ଗୁଜୁରାଟ ରାଜନୀତି: ସେକ୍ସ୍ ସିଡ଼ି ହାର୍ଦ୍ଦିକଙ୍କୁ ଦୁର୍ବଳ ନୁହଁ, ଅଧିକ ଶକ୍ତିଶାଳୀ କରିଛି !
– ପ୍ରସାଦ ରାଓ –
ଭୁବନେଶ୍ୱର,୨୧ ନଭେମ୍ବର: ଗୁଜରାଟରେ ପଟିଦାର ଆନେ୍ଦାଳନ ନେତା ହାର୍ଦ୍ଦିକ ପଟେଲଙ୍କୁ ନିନ୍ଦିତ କରିବା ସକାଶେ ଭାଇରାଲ ହୋଇଥିବା ସେକ୍ସ ସିଡ଼ି ବାସ୍ତବରେ ତାଙ୍କ ସ୍ଥିତିକୁ ଦୁର୍ବଳ କରିଛି ନା ତାଙ୍କୁ ଦେଶବାସୀଙ୍କ ସମ୍ମୁଖରେ ହୀରୋ ବନାଇଛି? ଏହି ପ୍ରଶ୍ନ ଉପରେ ଚର୍ଚ୍ଚା ହେବା ଆବଶ୍ୟକ ମନେ କରାଯାଉଛି । ଗୁଜୁରାଟରେ କ୍ଷମତାରେ ଥିବା ଭାଜପା ଏହି ଜାଲ୍ ସେକ୍ସ୍ ସିଡ଼ି ପ୍ରସ୍ତୁତ କରାଇ ତାଙ୍କୁ ନିନ୍ଦିତ କରିବା ସକାଶେ ଭାଇରାଲ୍ କରିଛି ବୋଲି ହାର୍ଦ୍ଦିକ ଅଭିଯୋଗ କରିଛନ୍ତି । ବିଭିନ୍ନ ଜାତୀୟ ନ୍ୟୁଜ୍ ଚ୍ୟାନେଲରେ ଏହି ସେକ୍ସ ସିଡିକୁ ନେଇ ଯୋରଦାର ଆଲୋଚନା ଚାଲିଛି । ତେବେ,ଏହିି ସହ ହାର୍ଦ୍ଦିକଙ୍କ ରାଜନୈତିକ ଉତ୍ଥାନ ସଂପର୍କୀତ ସ୍ୱତନ୍ତ୍ର ରିପୋର୍ଟ ଓ ସାକ୍ଷାତକାରର ପ୍ରସାରଣ ସମଗ୍ର ଦେଶରେ ହାର୍ଦ୍ଦିକଙ୍କୁ ଏକ ଚର୍ଚ୍ଚତି ଚେହେରାରେ ପରିଣତ କରି ଦେଇଛି । ହାର୍ଦ୍ଦିକ ଦୃଢ ଭାବରେ କହିଛନ୍ତି ଯେ, ଏହି ସେକ୍ସ ସିଡ଼ି ସହ ତାଙ୍କର କିଛି ସଂପର୍କ ନାହିଁ । ସେ ମଧ୍ୟ ସିଡ଼ିରେ ଥିବା କାହାରିକୁ ଚିହ୍ନି ନାହାନ୍ତି । ରାଜ୍ୟରେ ଭାଜପାର ସ୍ଥିତି ଦୁର୍ବଳ ହୋଇପଡି ଥିବାରୁ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଅନ୍ୟ କିଛି ଭାଜପା ନେତାଙ୍କ ସହ ମିଶି ଏଭଳି ଜାଲ୍ ସିଡ଼ି ପ୍ରସ୍ତୁତ କରାଇ ଭାଇରାଲ କରୁଛନ୍ତି ଏବଂ ତାଙ୍କୁ ବଦନାମ କରିବାକୁ ରିତିମତ ଉଦ୍ୟମ ଚାଲିଛିି ବୋଲି ହାର୍ଦ୍ଦିକ ଅଭିଯୋଗ କରିଛନ୍ତି । ବିଭିନ୍ନ ଜାତୀୟ ନ୍ୟୁଜ୍ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା ସେକ୍ସ୍ ସିଡ଼ିରେ ସେଭଳି କିଛି ଆପତ୍ତିଜନକ ଦୃଶ୍ୟ ମଧ୍ୟ ନାହିଁ, ଯାହା ଦେଖି ଜଣେ ହାର୍ଦ୍ଦିକଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ବିଶ୍ୱାସ କରିବ! ଏହି ସିଡ଼ି ଯିଏବି ପ୍ରସ୍ତୁତ କରିଥାଉ ନା କାହିଁକି ହାର୍ଦ୍ଦିକଙ୍କୁ ଆଘାତ ଦେବାରେ ବିଫଳ ହୋଇଛି । ଅପରପକ୍ଷରେ, ଗୁଜୁରାଟରେ ଶାସକ ଭାଜପା ପାଇଁ ଏହା ବୁମେରାଂ ହୋଇଛି ।
ଗୁଜୁରାଟରେ ଭାଜପା ଏଭଳି ଖେଳ ଖେଳି ଥିବାର ଯଥେଷ୍ଟ କାରଣ ରହିଛି । ତାହା ହେଉଛି, ଡ଼ିସେମ୍ବର ୯ ଓ ୧୪ରେ ରାଜ୍ୟରେ ଦୁଇ ପର୍ଯ୍ୟାୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ । କଂଗ୍ରେସ ଓ କଂଗ୍ରେସକୁ ସମର୍ଥନ କରୁଥିବା ତିନି ଜଣ ଆଂଚଳିକ ଯୁବ ନେତା ଭାଜପା ପାଇଁ ଆଡୁଆ ବଢାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନ ସମୟରେ ରାଜ୍ୟ ରାଜନୀତିରୁ ଦୂରେଇ ଜାତୀୟ ରାଜନୀତିରେ ପାଦ ଥାପି ଥିଲେ । ତାଙ୍କ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଯେଉଁମାନେ ଦାୟିତ୍ୱ ନେଲେ ସେମାନେ ମୋଦୀଙ୍କ ଗଡ଼ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଦଳର ସ୍ଥିତିକୁ ଦୃଢ ହେବା ପରିବର୍ତେ ଦୁର୍ବଳ ହୋଇଛିି । ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଗୁଜୁରାଟ ବିଧାନସଭା ନିର୍ବାଚନର ନେତୃତ୍ୱ ନେବା ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନରେ ଦଳର ମଙ୍ଗ ଧରିବାକୁ ବାଧ୍ୟ ହୋଇଛନ୍ତି । ଭାଜପା ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ କୂଟନୀତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରଂବାର ଗୁଜରାଟ ଗସ୍ତ ଦଳକୁ ବିଜୟ ଦେବା ନିଶ୍ଚିତ ବୋଲି ଜାତୀୟ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ହେଉଛି । ରାଜ୍ୟର ୧୮୨ ବିଧାନସଭା ଆସନରୁ ୧୫୦ଟି ଭାଜପା ସପକ୍ଷରେ ଯିବ ବୋଲି ଶାହା ଓ ମୋଦୀ ଅଙ୍କ କଷୁଛନ୍ତି । ତେବେ, ତାହା ହାସଲ ହେବା ସମ୍ଭାବନା କମି ଯାଉଥିବା ଉଭୟଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ, ନୁହନ୍ତି କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ । ରାଜ୍ୟର ତିନି ଜଣ ଦୁର୍ଦ୍ଦଷ ଯୁବ ନେତା – ହାର୍ଦ୍ଦିକ ପଟେଲ, ଅଳ୍ପେଶ୍ ଠାକୁର ଓ ଜିଗ୍ନେସ୍ ମେୱାନୀ ଭାଜପା ଭୋଟ ବ୍ୟାଙ୍କରେ ଛିଦ୍ର କରି କଂଗ୍ରେସକୁ ସଶକ୍ତ କରୁଥିବାରୁ ଭାଜପା ଚିନ୍ତିତ । ହାର୍ଦ୍ଦିକ ଦୁଇ ବର୍ଷ ହେଲା ପଟିଦାର (ପଟେଲ ସଂପ୍ରଦାୟ)ଙ୍କ ସଂରକ୍ଷଣ ଆନେ୍ଦଳନର ନେତୃତ୍ୱ ନେଇ ଆସୁଛନ୍ତି । ୪୦ ବର୍ଷର ଏହି ଦାବିକୁ ଅଣଦେଖା କରାଯାଇଛି । ହାର୍ଦ୍ଦିକ ୨୦୧୫ରୁ ଏହାର ନେତୃତ୍ୱ ନେଇ ନିଜର ଏକ ସ୍ୱତନ୍ତ୍ର ଭିତ୍ତିଭୂମୀ ତିଆରି କରିପାରିଛନ୍ତି । ରାଜ୍ୟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ଓବିସି । କର୍ମନିଯୁକ୍ତି ସୃଷ୍ଟି କରିବାରେ ସରକାରଙ୍କ ବିଫଳତା ଓବିସିର ମୁଖ୍ୟ ମୁଦ୍ଦା ହୋଇଛି । ଅଳ୍ପେଶ୍ ଠାକୁର ଓବିସିଙ୍କ ନେତୃତ୍ୱ ନେଉଛନ୍ତି । ସେହିଭଳି, ଜିଗ୍ନେସ୍ ମେୱାନୀ ଦଳିତ ସଂପ୍ରଦାୟର ଜଣେ ଟାଣୁଆ ନେତା । ଗୁଜୁରାଟ ଜନସଂଖ୍ୟାର ୭ ପ୍ରତିଶତ ହେଉଛନ୍ତି ଦଳିତ । ଭାଜପା ଶାସନରେ ସେମାନଙ୍କ ପ୍ରତି ଆକ୍ରମଣ ଓ ନିର୍ଯାତନା ବଢିଛି ବୋଲି ଅଭିଯୋଗ କରି ସେମାନେ ଭାଜପା ସରକାରଙ୍କୁ ବିରୋଧ କରୁଛନ୍ତି । ଏହି ତିନି ଯୁବ ନେତାଭ୍କ ସଂଗଠନ ଭିନ୍ନ ହୋଇଥିଲେ ମଧ୍ୟ ଆଭିମୁଖ୍ୟ ଏକ । ଗୁଜୁରାଟରୁ ଭାଜପାକୁ ହଟାଓ । କଂଗ୍ରେସ ପ୍ରତି ସେମାନଙ୍କ ସମର୍ଥନ ଭାଜପାକୁ ଚିନ୍ତିତ କରିଛି । କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ଏହି ଯୁବ ନେତାଙ୍କ ସହଯୋଗ ଓ ସମର୍ଥନ ପାଇ ଉତ୍ସାହିତ ହୋଇ ଗୁଜୁରାଟ ଗଡ଼ ଜିତିବାର ସ୍ୱପ୍ନ ଦେଖୁ ଥିବା ବେଳେ ଫଳରେ ଭାଜପା ତାହାର ଗଡ଼ ରକ୍ଷାରେ ଲାଗି ପଡିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ ‘ଶକ୍ତି ପରୀକ୍ଷା’ର କେନ୍ଦ୍ରବିନ୍ଦୁ ହୋଇଛି ଏବଂ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ଏହାକୁ ସମ୍ମାନର ପ୍ରଶ୍ନ କରି ବିଜୟ ପାଇଁ ସମସ୍ତ ଶକ୍ତି ଖଟାଉଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ଅତି ନିମ୍ନ ସ୍ତରକୁ ଖସିବାର ଏହା ହେଉଛି ମୁଖ୍ୟ କାରଣ । ସେକ୍ସ୍ ସିଡ଼ି ଭାଇରାଲ କରିବାର ଘୃଣ୍ୟ ଖେଳ ମଧ୍ୟ କ୍ଷମତା ଦଖଲ ପାଇଁ ରାଜନୈତିକ କୌଶଳ ହୋଇଛି ।
ତିନି ଯୁବ ନେତାଙ୍କ ମଧ୍ୟରୁ ଅଳ୍ପେଶ୍ ଓ ଜିଗ୍ନେସ୍ କଂଗ୍ରେସକୁ ସମର୍ଥନ ଦେବାରେ ଟାଳଟୁଳ କରି ନ ଥିଲେ ମଧ୍ୟ ହାର୍ଦ୍ଦିକ ଜୁଲାଇ ରଖି ଥିଲେ । ସେକ୍ସ୍ ସିଡି ଭାଇରାଲ ହେବା ପରେ ସେ ତୁରନ୍ତ କଂଗ୍ରେସକୁ ସମର୍ଥନ ଜଣାଇବା ସହ ଆସନ ବୁଝାମଣା କରୁଛନ୍ତି । ରାଜ୍ୟ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ପଟିଦାର ଏବଂ ୧୮୨ ବିଧାନସଭା ଆସନରୁ ଅନ୍ରୁନ ୮୦ଟି ଆସନରେ ସେମାନଙ୍କ କବ୍ଜା ରହିଛି । ତେଣୁ, ପଟିଦାର ଭୋଟରଙ୍କୁ ରାଜନୀତିରେ ସର୍ବଦା ଗୁରୁତ୍ୱ ଦିଆଯାଇଛି । ହାର୍ଦ୍ଦିକଙ୍କ ପିତା ଜଣେ ଭାଜପା ସମର୍ଥକ । ହାର୍ଦ୍ଦିକ ମଧ୍ୟ ଭାଜପାରେ ଥିଲେ । ଭଲ କ୍ରିକେଟ ଖେଳୁ ଥିବାରୁ ଦେଶ ପାଇଁ ଖେଳିବା ଆଶା ରଖି ଥିଲେ । ତେବେ, ପଟିଦାରଙ୍କ ପାଇଁ ସଂରକ୍ଷଣ ଆନେ୍ଦାଳନ ତାଙ୍କୁ କ୍ରିକେଟ୍ ରୁ ଟାଣି ଆଣିଲା ଭୋଟ ରାଜନୀତିକୁ । ୨୦୧୫ରେ ସେ ଏହି ଆନେ୍ଦାଳନର ନେତୃତ୍ୱ ନେଲେ । ତାଙ୍କ ଦ୍ୱାରା ଆୟୋଜିତ ବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ପଟିଦାର ଯୋଗ ଦେଉଥିବା ଦେଖି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଲେ । କେନ୍ଦ୍ର ଓ ରାଜ୍ୟ ସରକାର ବିଚଳିତ ହୋଇ ତାଙ୍କୁ ଦେଶଦ୍ରୋହ ଅଭିଯୋଗରେ ଛନ୍ଦି ଜେଲ୍ ପଠାଇ ଦେଲେ । ଜେଲରୁ ଫେରିବା ପରେ ହାର୍ଦ୍ଦିକ ଭାଜପା ବିରୋଧୀ ଆଭିମୁଖ୍ୟକୁ ଅଧିକ ଶାଣିତ କରିଛନ୍ତି । ଭାଜପାର ତାଙ୍କୁ ମୁଖ୍ୟ ଶତୃ ଭାବେ ବିଚାର କରି କାବୁ କରିବା ସକାଶେ ଏକାଧିକ ସେକ୍ସ୍ ସିଡ଼ି ଭାଇରାଲ କରାଇ ଥିବା ସନେ୍ଦହ କରାଯାଉଛି । ହାର୍ଦ୍ଦିକଙ୍କ ହାତରୁ ପଟିଦାର ଭୋଟ ଛଡାଇ ନେବାକୁ ଭାଜପା ଏହି କୌଶଳ ପ୍ରୟୋଗ କରିଥିବା ବେଳେ ସେକ୍ସ ସିଡ଼ି ହାର୍ଦ୍ଦିକଙ୍କ ପ୍ରତି ପଟିଦାର ସମାଜର ସହାନୁଭୂତି ବଢାଇବାରେ ସକ୍ଷମ ହୋଇ ଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ, ସିଡ଼ି ଗୁଡ଼କରେ ସେଭଳି କିଛି ଆପତ୍ତିଜନକ ଦୃଶ୍ୟ ନାହିଁ, ଯାହାକି ହାର୍ଦ୍ଦିକଙ୍କୁ ଅଡୁଆରେ ପକାଇବ । ବରଂ, ଏହା ଜାଲ୍ ବୋଲି କହି ପଟିଦାରମାନେ ଭାଜପାକୁ ସନେ୍ଦହ କରୁଛନ୍ତି । ସିଡ଼ିରେ ହାର୍ଦ୍ଦିକ ବୋଲି ଯାହାକୁ ଚିହ୍ନଟ କରାଯାଉଛି ବାସ୍ତବରେ ସେ ହାର୍ଦ୍ଦିକ କି ନୁହଁ ସ୍ପଷ୍ଟ ନୁହେଁ । ତିନି, ଚାରି ଜଣ ଯୁବକଙ୍କ ସହ ଜଣେ ଯୁବତୀ ଗୋଟିଏ ବେଡ୍ ସେୟାର୍ କରି ଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେମାନେ ସମସ୍ତେ ମୋବାଇଲ୍ ବ୍ରାଉଜିଂରେ ବ୍ୟସ୍ତ ଥିବା ଅନୁମାନ କରାଯାଉଛି । ତେଣୁ, ଏତିରେ କିଛି ଦମ୍ ଥିବା ଲାଗୁ ନାହିଁ । ବରଂ ଏହା ଗୁଜୁରାଟର ପଟିଦାର (ପଟେଲ) ଭୋଟରଙ୍କୁ ବିଭ୍ରାନ୍ତ କରିବା ବଦଳରେ ଭାଜପା ପାଇଁ ବୁମେରାଂ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତେବେ, ଭାଜପା ନେତାମାନେ ନିଜ କାନ୍ଧ ଝାଡିବା ଆରମ୍ଭ କଲେଣି । ସେମାନେ ନୁହନ୍ତି, କୌଣସି କାରଣରୁ ହାର୍ଦ୍ଦିକଙ୍କ ଠାରୁ ଦୂରେଇ ଆସିଥିବା ତାଙ୍କର ଦୁଇ ଜଣ ପୁରୁଣା ବନ୍ଧୁ ଏହି ଭିଡ଼ିଓ ଭାଇରାଲ କରିଛନ୍ତି ବୋଲି ଗୁଜୁରାଟର ଭାଜପା ମୁଖପାତ୍ରମାନେ ସଫେଇ ଦେଇଛନ୍ତି । ଅନ୍ୟପକ୍ଷରେ, ହାର୍ଦ୍ଦିକ ଏହା ଦ୍ୱାରା ବିଚଳିତ ନ ହୋଇ ବହୁ ଭାଜପା ନେତାଙ୍କ ଏଭଳି ସିଡ଼ି ତାଙ୍କ ପାଖରେ ଅଛି, ଉଚିତ ସମୟରେ ସେସବୁ ଭାଇରାଲ କରାଯିବ ବୋଲି ପାଲଟା ଚେତାବନୀ ଦେଇଛନ୍ତି । ଜାତୀୟ ନ୍ୟୁଜ୍ ଚ୍ୟାନେଲରେ ଏହାକୁ ନେଇ ଚାଲି ଥିବା ଲାଇଭ୍ ବିତର୍କ ହାର୍ଦ୍ଦିକଙ୍କ ପାଇଁ ସୁନାର କଳସ ହୋଇଛି । ଗୁଜୁରାଟର ଏହି ଅଜ୍ଞାତ ନେତା ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ସେକ୍ସ ସିଡ଼ି ପଛରେ ମୁଖ୍ୟମନ୍ତ୍ରୀ ରୁପାନୀଙ୍କ ହାତ ନାହିଁ ବୋଲି ଭାଜପା ନେତାମାନେ ବାରମ୍ବାର ସଫେଇ ଦଳର ଦୟନୀୟ ଅବସ୍ଥାକୁ ପଦାରେ ପକାଇଛି । ସେକ୍ସ୍ ସିଡ଼ି ରାହୁଲଙ୍କୁ ବିଚଳିତ କରିବ ଏବଂ ସେ ହାର୍ଦ୍ଦିକଙ୍କ ହାତ ଛାଡିବେ ବୋଲି ଭାଜପା ଯାହା ଆଶା କରୁଥିଲେ, ତାହା ଭୁଲ ପ୍ରମାଣିତ ହୋଇଛି । ଭାଜପା ରାଷ୍ଟ୍ରୀୟ ସଭାପତି ଶାହାଙ୍କ ଏଭଳି କୌଶଳ କାମ କରିବ ନାହିଁ କହି ରାହୁଲ ଓଲଟା ହାର୍ଦ୍ଦିକଙ୍କୁ ସୁରକ୍ଷା ଦେଇଛନ୍ତି ।
ହାର୍ଦ୍ଦିକଙ୍କ ସାନ ଭଉଣୀ ମୋନିକା ପଟେଲ ନିକଟରେ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ପଟିଦାର ଆନେ୍ଦାଳନରେ ହାର୍ଦ୍ଦିକ ନିଜକୁ ପୂର୍ଣ୍ଣତଃ ସାମିଲ କରିବାର ପ୍ରକୃତ ରହସ୍ୟ ଉନ୍ମୋଚନ କରିଛି। ମୋନିକା କହିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ସେ ୮୨ ପ୍ରତିଶତ ମାର୍କ ରଖି ପାସ୍ କରିଥିବା ସତ୍ୱେ ସାଧାରଣ ବର୍ଗର ହୋଇ ଥିବାରୁ ପରବର୍ତୀ ଶ୍ରେଣୀରେ ଦାଖଲ ପାଇଁ ସିଟ୍ ପାଇଲେ ନାହିଁ । ତାଙ୍କ ଭଳି ଅନ୍ୟ ସାଧାରଣ ବର୍ଗ ପରିବାରମାନେ ସଂରକ୍ଷଣ ମାଡରେ ନିଜର ହକ୍ ହରାଉ ଥିବା ଅନୁଭବ କରିବା ପରେ ଭାଇ ହାର୍ଦ୍ଦିକ ପଟିଦାରଙ୍କୁ ନ୍ୟାୟ ଦେବାକୁ ପଣ ନେଲେ । ୨୦୧୫ରେ ପଟିଦାରଙ୍କ ପାଇଁ ସଂରକ୍ଷଣ ଦାବିରେ ଆନେ୍ଦାଳନ ଯୋର୍ ଧରିଲା । ରଜ୍ୟ ସରକାର ପଟିଦାରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବିଧାନସଭାରେ ପ୍ରସ୍ତାବ ଗୃହୀତ କଲେ ସିନା ସୁପ୍ରିମ କୋର୍ଟ ଦେଶରେ ୫୦ ଭାଗରୁ ଅଧିକ ସ୍ଥାନ ସଂରକ୍ଷଣ ସଂଭବ ନୁହେଁ କହି ତାହାକୁ ଖାରଜ କରି ଦେବାରୁ ତାହା ଲାଗୁ ହୋଇ ପାରିଲା ନାହିଁ । କେବଳ ସଂବିଧାନ ସଂଶୋଧନ ମାଧ୍ୟମରେ ଏହା ସମ୍ଭବ । କେନ୍ଦ୍ରରେ ଥିବା ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାର ଧରାଛୁଆଁ ଦେଉ ନ ଥିବାରୁ ପଟିଦାର ସଂପ୍ରଦାୟ କ୍ଷୁବ୍ଧ । କଂଗ୍ରେସ କ୍ଷମତାକୁ ଆସିଲେ ପଟିଦାରଙ୍କୁ ସଂରକ୍ଷଣ ସୁବିଧା ଦେବା ସକାଶେ ଆବଶ୍ୟକ ପଦକ୍ଷେପ ନେବ ବୋଲି କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ, ଗୁଜୁରାଟ ନିର୍ବାଚନରେ ପଟିଦାର ସଂପ୍ରଦାୟ କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିଛି । ରାହୁଲଙ୍କ ଏହି ଚାଲ୍ ମୋଦୀଙ୍କୁ ତାଙ୍କ ଗଡ଼ରେ ଚିତ୍ କରିବାରେ କେତେଦୂର ସକ୍ଷମ ହେବ, ତାହା ଡ଼ିସେମ୍ବର ୧୮ ତାରିଖ ଭୋଟ ଫଳାଫଳ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS