ଦୁର୍ଦ୍ଦଶା ରେଳଯାତ୍ରୀଙ୍କ ପିଛା ଛାଡୁନି: ଫୁଟ୍ ଓଭରବ୍ରିଜ୍ ଉପରେ ଦଳାଚକଟାରେ ୨୨ ମୃତ, ୩୦ ଆହତ


ମୁମ୍ବାଇ,୩୦ସେପ୍ଟେମ୍ବର: ଭାରତୀୟ ରେଳବାଇ କିଛି ଦିନ ହେଲା ଘୋର ଦୁଦ୍ଦିନ ଦେଇ ଗତି କରୁଥବା ଲକ୍ଷ୍ୟ କରାଯାଉଛି । କେତେବେଳେ, ଏକାଧିକ ରେଳ ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକ ମରୁଛନ୍ତି ତ ଆଉ କେତେବେଳେ ରେଳଗାଡି ବାଟବଣା ହୋଇ ଯେଉଁ ଟ୍ରାକ୍ରେ ଯିବା କଥା ନ ଯାଇ ଅନ୍ୟ ଟ୍ରାକ୍ରେ ଚାଲି ଯାଉଥିବା ଖବର ରେଳଯାତ୍ରୀଙ୍କୁ ଆତଙ୍କିତ କରୁଛି । ଦୁଇ ଦିନ ତଳର ଖବର ଥିଲା, ଗୋଟିଏ ଟ୍ରାକ୍ରେ ଏକା ସମୟରେ ଏକାଧିକ ଏକ୍ସପ୍ରେସ୍ ଟ୍ରେନ୍ ଚାଲି ଥିଲା । ଖବର ମିଳୁ ମିଳୁ ଟ୍ରେନ୍ଗୁଡ଼ିିକୁ ରୋକାଯିବା ଫଳରେ ବଡ଼ ଧରଣର ଦୁର୍ଘଟଣା ଟଳିଲା । ଏଭଳି ଘଟଣାକ୍ରମ ଭାରତୀୟ ରେଳଯାତ୍ରୀଙ୍କ ମନରେ ରେଳଯାତ୍ରାକୁ ନେଇ ଭୟର ବାତାବରଣ ସୃଷ୍ଟି କଲାଣି । ଲଗାତର ରେଳ ଦୁର୍ଘଟଣା ସମ୍ଭାଳିବାରେ ଅସମର୍ଥ ହୋଇ ନିକଟରେ ଏନଡ଼ିଏ ସରକାରରେ ରେଳମନ୍ତ୍ରୀ ଥିବା ସୁରେଶ ପ୍ରଭୁ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ହାତଛଡା କଲେ । ମନ୍ତ୍ରୀ ପରିଷଦ ସଂପ୍ରସାରଣ ନା’ରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟକୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ହଟାଇ ଦିଆ ଗଲା । ତାଙ୍କ ସ୍ଥାନ ନେଇଛନ୍ତି ପିୟୁଷ ଗୋୟେଲ । ଗୋୟେଲ ରେଳ ମନ୍ତ୍ରଣାଳୟ ସମ୍ଭାଳିବା ପରେ ମଧ୍ୟ ରେଳ ଦୁର୍ଘଟଣା ଥମୁନି । ରେଳ ଯାତ୍ରୀଙ୍କ ସଂକଟ ଟଳୁନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବୁଲେଟ୍ ଟ୍ରେନ୍ ପ୍ରଚଳନ ପାଇଁ ଜାପାନ ସହ ଚୁକ୍ତିକରି ସ୍ୱପ୍ନ ବିକୁ ଥିବା ବେଳେ ଦେଶରେ ବର୍ତମାନ ପ୍ରଚଳିତ ଦୁର୍ବଳ ରେଳ ଭିତ୍ତିଭୂମୀର ଉନ୍ନତି ଏବଂ ଯାତ୍ରୀଙ୍କ ସୁରକ୍ଷା ପଛ ଧାଡିକୁ ଚାଲି ଯାଇଛି । ଫଳରେ, ରେଳ ଯାତ୍ରା ସଂପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡ଼ିଛି ବୋଲି ଶୁକ୍ରବାର ସକାଳେ ମୁମ୍ବାଇର ଏଳଫିନ୍ଷ୍ଟୋନ୍ ରେଳ େଷ୍ଟେସନ୍ ନିକଟସ୍ଥ ଫୁଟ୍ ଓଭରବ୍ରିଜ୍ ଉପରେ ଘଟିଥିବା ଦଳାଚକଟା ଘଟଣା ପରେ ଦେଶବ୍ୟାପୀ ମତପ୍ରକାଶ ପାଇଛି । ଏହି ଦଳାଚକଟାରେ ଅନ୍ୟୁନ ୨୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୦ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଶୁକ୍ରବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି । ମିଳି ଥିବା ସୂଚନା ଅନୁଯାୟୀ, ମୁମ୍ବାଇର ପାରେଲ ଓ ଏଲିଫିନ୍ଷ୍ଟୋନ୍ ରେଳ ଷ୍ଟେସନ୍ ନିକଟରେ ଥିବା ଏକ ଟକଟ କାଉଂଟରରେ ପ୍ରବଳ ଭିଡ଼ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ବ୍ରିଟିଶ ଅମଳର ରେଳବାଇ ଫୁଟ୍ ଓଭରବ୍ରିଜ୍ ଉପରେ ବହୁ ସଂଖ୍ୟାରେ ଯାତ୍ରୀ ଅଟକି ରହିଥିଲେ । ଏତିକି ବେଳେ, ଏକା ସମୟରେ ଷ୍ଟେସନ୍ରେ ଆସି ପହଂଚି ଥିଲା ଚାରିଟି ଟ୍ରେନ୍ । ସେସବୁ ଟ୍ରେନ୍ରୁ ଅବତରଣ କରିଥିବା ଯାତ୍ରୀମାନେ ଫୁଟ୍ ଓଭରବ୍ରିଜ୍ ଦେଇ ପାରି ହେବାକୁ ଚାହିଁ ଥିଲେ । ବ୍ରିଜ୍ ଖଚାଖଚ୍ ଭରି ରହିଥିବା ବେଳେ ସଟ୍ ସର୍କିଟ୍ ଯୋଗୁ ପ୍ରଚଣ୍ଡ ଶବ୍ଦ ଶୁଭି ଥିଲା । ବ୍ରିଜ୍ ଭୁଶୁଡ଼ି ପଡ଼ିଲା ବୋଲି ହଠାତ୍ ପ୍ରଚାର ହୋଇ ଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇ ଜୀବନ ବଂଚାଇବା ପାଇଁ ଧାଁଦଉଡ କରିଥିଲେ । ବହୁ ସଂଖ୍ୟାରେ ଯାତ୍ରୀ ଫୁଟ୍ ଓଭରବ୍ରିଜ୍ରେ ରେଲିଂ ଦେଇ ତଳକୁ ଡ଼େଇ ପଡ଼ିଥିଲେ ବା ଝୁଲି ରହି ଥିଲେ । ଦଳାଚକଟାରେ ୨୨ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ଚାରିଆଡେ ମୃତାହତଙ୍କ ଚପଲ ସବୁ ଛିଟିକି ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ଅଣଓସାରିଆ ଫୁଟ୍ ଓଭରବ୍ରିଜ୍ ଦୁଇ ଷ୍ଟେସନକୁ ସଂଯୋଗ କରୁଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଦଳାଚକଟା ବେଳେ କିଛି ଯାତ୍ରୀ ମୃତ ବା ଆହତ ଯାତ୍ରୀଙ୍କୁ ଓଭରବ୍ରିଜ୍ ଉପରୁ ତଳକୁ କାନେ୍ଧଇ ଧାଉଁଥିଲେ । ଏକପ୍ରକାର ଅଣନିଶ୍ୱାସୀ ଅବସ୍ଥା ସୃଷ୍ଟି ହୋଇଥିଲା ବୋଲି ଦୁର୍ଘଟଣାରୁ ବର୍ତି ଥିବା ଯାତ୍ରୀମାନେ କହିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଗୋୟେଲ ରେଳବାଇ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ଯାଂଚ ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଂଚଳବାସୀଙ୍କ କହିବା ଅନୁଯାୟୀ, ଏହି ଅଣ ଓସାରିଆ ଫୁଟ୍ ଓଭରବ୍ରିଜ୍ ବିପଦସଂକୁଳ ଅବସ୍ଥାରେ ରହିଛି । ବହୁ ସଂଖ୍ୟାରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏହି ଅଂଚଳରେ ଥିବାରୁ ଓଭରବ୍ରିଜ୍ ଉପରେ ପ୍ରତି ଦିନ ଭିଡ଼ ହେଉଛି । ତେଣୁ ଅଧିକ ସଂଖ୍ୟକ ଓଭରବ୍ରିଜ୍ ନିର୍ମାଣ ପାଇଁ ଅଂଚଳବାସୀ ଦୀର୍ଘ ବର୍ଷ ହେଲା ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନି । ଦିନେ ଏଭଳି କିଛି ଘଟିବ ବୋଲି ଅଂଚଳ ବାସିନ୍ଦା ଆଶଙ୍କା କରୁଥିଲେ । ଆଜି ତାହା ଘଟି ଗଲା ବୋଲି ସେମାନେ କହିଛନ୍ତି । ବୁଲେଟ୍ ଟ୍ରେନ୍ କଥା କହୁଥିବା ମୋଦୀ ସରକାରଙ୍କ ପାଇଁ ଏହି ଘଟଣା ଝଟ୍କା ହୋଇଛି । ତେବେ, ଦେଶରେ ରେଳଯାତ୍ରୀଙ୍କ ଦୁର୍ଦ୍ଦଶାକୁ ଏହି ଘଟଣାରୁ ପ୍ରତିଫଳିତ କରୁଛି ବୋଲି ସାଧାରଣରେ ସମାଲୋଚନା ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS