ପାକିସ୍ତାନ ଅନୁମତି ଦେଲା, ମୃତ୍ୟୁ ଦଣ୍ଡାଦେଶ ପାଇ ଥିବା କୁଲଭୂଷଣ ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ
ନୂଆଦିଲ୍ଲୀ,୧୧ ନଭେମ୍ବର: ପାକିସ୍ତାନ ବିରୋଧରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇ ପାକିସ୍ତନର ସାମରିକ ଅଦାଲତରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବ ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ ବୋଲି ଶୁକ୍ରବାର ଦିନ ପାକିସ୍ତାନ ଭାରତୀୟ କର୍ତୃପକ୍ଷଙ୍କୁ ଜଣାଇଛି । ‘ସଂପୂର୍ଣ୍ଣ ଭାବେ’ ମାନବିକତା ଦୃଷ୍ଟିରୁ ପାକିସ୍ତାନ ଏହି ସୁଯୋଗ ଦେଉଛି ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ଜଣେ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି । ଯାଦବ ଦୀର୍ଘ ୨୦ ମାସ ହେଲା ପାକିସ୍ତାନୀ ଜେଲ୍ରେ ବନ୍ଦୀ ଜୀବନ କାଟୁଛନ୍ତି । ସେ ଗିରଫ ହୋଇ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହେବା ପରେ ସୁଦ୍ଧା ପାକିସ୍ତାନ କର୍ତୃପକ୍ଷ ତାଙ୍କ ପରିବାରର କାହାରିକୁ ପାକିସ୍ତାନ ଯାଇ ତାଙ୍କୁ ଭେଟିବାର ସୁଯୋଗ ଦେଉ ନଥିଲେ । ଏପରିକି, ତାଙ୍କୁ କୂଟନୈତିକ ସହାୟତା ଦେବାକୁ ଭାରତ ସରକାର ଚାହିଁଥିଲେ ମଧ୍ୟ ପାକିସ୍ତାନ ଆଡୁ ଅନୁମତି ମିଳି ନଥିଲା । ପାକିସ୍ତାନ ଭାରତର ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖାନ କରି ଦୁଇ ଦେଶର ସଂପର୍କକୁ ଅଧିକ ତୀକ୍ତ କରି ଦେଇଥିଲା । ଯାଦବଙ୍କୁ ଫାସୀ ଦେବା ସକାଶେ ପାକିସ୍ତାନ ସାମରିକ ଅଦାଲତର ଏକପାଖିଆ ନିଷ୍ପତ୍ତି ବିରୋଧରେ ଭାରତ ଆନ୍ତର୍ଜାତିକ ଅଦାଲତର ଆଶ୍ରୟ ନେଇଛି । ଆନ୍ତର୍ଜାତିକ ଅଦାଲତ ମୃତ୍ୟୁଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କରି ଭାରତର ଆବେଦନକୁ ବିଚାର କରୁଛନ୍ତି । ଶୁକ୍ରବାର ଦିନ ହଠାତ୍ ପାକିସ୍ତାନ ମନ ପରିବର୍ତନ କରି ମାନବିକତା ଦୃଷ୍ଟିରୁ କୁଳଭୂଷଣଙ୍କୁ ତାଙ୍କ ପତ୍ନୀଙ୍କ ସହ ଭେଟିବାର ସୁଯୋଗ ଦିଆଯିବ ବୋଲି ଭାରତ ସରକାରଙ୍କୁ ଜଣାଇବା ସମସ୍ତଙ୍କୁ ବିସ୍ମିତ କରିଛି ।
ପାକିସ୍ତାନ ସାମରିକ ଅଦାଲତ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ ତାହା ବିରୋଧରେ ଅଦାଲତରେ ଅପିଲ କରିବା ପାଇଁ ତାଙ୍କ ମା’ ଅବନ୍ତିକା ଯାଦବ ପାକିସ୍ତାନ ଯିବାକୁ ପାକ୍ ସରକାରଙ୍କୁ ଭିସା ମାଗି ଥିଲେ ମଧ୍ୟ ପାକିସ୍ତାନ କର୍ତୃପକ୍ଷ ତାହା ଦେଇ ନ ଥିଲେ । ଫଳରେ, ୨୦ ମାସ ହେଲା ଜେଲରେ ବନ୍ଦୀ ଜୀବନ କଟାଉଥିବା କୁଳଭୂଷଣଙ୍କୁ ପରିବାରର କେହି ଭେଟିବାର ସୁଯୋଗ ପାଇ ନଥିଲେ । ଭାରତ ପକ୍ଷରୁ କୂଟନୈତିକ ସ୍ତରରେ ଅନ୍ୟୁନ ୧୩ ଥର ଆବେଦନ ହୋଇଥିଲେ ସୁଦ୍ଧା ପାକିସ୍ତାନ କର୍ତୃପକ୍ଷ ସହଯୋଗର ହାତ ବଢାଇ ନଥିଲେ । ପ୍ରଥମ ଥର ପାଇଁ କୁଳଭୂଷଣଙ୍କୁ ପତ୍ନୀଙ୍କ ସହ ଭେଟିବାର ସୁଯୋଗ ଦେବାକୁ ପାକିସ୍ତାନ ନିଜ ଆଡୁ ପ୍ରସ୍ତାବ ଦେଇ ତାଙ୍କ ପରିବାର ପାଇଁ ଏକ ସୁଯୋଗ ସୃଷ୍ଟି କରିଛି ।
ପୂର୍ବତନ ଭାରତୀୟ ନୌସେନା ଅଧିକାରୀ ଯାଦବ ପାକିସ୍ତାନ ବିରୋଧରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗତ ବର୍ଷ ପାକିସ୍ତାନୀ ସାମରିକ କର୍ତୃପକ୍ଷଙ୍କ ଦ୍ୱାରା ଗିରଫ ହୋଇ ପାକିସ୍ତାନ ସାମରିକ ଅଦାଲତରେ ବିଚାରଣାର ସମ୍ମୁଖୀନ ହୋଇଥିଲେ । ଯାଦବଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ପାକିସ୍ତାନ ସାମରିକ ଅଦାଲତ ଚଳିତ ବର୍ଷ ପ୍ରାରମ୍ଭରେ ମୃତ୍ୟୁ ଦଣ୍ଡାଦେଶ ଦେଇ ଥିଲେ । ଯାଦବଙ୍କୁ ଭାରତ କୂଟନୈତିକ ସହାୟତା ଦେବା ଉଦ୍ୟମରେ ବିଫଳ ହେବା ପରେ ମୃତ୍ୟୁଦଣ୍ଡ ନିଷ୍ପତ୍ତି ବିରୋଧରେ ଚଳିତ ବର୍ଷ ମେ’ ମାସରେ ଆନ୍ତର୍ଜାତିକ ଅଦାଲତ (ଇଂଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍)ର ଆଶ୍ରୟ ନେଇ ଥିଲା । ମେ’ ୧୮ ତାରିଖରେ ଆଇସିଜେ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ସ୍ଥଗିତାଦେଶ ଜାରି କରି ମାମଲାର ଶୁଣାଣୀ ଜାରୀ ରଖିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS