ସରକାର ବିଜେପୁରକୁ ନେଇ ବ୍ୟସ୍ତ, କଂଗ୍ରେସ ‘ହାଇଜାକ୍’ କରି ନେଲାଣି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା…
ଭୁବନେଶ୍ୱର, ୧୭ ଅକ୍ଟୋବର: ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଉପ ନିର୍ବାଚନ ଓ କୋରାପୁଟ ଜିଲ୍ଲାର କୁନ୍ଦୁଲିରେ ଘଟି ଥିବା ଗଣ ଦୁଷ୍କର୍ମ ଘଟଣାକୁ ନେଇ କିଛି ଦିନ ହେଲା ରାଜ୍ୟ ରାଜନୀତି ସରଗରମ ରହିଛି । ରାଜ୍ୟ ସରକାର ଓ ସରକାରୀ କଳ ବିଜେପୁରକୁ ନେଇ ବ୍ୟସ୍ତ ଥିବା ବେଳେ କଂଗ୍ରେସ ଦଳ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାରେ ସରକାରୀ ବିଫଳତାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି । ସୋମବାର ଦିନ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାରେ ସାତ ଘଂଟିଆ ‘ବନ୍ଦ’ ଡାକରା ଦିଆଯାଇଥିଲା । ‘ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ହୋଇଥିବା ବେଳେ ମଙ୍ଗଳବାର ଠାରୁ ଜିଲ୍ଲା ବ୍ୟାପୀ ଦୁଇ ଦିନିଆ ପଦଯାତ୍ରା କରାଯିବ ବୋଲି ଦଳ ଘୋଷଣା କରି ସରକାରଙ୍କ ଅଡୁଆ ବଢାଇଛି । ନିକଟରେ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ କଂଗ୍ରେସର ଏହି ବନ୍ଦ ପାଳନରେ ନିଜକୁ ସାମିଲ କରି କୁନ୍ଦୁଲି ପ୍ରସଙ୍ଗରେ କଂଗ୍ରେସ ସହ ବିଜେପି ଥିବା ସୂଚାଇଛନ୍ତି । ଅପରପକ୍ଷରେ, କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ରାଜ୍ୟ ପୁଲିସ ବା କ୍ରାଇମ୍ ବ୍ରାଂଚ୍ ତଦନ୍ତରେ ଅଗ୍ରଗତି ଘଟୁ ନଥିବା ଅଭିଯୋଗ କରି ମାମଲାର ସିବିଆଇ ବା ଏନଆଇଏ ତଦନ୍ତ କରାଯିବାକୁ ସୋମବାର ଦିନ କଟକର ଜଣେ ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ରାଜ୍ୟ ସରକାର, ରାଜ୍ୟ ପୁଲିସ ମହା ନିଦେ୍ର୍ଦଶକ (ଡ଼ିଜି), ଏନଆଇଏ ଡ଼ିଜି, ଭୁବନେଶ୍ୱର ସିବିଆଇ ଏସପି ଓ କୋରାପୁଟ ପୁଲିସ ଏସପିଙ୍କୁ ଏତିରେ ପକ୍ଷଭୁକ୍ତ କରାଯାଇଥିବା ଜଣାପଡିଛି । ପୁଲିସ ରବିବାର ରାତିରେ ଦୁଷ୍କର୍ମର ଶିକାର ହୋଇଥିବା ନବମ ଶ୍ରେଣୀ ଛାତ୍ରୀଙ୍କ ଗ୍ରାମର ୪ ଜଣ ଯୁବକଙ୍କୁ ସନେ୍ଦହରେ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ପ୍ରକୃତ ଗଣ ଦୁଷ୍କର୍ମକାରୀଙ୍କୁ ଘଂଟ ଘୋଡାଇବା ସକାଶେ ନିରୀହଙ୍କୁ ହାରାଶ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଘଂଚ ଜଙ୍ଗଲରେ ଏହି ଗଣ ଦୁଷ୍କର୍ମ ଘଟଣା ଘଟିଥିଲା । ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ଘର ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୋରିଷମୂଳି ଗ୍ରାମରେ । ପାସ୍ପୋର୍ଟ ଫଟୋ ଉଠାଇବା ସକାଶେ ଝିଅଟି ନିକଟସ୍ଥ କନ୍ଦୁଲି ହାଟକୁ ଯାଇଥିଲା । ଫଟୋ ଉଠାଇ ଗାଁକୁ ଫେରିବା ବାଟରେ ଜଙ୍ଗଲିଆ ରାସ୍ତାରେ ମାଓ ଦମନ କାର୍ଯ୍ୟରେ ସଂପୃକ୍ତ ଥିବା ୪ ଜଣ ସନ୍ଦିଗ୍ଧ ଅର୍ଦ୍ଧସାମରିକ ବାହିନୀ ଯବାନ ବାଳିକା ଜଣକୁ ଜବରଦସ୍ତ ଉଠାଇ ନେଇ ଜଙ୍ଗଲ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ମାଓଦମନ କାର୍ଯ୍ୟରେ ନିୟୋଜିତ ଯବାନଙ୍କ ଭଳି ‘ୟୁନିଫର୍ମ’ ପିନ୍ଧି ଥିବା ନାବାଳିକା ଜଣକୁ ବୟାନ ଦେଇଥିବାରୁ ଦୁଷ୍କର୍ମକାରୀମାନେ ସିଆରପିଏଫ୍, ବିଏସ୍ଏଫ୍ ବା କୋବ୍ରା ବାହିନୀର ଯବାନ ବୋଲି ସନେ୍ଦହ କରାଯାଉଛି । ତେବେ, ରାଜ୍ୟ ପୁଲସ୍ ଏହାକୁ ମାଓବାଦୀ ବା ପରିବାର ସହ ଶତୃତା ଥିବା ଲୋକଙ୍କ କାମ ହୋଇଥାଇ ପାରେ ବୋଲି ସନେ୍ଦହ ପ୍ରକାଶ କରି ଉଭୟ ସମ୍ଭାବନାକୁ ଆଖିରେ ରଖି ତଦନ୍ତ ଚାଲିଥିବା କହିଛନ୍ତିି । ଇତିମଧ୍ୟରେ ସିଆରପିଏଫ, ବିଏସ୍ଏଫ୍ ଓ କୋବ୍ରା ବାହିନୀ ଅଧିକାରୀମାନେ ଦୁଷ୍କର୍ମ ସହ ସେମାନଙ୍କ ଯବାନଙ୍କ ସଂପର୍କ ନଥିବା ରୋକଠୋକ୍ କହିଛନ୍ତି । ମାଓବାଦୀ ସଂଗଠନ ମଧ୍ୟ ଏଭଳି ଗଣଦୁଷ୍କର୍ମ ଘଟଣା ସହ ସେମାନଙ୍କ କ୍ୟାଡରଙ୍କ ସଂପର୍କ ଦର୍ଶାଇ ମାଓବାଦୀ ଏଭଳି କୁକର୍ମ କରନ୍ତି ନାହିଁ ବୋଲି କହିଛି । କୁନ୍ଦୁଲି ଗଣ ଦୁଷ୍କର୍ମ ଘଟରା ପ୍ରତିବାଦରେ କୋରାପୁଟ ଜିଲ୍ଲା ମାଓ ସଂଗଠନ ପକ୍ଷରୁ ମଧ୍ୟ ୧୬ ତାରିଖ ପ୍ରତିବାଦସୂଚକ ‘ବନ୍ଦ’ ପାଳନ କରାଯାଇଛି । ଅର୍ଦ୍ଧ ସାମରିକ ବାହିନୀ ଓ ମାଓ ସଂଗଠନ ଏହି ଗଣଦୁଷ୍କର୍ମ ଘଟଣା ସହ ସେମାନଙ୍କ ସଂପର୍କ ନଥିବା ଦର୍ଶାଇ ମାମଲାରୁ ହାତ ଧୋଇ ଦେଇଥିବା ବେଳେ ଘଟଣାର ତଦନ୍ତ କରୁଥିବା ରାଜ୍ୟ ପୁଲିସ ଓ କ୍ରାଇମ୍ ବ୍ରାଂଚ୍ ଏବେ ‘ପୂର୍ବ ଶତୃତା’ ଆଙ୍ଗଲ୍ ଉପରେ ଯୋର୍ ଦେଇ ସୋରିଷମୂଳି ଗ୍ରାମର ୪ ଜଣ ଯୁବକଙ୍କ ଉଠାଇ ନେଇଛନ୍ତି । ସେମାନଙ୍କୁ ସନେ୍ଦହରେ ଅଟକ ରଖା ଯାଇ ପଚରାଉଚୁରା କରାଯାଉଛି । ପୁଲିସ କାର୍ଯ୍ୟାନୁଷ୍ଠାନ ଅଂଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅଭିଯୁକ୍ତ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ପୁଲିସ ଓ ରାଜ୍ୟ କ୍ରାଇମ୍ ବ୍ରାଂଚ୍ ବିପଳ ହୋଇ ‘ପୂର୍ବ ଶତୃତା’ ଆଙ୍ଗଲ୍କୁ ଲଦି ଦେଉଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଶାସକ ବିଜେଡ଼ି ଏହି ଘଟଣାର ତଦନ୍ତ ଦୃତ ଗତିରେ ଚାଲିଛି ଏବଂ ଅଭିଯୁକ୍ତମାନଙ୍କୁ ଅତିଶୀଘ୍ର ଗିରଫ କାରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ମାମଲାକୁ ରାଜନୀତିକରଣ ନ କରିବାକୁ ନିବେଦନ କରିଥିବା ସତ୍ୱେ କଂଗ୍ରେସ ସୋମବାର ସାତ ଗଂଟିଆ ବନ୍ଦ ପାଳନ କରିବା ପରେ ‘ଦେଓମାଳୀ ନିର୍ଭୟା ସନେ୍ଦଶ’ ନାମରେ ଜିଲ୍ଲାରେ ଦୁଇ ଦିନିଆ ପଦଯାତ୍ରା କରିବାକୁ ନିଷ୍ପତ୍ତି ଘୋଷଣା କରିଛି । ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ପଦାରେ ପକାଇବା ପାଇଁ ଏହି ପଦଯାତ୍ରା ହେଉଛି ବୋଲି ଜିଲ୍ଲାର କଂଗ୍ରେସ ନେତାମାନେ କହିଛନ୍ତି । କୋରାପୁଟ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ହସପିଟାଲରେ ଚିକିତ୍ସାଧିନ ଥିବା ଦୁଷ୍କର୍ମର ଶିକାର ନାବାଳିକାର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି ବୋଲି ଡ଼ାକ୍ତରୀମାନେ କହୁଥିବା ବେଳେ ଡ଼ାକ୍ତରୀମାଇନା ରିପୋର୍ଟକୁ ସରକାର ଗୋପନ ରଖି ଥିବା ରାଜ୍ୟବାସୀଙ୍କ ମନରେ ପୁଲିସ ତଦନ୍ତ ପ୍ରତି ସନେ୍ଦହକୁ ବଢାଇଛି ।
ସୋମବର ଦିନ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ପିଟିସନକାରୀ ଦର୍ଶାଇଛନ୍ତି ଯେ, ଅପରାଧ ଘଟିଥିବା ସ୍ଥାନ ମାଓ ଉପଦ୍ରୁତ ଅଂଚଳ ହୋଇ ଥିବାରୁ ଏବଂ ରାଜ୍ୟ ପୁଲିସର ଏହି ଅଂଚଳ ଉପରେ କର୍ତୃତ୍ୱ ହ୍ରାସ ପାଇ ଥିବା ଯୋଗୁ ନିରପେକ୍ଷ ତଦନ୍ତ ଆଶା କରାଯାଇ ପାରୁ ନାହିଁ । ଏହାଛଡା, ତଦନ୍ତ ବେଳେ ଅର୍ଦ୍ଧସାମରିକ ବାହିନୀ ପ୍ରତି ରାଜ୍ୟ ପୁଲିସର ଆଭିମୁଖ୍ୟ ‘ନକାରାତ୍ମକ’ ହେବା ଦ୍ୱାରା ତାହା ଜାତୀୟ ନିରାପତ୍ତାର ପରିପନ୍ଥୀ ହେବା ଆଶଙ୍କା ରହିଛି । ତେଣୁ, କୋର୍ଟ ସିବିଆଇ ବା ଏନଆଇଏ ଭଳି ସ୍ୱାଧୀନ ଏଜେନ୍ସିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଇଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ତେଣୁ, ମାନ୍ୟବର ତଦନ୍ତ ଦାୟିତ୍ୱ ସିବିଆଇ ବା ଏନଆଇଏକୁ ଦେବାକୁ ସେ ନିବେଦନ କରିଛନ୍ତି ।
ଅନ୍ୟପକ୍ଷରେ, କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣ ଦୁଷ୍କର୍ମର ତଦନ୍ତକୁ ତ୍ୱରାନ୍ୱିତ କରାଯିବା ସହ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବା ଏବଂ ଦୁଷ୍କର୍ମର ଶିକାର ନାବାଳିକାକୁ କ୍ଷତିପୂରଣ ଦିଆଯିବା ଦାବିରେ ମଙ୍ଗଳବାରରୁ ଆରମ୍ଭ ହେଉଥିବା ଦୁଇ ଦିନିଆ ପଦଯାତ୍ରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଦଳର ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରଦୀପ ମାଝୀ ପ୍ରମୁଖ ଯୋଗ ଦେବେ କାର୍ଯ୍ୟକ୍ରମ ରହିଛି ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସେମବାର ଦିନ କୋରାପୁଟରେ ସୂଚନା ଦେଇଛନ୍ତି । ବିଜେପୁରରେ ଏକପ୍ରକାର ନିଷ୍କ୍ରିୟ ଥିବା କଂଗ୍ରେସ କୋରାପୁଟରେ ସରକାରଙ୍କ ଅଡୁଆରେ ପକାଇ ରାଜ୍ୟରେ ଦଳର ଉପସ୍ଥିତି ଜାହିର କରିବା ପ୍ରୟାସରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS