେଶ୍ୱର, ୩୦ସେପ୍ଟେମ୍ବର: ବିଜେପୁର ବିଧାନସଭା ଆସନ ଏବେ ବିଜେପି ପାଇଁ ବି ମହଙ୍ଗା ପଡିଛି । ବିଜେଡ଼ିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଦଳରୁ ଟିକଟ ନ ପାଇ ବିଜେପିରେ ଯୋଗ ଦେଉଥିବା ଏବଂ ଆସନ୍ତା ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨ ତାରିଖ) ଦିନ ତାଙ୍କୁ ଦଳରେ ନିଆ ଯିବା ସକାଶେ ‘ମିଶ୍ରଣ ପର୍ବ’ ହେଉଥିବା ଘୋଷଣା ପରେ ବିଜେପିରେ ବିଦ୍ରୋହ ଦାନା ବାନ୍ଧିଛି । ଗତ ପଂଚାୟତ ନିର୍ବାଚନରେ ଦଳ ଜିଲ୍ଲା ବା ରାଜ୍ୟ ସଂଗଠନର ସହଯୋଗ ନ ପାଇ ୯୬ ହଜାର ଭୋଟ ଗୋଟାଇ ଥିଲା । ସେତେବେଳେ ଦଳ ଯେଉଁମାନଙ୍କ ବିରୋଧରେ ଳଢୁ ଥିଲା ବର୍ତମାନ ସେମାନଙ୍କୁ ‘ମିଶ୍ରଣ ପର୍ବ’ ନାମରେ କେମିତି ଦଳରେ ସାମିଲ କରାଯାଇ ବିଜେପୁର ବିଧାନସଭା ଉପ ନିର୍ବାଚନ ପାଇଁ ଟିକଟ ଦିଆଯିବ ବୋଲି ବିଜେପି ଜିଲ୍ଲା ସଂଗଠନ ପ୍ରଶ୍ନ କରୁଥିବା ଦଳକୁ ଅଡ଼ୁଆରେ ପକାଇଛି । ପୂର୍ବତନ ବିଧାୟକ ପାଣିଗ୍ରାହୀ ବିଜେଡ଼ି ଟିକଟ ନ ପାଇବା ନିଶ୍ଚିତ ହେବା ପରେ ୨ ତାରିଖ ବିଜେପିରେ ଯୋଗ ଦେଉଥିବା ସ୍ପଷ୍ଟ କରିଥିଲେ ମଧ୍ୟ ବିଜେପୁର ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲାଳାୟିତ ନ ଥିବା ସଫେଇ ଦେଇଛନ୍ତି । ସେହିପରି, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ବିଜେପୁର ଆସନରେ କିଏ ପ୍ରାର୍ଥୀ ହେବ, ତାହା ଦଳର ସଂସଦୀୟ କମିଟି ନିଷ୍ପତ୍ତି ନେବ । ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ ।
ପାଣିଗ୍ରାହୀ ଓ ପଣ୍ଡାଙ୍କ ସଫେଇ ପରେ ମଧ୍ୟ ଦଳରେ ବିବାଦ ଥମି ନାହିଁ । ବିଜେପି ବରଗଡ ଜିଲ୍ଲା ସଭାପତି ନାରାୟଣ ସାହୁ ପୂର୍ବତନ ବିଜେଡ଼ି ବିଧାୟକ ପାଣିଗ୍ରାହୀଙ୍କୁ ବିଜେପିକୁ ଆଣିବା ସକାଶେ ଦଳ ପକ୍ଷରୁ ହେଉଥିବା ଉଦ୍ୟମକୁ ଦୃଢ ବିରୋଧ କରିଛନ୍ତି । ସାହୁ କହିଛନ୍ତି ଯେ, ପୂର୍ବତନ ବିଧାୟକ ପାଣିଗ୍ରାହୀ ବିଜେପିରେ ଯୋଗଦେବା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ବିଜେପୁର ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ଦଳର ପ୍ରାର୍ଥୀ କରାଯିବା ଗ୍ରହଣଯୋଗ୍ୟ ନୁହେଁ । କାରଣ, ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଣିଗ୍ରାହୀଙ୍କ ନିଜସ୍ୱ ଭୋଟ ଆଧାର ନାହିଁ । ସେ ୨୦୧୪ ନିର୍ବାଚନରେ ଯାହା କିଛି ଭୋଟ ପାଇ ଥିଲେ ତାହା ବିଜେଡ଼ିର । ବିଜେଡ଼ି-ବିଜେପି ମେଂଟ ଥିବା ବେଳେ ସେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବାହାରୁ କାହାକୁ ଆଣି ପ୍ରାର୍ଥୀ କରାଯିବା ଅପକ୍ଷୋ ଦଳ ଭିତରୁ କାହାରିକୁ ପ୍ରାର୍ଥୀ କରାଯିବାକୁ ଗ୍ରହଣଯୋଗ୍ୟ ବୋଲି ସାହୁ ଦଳର ସଭାପତି ଶ୍ରୀ ପଣ୍ଡାଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିବା କହିଛନ୍ତି ।
ଦଳରେ ପାଣିଗ୍ରାହୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବିଦ୍ରୋହର ସୂତ୍ରପାତ ହୋଇଥିବା ବେଳେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରୋଜେକ୍ଟ କରୁଥିବା କେନ୍ଦ୍ର ପ୍ରେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୭ ପଂଚାୟତ ନିର୍ବାଚନରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ସଫଳତାର ଦ୍ୱାହି ଦେଇ ଏହି ଆସନରେ ହେବାକୁ ଥିବା ଉପ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ଦଳ ସେହି ସଫଳତାକୁ ଦୋହରାଇବ ବୋଲି ଦାବି କରିବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି । ପ୍ରଧାନ ରାଜ୍ୟ ରାଜନୀତିକୁ ଆକଳନ ନ କରି ଉପର ଠାଉରିଆ ଭାବେ ମନ୍ତବ୍ୟ ଦେଉଛନ୍ତି ବୋଲି ଏହି ମହଲ ମତପ୍ରକାଶ କରିଛନ୍ତି । ଇତିମଧ୍ୟରେ, ବିଜେଡ଼ିରେ ମଧ୍ୟ ବିଦ୍ରୋହ ଥମି ନ ଥିବା ଦେଖିବାକୁ ମିଳିଛି । ବରଗଡ ଜିଲ୍ଲା ବିଜେଡ଼ିର ଗୋଟିଏ ଗୋଷ୍ଠୀ ସଦ୍ୟ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଇଥିବା ଦିଗଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେପୁର ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ କରାଯାଉଥିବା ସଂପର୍କୀତ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ କରି ଧାରଣା ଅବ୍ୟାହତ ରଖିବା ସହ ଦଳ ଭିତରୁ କାହାରିକୁ ପ୍ରାର୍ଥୀ କରାଯିବାକୁ ଅଡ଼ି ବସିଛନ୍ତି । ପୂର୍ବତନ ବିଜେଡ଼ି ବିଧାୟକ ପାଣିଗ୍ରାହୀ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମଧ୍ୟ ବିଜେଡ଼ିକୁ ଜିତି ପାରିବେ ନାହିଁ ବୋଲି ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଥିବା ବେଳେ ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ନିରଂଜନ ପଟ୍ଟନାୟକ ବିଜେପୁର ଉପ ନିର୍ବାଚନରେ ଉଭୟ ବିଜେଡ଼ି ଓ ବିଜେପି ନିଜସ୍ୱ ପ୍ରାର୍ଥୀ ନ ଦେଇ ଉଧାରରେ ଆଣି ଥିବା ପ୍ରାର୍ଥୀଙ୍କୁ ଲଢାଉ ଥିବାରୁ ସେମାନଙ୍କ ପରାଜୟ ସୁନିଶ୍ଚିତ ବୋଲି କହିଛନ୍ତି । ବିଜେଡ଼ି – ବିଜେପି ଝଗଡ଼ାରୁ କଂଗ୍ରେସ ଫାଇଦା ପାଇବ ବୋଲି ସେ ଦୃଢ ମତ ଦେଇଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS