ଗୋଧ୍ରା ଟ୍ରେନ୍ ପୋଡି: ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କରାଦଣ୍ଡରେ ପରିବର୍ତନ କଲେ ଗୁଜୁରାଟ ହାଇକୋର୍ଟ
– ଅନୁଭବ ମିଡ଼ିଆ –
ନୂଆଦିଲ୍ଲୀ, ୯ ଅକ୍ଟୋବର : ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ରେଳ ଷ୍ଟେସନ୍ରେ ସାବରମତୀ ଏକ୍ସପ୍ରେସ୍ର ଏସ-୬ କୋଚ୍କୁ ପୋଡ ଦିଆଯିବା ମାମଲାରେ ଗୁଜୁରାଟ ହାଇକୋର୍ଟ ସୋମବାର ଦିନ ୧୧ ଜଣଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିଛନ୍ତି । ଫଳରେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୩୧ ଜଣ ଏବେ ଆଜୀବନ କାରାଦଣ୍ଡ ଭୋଗିବା ନିଶ୍ଚିତ ହୋଇଛି । ଗଲା ୧୫ ବର୍ଷ ଭିତରେ ଏହି ମାମଲା ବିଭିନ୍ନ ମୋଡ ଦେଇ ଗତି କରିଛି । ନିକଟରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ହାଇକୋର୍ଟଙ୍କ ଏହି ରାୟ ରାଜ୍ର ରାଜନୀତିକୁ ଏକ ନୂଆ ମୋଡ ଦେବ ବୋଲି ଚର୍ଚ୍ଚା ହେଉଛି । ୨୦୦୨ ଫେବୃୟାରୀ ୨୭ ତାରିଖରେ ଏହି ଘଟଣା ଘଟି ଥିଲା ଏବଂ ଏଥିରେ ୫୯ ଜଣ ପ୍ରାଣ ହରାଇ ଥିଲେ । ଟ୍ରେନ୍ ପୋଡି ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଯେଉଁ ସାଂପ୍ରଦାୟିକ ଦଙ୍ଗା ହେଲା ସେଥିରେ ୭୯୦ ଜଣ ମୁସଲିମ୍ ଓ ୨୫୩ ଜଣ ହିନ୍ଦୁଙ୍କ ମୃତ୍ୟୁ ଘଟିବା ସହ ୨୫୦ ଜଣ ନିଖୋଜ ହୋଇଥିଲେ । ସାବରମତୀ ଏକ୍ସପ୍ରେସ୍ର ଏସ୍ -୬ କୋଚ୍ରେ ଯାତ୍ରା ଗୋଧ୍ରା ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଅଯୋଧ୍ୟାରୁ ଫେରୁଥିବା ‘କର୍ ସେବକ’ । ଗୋଧ୍ରା ଷ୍ଟେସନ୍ରେ ସାବରମତୀ ଏକ୍ସପ୍ରେସ୍ର ଏସ-୬ କୋଚ୍ରେ ପ୍ରାୟ ୬୦ ଲିଟର ଅତ୍ୟନ୍ତ ଜ୍ୱଳନକାରୀ ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦିଆ ଯାଇଥିଲା । ଫଳରେ ବଗିଟି ସଂପୂର୍ଣ ଭାବେ ପୋଡ଼ିି ଯାଇଥିଲା ବୋଲି ଗୁଜୁରାଟ ପ୍ରାଶାସନର ଫୋରେନ୍ସିକ୍ ଲାବୋରୋଟୋରୀ ରିପୋର୍ଟ ଦେଇଥିଲେ । ଏହି ତରଳ ପଦାର୍ଥ ଟ୍ରେନ୍ ବଗିକୁ ଫିଙ୍ଗା ଯାଇ ନିଆଁ ଲଗାଇ ଦିଆଯିବା ସହ ବଗି ଉପରେ ବାହାରୁ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ ହୋଇଥିବା ଫୋରେନ୍ସିକ୍ ପରୀକ୍ଷାରୁ ଜଣାପଡିଥିଲା । ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲେ । ଏହି ଘଟଣାର ତଦନ୍ତ ପାଇଁ ତାଙ୍କ ସରକାର ତୁରନ୍ତ ନାନାବତୀ କମିସନଙ୍କୁ ଦାୟିତ୍ୱ ଦେଇଥିଲେ । କମିସନଙ୍କ କାର୍ଯ୍ୟକାଳ ୨୪ ଥର ସଂପ୍ରସାରଣ କରାଯାଇଥିଲା ଏବଂ ୧୨ ବର୍ଷର ପରେ ୨୦୧୪ ନଭେମ୍ବରରେ କମିସନ୍ ତାଙ୍କ ଚୂଡାନ୍ତ ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ । ତେବେ, କମିସନ ୨୦୦୮ ସେପ୍ଟେମ୍ବରରେ ଏକ ମଧ୍ୟବର୍ତୀକାଳୀନ ରିପୋର୍ଟ ଦେଇ ସାବରମତୀ ଏକ୍ସପ୍ରେସ୍ର ଏସ-୬ କୋଚ୍ରେ ନିଆଁ ଲଗାଇ ଦିଆଯିବା ଏକ ପୂର୍ବ ପରିକଳ୍ପିତ ଷଡଯନ୍ତ୍ର ଥିଲା ବୋଲି ଦର୍ଶାଇ ଥିଲେ । ଏସ୍-୬ କୋଚ୍ରେ ଆସିଥିବା ‘କର୍ ସେବକ’ମାନେ ଏହି ଘୃଣ୍ୟ ଷଡଯନ୍ତ୍ରର ଟାର୍ଗେଟ୍ ଥିଲେ ବୋଲି କମିସନ କହିଥିଲେ । ବାହାରୁ ପେଟ୍ରୋଲ ଫିଙ୍ଗି ବଗିରେ ନିଆଁ ଲଗାଇ ଦିଆଯାଇଥିଲା ବୋଲି ନାନାବତୀ କମିସନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏକ ସ୍ୱତନ୍ତ୍ର ଏସଆଇଟି କୋର୍ଟ ମାମଲାର ବିଚାର କରି ୨୦୧୧ ମାର୍ଚ ୧ ତାରିଖରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୬୩ ଜଣଙ୍କୁ ନିଦେ୍ର୍ଦାଶରେ ଖଲାସ କରିଥିଲା । ଦୋଷୀ ସାବ୍ୟସ୍ତ ୩୧ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁ ଦଣ୍ଡ ଆଦେଶ ହୋଇଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ମୃତ୍ୟୁଦଣ୍ଡରେ ଦଣ୍ଡିତ ୧୧ ଜଣଙ୍କ ଆବେଦନ ଉପରେ ବିଚାର କରି ଗୁଜୁରାଟ ହାଇକୋର୍ଟ ସୋମବାର (୯ ଅକ୍ଟୋବର,୨୦୧୭) ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତନ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS