ବିଜେପି ହାତରୁ ଖସିଲା ଗୁରୁଦାସପୁର ଆସନ, ଲୋକସଭା ଉପ-ନିର୍ବାଚନରେ କଂଗ୍ରେସ ୨ ଲକ୍ଷ ଭୋଟରେ ବିଜୟୀ
ଚଣ୍ଡିଗଡ଼, ୧୬ଅକ୍ଟୋବର: ପଂଜାବରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ପ୍ରତି ଜନ ସମର୍ଥନ ଅତୁଟ ରହି ଥିବା ୧୧ ତାରିଖରେ ଅନୁଷ୍ଠିତ ଗୁରୁଦାସପୁର ଲୋକସଭା ଉପ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇ ଯାଇଛି । ରବିବାର (୧୫ ତାରିଖ) ସନ୍ଧ୍ୟାରେ ଉପ ନିର୍ବାଚନ ପଳାଫଳ ଘୋଷଣା ହୋଇଛି । କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖର ୧ ଳକ୍ଷ ୯୩ ହଜାରରୁ ଅଧିକ ଭୋଟରେ ଶୀରୋମଣି ଅକାଳୀ ଦଳ (ଏସ୍ଏଡ଼ି) ପ୍ରାର୍ଥୀ ସ୍ୱରନ୍ ସାଲାରିଆଙ୍କୁ ପରାଜିତ କରି ବିଜୟୀ ଘୋଷିତ ହୋଇଛନ୍ତି । ଜାଖରଙ୍କ ଏହି ବିଜୟ ଦେଶରେ କଂଗ୍ରେସ ପାଇଁ ସଂଜୀବନି ସଦୃଶ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ପଂଜାବ ବିଧାନସଭାର ୨୦ଟି ଆସନରେ ବିରାଜମାନ ଥିବା ଆମ୍ ଆଦମୀ ପାର୍ଟି (ଏଏପି) ଏହି ଲୋକସଭା ଉପ ନିର୍ବାଚନରେ ପ୍ରାର୍ଥୀ ଦେଇଥିଲା । ଅବସରପ୍ରାପ୍ତ ମେଜର ଜେନେରାଲ ସୁରେଶ ଖାଜୁରିଆ ଗୁରୁଦାସପୁରରୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହୋଇ ଥିଲେ । ତିନି ଦଳ ମଧ୍ୟରେ ନିର୍ବାଚନ ଯୁଦ୍ଧ ଭୀଷଣ ଥିବା ବେଳେ ଏସ୍ଏଡ଼ିର ଜଣେ ପ୍ରମୁଖ ନେତା ସୁଚା ସିଂହ ଲଂଘା ଦୁଷ୍କର୍ମ ଅଭିଯୋଗରେ ମାମଲାର ସମ୍ମୁଖୀନ ହେବା ଶୀରୋମଣି ଅକାଳୀ ଦଳ ପାଇଁ ମହଙ୍ଗା ପଡ଼ି ଥିଲା ଏବଂ ଏଏପିର ନିର୍ବାଚନ ପରିଚାଳନା ଭୋଟରଙ୍କୁ ଆକର୍ଷିତ କରିପାରି ନଥିଲା । ଫଳରେ, କଂଗ୍ରେସ ପ୍ରାର୍ଥୀ ଜାଖର ଏତେ ଅଧିକ ଭୋଟରେ ବିଜୟୀ ହୋଇଥିବା ଚର୍ଚ୍ଚା ହେଉଛି ।
ଦୀପାବଳୀ ପୂର୍ବରୁ ଏହି ଉପ ନିର୍ବାଚନରେ ବିଜୟ କଂଗ୍ରେସ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ । ତାହା ରବିବାର ସନ୍ଧ୍ୟାରେ କଂଗ୍ରେସ କାର୍ଯ୍ୟାଳୟରେ ଦେଖା ଦେଇଥିବା ଉତ୍ସାହରେ ପ୍ରତିଫଳିତ ହୋଇଛି। ଉପ ନିର୍ବାଚନରେ ରାଜ୍ୟ କଂଗ୍ରେସ ମୁଖ୍ୟ ଜାଖରଙ୍କ ବିଜୟ କେନ୍ଦ୍ର ବିଜେପି ସରକାରଙ୍କ ନୀତି ଗୁଡ଼ିକର ବିଫଳତା ବିରୋଧରେ ଜନମତ ବୋଲି କଂଗ୍ରେସ କହିଛି । ଗୁରୁଦାସପୁର ଲୋକସଭା ଆସନ ବିଜେପିର ଦୃଢ ଦୁର୍ଗ ଥିଲା । ଦିବଙ୍ଗତ ହିନ୍ଦୀ ଚଳଚ୍ଚିତ୍ର ତାରକା ବିନୋଦ ଖାନ୍ନା ଗୁରୁଦାସପୁର ଆସନରୁ ବିଜେପି ଟିକଟରେ ଲଗାତର ଚାରି ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଗତ ଏପ୍ରିଲ ମାସରେ ତାଙ୍କ ମୃତ୍ୟୁ ଯୋଗୁ ଏହି ଉପ ନିର୍ବାଚନର ଅବକାଶ ସୃଷ୍ଟି ହୋଇଥିଲା । ପଂଜାବରେ ବିଜେପି ଓ ଶୀରୋମଣି ଅକାଳୀ ଦଳର ମେଂଟ ସରକାର ଦୀର୍ଘ ବର୍ଷ ଧରି ଥିଲା । ଗତ ବିଧାନସଭା ନିର୍ବାଚନରେ ଅମରେନ୍ଦ୍ର ସିଂହଙ୍କ ନେତୃତ୍ୱରେ କଂଗ୍ରେସ ଏହି ମେଂଟ ସରକାରକୁ କ୍ଷମତାଚ୍ୟୁତ କରି କଂଗ୍ରେସର ଟେକ ରଖିଛି । ଗୁରୁଦାସପୁର ଉପ ନିର୍ବାଚନରେ ବିଜେପି ତାହାର ଦୁର୍ଗ ବଜାୟ ରଖିବ ବୋଲି ଆଶା ରଖି ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜାଖର ପ୍ରାୟ ୨ ଲକ୍ଷ ଭୋଟ ପାଇ ବିଜୟୀ ହେବା ବିଜେପିକୁ ଶକ୍ତ ଧକ୍କା ହୋଇଛି । ଛଅ ମାସ ତଳେ ଏହି ଲୋକସଭା ଆସନ ଅନ୍ତର୍ଗତ ୯ଟି ବିଧାନସଭା ନିର୍ବାଚନ ମଂଡଳୀରୁ ୪ଟିରେ ବିଜେପି ପ୍ରାର୍ଥୀ ଦେଇ ମାତ୍ର ଗୋଟିକରେ (ସୁରଜନପୁର) ବିଜୟୀ ହୋଇଥିଲା ।
ରବିବାର ସନ୍ଧ୍ୟାରେ ଉପ ନିର୍ବାଚନ ଫଳାଫଳ ଘୋଷଣା ପରେ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ ବିଫଳତା ବିରୋଧରେ ଏହା ଜନମତ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ସିଂହ ପ୍ରଥମ ବ୍ୟକ୍ତି, ଯିଏକି ବିଜୟୀ ପ୍ରାର୍ଥୀ ଜାଖରଙ୍କୁ ପ୍ରଥମେ ଅଭିନନ୍ଦନ ଜଣାଇ ଥିଲେ । ରାଜ୍ୟର ସିନିୟର କଂଗ୍ରେସ ନେତା ତଥା ମନ୍ତ୍ରୀ ନଭଜୋତ୍ ସିଂହ ସିଦ୍ଧୁ ମଧ୍ୟ ପ୍ରତିକ୍ରିୟା ବ୍ୟକ୍ତ କରି ଚଳିତ ମାସ ଶେଷ ଆଡକୁ ନିଖିଳ ଭାରତ କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ନେବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କ ପାଇଁ ଏହା ‘ନାଲି ଫିତାରେ ଗୁଡା ହୋଇ ଥିବା ଏକ ସୁନ୍ଦର ଦୀପାବଳୀ ଭେଟି’ ବୋଲି କହିଛନ୍ତି । ରବିବାର ପଂଜାବରେ କଂଗ୍ରେସ ଦଳ ଦୀପାବଳୀ ମହୋତ୍ସବ ଭଳି ଏହି ବିଜୟ ଉତ୍ସବ ପାଳନ କରିଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS