ଚାଉଳ ଟଙ୍କାଏ, ବୟସ ସତୁରୀ…
– ପ୍ରସାଦ ରାଓ –
ଭୁବନେଶ୍ୱର, ୭ ଅକ୍ଟୋବର: ବିଜେପୁର ବିଧାନସଭା ଉପ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ସମୟରେ ବାତାବରଣକୁ ସାମାନ୍ୟ ହାଲ୍କା କରିଛି ଟଙ୍କାକିଆ ଚାଉଳ ଆଉ ବୟସ ସତୁରୀକୁ ନେଇ ଚିଟ୍ଚାଟ୍ । ମାସର ପ୍ରଥମ ସପ୍ତାହର ଶେଷ ଦୁଇ ଦିନର ମୁଖ୍ୟ ଆଲୋଚନା ପ୍ରସଙ୍ଗ ଥିଲା ଚାଉଳ ଓ ବୟସ । ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାକୁ ‘ବିଜେଡ଼ି-ମୁକ୍ତ’ କରିବାକୁ ପଣ ନେଇ ଥିବା ବିଜେପିର କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ୫ ତାରିଖ ଭୁବନେଶ୍ୱର ବିମାନ ବନ୍ଦରରେ ପାଦ ଦେଉ ଦେଉ ଟଙ୍କିକିଆ ଚାଉଳକୁ ନେଇ ବିଜେଡ଼ି ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛିଗୁଲାଇ ଚାଉଳ କଥା କହି ଥିବା ବେଳେ ବୟସକୁ ନେଇ ଚର୍ଚାର ଖୋରାକ ଯୋଗାଇଛନ୍ତି ରାଜ୍ୟର ବରିଷ୍ଠ କଂଗ୍ରେସ ନେତା (ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା) ନରସିଂହ ମିଶ୍ର ।
ପ୍ରଥମେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଜାଭଦେକରଙ୍କ ଟଙ୍କିକିଆ ଚାଉଳ ପ୍ରସଙ୍ଗକୁ ଯିବା । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ଦାରିଦ୍ର ସୀମାରେଖା ତଳେ ଥିବା ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କିଲୋ ପିଛା ଏକ ଟଙ୍କା ଦରରେ ଚାଉଳ ଯୋଗାଇ ଦିଆଯାଉଛି । ଏହି ରିହାତି ଚାଉଳ ଯୋଗାଇ ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବଦାନ ରହିଛି । ତେବେ, ଗରୀବ ଲୋକଙ୍କୁ ମିଳୁ ଥିବା ଚାଉଳ ଉପରେ କାହାରି ମୋହର ଲାଗି ନ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏହାକୁ ନେଇ ରାଜନୀତି କରିବାକୁ ପଛାଇ ନାହାନ୍ତି । ରଜ୍ୟ ସରକାର ଗାଁ ଗାଣ୍ଡାରେ ନିଜର ପ୍ରଚାର ବେଳେ ଟଙ୍କିକିଆ ଚାଉଳ କଥା କହି ଭୋଟରଙ୍କୁ ଆକୃଷ୍ଟ କରୁଥିବା ଏବେ ବିଜେପି ପାଇଁ ବଦହଜମି ହୋଇଛି । ଏହା ‘ନବୀନ ଚାଉଳ’ ନୁହେଁ, ‘ମୋଦୀ ଚାଉଳ’ କହି ବାସ୍ତବରେ ଶାସକ ବିଜେଡ଼ି ନୁହେଁ, କେନ୍ଦ୍ରରେ ଶାସନ କରୁଥିବା ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଏବଂ ତାହାର ମୁଖ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପୂର୍ଣ୍ଣ ଶ୍ରେୟ ନେବାକୁ ଚାହୁଁଛନ୍ତି । ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଏକଥା କହିବା ବେଳେ ଏହାକୁ ‘ଆଂଚଳିକ ପ୍ରସଙ୍ଗ’ କହି କେହି ବିଶେଷ ଗୁରୁତ୍ୱ ଦେଉ ନ ଥିଲେ । ‘ଦୁଇ ପଡୋଶୀଙ୍କ କଳି’ ଭଳି କଥାଟାକୁ ହାଲ୍କା ଭାବେ ବିଚାର କରାଯାଉଥିଲା । କିନ୍ତୁ, କେନ୍ଦ୍ର ସରକାରଙ୍କ ଜଣେ ଦାୟିତ୍ୱ ସଂପନ୍ନ ମନ୍ତ୍ରୀ ଓଡ଼ିଶା ମାଟିରେ ପାଦ ଦେଇ ଗରୀବଙ୍କୁ ମିଳୁ ଥିବା ଦାନା ନବୀନଙ୍କର ନୁହେଁ, ମୋଦୀଙ୍କର କହିବା ଅତି ଶସ୍ତା ରାଜନୀତି ମନେ ହେଉଛି । କେନ୍ଦ୍ର ମନ୍ତ୍ରୀ ଜାଭଦେକରଙ୍କ ଯୁକ୍ତି ହେଉଛି, ଓଡ଼ିଶାରେ ଏକ ଟଙ୍କାରେ ଯେଉଁ କିଲେ ଚାଉଳ ଗରୀବ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ସେ ବାବଦରେ କେନ୍ଦ୍ର ସରକାରଙ୍କୁ ୨୭ ଟଙ୍କାର ରିହାତି ବହନ କରିବାକୁ ପଡୁଛି । ରାଜ୍ୟ ସରକାର ମାତ୍ର ୨ ଟଙ୍କା ଭରଣା କରି ଏହାର ଶ୍ରେୟ ନେଉଛନ୍ତି । ତେଣୁ, ଗରୀବ ଲୋକ ଖାଉ ଥିବା ଚାଉଳ ହେଉଛି ମୋଦୀଙ୍କ ଦାନା । ବାହାଦୂରୀ ନେଉଛି ନବୀନ ସରକାର । ଏମିତି ଅନ୍ୟ ସବୁ କେନ୍ଦ୍ରୀୟ ଯୋଜନା ବି ହଡପ ହେଉଛି ରାଜ୍ୟ ସରକାରଙ୍କ ଦ୍ୱାରା ।
ଜାଭଦେକରଙ୍କ ମନ୍ତବ୍ୟ କେବଳ ଶାସକ ଦଳକୁ ନୁହେଁ, ରାଜ୍ୟ କଂଗ୍ରେସ ନେତୃବର୍ଗଙ୍କୁ ମଧ୍ୟ ଉତ୍କ୍ଷୀପ୍ତ କରିଛି । ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ ଦେବ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଘରୁ ଆଣି ଚାଉଳ ବାବଦ ରିହାତି ଦେଉ ନାହାନ୍ତି, କେନ୍ଦ୍ର ସରକାରଙ୍କ ତହବିଲ୍ରୁ ତାହା ଆସୁଛି ବୋଲି କହିଛନ୍ତି । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ‘ଉପା’ ସରକାର କ୍ଷମତାରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୮ରେ ଗରୀବ ଲୋକଙ୍କୁ କିଲୋ ପିଛା ୨ଟଙ୍କାରେ ଦରରେ ଚାଉଳ ଦେବା ଆରମ୍ଭ କରିଥିଲେ । ସେତେବେଳେ ଚାଉଳର କିଲୋ ପ୍ରତି ବଜାର ଦର ୧୬ରୁ ୧୭ ଟଙ୍କା ଥିଲା । କେନ୍ଦ୍ର ସରାକର ଲୋକଙ୍କୁ ୬ଟଙ୍କା ୭୦ ପଇସାରେ ଚାଉଳ ଯୋଗାଉ ଥିଲେ । ସେହି ଚାଉଳ ଓଡ଼ିଶା ସରକାର କିଲୋ ପିଛା ଦୁଇ ଟଙ୍କା ଦରରେ ଗରୀବ ହିତାଧିକାରୀଙ୍କୁ ବିତରଣ କରି ଭୋକିଲାଙ୍କ ମୁହଁରେ ଦାନା ଦେଉଥିଲେ । ତେବେ, ହିତାଧିକାରୀ ମାସିକ ୩୫ କିଲୋ ବଦଳରେ ୨୫ କିଲୋ ଚାଉଳ ବିତରଣ ହେଉ ଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱିତୀୟ ପର୍ଯାୟ ‘ଉପା’ ସରକାର ଅମଳରେ ୨୦୧୩ରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପାରିତ ହୋଇଛି । ଏହି ଆଇନ ଅନୁସାରେ ଯେଉଁ ଦଳ କ୍ଷମତାରେ ରହିବ, ଗରୀବ ଲୋକଙ୍କୁ ରିହାତି ଦରରେ ଚାଉଳ ଯୋଗାଇବାକୁ ବାଧ୍ୟ । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ନିରଂଜନ ପଟ୍ଟନାୟକ ମଧ୍ୟ ଗରୀବ ପରିବାରଙ୍କୁ ଯୋଗାଇ ଦିଆଯାଉଥିବା ରିହାତି ଚାଉଳ ‘ଉପା’ ସରକାରର ଚିନ୍ତନ ଏବଂ କଂଗ୍ରେସ ଏହା ମୂଳଦୂଆ ପକାଇଛି କହି ସମସ୍ତ ଶ୍ରେୟ କଂଗ୍ରେସକୁ ଦେଇଛନ୍ତି ।
ଏଠି ମନେ ପକାଇ ଦେବା ଉଚିତ ହେବ, ନବୀନ ସରକାରଙ୍କ ଦୁଇ ଟଙ୍କିଆ ଚାଉଳ ଗରୀବ ଲୋକଙ୍କୁ ନିକମା କରି ଦେଇଛି, ଗ୍ରାମାଂଚଳରେ ଚାଷବାସ ବା ଅନ୍ୟନ୍ୟ କାର୍ଯ୍ୟ ପାଇଁ କୃଷି ଶ୍ରମିକ ବା ଶ୍ରମଶକ୍ତି ମିଳୁ ନାହାନ୍ତି କହି ୨୦୦୮ ପରଠାରୁ ବିରୋଧୀମାନେ ନବୀନ ସରକାରଙ୍କୁ ସମାଲୋଚନା କରି ଆସୁଥିଲେ । କୃଷି ଶ୍ରମିକ ଅଭାବରୁ ଚାଷ ଜମି ପଡିଆ ପଡୁ ଥିବାରୁ କ୍ଷୋଭ ପ୍ରକାଶ କରାଯାଉଥିଲା । ୨ ଟଙ୍କିଆ ଚାଉଳକୁ ନେଇ ସରକାର ଉଭୟ କଂଗ୍ରେସ ଓ ବିଜେପି ଦ୍ୱାରା ସମାଲୋଚନା ହୋଇ ଆସୁ ଥିଲେ । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ପାରିତ ହେବା ପରେ କିଲୋ ପିଛା ୧ ଟଙ୍କା ଦରରେ ଚାଉଳ ଯୋଗାଣ ହେଉଛି । ତେବେ, ସମାଲୋଚନା ଅଧିକ ତୀବ୍ର ହେବା ବଦଳରେ ଆଗାମୀ ସାଧାରଣ ନିର୍ବାଚନକୁ ଆଖିରେ ରଖି ଭୋଟରଙ୍କୁ ପ୍ରଭାବିତ କରିବା ସକାଶେ ଉଭୟ କଂଗ୍ରେସ ଓ ବିଜେପି ଟଙ୍କିକିଆ ଚାଉଳର ଶ୍ରେୟ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛନ୍ତି । ଏହି ସୁବିଧାବାଦ ରାଜନୀତି ନୁହେଁ କି !
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS