ଏସୀୟ କପ୍ ହକି: ୩-୧ରେ ପାକିସ୍ତାନକୁ ହରାଇଲା ଭାରତ
ଢାକା (ବାଂଲାଦେଶ), ୧୬ଅକ୍ଟୋବର: ରବିବାର ଦିନ ସ୍ଥାନୀୟ ମୌଲାନା ଭାସାନି ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ଏସୀୟ କପ୍ ହକି-୨୦୧୭ର ପୁଲ୍ -ଏ ମ୍ୟାଚରେ ଭାରତ ତାହାର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲ୍ରେ ହରାଇ ପଏଂଟ୍ ଦୃଷ୍ଟିରୁ ‘ପୁଲ୍ -ଏ’ର ଶୀର୍ଷ ସ୍ଥାନରେ ପହଂଚିଛି । ଭାରତ ତିନିଟି ମ୍ୟାଚ୍ରୁ ମୋଟ ୯ ପଏଂଟ୍ ସଂଗ୍ରହ କରିଥିବା ବେଳେ ପାକିସ୍ତାନ ୪ ପଏଂଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ରବିବାର ମ୍ୟାଚରେ ଭାରତୀୟ ଦଳର ଚିଂଲେନସାନା ସିଂହ ଖେଳ ଆରମ୍ଭର ୧୭ ମିନିଟ, ରମନଦୀପ ସିଂହ ୪୪ତମ ମିନିଟ ଓ ହରମନପ୍ରିତ ସିଂହ ୪୫ ମିନିଟରେ ତିନିଟି ଗୋଲ୍ ସ୍କୋର୍ କରି ଭାରତକୁ ଅଗ୍ରଣୀ ରଖିଥିଲେ । ପାକିସ୍ତାନର ଅଲ୍ଲି ସାହା ନିଜ ଦଳ ସପକ୍ଷରେ ମ୍ୟାଚର ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ । ତେବେ, ଉଭୟ ଭାରତ ଓ ପାକିସ୍ତାନ ରାଉଣ୍ଡ୍-ରବିନ ପଦ୍ଧତିରେ ସୁପର-୪ରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି ।
ରବିବାର ଜାପାନ ଘରୋଇ ଟିମ୍ ବାଂଲାଦେଶକୁ ୩-୧ରେ ପରାଜିତ କରିଛି ସତ, କିନ୍ତୁ ଗୋଲ୍ ସଂଖ୍ୟା ବ୍ୟବଧାନ ଦୃଷ୍ଟିରୁ ପାକିସ୍ତାନ ଠାରୁ ପଛରେ ଥିବାରୁ ସୁପର-୪କୁ ଉନ୍ନିତ ହୋଇପାରି ନାହିଁ । ଭାରତ ବର୍ତମାନ ସୁପର -୪ର ଦ୍ୱିତୀୟ ରାଉଣ୍ଡ୍ ଖେଳିବାକୁ ଯାଉଛି । ନକ୍ଆଉଟ୍ ପୂର୍ବରୁ ଉଭୟ ପୁଲ୍ର ଟପ୍ ଟିମ୍ ରାଉଣ୍ଡ୍-ରବିନ ପଦ୍ଧତି ଅନୁଯାୟୀ ଏହି ସୁପର-୪ ଦ୍ୱିତୀୟ ରାଉଣ୍ଡ୍ ଖେଳିବେ । ପାକିସ୍ତାନ ୪ ପଏଂଟ୍ରେ ଥିବା ସତ୍ୱେ ସୁପର-୪ ଦ୍ୱିତୀୟ ରାଉଣ୍ଡ୍ ଖେଳିବାକୁ ଯୋଗ୍ୟ ହୋଇଛି । ପାକିସ୍ତାନକୁ ହରାଇବା ପୂର୍ବରୁ ଭାରତ ତାହାର ଓପନିଂ ମ୍ୟାଚ୍ରେ ଜାପାନକୁ ୫-୧ରେ ଓ ଦ୍ୱିତୀୟ ମ୍ୟାଚ୍ରେ ବାଂଲାଦେଶକୁ ୭-୦ ଗୋଲ୍ରେ ପରାଜିତ କରିଥିଲା । ଏସୀୟ କପ୍ରେ ପାକିସ୍ତାନକୁ ହରାଇବା ଭାରତର ଲଗାତର ତୃତୀୟ ବିଜୟ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS