କଟକ ବଡ଼ ମେଡ଼ିକାଲରେ କ୍ଲୋରିନ୍ ଗ୍ୟାସ୍ ଲିକ୍,୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଜଣ ହସପିଟାଲରେ ଚିକିତ୍ସାଧୀନ
କଟକ,୩୦ନଭେମ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସପିଟାଲ ପରିସରରେ ବୁଧବାର ଦିନ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇ ୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇ ଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ରହି ଥିବା ଏବଂ ସେଥିରୁ ୩ ଜଣଙ୍କୁ ଆଇସିୟୁରେ ରଖା ଯାଇଥିବା ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ବୋଲି ମେଡ଼ିକାଲ କର୍ତୃପକ୍ଷ କହିଛନ୍ତି ।
ମେଡ଼ିକାଲ ପରିସରରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ପଂପ୍ ହାଉସ୍ରୁ ଏହି କ୍ଲୋରିନ ଗ୍ୟାସ୍ ଲିକ୍ ହୋଇଥିଲା । ଜଳ ବିଶୋଧନ ପାଇଁ ରଖା ଯାଇଥିବା ତିନିଟି କ୍ଲୋରିନ୍ ଗ୍ୟାସ୍ ଟାଙ୍କିରୁ ଗୋଟିଏ ତଳପଟୁ କଳଙ୍କି ଲାଗି ଯାଇ ନଷ୍ଟ ହୋଇ ଯାଇଛି । ସେହି ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିବା ଜଣାପଡିଛି । ଗ୍ୟାସ୍ ଟାଙ୍କିରୁ ଲିକ୍ ହୋଇ ବାହାରେ ଦୁର୍ଗନ୍ଧ ହେବାରୁ ପଂପ୍ ହାଉସ୍ ଆଖପାଖରେ ଥିବା ଲୋକମାନେ ଆତଙ୍କିତ ହୋଇ ପଡି ଥିଲେ । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । କ୍ଲୋରିନ୍ ଗ୍ୟାସ୍ ପ୍ରଭାବରେ ଆଖପାଖ ଛାତ୍ରାବାସରେ ରହୁଥିବା କିଛି ଛାତ୍ରଙ୍କ ସମେତ ଚିକିତ୍ସାଧିନ ଥିବା କିଛି ରୋଗୀ, ଗ୍ୟାସ୍ ଲିକ୍ ରୋକିବାକୁ ଆସି ଥିବା ପୁଲିସ ଓ ଅଗ୍ନିଶମ କର୍ମଚାରୀ ଆକ୍ରାନ୍ତ ହୋଇ କାଜୁଆଲିଟିରେ ଭର୍ତି ହୋଇଥିବା ଖବର ମିଳିଥିଲା । ତେବେ, ଛାତ୍ର ଓ ଚିକିତ୍ସାଧିନ ରୋଗୀ ଆକ୍ରାନ୍ତ ହେବା ଖବରକୁ ମେଡ଼ିକାଲ କର୍ତୃପକ୍ଷ ଅସ୍ୱୀକାର କରି ଲିକ୍ ବନ୍ଦ କରିବାକୁ ଉଦ୍ୟମ କରୁଥିବା ପୁଲିସ ଓ ଅଗ୍ନିଶମ କର୍ମଚାରୀ ହିଁ ଆକ୍ରାନ୍ତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି । ୪୭ ଜଣ ଚିକିତ୍ସା ପାଇଁ ଭର୍ତି ହୋଇଥିବା ବେଳେ ୨୧ ଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇଥିବା ଓ ୨୬ ଜଣ ଚିକିତ୍ସାଧୀନ ଥିବା ଏହି ସୂତ୍ରରୁ ପ୍ରକାଶ ।
ସାଧାରଣତଃ ପାନୀୟ ଜଳକୁ ବିଶୋଧନ କରିବା ସକାଶେ ଜନସ୍ୱାସ୍ଥ୍ୟ ବିଭାଗ କ୍ଲୋରିନ୍ ଗ୍ୟାସ୍ ବ୍ୟବହାର କରାଯାଇ ଥାଏ । ଏହି ଗ୍ୟାସ୍ ଲିକ୍ ହେଲେ ଆଖପାଖ ଅଂଚଳକୁ ବ୍ୟାପି ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଥାଏ । ଆକ୍ରାନ୍ତ ଲୋକମାନେ ବାନ୍ତି କରିବା ସହ ଅଣ-ନିଶ୍ୱାସୀ ଅନୁଭବ କରି ଥା’ନ୍ତି । ଏସ୍ସିବି ମେଡ଼ିକାଲ କଲେଜ ପରିସର ସ୍ଥିତ ଜନସ୍ୱାସ୍ଥ୍ର୍ୟ ବିଭାଗ ପଂପ୍ ହାଉସ୍ରେ ଥିବା ତିନିଟି ଯାକ କ୍ଲୋରିନ୍ ଗ୍ୟାସ୍ ଟାଙ୍କି ଅତି ପୁରୁଣା ହୋଇଯାଇ ଥିବାରୁ ତଳ ପଟେ କଳଙ୍କି ଲାଗି ଗଲାଣି । ଗୋଟିଏ ଟାଙ୍କିରୁ ବୁଧବାର ଦିନ ଏହି ଲିକ୍ ହୋଇଥିଲା । ଏହି ତିନିଟି ଟାଙ୍କି ଫେରାଇ ନେବାକୁ ବିଭାଗ ପକ୍ଷରୁ ଗ୍ୟାସ୍ ଯୋଗାଣକାରୀଙ୍କୁ ଚିଠି ଲେଖା ଯାଇଥିଲେ ମଧ୍ୟ ସେସବୁ ଟାଙ୍କି ବଦଳା ଯାଇ ନାହିଁ । ତେଣୁ, ବିଭାଗୀୟ ଅବହେଳାକୁ ଦାୟି କରିବା ଉଚିତ ହେବ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS