‘ଜାତୀୟ ଗଣମାଧ୍ୟମ ଦିବସ’ ଓ ‘କିଣା ଖବର’ ଅପବାଦ


– ପ୍ରସାଦ ରାଓ-
ଭୁବନେଶ୍ୱର (ନଭେମ୍ବର ୧୬): ଗଣମାଧ୍ୟମରେ କାର୍ଯ୍ୟ କରିବାର ଅଭିଜ୍ଞତା ହେଉଛି ନିଆରା । ସେ ମୁଦ୍ରିତ ଗଣମାଧ୍ୟମ ହେଉ ବା ଅନ୍ୟ ଯେକୌଣସି ମାଧ୍ୟମ । ସ୍ୱାଧୀନତା ଆନେ୍ଦାଳନ ସମୟରେ ଗଣମାଧ୍ୟମର ଭୂମିକା ଥିଲା ଭିନ୍ନ । ଦେଶ ପ୍ରେମ ଓ ଦେଶକୁ ସ୍ୱାଧୀନ ଭାବେ ଦେଖିବାର ଅଭିଳାଷା ଗଣମାଧ୍ୟମର ବିଚାରଧାରାକୁ ନିୟନ୍ତ୍ରଣ କରୁଥିଲା । ଅକ୍ଷରଖଂଜା ମୁଦ୍ରିତ ଗଣମାଧ୍ୟମ ହୃତ୍କଂପ ସୃଷ୍ଟି କରୁଥିଲା ଦେଶ ବିରୋଧୀ ଓ ଦୁର୍ନୀତିଗସ୍ତଙ୍କ ଭିତରେ । ସ୍ୱାଧୀନତା ପରବର୍ତୀ ସମୟରେ ମଧ୍ୟ ବହୁ ବର୍ଷ ଧରି ଏହି ଧାରା ଚାଲିଲା । ସମ୍ବାଦପତ୍ର ଓ ସାମ୍ବାଦିକମାନେ ନିର୍ଭୀକ ଭାବେ ଯେପରି ସମ୍ବାଦ ସଂଗ୍ରହ ଓ ପରିବେଷଣ କରିବେ ଏବଂ ନିଜର ମତ ସ୍ୱାଧୀନ ଭାବେ ଉପସ୍ଥପାନ କରି ପାରିବେ ତାହା ନଜରରେ ରଖି ଭାରତୀୟ ପ୍ରେସ୍ କାଉନସିଲ୍ ଗଠନ କରାଯାଇଥିଲା । ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା କେବଳ ଭାରତୀୟ ପ୍ରେସ୍ କାଉନସିଲ୍ର କାମ ନଥିଲା, ଗଣମାଧ୍ୟମ ଆଡୁ କୌଣସି ଅନୀତି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ବ୍ୟବସ୍ଥାକୁ ସ୍ୱଚ୍ଛ ରଖିବା ମଧ୍ୟ ଏହି ସ୍ୱୟଂଶାସିତ ସଂସ୍ଥାର ଗୁରୁଦାୟିତ୍ୱ ଥିଲା । ୧୯୫୬ରେ ପ୍ରଥମେ ପ୍ରେସ୍ କମସନ୍ଙ୍କ ସୁପାରିଶକ୍ରମେ ଭାରତ ସରକାର ପ୍ରତିଷ୍ଠା କରିଥିଲେ ଭାରତୀୟ ପ୍ରେସ୍ କାଉନସିଲ୍, ଯିଏକି ଉଭୟ ଦାୟିତ୍ୱକୁ ନିଷ୍ଠାର ସହ ସମ୍ଭାଳି ଆସିଛି । ଗଣମାଧ୍ୟମ ନିଜ ଉପରେ ଯେକୌଣସି ଆକ୍ରମଣର ପ୍ରତିହତ କରିବା ସକାଶେ ଭାରତୀୟ ପ୍ରେସ୍ କାଉସିଲ୍ର ସହାୟତା ନେଉଥିବା ବେଳେ ଗଣମାଧ୍ୟମରେ କୌଣସି ଖବର ପ୍ରକାଶ ପାଇବା ଦ୍ୱାରା କାହାରି ମନରେ ଆଘାତ ଲାଗିଲେ କୋର୍ଟ, କଚେରୀକୁ ଯିବା ରାସ୍ତା ପ୍ରଶସ୍ତ ଥାଇ ସୁଦ୍ଧା ପ୍ରେସ୍ କାଉସିଲ୍ ଉପରେ ଭରସା କରାଯାଇ ଆସୁଛି । ପ୍ରେସ୍ କାଉନସିଲ୍ର ଗାରିମା ବଢାଉଛନ୍ତି ଦେଶର ପ୍ରତିଷ୍ଠିତ ଓ ଅଭିଜ୍ଞ ବିଚାରପତିମାନେ ।
ଭାରତୀୟ ପ୍ରେସ୍ କଉନସିଲ୍ ୧୯୬୬ ନଭେମ୍ବର ୧୬ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରି ଥିବାରୁ ଏହି ଦିନଟିକୁ ଦେଶରେ ‘ଜାତୀୟ ଗଣମାଧ୍ୟମ ଦିବସ’ ବା ‘ନ୍ୟାସନାଲ ପ୍ରେସ୍ ଡ଼େ’ ଭାବେ ପାଳନ କରାଯାଇ ଆସୁଛି । ପ୍ରେସ୍ କାଉନସିଲ୍ ଅଫ୍ ଇଂଡ଼ିଆ ଗଠନର ୩୦ ବର୍ଷ ପୂର୍ତୀ ଅବସରରେ ୧୯୯୬ ନଭେମ୍ବର ୧୬ ତାରିଖରେ ତକ୍ରାଳୀନ ରାଷ୍ଟ୍ରପତି ଏହି ଦିନଟିକୁ ‘ଜାତୀୟ ପ୍ରେସ୍ ଦିବସ’ ଭାବେ ଘୋଷଣା କରିଥିଲେ । ତେଣୁ, ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ଭାରତୀୟ ପ୍ରେସ୍ କାଉନସିଲ ପକ୍ଷରୁ ‘ଜାତୀୟ ପ୍ରେସ୍ ଦିବସ’ ପାଳନ କରାଯାଇ ଗଣମାଧ୍ୟମ ସଂପର୍କୀତ ବିଭିନ୍ନ ଆଲୋଚନାଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଛି । କିଛି ବର୍ଷ ହେଲା ବିଭିନ୍ନ ସାମାଜିକ ସଂଗଠନ ଏବଂ ସାମ୍ବାଦିକ ସଂଘ ଏହି ଦିବସକୁ ରାଲି ଏବଂ ଆଲୋଚନାଚକ୍ର ଆୟୋଜନ ମାଧ୍ୟମରେ ପାଳନ କରୁଛନ୍ତି । ରୋଟାରୀ, ଲାୟନ୍ସ କ୍ଲବ ଭଳି ସ୍ୱୋଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ସାମ୍ବାଦିକମାନଙ୍କୁ ଡ଼ାକି ଆଲୋଚନାଚକ୍ର କରିବା ଏବଂ ସାମ୍ବାଦିକଙ୍କୁ ସମ୍ମାନୀତ କରିବା ମାଧ୍ୟମରେ ଏହି ଦିବସ ପାଳନ କରିବା ସହ ପ୍ରେସ୍ ସ୍ୱାଧୀନତା ସଂପର୍କରେ ଜନ ଚେତନା ସୃଷ୍ଟି କରୁଛନ୍ତି । ତେବେ, ଭାରତୀୟ ପ୍ରେସ୍ କାଉନସିଲ୍ ଦ୍ୱାରା ସର୍ବାଧିକ ସୁରକ୍ଷା ପାଉଥିବା ଖବରକାଗଜ ସଂସ୍ଥାମାନେ ଏହି ଦିବସ ପାଳନ କରି ସଂସ୍ଥାରେ କାର୍ଯ୍ୟରତ ସାମ୍ବାଦିକ ଓ ଅଣ-ସାମ୍ବାଦିକଙ୍କୁ ସଚେତନ କରିବାର ଆବଶ୍ୟକତା ଅନୁଭବ କରୁଥିବା ଭଳି ମନେ ହୁଏନାହିଁ । ଅନ୍ତତଃ ଓଡ଼ିଶାରେ କୌଣସି ବଡ଼ ଖବର କାଗଜ ନିଜ ଆଡୁ ଏହି ଦିନଟିକୁ ପାଳନ କରିଥିବା ମୁଁ କେବେ ଦେଖି ନାହିଁ । ଫଳରେ, ଅକଳରେ ପଡ଼ିଲେ ହିଁ ସାମ୍ବାଦିକ ବା ସମ୍ବାଦପତ୍ର କର୍ମଚାରୀମାନେ ଭାରତୀୟ ପ୍ରେସ୍ କାଉନସିଲ୍ ସ୍ଥିତାବସ୍ଥା ଅନୁଭବ କରିବା ସୁଯୋଗ ପାଇ ଥା’ନ୍ତି । ମାଲିକମାନଙ୍କ ଏଭଳି ଉଦାସୀନତା ପାଇଁ ଗଲା କିଛି ବର୍ଷ ହେଲା ଗଣମାଧ୍ୟମର ନିର୍ମଳ ଭାମୂର୍ତୀ ପ୍ରଭାବିତ ହୋଇଥିବା ଏବଂ ‘କିଣା ଖବର’ ବା ‘ପେଡ୍ ନ୍ୟୁଜ୍’ର ଅପବାଦ ବଢି ଚାଲି ଥିବା ଲକ୍ଷ୍ୟ କରାଯାଉଛି । ଏହା ଭାରତୀୟ ସାମ୍ବାଦିକମାନଙ୍କ ଭାବମୂର୍ତୀ ପ୍ରତି ବଡ଼ ବିପଦ ଭାବେ ଦେଖା ଦେଇଛି । ପ୍ରେସ୍ ସ୍ୱାଧୀନତା ଆଳରେ ଅନ୍ୟମାନଙ୍କ ମନରେ ଭୟ ସୃଷ୍ଟି କରିପାରୁ ସାମ୍ବାଦିକମାନେ ନିଜ ସୁରକ୍ଷା ନେଇ ଚିନ୍ତିତ । ପ୍ରେସ୍ ସ୍ୱାଧୀନତା, ସୂଚନା ଅଧିକାର, ବିଭିନ୍ନ ପ୍ରକାର ଆଭ୍ୟନ୍ତରୀଣ ଓ ବାହ୍ୟ ସଂକଟ ସମୟରେ ସାମ୍ବାଦିକଙ୍କ ଭୂମିକା, ସମାଜ ପ୍ରତି ସମ୍ବାଦିକଙ୍କ ଦାୟିତ୍ୱ, ଆଜିର ଦିନରେ ମହିଳାଙ୍କ ପ୍ରତି ଗଣମାଧ୍ୟମର ଦାୟିତ୍ୱ, ବିବଦମାନ ପରିସ୍ଥିତିରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା, ଭାରତର ଭବିଷ୍ୟତ ଏବଂ ମିଡ଼ିଆର ଭୂମିକା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାଚକ୍ରମାନ ଆୟୋଜନ କରି ସାମ୍ବାଦିକଙ୍କୁ ସଚେତନ କରୁଥିବା ‘ପ୍ରେସ୍ କାଉନସିଲ୍ ଅଫ୍ ଇଂଡ଼ିଆ’ ଆଜିର ଦିନରେ ଗଣମାଧ୍ୟମ ପାଇଁ ସର୍ବାଧିକ ଭାବମୂର୍ତୀ ସଂକଟ ସୃଷ୍ଟି କରୁଥିବା ‘ପେଡ୍ ନୁ୍ୟଜ୍’ ବା ‘କିଣା ଖବର’ ଅପବାଦକୁ ଧୋଇବାରେ ସକ୍ଷମ ହୋଇ ପାରିନି । ନିକଟ ଭବିଷ୍ୟତରେ ଏହି କଳଙ୍କ ଧୋଇ ହେବା ଆଶା ମଧ୍ୟ କ୍ଷୀଣ । ଏହାର ମୁଖ୍ୟ କାରଣ ହେଉଛି, ମିଡ଼ିଆର ବ୍ୟବସାୟିକ ଆଭିମୁଖ୍ୟ ।
ଆଜିର ଦିନରେ ଗଣମାଧ୍ୟମରେ ଖବରଦାତାଙ୍କ ସ୍ଥାନ ବିଜ୍ଞାପନ ବିଭାଗ ତଳେ । ମଝିରେ ରହୁଛି ପ୍ରସାର ପରିଚାଳନା । ଗଣମାଧ୍ୟମ ମାଲିକମାନେ ଏଭଳି ଶ୍ରେଣୀ ସୃଷ୍ଟି କରିଛନ୍ତି । ବିଜ୍ଞାପନ ଆୟ ବୃଦ୍ଧି ନ ହେଲେ ମିଡ଼ିଆ ହାଉସ୍ ଚଳାଇବା ଅସମ୍ଭବ ବୋଲି ମାଲିକମାନେ ବୁଝାଉଛନ୍ତି । ସରକାର ମଧ୍ୟ ସରକାରୀ ତହବିଲରୁ ବିଜ୍ଞାପନ ବାବଦ ଅର୍ଥ ବାଂଟିଲା ବେଳେ କିଏ ସପକ୍ଷରେ ଅଛି, କିଏ ବିରୋଧୀ – ତାହା ଟିକି, ନିଖି ଭାବେ ତର୍ଜମା କରିବାକୁ ପଛାଉ ନାହାନ୍ତି । ଫଳରେ, ସାମ୍ବାଦିକମାନେ ନିଜକୁ କମ୍ ଖବରଦାତା, ଅଧିକ ବିଜ୍ଞାପନ ସଂଗ୍ରହକାରୀ ଭାବୁଚନ୍ତି ଏବଂ କଂପାନୀ ପାଇଁ ଅଧିକରୁ ଅଧିକ ବିଜ୍ଞାପନ ସଂଗ୍ରହରେ ସମୟ ଦେଉଛନ୍ତି । ଏହି ଚିନ୍ତାଧାରା ଜନ୍ମ ଦେଇଛି ‘ପେଡ୍ ନ୍ୟୁଜ୍’ ବା ‘କିଣା ଖବର’କୁ । ତିରିଶି ବର୍ଷ ତଳେ ହାତଖଂଜା ଅକ୍ଷରରେ ଖବରକାଗଜ ପ୍ରକାଶ ପାଉଥିଲା । ତାହାର ପରିଚାଳନା ପାଇଁ ଅର୍ଥର ଆବଶ୍ୟକତା ରହୁ ଥିଲା । କେନ୍ଦ୍ର ସରକାର ଖବରକାଗଜର ପ୍ରସାରଣ ଅନୁସାରେ ନ୍ୟୁଜ୍ ପ୍ରିଂଟ୍ କୋଟା ଧାର୍ଯ୍ୟ କରୁଥିଲେ । ଗ୍ରାମାଂଚଳରେ ସାମ୍ବାଦିକତା ଥିଲା ସ୍ୱେଚ୍ଛାସେବା । ସମ୍ବାଦପତ୍ର ମାଲିକ ସେମାନଙ୍କୁ ପାଉଣା ଦେବା ବଦଳରେ ପୋଷ୍ଟେଜ୍ ଖର୍ଚ୍ଚ ଦେଉ ଥିଲେ । ପ୍ରସାର ଓ ବିଜ୍ଞାପନ ସଂଗ୍ରହରୁ ମିଳୁଥିବା କମିସନ୍ ଏବଂ ଅନ୍ୟନ୍ୟ ସୂତ୍ରରୁ ଯାହା ଆୟ ହୁଏ ସେଥିରେ ଗ୍ରାମାଂଚଳ ସାମ୍ବାଦିକ ନିଜ ପରିବାରକୁ ଚଳାଉ ଥିଲେ । ୧୯୮୪ ପରେ ପରିବର୍ତନ ଆସିଛି । ମୁଦ୍ରଣ ଶିଳ୍ପରେ ପରିବର୍ତନ ଭଳି ଗ୍ରାମାଂଚଳ ଓ ସହରାଂଚଳ ସାମ୍ବାଦିକଙ୍କ ଜୀବନ ଜିଇଁବାର ଶୈଳୀରେ ପରିବର୍ତନ ହୋଇଛି । ସଂପୂର୍ଣ୍ଣ ବ୍ୟବସାୟିକ ଢଙ୍ଗରେ ଖବରକାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମର ପରିଚାଳନା ହେଉଛି । ଖବରର ସ୍ଥାନ ପଛରେ ଏବଂ ବିଜ୍ଞାପନର ସ୍ଥାନ ନମ୍ବର ଏକ – ଏକଥା ୩୦ ବର୍ଷ ଭିତରେ ଖବର କାଗଜ ମାଲିକମାନେ ସାମ୍ବାଦିକ ଓ କର୍ମଚାରୀଙ୍କୁ ବୁଝାଇ ସାରିଲେଣି । ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସନ୍ତୁଷ୍ଟ କରି ନ ପାରିଲେ ଚାକିରୀର ଗ୍ୟାରେଂଟି ନାହିଁ । ତେଣୁ, ସାମ୍ବାଦିକ ନତମସ୍ତକ । ସବୁ ଦିନ ଏଠି ସମ୍ବାଦିକ ସ୍ୱାଧୀନତାର ବଳୀ ପଡୁଛି । ବିଜ୍ଞାପନଦାତା ଓ ସରକାରଙ୍କୁ ଖୁସୀରେ ରଖିବା ଗଣମାଧ୍ୟମର ପ୍ରଧାନ କୌଶଳ ହୋଇ ଥିବାରୁ ଆଜି ‘ପେଡ୍ ନ୍ୟୁଜ୍’ ବା ‘କିଣା ଖବର’ର ବ୍ୟବସ୍ଥାକୁ ଆବୋରି ନେଇଛି । ଅପବାଦ ମୁଣ୍ଡାଇବାକୁ ସାମ୍ବାଦିକର ମୁଣ୍ଡ ରହି ଥିବା ବେଳେ ‘କ୍ରିମ୍’ ଖାଉଛନ୍ତି ପରିଚାଳକ ।
‘ଜାତୀୟ ପ୍ରେସ୍ ଦିବସ’ ପାଳନ ଅବସରରେ ଆଉ ଗୋଟିଏ ଦିଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ ମନେ କରୁଛି । ଦେଶରେ ସାମାଜିକ ଗଣମାଧ୍ୟମର ଅଭ୍ୟୁଦୟ ପରେ ସମ୍ବାଦପତ୍ର ଓ ସମ୍ବାଦ ସରବରାହ ସଂସ୍ଥାର (ସେ ମୁଦ୍ରିତ ହେଉ ବା ଇଲୋକ୍ଟ୍ରୋନିକ୍ ହେଉ) ଏକଛତ୍ରତା କମିବାରେ ଲାଗିଛି । ଖବର ଚାପିବା ଆଗରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ହୋଇ ପହଂଚି ଯାଉଛି ପାଠକଙ୍କ ନିକଟରେ। ସରକାର ଓ ବିଜ୍ଞାପନଦାତା ମଧ୍ୟ ଅଧିକରୁ ଅଧିକ ଢଳିଲେଣି ସାମାଜିକ ଗଣମାଧ୍ୟମ ଆଡକୁ । ଓଡ଼ିଶାରେ ଇଂଟରନେଟ୍ ସାମ୍ବାଦିକତା ଓ ସାମାଜିକ ଗଣମାଧ୍ୟମର ପ୍ରସାର ଆଖିଦୃଶିଆ ହୋଇ ପାରିନି । କାରଣ, ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍, ଲାପଟପ୍ ବା ଡ଼େକ୍ସ ଟପ୍ କିଣିବାକୁ ବା ବ୍ୟବହାର କରିବାକୁ ସ୍ୱଚ୍ଛଳତା ନାହିିଁ । ତେବେ, ଯୁବ ପୀଢି ସ୍ମାର୍ଟ ଫୋନ୍ ଓ ଲାପଟପ୍ ବ୍ୟବହାରରେ ଅଭ୍ୟସ୍ତ ହେଲେଣି । ବ୍ଲଗ୍ ଲେଖିବା, ପଢିବା, ଫେସ୍ ବୁକ୍, ୟୁ ଟ୍ୟୁବ୍ ଓ ଇନ୍ଷ୍ଟାଗ୍ରାମ୍ ବ୍ୟବହାର କରିବାର ଆଗ୍ରହ ଯୁବପୀଢିକୁ ଇଂଟରନେଟ୍ ଓ ସୋସିଆଲ ନେଟ୍ ୱାର୍କିଂ ଆଡକୁ ଟାଣି ନେଉଛି । ତେଣୁ, ଖବର ପ୍ରସାରଣରେ ସାମାଜିକ ଗଣମାଧ୍ୟମ ଆଗାମୀ ଦିନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ନିଶ୍ଚିତ ହୋଇଯାଇଛି । ନିଜକୁ ବା ନିଜର ମତ ପ୍ରକାଶ କରିବା ଅଧିକାରକୁ ସୁରକ୍ଷିତ ରଖିବା ସକାଶେ ଏବେ ପ୍ରେସ୍ କାଉନସିଲ୍ ଅପେକ୍ଷା ସର୍ଭିସ୍ ପ୍ରୋଭାଇଡର୍ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଏହା ଛଡା, ସାମ୍ବାଦିକଙ୍କ ସୁରକ୍ଷା ନା’ରେ ଗଢି ଉଠିଥିବା ସଂଘ ଓ ସଂଗଠନମାନେ ୩୦ ବର୍ଷରୁ ଅଧିକ ହେଲା ଗ୍ରାମାଂଚଳ ସାମ୍ବାଦିକଙ୍କ ସୁରକ୍ଷା କଥା କହି ସଂଗଠନ ଚଳାଇଛନ୍ତି । ତେବେ, ଆଜି ସୁଦ୍ଧା ଓଡ଼ିଶାର ଗ୍ରମାଂଚଳ ସାମ୍ବାଦିକଙ୍କ ସ୍ଥିତିରେ ସେମିତି କିଛି ଆଖିଦୃଶିଆ ପରିବର୍ତନ ହୋଇ ନାହିଁ । ବଡ଼ ସାମ୍ବାଦିକମାନେ ସଂଗଠନ କରି ସରକାରୀ ସ୍ୱୀକୃତି ଓ ସୁଖ, ସୁବିଧା ପାଇ ବିନ୍ଦାସ । ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ କେ. ସୁଧାକର ପଟ୍ଟନାୟକ ନିକଟରେ ମେସେଂଜରରେ ଲେଖି ଥିବା ପୋଷ୍ଟ୍ରେ ଗ୍ରାମାଂଚଳ ସମ୍ବାଦିକଙ୍କ ସମସ୍ୟା ଉଲ୍ଲେଖ କରିଛନ୍ତି । କଥା ଛଳରେ ସେ କହିଥିଲେ, ଆନ୍ଧ୍ର ପ୍ରଦେଶରେ ପ୍ରାୟ ସବୁ ଗ୍ରାମାଂଚଳ ସାମ୍ବାଦିକ ସରକାରୀ ସ୍ୱୀକୃତିପ୍ରାପ୍ତ ଏବଂ ସେମାନଙ୍କୁ ସରକାରୀ ଖବର ମିଳିବାରେ କିଛି ଅସୁବିଧା ହେଉନି । ପୁଲିସ ପକ୍ଷରୁ ମଧ୍ୟ ଜଣେ ପଦସ୍ଥ ଅଧିକାରୀଙ୍କୁ ପିଆର୍ଓ ଭାବେ ଦାୟିତ୍ୱ ଦିଆଯାଇଛି ଖବର ଦେବାକୁ । କିନ୍ତୁ, ଓଡ଼ିଶାରେ ଏପର୍ଯ୍ୟନ୍ତ ସେଭଳି ସୁବିଧା ହୋଇ ନାହିଁ । ଖବରକାଗଜ ମାଲିକର ଦୟା ହେଲେ ସାମ୍ବାଦିକର ସ୍ୱୀକୃତି ଏବଂ ଆକ୍ରିଡ଼ିଏସନ୍ କମିଟିର ଦୟା ହେଲେ ଜଣେ ସାମ୍ବାଦିକକୁ ସରକାରୀ ସ୍ୱୀକୃତି ମିଳୁଛି । ଯେଉଁମାନେ ସ୍ୱୀକୃତି ଦେବା ଦାୟିତ୍ୱରେ ଅଛନ୍ତି, ସେମାନେ ନିଜ ସୁରକ୍ଷା ନେଇ ଚିନ୍ତିତ ଥିବା ସମୟରେ ଗ୍ରାମାଂଚଳ ବା ସହରାଂଚଳ ସମ୍ବାଦଦାତାଙ୍କ ପାଇ କଣ ବା କରିପାରିବେ ?

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS