ବାୟୁମଂଡଳରେ ବିଷାକ୍ତ ଧୂଆଁର ମୋଟା ଆସ୍ତରଣ: ଉତ୍ତର ଭାରତର ହଜାର ହଜାର ଶିକ୍ଷାନୁଷ୍ଠାନରେ ତାଲା
ନୂଆଦିଲ୍ଲୀ,୧୦ ନଭେମ୍ବର: ସମଗ୍ର ଉତ୍ତର ଭାରତ ଓ ପଡୋଶୀ ପାକିସ୍ତାନର କିଛି ଅଂଚଳର ବାୟୁମଂଡଳ ବିଷାକ୍ତ ଧୂଆଁ ଓ ଧୁଳିରେ ଆଚ୍ଛାଦିତ ହୋଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଧୂଳି, ଧୁଆଁର ମୋଟା ଆସ୍ତରଣ ଭିତରେ ମୁହଁକୁ ମୁହଁ ଦିଶୁ ନାହିଁ । ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ଅଂଚଳରେ ରାସ୍ତା ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢି ଯାଇଛି । ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏହି ବିପଜ୍ଜନକ ସ୍ଥିତିରୁ ଦୂରେଇ ରଖିବା ସକାଶେ ଉତ୍ତର ଭାରତର ହଜାର ହଜାର ଶିକ୍ଷାନୁଷ୍ଠାନକୁ ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଗୁରୁବାର ତୃତୀୟ ଦିନ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିଲା । ଡ଼ାକ୍ତରମାନେ ଏହାକୁ ‘ପବ୍ଲିକ ଏମର୍ଜେନ୍ସି’ କହୁଥିବା ବେଳେ ଏହି ବିପଜ୍ଜନକ ବାତାବରଣରୁ ରକ୍ଷା କରିବା ସକାଶେ ଜନସାଧାରଣଙ୍କ ଆଡୁ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇବାରେ ଲାଗି ଥିବା ସୂଚନା ମିଳିଛି ।
ପଞ୍ଜାବ ସରକାର ଛାତ୍ରଛାତ୍ରୀଙ୍କୁ ବିଷାକ୍ତ ପରିବେଶରୁ ସୁରକ୍ଷିତ ରଖିବା ସକାଶେ ଚଳିତ ସପ୍ତାହ ଶେଷ ପର୍ଯନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରଖିଛନ୍ତି । ରାଜ୍ୟର ୨୫,୦୦୦ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଜଣାପଡିଛି । ଦେଶର ରାଜଧାନୀ ଦିଲ୍ଲୀ ଅବସ୍ଥା ଅଧିକ ଶୋଚନୀୟ। ଦିଲ୍ଲୀ ସରକାର ରବିବାର ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇ ୬୦୦୦ ଶିକ୍ଷାନୁଷ୍ଠାନରେ ତାଲା ଲଗାଇବାର ଗୋଟିଏ ଦିନ ପରେ ପଞ୍ଜାବ ସରକାର ରାଜ୍ୟର ୨୫୦୦୦ ଶିକ୍ଷାନୁଷ୍ଠାନକୁ ରବିବାର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଥିଲେ । ଡ଼ାକ୍ତରଙ୍କ ମତରେ ଏହି ବିଷାକ୍ତ ଧୂଆଁର ଅତି କ୍ଷୁଦ୍ର କଣିକା ସବୁ ଫୁସଫୁସ୍ରେ ପ୍ରବେଶ କରିବା ଦ୍ୱାରା ହୃଦ୍ଘାତର ଆଶଙ୍କା ରହୁଛି । ଫେସ୍ ମାସ୍କ୍ ଲଗାଇ ଘରୁ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ତେବେ, ଫେସ୍ ମାସ୍କ୍ର ଦାମ୍ ଅତି କମ୍ରେ ୩୦୦ ଟଙ୍କା ପଡୁ ଥିବାରୁ ସାଧାରଣ ଆୟକାରୀ ବର୍ଗ ତାହା ଖର୍ଦ୍ଦି କରିବା ସମ୍ଭବ ହେଉ ନାହିଁ । ତେଣୁ ସେମାନେ ମୁହଁକୁ ରୁମାଲରେ ଘୋଡାଇ ଘରୁ ବାହାରିବାକୁ ବାଧ୍ୟ ହେଉ ଥିବା ଲକ୍ଷ୍ୟ କରାଯାଉଛି । ଦିଲ୍ଲୀ ସରକାର ଚାପରେ ପଡି ବାୟୁମଂଡଳରେ ପ୍ରଦୂଷଣ ସ୍ତରେ କମାଇବା ସକାଶେ ସମସ୍ତ ନିର୍ମାଣ କାର୍ଯ୍ୟକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଦିଲ୍ଲୀ ସହରକୁ ରାତିରେ ବାହାର ଟ୍ରକ୍ ପ୍ରବେଶ ମଧ୍ୟ ନିଷିଦ୍ଧ କରା ଯାଇଛି । ପ୍ରତିଦିନ ରାତିରେ ସହରକୁ ପ୍ରାୟ ୫୦,୦୦୦ଟ୍ରକ୍ ପ୍ରବେଶ କରୁଥିବା ଏବଂ ସେଥିରୁ ଅଧିକାଂଶ ଡ଼ିଜେଲରେ ଚାଲୁ ଥିବା ଆକଳନ କରାଯାଇଛି । ଏହି ଟ୍ରକ୍ ଗୁଡ଼ିକ ବାୟୁମଂଡଳରେ ପ୍ରଦୂଷଣ ସ୍ତର ବଢାଉଛି ବୋଲି ସରକାର କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସହରରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ଭାବେ ବୃଦ୍ଧି ପାଇଁ ପଡୋଶୀ ରାଜ୍ୟମାନଙ୍କୁ ଦାୟୀ କରିଛନ୍ତି । ପଡୋଶୀ ରାଜ୍ୟମାନଙ୍କରେ ଫସଲ କଟା ସରିବା ବିଲରେ ପଡି ଥିବା ବଳକା ଅଂଶରେ ଚାଷିମାନେ ନିଆଁ ଲଗାଇ ଦିଅନ୍ତି, ଯାହାକି ପ୍ରତି ବର୍ଷ ଶୀତ ଋତୁରେ ପ୍ରଦୂଷଣ ସ୍ତରକୁ ଏଭଳି ବିପଜ୍ଜନକ ଭାବେ ବଢାଇ ଥାଏ । ବିଲରେ ନିଆଁ ଲଗାଇବା ନିଷିଦ୍ଧ ଥିଲେ ବି ଉତ୍ତର ଭାରରେ ଫସଲ କଟା ପରେ ଏହି ପରଂପରା ଚାଲି ଆସିଛି । ଏହା ଉପରେ କଡା କଟକଣା ଲାଗୁ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସହରରେ କାର୍ ଚଳାଚଳ ଉପରେ ମଧ୍ୟ ପୁନର୍ବାର କଟକଣା ଜାରୀ କରିବାକୁ ଦିନେ, ଦୁଇ ଦିନ ମଧ୍ୟରେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କେଜରିୱାଲ୍ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS