ବଡ଼ ମେଡ଼ିକାଲରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣା,୧୪ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସାଧୀନ
କଟକ, ୧ ଡ଼ିସେମ୍ବର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସପିଟାଲ ସ୍ଥିତ ଜନସ୍ୱାସ୍ଥା ବିଭାଗ ପଂପ୍ ହାଉସ୍ରୁ ବୁଧବାର ହୋଇଥିବା କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାରେ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ ଜଣ ଅଦ୍ୟାବଧି ହସପିଟାଲରେ ଥିବା ସୂଚନା ମିଳିଛି । ସେଥିରୁ ୧୬ ଜଣ ଜଣଙ୍କୁ ଆଇସିୟୁରେ ରଖା ଯାଇ ଚିକିତ୍ସା କରାଯାଉଥିବା ମେଡ଼ିକାଲ କର୍ତୃପକ୍ଷ କହିଛନ୍ତି । ଏହି ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ପାଇଁ ଏଡ଼ିଏମ୍ (ରାଜସ୍ୱ) ରଘୁରାମ ଆୟାରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଗଠନ କରାଯାଇଛି । ଏହି ଟିମ୍ରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ଫ୍ୟାକ୍ଟ୍ରି ଓ ବୟଲର୍ ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ଓ ଏସ୍ସିବି ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ରହିଛନ୍ତି । ତଦନ୍ତକାରୀ ଟିମ୍ ଗ୍ୟାସ୍ ଲିକ୍ ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାକୁ ଭତ୍ତି କରି ତଦନ୍ତ ରିପୋର୍ଟ ଉପସ୍ଥାପନ କରିବାକୁ କଟକ ଜିଲ୍ଲାପାଳଙ୍କ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛିି । ବୁଧବାର ଗ୍ୟାସ୍ ଲିକ୍ରେ ମୋଟ ୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧ ଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଥିଲେ । ବାକି ୨୬ ଜଣ ହସପିଟାଲରେ ଚିକିତ୍ସାଧୀନ ରହିଥିଲେ ।
ଗଂଜାମ ସ୍ଥିତି ଜୟଶ୍ରୀ କେମିକାଲ୍ସ୍ ସଂସ୍ଥା କଟକ ବଡ ମେଡ଼ିକାଲକୁ ଏହି କ୍ଲୋରିନ୍ ଗ୍ୟାସ୍ ଯୋଗାଇଛି । ସାଧାରଣତଃ ଜଳ ବିଶୋଧନ ପାଇଁ ଏହି ଗ୍ୟାସ୍ ବ୍ୟବହାର କରାଯାଏ । ଜୟଶ୍ରୀ କେମିକାଲ୍ସ ଯୋଗାଇ ଥିବା କ୍ଲୋରିନ୍ ଗ୍ୟାସ୍ ଟାଂକି ଗୁଡ଼ିକ ପାଂଚ ବର୍ଷ ପୁରୁଣା । ସେଗୁଡ଼ିକ ବଦଳା ନ ଯାଇ ପଂପ୍ ହାଉସ୍ରେ ପକାଇ ରଖା ଯିବା ଫଳରେ ଟାଂକି ଗୁଡ଼ିକରେ କଳଂକି ଲାଗି ଗଲାଣି । ଟାଂକି ବଦଳାଇବାକୁ ନିକଟରେ ଜୟଶ୍ରୀ କେମିକାଲ୍ସ୍କୁ ଚିଠି ଲେଖା ଯାଇଥିଲେ ମଧ୍ୟ ସେଗୁଡ଼ିକ ବଦଳା ଯାଇ ନ ଥିବାରୁ ବୁଧବାର ଏହି ଦୁର୍ଘଟଣା ଘଟିଛି । କଳଂକି ଲଗା ତିନିଟି ଟାଂକି ମଧ୍ୟରୁ ବୁଧବାର ଗୋଟିକରୁ ଗ୍ୟାସ୍ ଲିକ୍ ହୋଇ ଥିଲା । ଏହି ଅବହେଳା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ଦାୟି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ । ଗ୍ୟାସ୍ ଲିକ୍ ଯୋଗୁ ଉକ୍ରଟ ଗନ୍ଧ ହେବାରୁ ପଂପ୍ ହାଉସ୍ ଆଖପାଖ ଅଂଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇ ଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଲିକ୍ ବନ୍ଦ କରିବାକୁ ଉଦ୍ୟମ କରି କ୍ଲୋରିନ୍ ଗ୍ୟାସ୍ ପ୍ରଭାବରେ ଆକ୍ରାନ୍ତ ହୋଇଥିଲେ । ତେବେ, କୌଣସି ଛାତ୍ର ବା ଚିକିତ୍ସାଧିନ ଥିବା ରୋଗୀ ଆକ୍ରାନ୍ତ ହୋଇ ନ ଥିବା ମେଡ଼ିକାଲ କର୍ତୃପକ୍ଷ କହିଛନ୍ତି । କ୍ଲୋରିନ୍ ଗ୍ୟାସ୍ ଲିକ୍ ହେଲେ ଆଖପାଖ ଅଂଚଳକୁ ବ୍ୟାପି ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଥାଏ । ଆକ୍ରାନ୍ତ ଲୋକମାନେ ସାଧାରଣତଃ ଆଖି ପୋଡିବା, ବାନ୍ତି ଲାଗିବା ଓ ଅଣ-ନିଶ୍ୱାସୀ ଲାଗିବା ଭଳି ଅନୁଭବ କରି ଥା’ନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ଅବହେଳାରୁ ଏହି ଗ୍ୟାସ୍ ଲିକ୍ ହୋଇଥିବ ବଡ ମେଡିକାଲ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS