ବସ୍ ମାଲିକ ପ୍ରତାପ ପଲାଇ ମଦ ମାଫିଆଙ୍କ ଟାର୍ଗେଟ୍ ରେ ଥିଲେ
ଗୋବରାରୁ ପ୍ରଦ୍ୟୁମ୍ନଙ୍କ ରିପୋର୍ଟ: ୬ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ କରଂଜେଇ ମନ୍ଦିର ପାଖରେ ‘ଅକବରୀ ତୁଫାନ’ ବସ୍ ରେ ପଶି ଚାରି ରାଉଣ୍ଡ୍ ଗୁଳି ଫୁଟାଇ ପାକଲାପଲ୍ଲୀର ‘ରାଧାକୃଷ୍ଣ’ ବସ୍ ର ମାଲିକ ପ୍ରତାପ ପଲାଇଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ପ୍ରତାପ ପଲେଇଙ୍କ ପାକଲାପଲ୍ଲୀରେ ଏକ ବିଦେଶୀ ମଦ ଦୋକାନ ସହ ଦୁଇଟି ଦେଶୀ ମଦ ଭାଟି, ବାଲି ଘାଟ ଓ ବସ୍ ବ୍ୟବସାୟ ଅଛି । ତାଙ୍କ ପତ୍ନୀ ବିଜେଡ଼ିର ଜଣେ କାଉନସିଲର୍ । ଆଠ ମାସ ତଳେ ସେ ନିଜ ଗାଁ ଆସିକା ପାକଲା ପଲ୍ଲୀ ଛାଡି ବ୍ରହ୍ମପୁରରେ ରହୁଥିଲେ । ମଦ ବେପାରକୁ ନେଇ ପାକଲାପଲ୍ଲୀର ଗୋଟିଏ ଗୋଷ୍ଠୀ ସହ ତାଙ୍କର ଛକାପଂଝା ଚାଲି ଥିଲା । ପୁର୍ବରୁ ମଧ୍ୟ ପ୍ରତାପଙ୍କୁ ହତ୍ୟା ଧମକ ଦିଆ ଯାଇଥିଲା । ୬ ତାରିଖ ରାତିରେ ପ୍ରତାପ ଆସିକାରୁ ବ୍ରହ୍ମପୁର ଫେରୁ ଥିବା ବେଳେ ପିତ୍ତଳ ନିକଟସ୍ଥ କରଂଜେଇ ପାଖରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏକାଧିକ ବ୍ୟକ୍ତି ବସ୍ ଭିତରେ ପଶି ପ୍ରତାପଙ୍କୁ ଗୁଳି ମାଡ କରି ଥିଲେ । ରାତି ୮ରୁ ୧୦ ଟା ମଧ୍ୟରେ ଏହି ଘଟଣା ଘଟି ଥିବା ଜଣାପଡିଛି । ମୃତ ପ୍ରତାପ ‘ଓଡ଼ିଶା ଏକ୍ସପ୍ରେସ୍’ର ଆସିକା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ବୋଲି ଖବର ମିଳିଛି । ପୁଲିସ ଘଟଣାର ତଦନ୍ତ ଚଳାଇଛି । ଗୁଳିକାଣ୍ଡ ସହ ମଦ ମାଫିଆଙ୍କ ସଂପୃକ୍ତି ଥିବା ଜାଣିବା ପରେ ପୁଲିସ ପକ୍ଷରୁ ମଦଭାଟି ଗୁଡ଼ିକ ଉପରେ ଯୋରଦାର ଚଢାଉ ଚାଲିଛି । ପୁଲିସ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିବା ସହ ଏହି ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ଦୁଇଟି ମାମଲା ରୁଜୁ କରିଛି । ଏକ ଯାତ୍ରୀବାହୀ ବସ୍ ରେ ପଶି ଜଣକୁ ଗୁଳି କରି ହତ୍ୟା କରାଯିବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS