ଚାଷୀଙ୍କ ସମସ୍ୟା ଓ ଧାନର ସହାୟକ ମୂଲ୍ୟ ଉପରେ ଆଲୋଚନା ଦାବିରେ ହାଙ୍ଗାମା ପରେ ଗୃହ କମିଟି ବୈଠକ
ଭୁବନେଶ୍ୱର,୩୦ନଭେମ୍ବର: ଚାଷୀ ଆତ୍ମହତ୍ୟା ଓ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବା ବିଷୟକୁ ନେଇ ବୁଧବାର ଦ୍ୱିତୀୟ ଦିନ ପାଇଁ ରାଜ୍ୟ ବିଧାନ ସଭାର ଶୀତକାଳୀନ ଅଧିବେଶନରେ ହାଙ୍ଗାମା ହୋଇ ଅଚଳାବସ୍ଥା ସୃଷ୍ଟି ହୋଇଛି । ଗୃହର ବୈଠକ ଆରମ୍ଭ ହେଉ ହେଉ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ସ୍ଲୋଗାନ ଆରମ୍ଭ କରି ଦେବାରୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ । ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା । ବିରୋଧୀ ପକ୍ଷଙ୍କ ହାଙ୍ଗାମା ବେଳେ ବିଧାନସଭାରେ ଉପସ୍ଥିତ ଥିବା ଶାସକ ଦଳର ମନ୍ତ୍ରୀ, ବିଧାୟକମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେକ ଏକ ରାଲିରେ ରାଜଭବନକୁ ଯାଇ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।
କେନ୍ଦ୍ର ସରକାର ରାଜ୍ୟର ଚାଷୀମାନଙ୍କ ପାଇଁ ଧାନର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତାହା ଯଥାଯଥ ନୁହେଁ । କାରଣ, ଚାଷୀ ଧାନ ଉତ୍ପାଦନ ବାବଦରେ ବିହନ, ସାର, କୀଟନାଶକ ଓ ଅନ୍ୟ ସାମଗ୍ରୀ ପାଇଁ ଯାହା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଏମ୍ଏସ୍ପି ତା’ ଠାରୁ ଯଥେଷ୍ଟ କମ୍ । ଫଳରେ, ଚାଷୀ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଇ ପାରୁ ନାହାନ୍ତି । ଏସବୁକୁ ନଜରରେ ରଖି ରାଜ୍ୟ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇ ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ, କେନ୍ଦ୍ର ସରକାର କୁଇଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୧୫୫୦ ଟଙ୍କା ଧାର୍ଯ୍ୟ କରି ଚାଷିଙ୍କ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ସ୍ମାରକପତ୍ରରେ ଅଭିଯୋଗ କରାଯାଇଛି । ରାଜ୍ୟ ବିଧାନସଭାର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗି ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ଦେଇ ନ ଥିବାରୁ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏହି ସ୍ମାରକପତ୍ର ଦିଆ ଗଲା ବୋଲି ସ୍ମାରକପତ୍ର ପ୍ରଦାନ ପରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ।
ଦିନ ୩ଟାରେ ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ କଂଗ୍ରେସ ଓ ବିଜେପି ବିଧାୟକମାନେ ସେମାନଙ୍କୁ ଗୃହରେ ଆଲୋଚନା କରିବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ କରି କକ୍ଷତ୍ୟାଗ କରିଥିଲେ । ପରେ ବାଚସ୍ପତି ଗୃହ କାର୍ଯ୍ୟ ଦିନର ଅବଶିଷ୍ଟ ସମୟ ପାଇଁ ମୁଲତବୀ କରି ଦେଇଥିଲେ । ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୃହରେ କଂଗ୍ରେସ ଦ୍ୱାରା ଆଗତ ଚାଷୀଙ୍କ ସମସ୍ୟା ସଂପର୍କୀତ ଆଲୋଚନା ପ୍ରସ୍ତାବ ଉପରେ ଶାସକ ଦଳ ଆଲୋଚନା କରିବାକୁ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିବା ବେଳେ ବିଜେପି ବିଧାୟକ ପ୍ରଦୀପ ପୁରୋହୀତ ଅଭିଯୋଗ କରିଥିଲେ ଯେ, ସରକାର ଚାଷୀମାନଙ୍କ ସ୍ୱାର୍ଥରକ୍ଷାରେ ବିଫଳ ହୋଇ ଥିବାରୁ ଏହି ସମସ୍ୟା ଉପରେ ଆଲୋଚନା କରିବାକୁ ପଛଘୁଂଚା ଦେଉଛନ୍ତି । ଏକ ସର୍ବଦଳୀୟ ବୈଠକ କରାଯାଇ ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରାଯିବାକୁ ସେ ଦାବି କରିଥିଲେ ।
ସନ୍ଧ୍ୟାରେ ବାଚସ୍ପତି ଅମାତ ଧାନର ସହାୟକ ମୂଲ୍ୟ ସଂପର୍କୀତ ଗୃହ କମିଟିର ବୈଠକ ଡ଼ାକି ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି । ଏହି ବୈଠକରେ ଯାହା କିଛି ଆଲୋଚନା ହୋଇଛି ତାହା ଗୁରୁବାର ଦିନ ବିଧାନସଭା ବୈଠକରେ ଉପସ୍ଥାପନ କରାଯିବ ବୋଲି ଗୃହ କମିଟି ବୈଠକ ପରେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ମିଡ଼ିଆକୁ ସୂଚନା ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS