ପୁଲିସ ଅଜାଣତରେ ବାହାବଳପୁର ଓ ବିଲିପଡାରେ ବାଣ କାରଖାନା ଚାଲି ଥିଲା ?


– ପ୍ରସାଦ ରାଓ –
ଭୁବନେଶ୍ୱର,୧୯ ଅକ୍ଟୋବର: ଦୀପାବଳୀର ଠିକ୍ ଆଗ ଦିନ ରାଜ୍ୟର ତିନିଟି ସ୍ଥାନରେ ଘଟିଥିବା ତିନିଟି ଅଘଟନ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ସବୁଠାରୁ ବଡ ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ବାହାବଳପୁରରେ । ଏହି ସମୁଦ୍ରକୂଳ ଥାନା ଅଂଚଳରେ ଥିବା ଏକ ବେଆଇନ ବାଣ କାରଖାନାରେ ବାଣ ତିଆରି ଚାଲିଥିବା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ଅନ୍ୟୁନ ଆଠ ଜଣ ପ୍ରାଣ ହରାଇ ଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗୋଟିଏ ଟିଣ ଛପର ଘର ଭିତରେ ଏହି ବାଣ କାରାଖାନା ଚାଲିଥିଲା । ବାହାବଳପୁର ଗ୍ରାମର ଗୋଲକ ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ବାଣ କାରଖାନା ଚଳାଇ ଥିଲେ । ବାଣ ତିଆରି ବେଳେ ସେ, ତାଙ୍କ ପୁଅ ଓ ଅନ୍ୟ କିଛି ବାଣ କାରିଗର କାରଖାନାରେ ଉପସ୍ଥିତି ଥିଲେ ବୋଲି ପୁଲିସ ସୂଚନା ଦେଇଛି । ବିସ୍ଫୋରଣର ଭୟାବହତା ନେଇ ବିଭିନ୍ନ ସମ୍ବାଦ ସଂସ୍ଥାରେ ପ୍ରସାରିତ ରିପୋର୍ଟ ବୁଧବାର ଦିନ ରାଜ୍ୟବାସୀଙ୍କ ସ୍ତବ୍ଧ କରି ଥିଲା । ମୃତ ଦେହ ସବୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ବିଛାଇ ହୋଇ ପଡିଥିବା ବାହାବଳପୁରରେ ଉପସ୍ଥିତ ସାମ୍ବାଦିକମାନେ ସୂଚନା ଦେଉଥିବା ବେଳେ ମନରେ ଗୋଟିଏ ପ୍ରଶ୍ନ ଉଠି ଥିଲା, ସ୍ଥାନୀୟ ପୁଲିସ ଓ ପ୍ରଶାସନର ଜାଣତରେ ଏହି କାରଖାନା ଚାଲିଥିଲା ନା ନାହିଁ? ବାହାବଳପୁର ସାମୁଦ୍ରିକ ଥାନା ଅଧିକାରୀ ସନ୍ତୋଷ ବେହେରାଙ୍କୁ ପୁଲିସ ଡ଼ିଜି କାର୍ଯ୍ୟରୁ ନିଲମ୍ବିତ କରି ଥିବାରୁ ବାଣ କାରଖାନା ଯେ ବେଆଇନ୍ ଭାବେ ଚାଲିଥିଲ, ତାହା ସ୍ପଷ୍ଟ ହୋଇ ଯାଇଛି ।
ବୁଧବାର ବିସ୍ଫୋରଣ ପରେ ଯାହା ଖବର ମିଳିଛି ସେଥିରୁ ଜଣାପଡିଛି, ବାହାବଳପୁର ଗ୍ରାମର ଗୋଲକ ପ୍ରଧାନ ଗଲା କିଛି ବର୍ଷ ହେଲା ଏହି ବେଆଇନ କାରଖାନା ଚଳାଇ ଥିଲେ । ସେଠାରେ ତିଆରି ହେଉଥିବା ବାଣ ଆଖପାଖ ଅଂଚଳକୁ ବିକ୍ରି ସକାଶେ ଯାଉଥିଲା । ଦୀପାବଳୀରେ ଅଧିକ ମୁନାଫା କମାଇବା ସକାଶେ ପଡୋଶୀ ପଶ୍ଚିମ ବଂଗରୁ ମଧ୍ୟ କାରିଗର ଅଣି ବାଣ ତିଆରି କରାଉଥିଲେ । ଏତେ ସବୁ ଚାଲିଥିବା ବେଳେ ପୁଲିସ ଓ ସାଧାରଣ କଣ କରୁଥିଲେ? ମନରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ଜିଲ୍ଲାର ପୁଲିସ ଓ ସାଧାରଣ ପ୍ରଶାସନର ନାକତଳେ ଏଭଳି ବେଆଇନ କାର୍ଯ୍ୟ ଚାଲି ଥିଲା । ଏଥି ପାଇଁ କେବଳ ବାହାବଳପୁର ସମୁଦ୍ରକୂଳ ଥାନା ଅଧିକାରୀ ବେହେରା ଦୋଷୀ ହେବେ ନା ଅନ୍ୟ ଅଧିକାରୀ (ପୁଲିସ ଓ ପ୍ରଶାସନିକ)ମାନେ ମଧ୍ୟ ସମାନ ପରିମାଣର ଦୋଷ ମୁଣ୍ଡାଇବେ, ଏବେ ସେ ପ୍ରଶ୍ନ ଉଠିଲାଣି । ବାଣ କାରଖାନାରେ ନାବାଳକଙ୍କୁ ବାଣ ପ୍ରସ୍ତୁତି କାମରେ ଲଗାଇବା ଏକ ଜଘନ୍ୟ ଅପରାଧ । ବିସ୍ଫୋରଣ ବେଳେ ଦୁଇ ଜଣ ନାବାଳକ ବାଣ କାରଖାନା ଭିତରେ ଥିଲେ ବୋଲି ଜିଲ୍ଲାର ସାଧାରଣ ଓ ପୁଲିସ ପ୍ରଶାସନ କହି ଥିବାରୁ ସେମାନଙ୍କ ମୃତ୍ୟୁ ଘଟି ଥିବା ଆଶଙ୍କା କରାଯାଉଛି । କିନ୍ତୁ, ଶ୍ରମ ବା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ତଦନ୍ତ କରାଯିବାର କିଛି ଆଭାସ ମିଳି ନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଦୀପାବଳି ସମୟରେ ପୁଲିସ ଓ ସାଧାରଣ ପ୍ରଶାସନ ପକ୍ଷରୁ ବାଣ ତିଆରି ଓ ବିକ୍ରି ଉପରେ ଯେତେଯାହା କଟକଣା ଜାରି ହୋଇଥାଏ, ବାସ୍ତବତା କ୍ଷେତ୍ରରେ ସେସବୁ କାର୍ଯ୍ୟକାରୀ ହୋଇ ନ ଥାଏ । ଜାଣତରେ ହେଉ ବା ଅଜାଣତରେ ସେସବୁର ଉଲଂଘନ ହୁଏ । ଗଞ୍ଜାମ, କଟକ, ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ପ୍ରଭୃତି ଉପକୂଳ ଜିଲ୍ଲାରେ ଦୀପାବଳି ପୂର୍ବରୁ ଛୋଟ, ବଡ କାରଖାନା ବା ଘରମାନଙ୍କରେ ବିସ୍ଫୋରକ ବାଣ ତିଆରି କରାଯାଇ ବିକ୍ରି ହେଉଥିବା ଏବଂ ବିଭିନ୍ନ ଅଂଚଳରୁ ବ୍ୟବସାୟୀ ଓ ସାଧାରଣ ଲୋକମାନେ ନାମକରା ଗାଁ ମାନଙ୍କୁ ଯାଇ ବାଣ କିଣୁ ଥିବା ଜଣାଶୁଣା କଥା । ଏହି ନାମୀ ଗାଁ ଗୁଡ଼ିକରେ ମିଳୁ ଥିବା ବାଣ ବଜାର ଠାରୁ ବିଶେଷ ଶସ୍ତା ନ ହେଲେ ବି ଗୁଣାତ୍ମକ ଦୃଷ୍ଟିରୁ ବଜାରରେ ଉପଲବ୍ଧ ବାଣ ତୁଳନାରେ ଭଲ ବୋଲି ବିଚାର କରାଯଏ । ତେଣୁ, ଦୀପାବଳି ପୂର୍ବରୁ ବିଭିନ୍ନ ଗ୍ରାମରେ ଆରମ୍ଭ ହୋଇଯାଏ ବାଣଭିଡ଼ା । ତେବେ, ଅସାବଧାନତାରୁ ବିସ୍ଫୋରଣ ଘଟି ଧନ, ଜୀବନର କ୍ଷତି ଘଟେ । ବଜାରରେ ବାଣ ବିକ୍ରି ବେଳେ ବିଭିନ୍ନ ପ୍ରକାର ସାବଧାନତା ଅବଲମ୍ବନ କରାଯିବାକୁ ପ୍ରଶାସନ ତାଗିଦ କରିଥାଏ । କିନ୍ତୁ, ସେସବୁ ମଧ୍ୟ ନିଦେ୍ର୍ଦଶନାମାରେ ସୀମିତ ରୁହେ । ନିୟମକାନୁନ କାର୍ଯ୍ୟକାରୀ କରୁଥିବା ତଳିଆ କର୍ମଚାରୀମାନେ ବେଆଇନ ବାଣ ବିକ୍ରି ଓ ସତର୍କତା ପ୍ରତି ଦୃଷ୍ଟି ଦେବା ବଦଳରେ ଦୋକାନ ଦୋକାନ ବୁଲି ବାଣ ସଂଗ୍ରହ କରୁଥିବା ଦୃଶ୍ୟ ସାଧାରଣତଃ ଦେଖିବାକୁ ମିଳି ଥାଏ ଦୀପାବଳି ସମୟରେ । ଓଡ଼ିଶା ନୁହେଁ, ବାହାରେ ମଧ୍ୟ ଏଭଳି ଦୃଶ୍ୟ ଅତି ସାଧାରଣ । ସମସ୍ତେ ତାହାକୁ ହାଲ୍କା ଭାବେ ଗ୍ରହଣ କରିଥା’ନ୍ତି । ବଡ଼ କିଛି ଅଘଟଣ ଘଟିଲେ ହିଁ ‘ବଳୀମୁଣ୍ଡ’ ଖୋଜିତା’ନ୍ତି ଉପରିସ୍ଥ ହାକିମମାନେ । ସରକାର ଚିକିତ୍ସା ଓ କ୍ଷତିପୂରଣ ଘୋଷଣା କରି ଦାୟିତ୍ୱ ସାରି ଦିଅନ୍ତି । ବାହାବଳପୁର ଘଟଣାରେ ମଧ୍ୟ ତାହା ହୋଇଛି । ମୁଖ୍ୟମନ୍ତ୍ରୀ ଘଟଣାରେ ଦୁଃଖ ପ୍ରକାଶ କରି ବିବୃତି ଦେବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକଂପା ସହାୟତା ଘୋଷଣା କରିଛନ୍ତି । ବିସ୍ଫୋରଣରେ ଆହତ ଲୋକଙ୍କ ଚିକିତ୍ସା ଭାର ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ରାଜ୍ୟ ପୁଲିସ ଡ଼ିଜି ବାହାବଳପୁର ବିସ୍ଫୋରଣ ଘଟଣାରେ ସମୁଦ୍ରକୂଳ ଥାନା ଅଧିକାରୀଙ୍କୁ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବନ କରି ପୂର୍ଣ୍ଣଛେଦ ପକାଇଛନ୍ତି । ତେବେ, ବାହାବଳପୁର କେବଳ ନୁହେଁ, ରାଜ୍ୟର ଅନ୍ୟତ୍ର ମଧ୍ୟ ଏଭଳି ବେଆଇନ କାର୍ଯ୍ୟ ଅବାଧରେ ଚାଲିଥିବା ବୁଧବାର ଘଟିଥିବା ଆଉ ଦୁଇଟି ଘଟଣା ସ୍ପଷ୍ଟ କରୁଛି ।
ବୁଧବାର (ଅକ୍ଟୋବର ୧୮ ତାରିଖ) ପୂର୍ବାହ୍ନରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ବିଲିପଡା ଗ୍ରାମରେ ଏକାଭଳି ବିସ୍ଫୋରଣ ଘଟି ଜଣେ ୬ ବର୍ଷର ବାଳିକାର ମୃତ୍ୟୁ ହୋଇଛି । ବେଆଇନ ବାଣ ତିଆରି ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟି ଥିଲା । ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ ପ୍ରଥମେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଳ ହସପିଟାଲରେ ଓ ପରେ ଅବସ୍ଥା ଗୁରୁତର ହେବାରୁ ‘ଏମ୍ସ’ରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ଖବର ମୁତାବକ ଏହି ଗ୍ରାମର ଦୁଇ ଭାଇ ନାଲୁ ଭୋଇ ଓ ବାଚୁ ଭୋଇ ବିନା ଲାଇସେନ୍ସରେ ଦୀର୍ଘ ବର୍ଷ ହେଲା ବାଣଭିଡ଼ି ବିକ୍ରି କରୁଥିଲେ । ବୁଧବାର ସକାଳ ୧୦ଟା ସମୟରେ କୌଣସି କାରଣରୁ ବିସ୍ଫୋରଣ ଘଟି ନାଲୁ, ବାଚୁଙ୍କ ସମେତ ବାଣ କିଣିବାକୁ ସେମାନଙ୍କ ନିକଟକୁ ଆସିଥିବା ପଡୋଶୀ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର ପ୍ରଭାବରେ ଏତେ ଅଧିକ ଥିଲା ଯେ, ପଡୋଶୀ ବୁଲୁ ବେହେରାଙ୍କ ଘର କ୍ଷତିଗ୍ରସ୍ତ ହେବା ସହ ତାଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଥିବା କହିଥିବା ବେଳେ ବାହାବଳପୁର ଭଳି ଏଠି ମଧ୍ୟ ପୁଲିସ ଓ ପ୍ରଶାସନକ ଅବହେଳା ଆଲୋଚନାର ପ୍ରସଂଗ ହୋଇଛି ।
ତୃତୀୟ ଘଟଣା ଘଟିଛି ରାଉରକେଲା ସହରରେ । ଗଲା ବର୍ଷରୁ ରାଜ୍ୟ ସରକାର ଦୀପାବଳି ସମୟରେ ବିଭିନ୍ନ ସହରରେ ବାଣ ବିକ୍ରି ପାଇଁ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରୁଛନ୍ତି ଏବଂ ସମସ୍ତ ସଂପୃକ୍ତ ବିଭାଗରୁ ଏନ୍ଓସି ଆଣିବା ପରେ ବାଣ ବିକ୍ରି ପାଇଁ ବ୍ୟବସାୟୀଙ୍କୁ ଲାଇସେନ୍ସ ଦିଆଯାଇ ନିର୍ଦ୍ଧାରିତ ସ୍ଥାନରେ ଦୋକାନ ଖୋଳିବାକୁ ଅନୁମତି ଦିଆଯାଉଛି । ଚଳିତ ବର୍ଷ ରାଉରକେଲା ସହରର ପାୱାର ହାଉସ୍ ରୋଡରେ ଅସ୍ଥାୟୀ ବାଣ ଦୋକାନ ଖୋଲିବା ସକାଶେ ୪୬ ଜଣଙ୍କୁ ଅନୁମତି ମିଳିଥିଲା । ସଂପୃକ୍ତ ବ୍ୟବସାୟୀମାନେ ବାଣ ବିକ୍ରି କରିବା ପରେ ସେସବୁର ସୁରକ୍ଷା ପାଇଁ ରାତିରେ ନିଜ ନିଜ ଅସ୍ଥାୟୀ ଦୋକାନରେ ଶୋଇ ପଡ଼ିଥିଲେ । ବାହାରେ ସେମାନଙ୍କ ଦୁଇ ଚକିଆ ଯାନ ସବୁ ରହି ଥିଲା । ବୁଧବାର ଭୋର୍ ପ୍ରାୟ ସାଢେ ୨ଟା ସମୟରେ ଏହି ବାଣ ବଜାରରେ ଅଗ୍ନିକାଂଡ ଘଟି କୋଟିଏ ଟଙ୍କା ବାଣ, ଆସବାବପତ୍ର ଓ ବ୍ୟବସାୟୀଙ୍କ ଗାଡି ସବୁ ପୋଡ଼ି ଛାରଖାର ହୋଇଯାଇଛି । ପ୍ରଚଣ୍ଡ ଶବ୍ଦ ଶୁଣି ଦୋକାନ ଭିତରେ ଶୋଇଥିବା ବାଣ ବ୍ୟବସାୟମାନେ ବାହାରକୁ ଚାଲି ଆସି ଥିଲେ । ତେବେ, ବିଶ୍ୱଜିତ ଜେନା ନାମକ ଜଣେ ଯୁବକ ନିଜ ଗାଡିକୁ ନିଆଁ କବଳରୁ ବଂଚାଇବାକୁ ଉଦ୍ୟମ କଳା ବେଳେ ଜିଅନ୍ତା ପୋଡି ଯାଇଛନ୍ତି । ପୁଲିସ ଅଗ୍ନିକାଣ୍ଡର କାରଣ ସଂପର୍କରେ ତଦନ୍ତ କରୁଥିବା କହିଥିବା ବେଳେ ରୋଚକ ଖବର ବାହାରକୁ ଆସିଛି । ସେଠାରେ ବାଣ ଦୋକାନ ଖୋଲିଥିବା ଜଣେ ହେଲେ ବ୍ୟବସାୟୀ ଅଗ୍ନିଶମ ବିଭାଗରୁ ଏନ୍ଓସି (ନୋ ଅବଜେକ୍ସନ୍ ସାର୍ଟିଫିକେଟ୍) ନେଇ ନଥିବା ଅଗ୍ନିଶମ ବିଭାଗ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ଜଣେ ବାଣ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଏବଂ ବ୍ୟବସାୟୀଙ୍କ ୧୮ଟି ଗାଡି ଜଳି ଯାଇଥିବା ବେଳେ ସେମାନଙ୍କ କ୍ଷତିପୂରଣ ମିଳିବା ନେଇ ଏବେ ସନେ୍ଦହ ପ୍ରକାଶ ପାଇଲାଣି । ପୂର୍ବ ଦୁଇଟି ଘଟଣା ସହ ଏହି ଘଟଣାର ସାମଂଜସ୍ୟ ନଥିଲେ ବି ଏଠାରେ ମଧ୍ୟ ବାଣ ବ୍ୟବସାୟୀ, ପୁଲିସ ଓ ପ୍ରଶାସନର ଅବହେଳା ପଦାରେ ପଡିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS