ମଣିଶଙ୍କରଙ୍କ କଟାକ୍ଷ: କଂଗ୍ରେସ ସଭାପତି ପଦ ମା’, ପୁଅ ମଧ୍ୟରେ ସୀମିତ…!
– ଅନୁଭବ ମିଡ଼ିଆ –
ନୂଆଦିଲ୍ଲୀ, ୯ ଅକ୍ଟୋବର: ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ନାମ ଘୋଷଣା ହେବା ନେଇ ଦଳରେ ଚର୍ଚ୍ଚା ଚାଲି ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ମଣିଶଂକର ଆୟାର ଏହାକୁ ନେଇ ଏକ ତେର୍ଚ୍ଛା ବାଣ ମାରିଛନ୍ତି । ଦଳରେ ମା’, ପୁଅ ଛଡା ତୃତୀୟ କେହି ନାହିଁ ଦଳର ସଭାପତି ଦାୟିତ୍ୱ ନେବାକୁ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧୀ ଅକ୍ଟୋବରରେ ଦଳର ସଭାପତି ଦାୟିତ୍ୱ ନେଉ ଥିବା ସଂପର୍କରେ ଚାଲିଥିବା ପ୍ରଚାର ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଆୟାର ଏଭଳି ମନ୍ତବ୍ୟ ଦେଇଥିବ ସୂଚନା ମିଳିଛି । ରାହୁଲ କଂଗ୍ରେସ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ ଥିବା କହି ସାରିଛନ୍ତି । ସଭାପତି ନିର୍ବାଚନ ଲଢିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି । ନିର୍ବାଚନ ଲଢିବାକୁ ହେଲେ ମଇଦାନରେ ଏକାଧିକ ପ୍ରାର୍ଥୀ ରହିବା ଆବଶ୍ୟକ । ଯଦି ମଇଦାନରେ ଜଣେ ମାତ୍ର ପ୍ରାର୍ଥୀ ରହିବେ, ନିର୍ବାଚନ କେମିତି ହେବ (!) ବୋଲି ଆୟାର ପ୍ରଶ୍ନ କରିଥିବା ଏକ ସମ୍ବାଦ ସରବରାହ ସଂସ୍ଥାରୁ ସୂଚନା ମିଳିଛି । ଚଳିତ ମାସ ୩୧ ତାରିଖ ସୁଦ୍ଧା ରାହୁଲ ଦଳର ସଭାପତି ଘୋଷିତ ହୋଇ ପାରନ୍ତି । ମା’ ସୋନିଆ ଗାନ୍ଧୀ ୧୯ ବର୍ଷ ଧରି ଦଳର ମଙ୍ଗ ଧରିଛନ୍ତି । ରାହୁଲଙ୍କୁ ଉପ ସଭାପତିରୁ ସଭାପତି ପଦକୁ ପଦୋନ୍ନତି ଦେଇ କ୍ଷମତା ହସ୍ତାନ୍ତର କରାଯିବା ନିଶ୍ଚିତ ।
ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଭାପତି ପଦ ପାଇଁ ଏକାଧିକ ପ୍ରାର୍ଥୀ ରହିଲେ ହିଁ ଭୋଟ୍ର ଆବଶ୍ୟକତା ପଡିବ । ଦିପାବଳୀ ପରେ ରାହୁଲ ଏଆଇସିସି ସଭାପତି ଦାୟିତ୍ୱ ନେବା ସମ୍ଭାବନା ରହିଛି ବୋଲି ତାଙ୍କ ଘନିଷ୍ଟ ସହଯୋଗୀ ତଥା କଂଗ୍ରେସ ଏମ୍ପି ସଚିନ ପାଇଲଟ୍ କହି ସାରିଲେଣି । ତାଙ୍କ ମତରେ, ରାହୁଲ ଆଗକୁ ଆସି ଦଳର ସଭାପତି ଭାବେ ନେତୃତ୍ୱ ନେବା ପ୍ରାୟ ସମସ୍ତେ ଚାହୁଁଛନ୍ତି । ବର୍ତମାନ କଂଗ୍ରେସର ସାଂଗଠନିକ ନିର୍ବାଚନ ଚାଲିଛି ଏବଂ ଦୀପାବଳି ପରେ ନୂଆ ସଭାପତି ଦାୟିତ୍ୱ ନେବେ । ରାହୁଲଙ୍କୁ ସଭାପତି କରିବା ପାଇଁ ଦୀର୍ଘ ଦିନ ହେଲା ବିଚାରବିମର୍ଷ ଚାଲି ଥିବାରୁ ସେ ହିଁ ସଭାପତି ଦାୟିତ୍ୱ ନେବା ନିଶ୍ଚିତ । ବର୍ତମାନର ସଭାପତି ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁ ନ ଥିବାରୁ ତାଙ୍କ ସ୍ଥାନରେ ଜଣେ ନୂଆ ନେତା ଦାୟିତ୍ୱ ନେବା ଆବଶ୍ୟକ । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯିବାକୁ ଦଳରେ ସହମତି ରହିଛି ବୋଲି ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନୱାଲା ମଧ୍ୟ ନିକଟରେ ମନ୍ତବ୍ୟ ଦେଇଥିଲେ । ତେବେ, କିଛି ନେତା ନେତୃତ୍ୱ ନେବାର କଳାରୁ ନେତା ହୋଇ ଥାଆନ୍ତି ଏବଂ ଆଉ କିଛି ଉପରୁ ଲଦା ହୋଇ ଥାଆନ୍ତି । ରାହୁଲ ଗାନ୍ଧୀ ସ୍ୱତଃପ୍ରବୃତ ଭାବେ ରାଜନୀତି କରିବାକୁ ଆଗ୍ରହୀ ଥିବା ଭଳି ମନେ ହେଉନି । ବର୍ତମାନ ପରିସ୍ଥିତିରେ ଦଳ ଦୃଢ ନେତୃତ୍ୱର ଆବଶ୍ୟକତା କରୁଛି । ତେବେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଦଳ ରାହୁଲଙ୍କୁ ସଭାପତି କରିବାକୁ ମନ ବଳାଇଛି ବୋଲି ଆୟାର ମତ ଦେଇଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS