ଆନ୍ନା ଫୁଙ୍କିଲେ ଅହିଂସାର ମନ୍ତ୍ର, କହିଲେ ଦେଶ ପାଇଁ ଜେଲ ଯିବା ଗୌରବର ବିଷୟ
ଭୁବନେଶ୍ୱର, ୨୩ ନଭେମ୍ବର: ଦେଶରେ ଦୁର୍ନୀତି ବିରୋଧୀ ଆନେ୍ଦାଳନର ମୁଖ୍ୟ ପୁରୋଧା ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଓଡ଼ିଶା ଚାଷୀଙ୍କ କାନରେ ଅହିଂସାର ମନ୍ତ୍ର ଫୁଙ୍କିଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀ ଯେଭଳି ଦେଶରୁ ବ୍ରିଟିଶ ଶାସକଙ୍କୁ ହଟାଇବା ପାଇଁ ଅହିଂସାତ୍ମକ ଉପାୟରେ ଆନେ୍ଦାଳନ କରିଥିଲେ ଚାଷୀମାନେ ମଧ୍ୟ ନିଜର ହକ୍ ପାଇଁ ସେହି ବାଟରେ ନିଜର ଆନେ୍ଦାଳନକୁ ଆଗେଇ ନେବାକୁ ସେ ପରାମର୍ଶ ଦେଇଥିଲେ । ହିଂସାର ବାଟ ଧରିଲେ ଚାଷୀ ଆନେ୍ଦାଳନକୁ ଭଣ୍ଡୁର କରିବାକୁ ସରକାରଙ୍କୁ ବେଶୀ ସମୟ ଲାଗିବ ନାହିଁ । ତେଣୁ, ମହାତ୍ମା ଗାନ୍ଧୀଙ୍କ ମାର୍ଗ ଧରିବାକୁ ଏବଂ ଜେଲ୍ ଯିବାକୁ ଲଜ୍ୟା ନ କରି ବହୁ ସଂଖ୍ୟାରେ ଗିରଫ ହେବାକୁ ସେ ଆହ୍ୱାନ ଦେଇଥିଲେ । ଆନ୍ନା କହିଲେ, ଦେଶ ପାଇଁ ଜେଲ୍ ଯିବା ଗର୍ବ ଓ ଗୌରବର ବିଷୟ। ଏତେ ସଂଖ୍ୟାରେ ଗିରଫ ହୁଅ ଯେ ଜେଲ ଭରି ଯିବ ଏବଂ ସରକାର ଜେଲରେ ପୁରାଇବାକୁ ଆଉ ଜାଗା ନ ଥିବ ।
ଗୁରୁବାର ଦିନ ଏଠାରୁ ୯୦ କିମି ଦୂର ଜଗତସିଂହପୁର ଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ‘ଜୟକିଶାନ ସମାବେଶ’ରେ ଉଦ୍ବୋଧନ ଦେଇ ଆନ୍ନା ଏହା କହିଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି ସମାବେଶର ଆୟୋଜନ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ବିରୋଧୀ ଏବଂ ଚାଷୀଙ୍କ ସମସ୍ୟା କଥା ଉଠିଲେ ଅନ୍ଧ ଓ ବଧୀର ଭଳି ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ମହାତ୍ମା ଗାନ୍ଧୀ ଦେଶରୁ ବ୍ରିଟିଶଙ୍କୁ ହଟାଇ ସ୍ୱାଧୀନତା ଆଣିବା ପାଇଁ ‘କର ବା ମର’ ମନ୍ତ୍ର ଫୁଙ୍କି ଥିଲେ । ଏଥିିରେ ଲକ୍ଷ ଲକ୍ଷ ଦେଶବାସୀ ଝାସ ଦେଇ ଜେଲ୍ ବରଣ କରି ଥିଲେ । ଚାଷୀ ଭାଇମାନେ ମଧ୍ୟ ନିଜର ହକ୍ ପାଇଁ ‘କର ବା ମର’ ଆନେ୍ଦାଳନରେ ଝାସ ଦେବାକୁ ଏବଂ ଲକ୍ଷାଧିକ ସଂଖ୍ୟାରେ ଗିରଫ ହେବାକୁ ସେ ଆହ୍ୱାନ ଦେଇଥିଲ । ସେ ନିଜେ ବିଭିନ୍ନ ରାଜ୍ୟ ବୁଲି ଚାଷୀମାନଙ୍କୁ ସେମାନଙ୍କ ହକ୍ ପାଇଁ ଲଢେଇ କରିବାକୁ ପ୍ରବର୍ତାଇବେ । ଆସନ୍ତା ବର୍ଷ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଜନ ଲୋକପାଳ ଆଇନ ପ୍ରବର୍ତନ ପାଇଁ ଯେଉଁ ଧାରଣା କାର୍ଯ୍ୟକ୍ରମ ରଖା ଯାଇଛି ସେଥିରେ ଚାଷୀଙ୍କ ସମସ୍ୟାକୁ ମଧ୍ୟ ସାମିଲ କରାଯିବ ବୋଲି ଆନ୍ନା ପ୍ରତିଶ୍ରୁତି ଦେଇଥିଲେ ।
୨୦୧୪ ସାଧାରଣ ନିର୍ବାଚନ ସମୟରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସାରା ବୁଲି ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଅଧିକ ଲାଭଜନକ ଦର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏମଏସ୍ ସ୍ୱାମୀନାଥନ କମିସନ ରିପୋର୍ଟ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ । ତେବେ, ମୋଦୀଙ୍କ ସରକାର କ୍ଷମତାସୀନ ହେବାର ତିନି ବର୍ଷ ବିତି ଥିବା ସତ୍ୱେ କୌଣସି ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ । କେବଳ ଚାଷୀଙ୍କ ଭୋଟ ପାଇବା ସକାଶେ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା ବୋଲି ଆନ୍ନା ଅଭିଯୋଗ କରିଛନ୍ତି । ୬୦ ବର୍ଷରୁ ଅଧିକ ବୟସର ଚାଷୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଦାବିକୁ ଦୋହରାଇ ସେ କହିଛନ୍ତି ଯେ, ଏହା ହେଉଛି ଚାଷୀଙ୍କ ସାମ୍ବିଧାନିକ ଅଧିକାର । ତିନି ବର୍ଷ ହେଲା ସରକାରଙ୍କ କାର୍ଯ୍ୟକୁ ସେ ନୀରବରେ ଅନୁଧ୍ୟାନ କରୁଥିଲେ । ଦେଶରେ କିଛି ବି ପରିବର୍ତନ ଆସି ନାହିଁ । ବର୍ତମାନ ସମୟ ଆସିଛି ସରକାରଙ୍କ ବିରୋଧରେ ସ୍ୱର ଉଠାଇବାକୁ ବୋଲି ସେ କହିଛନ୍ତି । ଓଡ଼ିଶାରେ ଗୋଟିଏ ବର୍ଷରେ ୧୨ ଜଣ ଚାଷୀ ଫସଲହାନୀ ଯୋଗୁ ଆତ୍ମହତ୍ୟା କରିଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ଆନ୍ନା ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ଦିନ ଏଠାରେ ପହଂଚିବା ପରେ ରାଜ୍ୟ ଅତିଥି ଭବନ ଠାରେ ଚାଷୀ ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିଥିଲେ । ପରେ, ସେ ସାମ୍ବାଦିକମାନଙ୍କୁ ଭେଟି ଚାଷୀଙ୍କୁ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ଦିଆଯିବା ଏବଂ ଫସଲହାନୀ ସମୟରେ ପରିବାର ପ୍ରତିପୋଷଣ କରିବା ସକାୋ ୬୦ ବର୍ଷରୁ ଅଧିକ ବୟସରେ ଚାଷୀଙ୍କୁ ପେନସନ୍ ଦିଆଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଗୁରୁବାର ଜଗତସିଂହପୁର ସଭାରେ ସେହି କଥା ଦୋହରାଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS