ନ୍ୟୁଜ୍ ବାଇଟ୍ସ… ମାନବିକତା କୁଆଡେ ଗଲା !
ଭୁବନେଶ୍ୱର: ଗୋଲାମ ନଗରୀ ରାଜଧାନୀ ଭୁବନେଶ୍ୱରକୁ ନେଇ ରାଜ୍ୟବାସୀ ଦେଖନ୍ତି ଗୋଲାପୀ ସ୍ୱପ୍ନ । ସହରରେ ଘରଟିଏ କରି ରହି ଥିବା ଲୋକଟି ଭାଗ୍ୟବାନ ବୋଲି ସେମାନେ ଭାବନ୍ତି । କିନ୍ତୁ, ଏହି ସହରରେ କେବଳ ସ୍ୱପ୍ନ ବିକ୍ରି ହୁଏ, ସଂବେଦନା ନାମକ ଶବ୍ଦର କୌଣସି ମୂଲ୍ୟ ନାହିଁ – ଏଠାରେ ଘର କରି ରହୁଥିବା ବାସିନ୍ଦାମାନେ ତାହା ଅନୁଭବ କରୁଥିବେ । ପ୍ରଭାବଶାଳୀ ଲୋକଙ୍କ ପାଇଁ ଏ ସହର । ପ୍ରଭାବ ନ ଥିଲେ କେହି ଆଡ ଆଖିରେ ବି ଚାହାଁନ୍ତି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ୩ ତାରିଖ ରାତିରେ ରାଜଧାନୀର ପ୍ରାଣକେନ୍ଦ୍ର କୁହାଯାଉଥିବା ମାଷ୍ଟରକ୍ୟାଂଟିନର ଅଶୋକା ମାର୍କେଟ୍ ଓ ପୁଲିସ ସହାୟତା କେନ୍ଦ୍ର ନିକଟରେ ଘଟିଥିବା ଘଟଣାଟି । ରାସ୍ତା ଉପରେ ସର୍ବସମକ୍ଷରେ ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହୋଇ କନ୍ୟା ସନ୍ତାନଟିଏ ଜନ୍ମ ଦେଇ ଥିଲେ । ସେ ଛଟପଟ ହେଉ ଥିବା ସମସ୍ତେ ଦେଖୁ ଥିଲେ ସିନା ସହାୟତା ପାଇଁ କେହି ଆଗେଇ ଆସି ନ ଥିଲେ । ଏପରିକି, ଦେଖଣାହାରୀଙ୍କ ଫୋନ୍ କଲ୍ ପାଇବା ସତ୍ୱେ ୧୦୨ ବା ୧୦୮ରୁ ଆମ୍ବୁଲାନ୍ସ ପହଂଚି ନ ଥିଲା । ରକ୍ତରେ ଜୁଡୁବୁଡୁ ମହିଲା ଜଣକ ସନ୍ତାନ ପ୍ରସବ ପରେ ନିସ୍ତେଜ ହୋଇ ପଡି ରହି ଥିବା ବେଳେ ସ୍ୱାମୀ ତାଙ୍କର ଅସହାୟ ହୋଇ ଚାହିଁ ଥା’ନ୍ତି, କାଳେ କିଛି ସାହାଯ୍ୟ ମିଳିବ ବୋଲି । କନ୍ୟା ସନ୍ତାନ ପ୍ରସବର ଘଂଟାଏ ପରେ ୧୦୮ ଆମ୍ବୁଲାନ୍ସ ପହଂଚି ରେହେନା ବେଗମ୍ (୩୦)ଙ୍କୁ କ୍ୟାପିଟାଲ ହସପିଟାଲକୁ ନେଇଥିଲା । ସାଧାରଣ ଲୋକଙ୍କ ଦରଦ କଥା ଛାଡନ୍ତୁ, ସରକାର ମହିଳା, ପ୍ରସୂତି ଏବଂ ଶିଶୁଂକ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା କଥା କହୁଥିବା ବେଳେ ରାଜଧାନୀର ଛାତି ଉପରେ ଜରେ ଅସହାୟ ମହିଳାଙ୍କ ଏଭଳି ଦୁଃଖଦ ସ୍ଥିତି ହେବା, ଦେଖେଣାହାରୀ କେବଳ ଆମ୍ବୁଲାନ୍ସକୁ ଫୋନ୍ କରି ଦାୟିତ୍ୱ ସାରି ଦେବା ଏବଂ ପୁଲିସ ଓ ସାଧାରଣ ପ୍ରଶାସନର କୌଣସି ପ୍ରତିକ୍ରିୟା ନଥିବା ଅମଣିଷପଣିଆ ହିଁ କୁହାଯିବ । ସାବାସ୍ ସ୍ମାର୍ଟ ସିଟି, ତାହାର ମେୟର ଓ ନିଜକୁ ସଂବେଦନଶୀଳ କହୁଥିବା ସରକାର ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS