ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିି ଦାବି, ରାଷ୍ଟ୍ରପତିଙ୍କୁ ଭେଟିବ ଗୃହ କମିଟି
ଭୁବନେଶ୍ୱର,୧ ଡ଼ିସେମ୍ବର: ଓଡ଼ିଶା ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୯୩୦ ଟଙ୍କା ଦିଆଯିବା ଦାବିରେ ରାଜ୍ୟ ବିଧାନସଭା ଗୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟିବ ବୋଲି ଗୁରୁବାର ଦିନ ସଂକଳ୍ପ ନେଇଛି । ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମୟ ମଗା ଯାଇଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ସମୟ ଦେଇ ନ ଥିବାରୁ ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ସଂପର୍କୀତ ଗୃହ କମିଟି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଆଲୋଚନା କରିବ ବୋଲି ବିଧାନସଭାରେ ପ୍ରସ୍ତବା ଗୃହୀତ ହୋଇଛି । ତେବେ, ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରସ୍ତାବ ଗୃହୀତ ହେଲେ ବିଜେପି ସେଥିରେ ଭାଗିଦାର ରହିବ ନାହିଁ ବୋଲି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଗୁରୁବାର ଗୃହରେ ସ୍ପଷ୍ଟ କରି ଦେଇଥିଲେ ।
ଗୁରୁବାର ଥିଲା ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିବସ । ସରକାରୀ ଦଳର ମୁଖ୍ୟ ସଚେତକ ତଥା ଶାସକ ବିଜେଡ଼ିର ମୁଖପାତ୍ର ଅମର ପ୍ରସାଦ ଶତପଥୀ ବୁଧବାର ସନ୍ଧ୍ୟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏମ୍ଏସ୍ପି ସଂପର୍କୀତ ଗୃହ କମିଟି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସଂପର୍କୀତ ବିବରଣୀ ଗୃହରେ ଉପସ୍ଥାପନ କରିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିଲା । ବୁଧବାର ଦିନ ଚାଷୀଙ୍କ ସମସ୍ୟା ଉଠାଇ ଗୃହରେ ହାଂଗାମା କରିଥିବା ବିଜେପି ବିଧାୟକମାନେ ଗୁରୁବାର ନୀରବ ଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ, ଉଭୟ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସଦସ୍ୟମାନେ ଏହି ପ୍ରସଂଗରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସଂପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ସମୟ ନ ଦେବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଗତ ମାର୍ଚ୍ଚ ୨୫ ତାରିଖରେ ରାଜ୍ୟ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରାଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୨୯୩୦ ଟଙ୍କା ଧାର୍ଯ୍ୟ କରାଯିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା । ମାତ୍ର କେନ୍ଦ୍ର ସରକାର ତାହାକୁ କାର୍ଯ୍ୟକାରୀ ନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବ ବର୍ଷ ତୁଳନାରେ ମାତ୍ର ୮୦ ଟଙ୍କା ବୃଦ୍ଧି କରି କୁଇଂଟାଲା ପିଛି ୧୫୫୦ ଟଙ୍କା ଧାର୍ଯ୍ୟ କରି ଥିଲେ । ଚାଷୀମାନଙ୍କ ଧାନ ଉତ୍ପାଦନରେ ଏହାଠାରୁ ଢେର ଅଧିକ ଖର୍ଚ୍ଚ ହେଉଥିବା ଦର୍ଶାଇ ବାଚସ୍ପତିଙ୍କ ନେତୃତ୍ୱରେ ରାଜ୍ୟ ବିଧାନସଭା ଗୃହ କମିଟି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସମୟ ମାଗି ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ କମିଟିକୁ ଭେଟିବାକୁ ସମୟ ଦେଇ ନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ ତାରିଖ ନୂଆଦିଲ୍ଲୀରେ ଅନୁଷ୍ଠିତ ଆନ୍ତଃ ରାଜ୍ୟ ପରିଷଦର ଦ୍ୱାଦଶତମ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ପ୍ରସଂଗ ଉପସ୍ଥାପନ କରିବା ସହ ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନରେ ତାହା ଉପରେ ଆଲୋଚନା ହେବ ବୋଲି ଘୋଷଣା କରିଥିଲେ ।
ରାଜ୍ୟର ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ପ୍ରସଂଗରେ ଦୁଇ ଦିନ ହେଲା ରାଜ୍ୟ ବିଧାନ ସଭାରେ ଅଚଳାବସ୍ଥା ଲାଗି ରହି ଥିଲା । ବୁଧବାର ମଧ୍ୟାହ୍ନରେ ଶାସକ ଦଳର କିଛି ମନ୍ତ୍ରୀ ଓ ବିଧାୟକ ବିଧାନ ସଭାରୁ ରାଲିରେ ବାହାରି ରାଜଭବନକୁ ଯାଇ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ରାଜ୍ୟର ଚାଷୀମାନଙ୍କ ପାଇଁ ଧାନର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ତାହା ଯଥାର୍ଥ ନୁହେଁ ବୋଲି ଦର୍ଶାଇ ରାଜ୍ୟ ବିଧାନସଭାରେ ଗୃହୀତ ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ଚାଷୀଙ୍କୁ ଧାନର କୁଇଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦିଆ ଯିବାକୁ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରାଯାଇଛି ।ବୁଧବାର ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ କଂଗ୍ରେସ ଓ ବିଜେପି ବିଧାୟକଙ୍କ କକ୍ଷତ୍ୟାଗ ଯୋଗୁ ଗୃହ ଚାଲି ନ ପାରିବାରୁ ବିଜେପି ବିଧାୟକ ପ୍ରଦୀପ ପୁରୋହୀତଙ୍କ ପ୍ରସ୍ତାବ କ୍ରମେ ବାଚସ୍ପତି ଗୃହ କମିଟି ବୈଠକ ଡ଼ାକି ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS