ବୟସ ସତୁରୀ…


ଏବେ ଆସିବା ବୟସକୁ ନେଇ ଚାଲି ଥିବା ଚର୍ଚ୍ଚାକୁ । ବୟସାଧୀକ୍ୟ କାରଣରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଯୋଶୀ, ଯଶବନ୍ତ ସିହ୍ନାଙ୍କ ଭଳି ପ୍ରମୁଖ ନେତା ୨୦୧୪ ସାଧାରଣ ନିର୍ବାଚନରେ ରାଜନୈତିକ ସନ୍ୟାସ ନେବାକୁ ବାଧ୍ୟ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଅରୁଣ ଜେଟ୍ଲି, ସୁଷମା ସ୍ୱାରାଜ, ପ୍ରକାଶ ଜାଭଦେକର, ନୀତିନ ଗଡ଼କରୀଙ୍କ ଭଳି ଦଳର ଦ୍ୱିତୀୟ ଧାଡ଼ିର ନେତାଙ୍କୁ ସରକାରରେ ପ୍ରାଧାନ୍ୟ ଦେଇଛନ୍ତି । ଏହାକୁ ନେଇ ବିଜେପିର ବୟୋଜ୍ୟେଷ୍ଠ ନେତୃ ମହଲରେ ଅଶାନ୍ତି, ଅସନ୍ତୋଷ ଲାଗି ରହିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ‘୭୦ ପ୍ଲସ୍’ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି । ଏଥର କିନ୍ତୁ, ବିଜେପିରୁ ନୁହେଁ, କଂଗ୍ରେସ ଆଡୁ । ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବୟସକୁ ପ୍ରସଙ୍ଗ କରି ୨୦୧୯ ସାଧାରଣ ନିର୍ବାଚନ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଯିବ, ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ତାଙ୍କ ଯୁକ୍ତି ହେଉଛି, ଲୋକଙ୍କ ନିକଟତର ହେବା ଏବଂ ସେମାନଙ୍କ ସୁଖ, ଦୁଃଖରେ ଠିଆ ହେବା ନେତାଙ୍କ କର୍ତବ୍ୟ । ବୟସ ସତୁରୀ ଟପିଲେ ଆଉ ଲୋକଙ୍କ ପାଖକୁ ଯାଇ ହେବ ନାହିଁ । ତେଣୁ, ସେ ଆଉ ୨୦୧୯ରେ ଆଉ ନିର୍ବାଚନ ଲଢିବେ ନାହିଁ । ତେବେ, ରାଜନୀତି ତାଙ୍କ ମୂଳଦୂଆ ହୋଇ ଥିବାରୁ ସେ ମଲା ପର୍ଯ୍ୟନ୍ତ ରାଜନୀତିରେ ରହିବେ । ଓଡ଼ିଶାର ଅନ୍ୟତମ କଂଗ୍ରେସ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ମଧ୍ୟ ନରସିଂହଙ୍କ ରାସ୍ତା ଧରିବାକୁ ମନ ବଳାଇ ଥିବା ମିଡ଼ିଆକୁ କହିଛନ୍ତି । ତେବେ, ‘୭୦ ପ୍ଲସ୍’ କ୍ଲବ୍ରେ ଥିବା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏକମତ ନୁହନ୍ତି । ଶାରୀରୀକ ଓ ମାନସିକ ଦୃଷ୍ଟିରୁ ଫିଟ୍ ଥିଲେ ରାଜନୀତି ପାଇଁ ବୟସ ବାଧକ ନୁହେଁ କହି ନରସିଂହଙ୍କ ‘ବୟସ ବାଣ’କୁ ସେ ଏଡାଇ ଯାଇଛନ୍ତି । ବିଜେଡ଼ି ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ନରସିଂହଙ୍କ ‘ଥିଓରୀ’ ସହ ଏକମତ ନ ହୋଇ କଡା ସମାଲୋଚନା କରିଛନ୍ତି । ବୟସ ଯେତେ ବଢିବ ବୁଦ୍ଧି ପାକଳ ହେବ, ଅଭିଜ୍ଞତା ବଢିବ କହି ‘୭୦ ପ୍ଲସ୍’ ନେତା ରାଜନୀତି ଛାଡିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି । ବିଜେପିର ରାଜ୍ୟସ୍ତର ପୁରୁଖା ନେତାମାନଙ୍କ ମତ ମଧ୍ୟ ଦାମଙ୍କ ଭଳି । ଦଳ ଚାହିଁଲେ ନିର୍ବାଚନ ଲଢିବା ସପକ୍ଷରେ ସେମାନେ । ଏହି ଆଲୋଚନା ହାଲ୍କା ହେଲେ ବି ସାଧାରଣ ଭୋଟରଙ୍କ ମନକୁ ଛୁଉଁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟସ ୭୦ ପ୍ଲସ୍ । ଦଳରେ ଅନ୍ୟ କିଛି ନେତା ଓ ମନ୍ତ୍ରୀ ଅଛନ୍ତି ଯାହାଙ୍କ ବୟସ ୭୦ ଟପି ସାରିଛି । ପଂଚମ ଥର ଦଳ କ୍ଷମତାକୁ ଆସିଲେ ମନ୍ତ୍ରୀ ହେବାର ଲୋଭକୁ କିଏ ବା ଛାଡି ପାରିବ ! ନରସିଂହ ସିନା ଓଡ଼ିଶା କଂଗ୍ରେସର ଅଧୋଗତିକୁ ଦେଖି ନିରାଶ । ମୁଖ୍ୟମନ୍ତ୍ରୀ ହେବାକୁ ମଧ୍ୟ ଅନାଗ୍ରହୀ । ତେବେ, ସୁଯୋଗ ମିଳିଲେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିବା ନିରଂଜନ କିମ୍ବା ୨୦୧୯ରେ କ୍ଷମତା ଦଖଲର ସ୍ୱପ୍ନ ଦେଖୁଥିବା ବିଜେପି ନେତାଏ ନରସିଂହଙ୍କ ଜ୍ଞାନକୁ କାହିଁକି ସ୍ୱୀକୃତି ଦେବେ !!

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS