କୁନ୍ଦୁଲି ଗଣ ଦୁଷ୍କର୍ମ: ପୁଲିସ କହିଲା ଅଭିଯୋଗ ମିଛ, ପୀଡ଼ିିତାଙ୍କ ପରିବାର ମାନିବାକୁ ରାଜି ନୁହେଁ, କହୁଛି – ପୁଲିସ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଛି
– ପ୍ରସାଦ ରାଓ –
ଭୁବନେଶ୍ୱର,୦୮ ନଭେମ୍ବର: କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲି ହାଟ ନିକଟରେ ଅକ୍ଟୋବର ୧୦ ତାରିଖରେ ଘଟି ଥିବା ଗଣ ଦୁଷ୍କର୍ମ ମାମଲା ଭିନ୍ନ ମୋଡ ନେଇଛି । ନାବାଳିକାର ଅଭିଯୋଗରେ ସତ୍ୟତା ନାହିଁ ବୋଲି କୋରାପୁଟ ଜିଲ୍ଲା ଏସପିଙ୍କ ସମେତ ରାଜ୍ୟର ପଦସ୍ଥ ପୁଲିସ ଅଧିକାରୀମାନେ ମଙ୍ଗଳବାର ଦିନ (୭ତାରିଖ) ସାମ୍ବାଦିକମାନଙ୍କୁ ସୂଚନା ଦେଇ ମାମଲାକୁ ଅଧିକ ରହସ୍ୟମୟ କରି ଦେଇଛନ୍ତି ।
କୋରାପୁଟ ଏସପି କନୱର ଭିଶାଲ ସିଂହ ୭ତାରିଖ କୋରାପୁଟ ଠାରେ ଏକ ସାମ୍ବାଦିକ ସମ୍ମଳନୀ ଡାକି ନାବାଳିକା ପ୍ରତି ମୋଟେ ଦୁଷ୍କର୍ମ ହୋଇ ନାହିଁ ବୋଲି କହିଛନ୍ତି । ମନସ୍ତାତ୍ୱିକ କାରଣରୁ ନାବାଳିକା ଜଣକ ଏଭଳି ଅଭିଯୋଗ କରି ପୁଲିସ ପ୍ରଶାସନକୁ ଅଡୁଆରେ ପକାଇ ଥିଲା । ଏହା ପଛର ରହସ୍ୟ କଣ ତାହା ଖୁବ୍ ଶୀଘ୍ର ପଦାକୁ ଆସିବ ବୋଲି ସେ କହିଛନ୍ତି । ରାଜ୍ୟ ପୁଲିସ ମହା ନିର୍ଦେଶକ ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ମଧ୍ୟ ନାବାଳିକା ପ୍ରତି ଦୁଷ୍କର୍ମ ଏବଂ ଏଥିରେ ୪ ଜଣ ଅର୍ଦ୍ଧ ସାମରିକ ବାହିନୀ ଯବାନ ସଂପୃକ୍ତ ଥିବା ଅଭିଯୋଗକୁ ନକାରି ଦେବା ସହ ଏପର୍ଯ୍ୟନ୍ତ ଏହାକୁ ପ୍ରମାଣ କଲା ଭଳି କୌଣସି ତଥ୍ୟ ପୁଲିସର ହସ୍ତଗତ ହୋଇ ନାହିଁ ବୋଲି କହିଛନ୍ତି । ରାଜ୍ୟ ବିଜେଡ଼ିର ତୁଂଗ ନେତା ତଥା ବିଜେଡ଼ି ଦଳିତ ସେଲ୍ ର ଅଧ୍ୟକ୍ଷ ବିଷ୍ଣୁ ଦାସ ନିକଟରେ ନାବାଳିକାଙ୍କ ଗ୍ରାମକୁ ଯାଇ ତଥ୍ୟ ସଂଗ୍ରହ କରି ଥିଲେ । ରାଜଧାନୀକୁ ଫେରିବା ପରେ ସେ ଗଣ ଦୁଷ୍କର୍ମ ସହ ଏସଓଜି ଯବାନ ସଂପୃକ୍ତ ଥିବା ମିନିଆକୁ କହିଥିବା ବେଳେ ଏଥିରେ ବିଏସ୍ଏଫ୍ ଯବାନ ସଂପୃକ୍ତ ବୋଲି ସରକାରଙ୍କୁ ରିପୋର୍ଟ ଦେଇଥିବା ଜଣା ପଡିଥିଲା। ପୁଲିସ ଉପରେ ଭରସା ନ କରି କ୍ରାଇମ ବ୍ରାଂଚ୍ ଏଡ଼ିଜିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଇବା ସକାଶେ ସେ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଚର୍ଚ୍ଚାକୁ ଆସି ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଡୁ ଚାପର ସମ୍ମୁଖୀନ ହୋଇ ସେ ପରେ ବୟାନ ବଦଳାଇ ଥିଲେ। ପରଦିନ ପୁଣି ଥରେ ବିବୃତି ଦେଇ ପୁଲିସ ତଦନ୍ତ ପ୍ରତି ସନେ୍ଦହ ପ୍ରକାଶ କରିବା ସହ କୌଣସି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ଗଣ ଦୁଷ୍କର୍ମ ଅଭିଯୋଗର ତଦନ୍ତ କରାଯିବା ଉଚିତ ବୋଲି ସେ କହିଥିଲେ ।
ବିଷ୍ଣୁଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଥିବା ସମୟରେ ପୁଲିସ ଘଟଣା ଘଟିବାର ୨୮ ଦିନ ପରେ ଗଣ ଦୁଷ୍କର୍ମ ଅଭିଯୋଗର ସତ୍ୟତା ନେଇ ବୋଲି ସଫେଇ ଦେଇ ସମଗ୍ର ଘଟଣାର ମୋଡ ବଦଳାଇ ଦେଇଛନ୍ତି । କୋରାପୁଟ ଏସପି ଓ ରାଜ୍ୟ ପୁଲିସ ମହା ନିର୍ଦେଶକଙ୍କୁ ସମର୍ଥନ କଲା ଭଳି ଏନ୍ଏଚ୍ପିସି ଅଧ୍ୟକ୍ଷ ବରିଷ୍ଠ ପୁଲିସ ଅଧିକାରୀ ମହେନ୍ଦ୍ର ପ୍ରତାପ ମଧ୍ୟ ୭ ତାରିଖ ମିଡ଼ିଆ ସମ୍ମୁଖକୁ ଆସି ଗଣ ଦୁଷ୍କର୍ମ ଅଭିଯୋଗର ସତ୍ୟତା ନଥିବା ଦୃଢ ଭାବରେ କହିଛନ୍ତି । ସେ ନିଜେ କୋରାପୁଟ ଯାଇ ଘଟଣାର ତଦନ୍ତ କରି ଫେରିଛନ୍ତି । ଗଣ ଦୁଷ୍କର୍ମ ପଛ କଥା, ଦୁଷ୍କର୍ମ ହୋଇଥିବାର ମଧ୍ୟ କିଛି ପ୍ରମାଣ ନାହିଁ ବୋଲି ପ୍ରତାପ କହିଛନ୍ତି । ପୁଲିସ ଓ ମେଡ଼ିକାଲ ଯାଂଚ ରିପୋର୍ଟକୁ ଉଦ୍ଧାର କରି ମହେନ୍ଦ୍ର ପ୍ରତାପ ଏଭଳି ନିର୍ଣ୍ଣୟରେ ପହଂଚି ଥିବା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି ।
କୋରାପୁଟ ଏସ୍ପି କନୱର ବିଶାଳ ସିଂହ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ, କୁନ୍ଦୁଲି ନାବାଳିକ ଗଣ ଦୁଷ୍କର୍ମ ମାମଲାରେ ଚୂଡାନ୍ତ ମେଡିକାଲ ରିପୋର୍ଟ ମିଳିବାରେ ବିଳମ୍ବ ଯୋଗୁ ପୁଲିସ ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ ଏତେ ଦିନ ସମୟ ନେଇଥିଲେ । କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲର ତିନି ଜଣ ଡ଼ାକ୍ତରଙ୍କୁ ନେଇ ଗଠିତ ଏକ ମେଡ଼ିକାଲ ଟିମ୍ ଏବେ ଚୂଡାନ୍ତ ରିପୋର୍ଟ ଦାଖଲ କରିଛନ୍ତି । ନାବାଳିକା ପ୍ରତି ଦୁଷ୍କର୍ମ ଭଳି କୌଣସି ଅପରାଧ ଘଟି ନାହିଁ ବୋଲି ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି । ପୁଲିସ ପ୍ରଥମେ ନାବାଳିକାର ବୟାନକୁ ଭିତ୍ତି କରି ତଦନ୍ତ କରୁ ଥିଲେ । ପ୍ରାଥମିକ ମେଡ଼ିକାଲ ଯାଂଚ୍ ରିପୋର୍ଟ ମିଳିବା ପରେ ପୁଲିସ ତଦନ୍ତର ଧାରା ବଦଳି ଥିଲା । ପ୍ରାଥମିକ ମେଡ଼ିକାଲ ଯାଂଚ୍ ରିପୋର୍ଟକୁ ଫୋକସ୍ କରି ପୁଲିସ ତଦନ୍ତ କଲା ବେଳେ ନାବାଳିକାର କାହାଣୀରେ ସତ୍ୟତା ନଥିବା ନେଇ କେତେକ ଗୁରୁତପୂର୍ଣ୍ଣ ତଥ୍ୟ ହାସଲ ହୋଇ ଥିଲା । ତେବେ, ହାତରେ ଯଥେଷ୍ଟ ପ୍ରମାଣ ନଥାଇ କାଳ୍ପନିକ ଭାବେ କିଛି କହିବା ଠିକ୍ ହେବ ନାହିଁ ବିଚାର କରି ପୁଲିସ ଏତେଦିନ ନୀରବ ରହିଥିଲେ । ଚୂଡାନ୍ତ ମେଡ଼ିକାଲ ରିପୋର୍ଟ ହାତକୁ ଆସିବା ପରେ ପୁଲିସ ସ୍ଥିର ସିଦ୍ଧାନ୍ତରେ ପହଂଚିଛି ଯେ ନାବାଳିକା ପ୍ରତି କୌଣସି ପ୍ରକାର ଦୁଷ୍କର୍ମ ହୋଇ ନାହିଁ ବୋଲି ଏସପି କହିଛନ୍ତି । ସେ କହିଛନ୍ତି, ମେଡ଼ିକାଲ ରିପୋର୍ଟ ନାବାଳିକାଙ୍କ ଅଭିଯୋଗ ଉପରେ ଅଧିକ ତଦନ୍ତ ପାଇଁ ବାଟ ଖୋଲିଛି । ମାନସିକ ଅସ୍ଥିରତା ବଶବର୍ତୀ ହୋଇ ନାବାଳିକା ଜଣକ ଏଭଳି ଏକ ଗୁରୁତର ଅଭିଯୋଗ କରିଥିବା ସନେ୍ଦହ କରାଯାଉ ଥିବାରୁ ଭୁବନେଶ୍ୱରରୁ ଯାଇଥିବା ଏକ ଦୁଇ ଜଣିଆ ମନସ୍ତତ୍ୱବିତ୍ ତିନି ଦିନ ହେଲା ନାବାଳିକା ସହ କାଉନସିଲିଂ ଚଳାଇଛନ୍ତି ବୋଲି ଏସପି କନୱର ବିଶାଳ ସିଂହ କହିଛନ୍ତି ।
ଅପରପକ୍ଷରେ, ଏହି ଗଣ ଦୁଷ୍କର୍ମ ମାମଲାରେ ଅର୍ଦ୍ଦ ସାମରିକ ବାହିନୀ ଯବାନ ସଂପୃକ୍ତ ଥିବାରୁ ପୁଲିସ ସେମାନଙ୍କୁ ଘଂଟ ଘୋଡାଇବା ପାଇଁ ଏଭଳି କାହାଣୀ କହୁଛି ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି । ପୁଲିସର ସତ୍ ସାହାସ ଥିଲେ ତାଙ୍କ ସାମନାକୁ ଆସି ଏଭଳି ବୟାନ ଦେବାକୁ ପୀଡ଼ିତାଙ୍କ ମା’ ଗଣ ମାଧ୍ୟମ ସାମ୍ନାରେ ଆହ୍ୱାନ ଦେଇଛନ୍ତି । ପରବର୍ତୀ ଯେକୌଣସି ତଦନ୍ତ ପାଇଁ ସେମାନଙ୍କୁ ଡ଼କା ଗଲେ ସେ ଯିବେ ନାହିଁ ବୋଲି ମଧ୍ୟ ପୀଡ଼ିତାଙ୍କ ମା’ କହିଛନ୍ତି । ଗଣ ଦୁଷ୍କର୍ମ ଘଟଣାରେ ଜିଲ୍ଲା କଂଗ୍ରେସ ପ୍ରଥମେ ପ୍ରତିକ୍ରିୟା ରଖିଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜିଲ୍ଲାରେ ସାତ ଘଂଟିଆ ବନ୍ଦ ଆହ୍ୱାନ ଦେଇ ତାହାକୁ ସଫଳ କରାଇ ଥିବା ବେଳେ କୋରାପୁଟ କଂଗ୍ରେସ ବିଧାୟକ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଦଳର ଯୁବ ନେତା ପ୍ରଦୀପ ମାଝୀଙ୍କୁ ନେଇ ଜିଲ୍ଲାରେ ଦୁଇ ଦିନିଆ ପଦଯାତ୍ରା କରାଇ ଥିଲେ । ଅଭିଯୁକ୍ତମାନଙ୍କୁ ପୁଲିସ ଘଂଟ ଘୋଡାଉ ଥିବା ଅଭିଯୋଗ କରି ରାଜ୍ୟ କଂଗ୍ରେସ ପକ୍ଷରୁ ମାମଲାର ସିବିଆଇ ତଦନ୍ତ, ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପୀଡ଼ିତାଙ୍କୁ ସରକାରୀ ଚାକିରୀ ଦିଆଯିବା ଦାବିରେ ଏଠାରେ ରାଜ୍ୟପାଳଙ୍କ ବାସଭବନ (ରାଜ ଭବନ) ସମ୍ମୁଖରେ ଧାରଣା ଚାଲିଛି । ୧୩ ତାରିଖ ସୁଦ୍ଧା ଅଭିଯୁକ୍ତ ଗିରଫ ନ ହେଲେ ଧାରଣା ନୂଆଦିଲ୍ଲୀର ଯନ୍ତରମନ୍ତରକୁ ସ୍ଥାନାନ୍ତର କରାଯିବ ବୋଲି ମଧ୍ୟ କଂଗ୍ରେସ ଯୁବ ନେତା ମାଝୀ ଚେତାବନୀ ଦେଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ପୁଲିସ୍ ନାବାଳିକା ପ୍ରତି କୌଣସି ପ୍ରକାର ଦୁଷ୍କର୍ମ ହୋଇ ନାହିଁ ବୋଲି ଖୁଲାସା କରିବା ରାଜ୍ୟ ରାଜନୀତିକୁ କେଉଁ ମୋଡ଼ ଦେବ, ତାହା ଦେଖିବାକୁ ବାକି ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS