ଜାଇରା ୱାସିମ୍ ଏବେ ବଲିଉଡ଼ର ସୁପର ଷ୍ଟାର୍..


ଅମିର ଖାନ୍ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦଙ୍ଗଲ୍’ରେ ରେସଲର୍ ଗୀତା ଫୋଗୋଟ୍ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଥିବା କଶ୍ମୀରୀ ଝିଅ ଜାଇରା ୱାସିମ୍ ଏବେ ପୁଣି ଥରେ ଚର୍ଚ୍ଚାରେ । ଅମିରଙ୍କ ସଦ୍ୟ ରିଲିଜ ହୋଇଥିବା ‘ସିକ୍ରେଟ୍ ସୁପରଷ୍ଟାର୍’ର ସେ ହେଉଛନ୍ତି ମୁଖ୍ୟ ନାୟିକା । ଘରୋଇ ହିଂସାକୁ ନେଇ ‘ସିକ୍ରେଟ୍ ସୁପର୍ଷ୍ଟାର୍’ର କାହାଣୀ । ପିତାଙ୍କ ହିଂସାତ୍ମକ ଆଚରଣରୁ ମା’ଙ୍କୁ ମୁକୁଳାଇବା ପାଇଁ ଝିଅର ସଂଘର୍ଷ ଏବଂ ନିଜକୁ ଜଣେ ପ୍ରତିଷ୍ଠିତ ଗାୟିକା ଭାବେ ଦେଖିବାର ଅଭିଳାଷାକୁ ଚରିତାର୍ଥ କରିବା ପାଇଁ ସଂଘର୍ଷକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ‘ସିକ୍ରେଟ୍ ସୁପରଷ୍ଟାର୍’ । ୧୬ ବର୍ଷ ବୟସ୍କା ଜାଇରା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ତାଙ୍କ ନାୟକ ରହିଛନ୍ତି ପ୍ରତିଷ୍ଠିତ ନାୟକ ଅମିର ଖାନ୍ । ଜାଇରା ‘ଦଙ୍ଗଲ’ମାଧ୍ୟମରେ ବଲିଉଡ୍ରେ ପଦାର୍ପଣ କରି ନିଜର ଦକ୍ଷତା ପଦର୍ଶନ କରି ସାରିଛନ୍ତି । ସେ ଅସଂଖ୍ୟ ‘ଶୁଭେଚ୍ଛୁ’ ମଧ୍ୟ ସୃଷ୍ଟି କରିଛନ୍ତି । ‘ସିକ୍ରେଟ୍ ସୁପରଷ୍ଟାର୍’ରେ ତାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଛି ବୋଲି ବଲିଉଡ୍ର ପ୍ରତିଷ୍ଠିତ ଚଳଚ୍ଚିତ୍ର ନିର୍ମତା ବିଧୁ ବିନୋଦ ଚୋପ୍ରା ନିକଟରେ ଏକ କାର୍ଯ୍ୟକ୍ରମରେ ସ୍ୱୀକାର କରିଛନ୍ତି । ଅମିର ଖାନ୍ ଜଣେ ସଂଗୀତଜ୍ଞ ଭାବେ ଏହି ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ଜାଇରା ଜଣେ ଗାୟିକା ଭାବେ ଅମିରଙ୍କ ସହାୟତାରେ କିଭଳି ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସବୁ କିଛି ଏପାକ ସେପାଖ କରିଛନ୍ତି, ତାହା ଦେଖିବାକୁ ମିଳିବ ଏହି ଚଳଚ୍ଚିତ୍ରରେ । ‘ଦଙ୍ଗଲ’ରେ ରେସଲର୍ ଗୀତା ଫୋଗଟ୍ଙ୍କ ଭୂମିକାରେ ଅଭିନୟ କରିବା ସକାଶେ ଜାଇରାଙ୍କୁ କଡା ତାଲିମ୍ ନେବାକୁ ପଡିଥିଲା । ଫିଟ୍ନେସ୍ ସେସନ୍ରେ ସେ ଯୋଗ ଦେଇ ଥିଲେ । ଫ୍ରି-ଷ୍ଟାଇଲ୍ ରେସ୍ଲିଂ ତାଲିମ ନେବା ସହ କିଛି ଘଂଟା କୁସ୍ତି ଶିଖି ଥିଲେ । ସନ୍ତୁଳିତ ଓ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଖାଉ ଥିଲେ । ଜିମ୍ ପ୍ରତି ଅନାଗ୍ରହ ସତ୍ୱେ ସପ୍ତାହକୁ ତିନିରୁ ଚାରି ଘଂଟା ଜିମ୍ରେ କଟାଉ ଥିଲେ । କିଛି ଯୋଗ ସେସନ୍ରେ ମଧ୍ୟ ଭାଗ ନେଇ ଥିଲେ । ନିଜର ଶକ୍ତି ବଢାଇବା ସକାଶେ ସେ ଜିମ୍ରେ ଲାଇଟ୍ ଟ୍ରେଡ୍ ମିଲ୍ ରନିଂ ଓ କାର୍ଡ଼ିଓ ଏକ୍ସରସାଇଜ୍ କରିଥିଲେ । ନିଜକୁ ଫିଟ୍ ରଖିବା ସକାଶେ ଡାଏଟ୍ ପ୍ଲାନିଂ ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ପସନ୍ଦ ଥିଲା ଘରରନ୍ଧା ଖାଦ୍ୟ । ଭୋକ ହେଲେ ତାଟିଆଏ ତାଜା ଫଳ ଖାଇ ଭୋକ ମେଂଟାଉ ଥିଲେ । ରାତିରେ ସେ ହାଲ୍କା ଖାଦ୍ୟ ସହ ସୁପ୍ ନେଉ ଥିଲେ । ଲୋ-କେଲୋରୀ ଖାଦ୍ୟ ଖାଇବା ମାଧ୍ୟମରେ ଜଣେ ନିଜକୁ ଫିଟ୍ ରଖି ପାରିବ, ଏହା ହେଉଛି ଜାଇରାଙ୍କ ଫଣ୍ଡା ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS