ଆରୁଷି-ହେମରାଜ ହତ୍ୟା ମାମଲାରେ ବାହାର ଲୋକଙ୍କ ସଂପୃକ୍ତିକୁ ଏଡାଇ ହେଉ ନାହିଁ: ଆଲହାବାଦ ହାଇକୋର୍ଟ
ଆଲହାବାଦ, ୧୪ ଅକ୍ଟୋବର: ୨୦୦୮ ମସିହାରେ ଘଟିଥିବା ଆରୁଷି-ହେମରାଜ ହତ୍ୟା ମାମଲାରେ ଆଲହାବାଦ ହାଇକୋର୍ଟ ଗୁରୁବାର (୨୦୧୭ ଅକ୍ଟୋବର ୧୨ ତାରିଖ) ଦିନ ଆରୁଷିଙ୍କ ପିତା ରାଜେଶ ଓ ମାତା ନୁପୁର ତଲୱାରଙ୍କୁ ନିଦେ୍ର୍ଦାଷରେ ଖଲାସ କରିବା ପରେ ମାମଲାର ପରିସମାପ୍ତି ଘଟି ନାହିଁ । ତଦନ୍ତକାରୀ ସଂସ୍ଥା ସିବିଆଇ ପାଇଁ କୋର୍ଟ ପରବର୍ତୀ ତଦନ୍ତ ସକାଶେ ଆହୁରି ଅନେକ ପ୍ରଶ୍ନ ଛାଡି ଥିବା ହାଇକୋର୍ଟ ରାୟରୁ ସ୍ପଷ୍ଟ ହେଉଛି । ରାଜେଶ ଓ ନୁପୁର ହିଁ ହତ୍ୟାକାରୀ ବୋଲି ସିବିଆଇ ଚୂଡାନ୍ତ ନିଷ୍ପତ୍ତିରେ ପହଂଚି ଉଭୟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ ଏବଂ ଗାଜିଆବାଦର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଦେଇଥିଲେ । ତେବେ, ଆଲହାବାଦ ହାଇକୋର୍ଟ ଗୁରୁବାର ଦେଇଥିବା ରାୟରେ ଆରୁଷି ଓ ହେମରାଜଙ୍କ ହତ୍ୟାକାରୀ କୌଣସି ବାହାର ଲୋକ, ଯିଏକି ହତ୍ୟା ଦିନ ତଲୱାରଙ୍କ ଘରେ ଉପସ୍ଥିତ ଥିଲା ଏବଂ ହତ୍ୟାକାଣ୍ଡ ଘଟାଇ ଖସି ପଳାଇଲା, ଏଭଳି ସଂଭାବନାକୁ ଅଗ୍ରାହ୍ୟ କରି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କିଛି ପାରିପାଶ୍ୱିକ ପରିସ୍ଥିତି ଆଧାରରେ ହାଇକୋର୍ଟ ଏଭଳି ଏକ ନିର୍ଣ୍ଣୟରେ ପହଂଚି ତଲୱାର ଦଂପତିଙ୍କୁ ଏହି ହତ୍ୟା ମାମଲାରୁ ଯଥେଷ୍ଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିବା କୋର୍ଟଙ୍କ ରାୟରୁ ଜଣାପଡୁଛି ।
ତଲୱାର ଦଂପତିଙ୍କ ଅପିଲ ଉପରେ ବିଚାରଣା କରି ଗୁରୁବାର ରାୟ ଦେଇ ଥିବା ଆଲହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବି.କେ.ନାରାୟଣ ଓ ଏ.କେ.ମିଶ୍ର ଏହି ହତ୍ୟା ମାମଲାର ରେକର୍ଡପତ୍ର ଓ ସାକ୍ଷୀମାନଙ୍କ ବୟାନକୁ ଅନୁଧ୍ୟାନ କରି ଏଭଳି ଏକ ନିର୍ଣ୍ଣୟରେ ପହଂଚି ଥିବା ଜଣାପଡ଼ିଛି । ୧୪ ବର୍ଷ ବୟସ୍କା ଆରୁଷିଙ୍କୁ ହତ୍ୟା କରାଯିବା ଦିନ ଘରେ ତାଙ୍କ ପିତା ରାଜେଶ ତଲୱାର ଓ ମା’ ନୁପୁରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନ ଥିଲେ ବୋଲି ତଦନ୍ତକାରୀ ସଂସ୍ଥା ସିବିଆଇର ରିପୋର୍ଟରେ ଉଲ୍ଲେଖ ରହି ଥିବା ବେଳେ ମାମଲାର ରେକର୍ଡପତ୍ର ଓ ସାକ୍ଷୀଙ୍କ ବୟାନରୁ ହତ୍ୟାକାଣ୍ଡ ଦିନ ବାହାର ଲୋକଙ୍କ ଉପସ୍ଥିତିର ଆଭାସ ମିଳୁ ଥିବା କୋର୍ଟ କହିଛନ୍ତି । ଏହା ଫଳରେ ତଲୱାର ଦଂପତିଙ୍କୁ ଦୋଷୀ ସାବ୍ୟସ୍ତ କରି ୨୮ ନଭେମ୍ବର ୨୦୧୩ରେ ଗାଜିଆବାଦର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦେଇଥିବା ଦଣ୍ଡାଦେଶ ବିରୋଧରେ ଅପିଲ୍ ବିଚାର ପାଇଁ ଗ୍ରହଣ କରିବାର ସୁଯୋଗ ସୃଷ୍ଟି ହୋଇଥିଲା ବୋଲି ବିଚାରପତି ଦ୍ୱୟ ରାୟରେ କହିଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଏହି ହତ୍ୟା ମାମଲାରେ ବାହାରର କେହି ସଂପୃକ୍ତ ଥିବା ସମ୍ଭାବନାକୁ ଏଡାଇ ହେଉ ନାହଁ । କାରଣ, ଘଟଣା ରାତିରେ ତଲୱାର ଦଂପତିଙ୍କ ବ୍ୟତୀତ ଅନ୍ୟ କେହି ଆପାର୍ଟମେଂଟରେ ଉପସ୍ଥିତ ନ ଥିଲେ ବୋଲି ସିବିଆଇ କହିଥିବା ବେଳେ ତଦନ୍ତକାରୀ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିବା ତଥ୍ୟରେ କେତେକ ବିରୋଧାତ୍ମକ କଥା ରହିଛି । ତେଣୁ, କୋର୍ଟ ତଲୱାର ଦଂପତିଙ୍କୁ ଗୁରୁବାର ଦୋଷମୁକ୍ତ କରିଛନ୍ତି ।
୨୦୦୮ ମେ’ ୧୫ ତାରିଖ ରାତିରେ ୧୪ ବର୍ଷ ବୟସ୍କା ଆରୁଷି ତଲୱାର ଓ ତାଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିବା ୪୫ ବର୍ଷ ବୟସ୍କ ହେମରାଜଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ମେ’ ୧୬ ତାରିଖ ସକାଳେ ଆରୁଷିଙ୍କ ମୃତ ଦେହ ତାଙ୍କ ଶୟନ କକ୍ଷରୁ ମିଳି ଥିବା ବେଳେ ପରଦିନ ହେମରାଜଙ୍କ ମୃତଦେହ ତଲୱାର ପରିବାରର ଘର ଟେରେସ୍ରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ହେମରାଜ ଆରୁଷିଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ସମସ୍ତେ ସନେ୍ଦହ କରିଥିଲେ । କିନ୍ତୁ, ଟେରେସ୍ ଉପରେ ହେମରାଜଙ୍କ ମୃତଦେହ ପଡି ଥିବା ପରଦିନ ଜଣାପଡିବା ପରେ ହତ୍ୟାକାଣ୍ଡ ସହ ଅନ୍ୟ କାହାରି ସଂପୃକ୍ତିକୁ ସ୍ପଷ୍ଟ ହୋଇଥିଲା ଏବଂ ପୁଲିସ ତଦନ୍ତ ସେହି ଦିଗରେ ଆରମ୍ଭ ହୋଇଥିଲା । ମାନ୍ୟବର ହାଇକୋର୍ଟ କହିଛନ୍ତି ଯେ, ମେ’ ୧୬ ତାରିଖ ସକାଳ ପାଖାପାଖି ୬ଟା ସମୟରେ ତଲୱାର ପରିବାରର ନୋଇଡା ସ୍ଥିତ ଫ୍ଲାଟ୍ର ଲ୍ୟାଣ୍ଡ୍ ଲାଇନ୍ରୁ ହେମରାଜଙ୍କ ମୋବାଇଲ୍ ନମ୍ବରକୁ ଏକ କଲ୍ କରାଯାଇଥିଲା । ସେତେବେଳେ ହେମରାଜଙ୍କ ଫୋନ୍ ପଂଜାବରେ ସକ୍ରୀୟ ଥିବା ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ଚୂଡାନ୍ତ ରିପୋର୍ଟରେ ଦର୍ଶାଇଛନ୍ତି । କିନ୍ତୁ, ଏହା ସପକ୍ଷରେ କିଛି ପ୍ରମାଣ ଉପସ୍ଥାପନ କରି ନାହାନ୍ତି । ଏଥିରୁ, ହତ୍ୟାକାଣ୍ଡ ଘଟିବା ରାତିରେ ତଲୱାରଙ୍କ ବାସଭବନରେ ହେମରାଜଙ୍କ ସହ ଅନ୍ୟ କିଛି ବ୍ୟକ୍ତି ଉପସ୍ଥିତ ଥିବା ସମ୍ଭାବନା ସୃଷ୍ଟି ହୋଇଛି । ହତ୍ୟାକାଣ୍ଡ ରାତିରେ ଘରେ କେବଳ ରାଜେଶ ଓ ନୁପୁର ତଲୱାର ଥିଲେ ଏବଂ ଅନ୍ୟ କେହି ବାହାର ଲୋକ ଘରେ ପ୍ରବେଶ କରିଥିବାର ପ୍ରମାଣ ନାହିଁ ବୋଲି ତଦନ୍ତକାରୀ ସଂସ୍ଥା କହିଥିବା ବେଳେ ହେମରାଜଙ୍କ ମୋବାଇଲ ଫୋନ ୨୦୦୮ ମେ’ ୧୬ ତାରିଖ ସକାଳେ ପଂଜାବରେ ସକ୍ରୀୟ ରହିବ ଘଟଣା ମୋବାଇଲ୍ ଫୋନ୍ ଅନ୍ୟ କାହା ଅକ୍ତିଆରରେ ଥିବା ସୂଚନା ଦେଉଛି । ହତ୍ୟାକାଣ୍ଡ ଘଟିବା ରାତିରେ ଅନ୍ୟ କେହି ତଲୱାରଙ୍କ ଘରେ ପ୍ରବେଶ କରିଥିଲେ ଏବଂ ଆରୁଷି ଓ ହେମରାଜଙ୍କୁ ହତ୍ୟା କରିବା ପରେ ସେମାନେ ହେମରାଜର ମୋବାଇଲ୍ ଫୋନ ସହ ଚମ୍ପଟ ହୋଇ ଯାଇଥିଲେ ବୋଲି ଏଥିରୁ ଦୃଢ ସମ୍ଭାବନା ସୃଷ୍ଟି ହୋଇଥିବା କୋର୍ଟ କହିଛନ୍ତି । ତଲୱାରଙ୍କ ଘର ଟେରେସ୍ ଉପରେ ହେମରାଜର ମରି ଶରୀର ପଡି ଥିବା ବେଳେ ତା’ ମୋବାଇଲ୍କୁ ଘରର ଲାଣ୍ଡ୍ ଲାଇନ୍ରୁ ହୋଇଥିବା ଫୋନ୍ କଲ୍ କିଏ କେମିତି ଉଠାଇଲା, ସେ ସଂପର୍କରେ ସିବିଆଇର ତଦନ୍ତ ରିପୋର୍ଟ ନୀରବ ଥିବାରୁ ଡ଼ବଲ ମର୍ଡ଼ର ସହ ଅନ୍ୟ କାହାରି ସଂପୃକ୍ତି ଥିବା ଅନୁମାନ କରାଯାଉଛି । ଏହି ଭିତ୍ତିଭୂମୀରେ କୋର୍ଟ ତଲୱାର ଦଂପତିଙ୍କୁ ଦୋଷମୁକ୍ତ କରିବା ସହ ସିବିଆଇ ତଦନ୍ତର ପରିପୂର୍ଣ୍ଣତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS