ହୋଟେଲରେ ରେଭ୍ ପାର୍ଟି ଚାଲି ଥିବା ବେଳେ ପୁଲିସ ଚଢାଉ, ବ୍ରହ୍ମପୁର ମେୟରଙ୍କ ଭାଇ ସମେତ ୨୫ ଯୁବକ, ଯୁବତୀ ଧରା ପଡିଲେ
ପୁରୀ (ସ୍ମିତାଲି ସ୍ମୃତି ସ୍ନିଗ୍ଧାଙ୍କ ରିପୋର୍ଟ),୧୬ ନଭେମ୍ବର: ବୁଧବାର ରାତିରେ ପୁରୀ ସହର ପେଣ୍ଠକଟା ସାମୁଦ୍ରିକ ଥାନା ଅଂଚଳରେ ଥିବା ଏକ ସଂଭ୍ରାନ୍ତ ହୋଟେଲ ଉପରେ ପୁଲିସ ଚଢାଉ କରି ଅଶ୍ଳୀଳ ନୃତ୍ୟରେ ମଗ୍ନ ଥିବା ଯୁବକ, ଯୁବତୀଙ୍କୁ ଥାନାକୁ ଧରି ନେଇ ଥିବା ଘଟଣା ଆଲୋଡନ ସୃଷ୍ଟି କରିଛି । ପରେ ଏହି ଯୁବକ, ଯୁବତୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସାମନାରେ ପି.ଆର (ବ୍ୟକ୍ତିଗତ ମୁଚାଳିକା) ବଣ୍ଡ୍ ରେ ଛାଡି ଦିଆଯାଇଛି । ତେବେ, ପୁଲିସ ହାତରେ ଧରା ପଡି ଥିବା ଯୁବକଙ୍କ ମଧ୍ୟରେ ବ୍ରହ୍ମପୁର ମେୟରଙ୍କ ଦୁଇ ଭାଇ ଥିବା ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଛି । ଦୁଇ ଭାଇ ଅନୀଲ ଓ ସୁନୀଲ ଏହି ରେଭ୍ ପାର୍ଟି ଆୟୋଜନ କରିଥିଲେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି । ବ୍ରହ୍ମପୁର ମହାନଗର ନିଗମ ମେୟର ବିଜେଡ଼ିର । ପୁଲିସ ହାତରେ ଧରା ପଡିଥିବା ମେୟର ବଡ ଭାଇ ଅନୀଲ ଜଣେ ତୁଙ୍ଗ ବିଜେଡ଼ି ନେତା ଓ ବିଏମ୍ସିର ପୂର୍ବତନ କାଉନସିଲର । ତେଣୁ, ଘଟଣାକୁ ଚପାଇ ଦେବାକୁ ରାତିରେ ଶାସକ ଦଳ ଆଡୁ ପ୍ରବଳ ଚାପ ପଡି ଥିଲା ବୋଲି ଜଣାପଡିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସହର ଉପକଂଠ ପେଣ୍ଠକଟା ସାମୁଦ୍ରିକ ଥାନା ଅଂଚଳରେ ଥିବା ଏହି ସଂଭ୍ରାନ୍ତ ହୋଟେଲରେ ରାତି ସାଢେ ୧୧ଟା ସମୟରେ ଡ଼ିଜେର ତାଳେତାଳେ ଅଶ୍ଳୀଳ ନୃତ୍ୟ ଚାଲି ଥିବା ଖବର ପାଇ ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ ଚଢାଉ ପାଇଁ ନିଦେ୍ର୍ଦଶ ଦେଇ ଥିଲେ । ସାମୁଦ୍ରିକ ଥାନା ପୁଲିସ ରାତିରେ ସଂପୃକ୍ତ ହୋଟେଲ ଉପରେ ଚଢାଉ କଲା ବେଳକୁ ଡ଼ିଜେର ଉଚ୍ଚାଙ୍ଗ ସଂଗୀତ ସହ ନିଶାଶକ୍ତ ଯୁବତୀ, ଯୁବକଙ୍କ ଅଶ୍ଲୀଳ ନୃତ୍ୟ ଚାଲିଥିଲା । ୧୫ ଜଣ ଯୁବକ ଓ ୧୦ ଜଣ ଯୁବତୀଙ୍କୁ ଅସଂଜତ ଅବସ୍ଥାରେ ରେଭ୍ ପାର୍ଟିରୁ ପୁଲିସ ଉଠାଇ ନେଇ ଥିଲେ । ରେଭ ପାର୍ଟି ସହ ବିଜେଡ଼ି ନେତାଙ୍କ ସଂପୃକ୍ତ ଥିବା ଜଣାପଡିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଯୁବକ, ଯୁବତୀଙ୍କ ଅଭିଭାବକମାନଙ୍କୁ ଥାନାକୁ ଡ଼କାଇ ସେମାନଙ୍କ ସମ୍ମୁଖରେ ପିଆର ବଣ୍ଡ୍ ଅଟକ ଯୁବକ, ଯୁବତୀଙ୍କୁ ଛାଡି ଥିଲେ । ଏହି ଘଟଣା ପୁରୀରେ ଯେତିକି ଆଲୋଡନ ସୃଷ୍ଟି କରି ନାହିଁଁ ସେତିକି ଆଲୋଡନ ସୃଷ୍ଟି କରିଛି ବ୍ରହ୍ମପୁର ସହରରେ । ବ୍ରହ୍ମପୁର ମେୟରଙ୍କ ଦୁଇ ଭାଇ ଧରା ପଡିବା ରାଜନୈତିକ ମାହୋଲକୁ ଗରମ କରିଛି। ମେୟରଙ୍କ ପରିବାର ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପରିବାର ସହ ଘନିଷ୍ଟ । ତେଣୁ ବିରୋଧୀ ଗୋଷ୍ଠୀ ଏହି ଘଟଣାକୁ ହାୱା ଦେଉଥିବା ଦେଖିିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ବିଜେପିର ଯୁବ ନେତା ରାମ କୁମାର ପାତ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS