ଶେଷରେ ରାହୁଲ୍ କଂଗ୍ରେସର ମଂଗ ଧରିଲେ
ନୂଆଦିଲ୍ଲୀ, ୫ ଡ଼ିସେମ୍ବର: ୪୭ ବର୍ଷ ବୟସ୍କ ରାହୁଲ ଗାନ୍ଧୀ ଶେଷରେ କଂଗ୍ରେସର ମଂଗ ଧରିଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦେଶର ମାନଚ୍ଚିତ୍ରରୁ ଲିଭି ଲିଭି ଯାଉଥିବା ଏହି ୧୩୨ ବର୍ଷ ପୁରୁଣା ଦଳର ପୁନରୁଦ୍ଧାର ଦାୟିତ୍ୱ ମୁଣ୍ଡାଇଛନ୍ତି । ଗୁଜୁରାଟ ନିର୍ବାଚନ ଫଳାଫଳ ରହୁଲଙ୍କ ପାଇଁ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ୨୦୧୮ରେ ହେବାକୁ ଥିବା କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ନିର୍ବାଚନ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବାକୁ ଯାଉଛି । ଏହି ସବୁ ନିର୍ବାଚନରେ କଂଗ୍ରେସ ସିଧାସଳଖ ରାହୁଲଙ୍କ ନେତୃତ୍ୱରେ ନିର୍ବାଚନ ମିଦାନରେ ଅବତୀର୍ଣ୍ଣ ହେବ । ମଣିପୁର, ନାଗାଲାଣ୍ଡ୍ ଓ ମେଘାଳୟ ନିର୍ବାଚନ ମଧ୍ୟ ଆସନ୍ତା ବର୍ଷ ହେବାକୁ ଯାଉଛି । ରାହୁଲଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ୨୦୧୯ ସାଧାରଣ ନିର୍ବାଚନ । ବର୍ତମାନ ବିପର୍ଯ୍ୟୟମୁଖୀ ଥିବା କଂଗ୍ରେସ ସଂଗଠନକୁ ସଜାଡି, ଦଳରେ ଥିବା ପୁରୁଖା ଓ ଯୁବ ନେତାଙ୍କ ମଧ୍ୟରେ ସମନ୍ୱୟ ରଖି, ଦେଶର ଭାଜପା ବିରୋଧୀ ରାଜନୈତିକ ଦଳର ନେତାମାନଙ୍କୁ ଏକାଠି କରି ଏନ୍ଡ଼ିଏର ମୁକାବିଲା କଲା ଭଳି ଏକ ବିରୋଧୀ ମେଂଟ ଗଠନ କରିବା ଏବଂ ତାହାର ନେତୃତ୍ୱ ନେବା ରାହୁଲ ଗାନ୍ଧୀଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ ବୋଲି ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି ।
ଗୁଜରାଟରେ ଆସନ୍ତା ୯ ଓ ୧୪ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ପ୍ରଚାର ଅଭିଯାନ ଭାଜପାର ଦୁଇ ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପା ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ନାକେଦମ୍ କରିଥିବା ବେଳେ ସେମାବାର (୪ ଡ଼ିସେମ୍ବର) ଦିନ ସେ ଏଆଇସିସି ସଭାପତି ପଦ ପାଇଁ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ନାମାଙ୍କନପତ୍ର ଦାଖଲ କରି ଉଭୟ କଂଗ୍ରେସ ଓ ଅଣ-କଂଗ୍ରେସ ନେତୃ ମହଲରେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଳଟିଛନ୍ତି । ଭାଜପାର ପ୍ରମୁଖ ନେତାମାନେ ରାହୁଲଙ୍କୁ କଂଗ୍ରେସ ସଭାପତି କରାଯିବା ନିଷ୍ପତ୍ତିକୁ ତାତ୍ସଲ୍ୟ କରି ୧୩୨ ବର୍ଷର ଦଳ ନିଶ୍ଚିହ୍ନ ହେବାକୁ ଯାଉଛି ବୋଲି ସମାଳୋଚନା କରିଥିବା ବେଳେ କଂଗ୍ରେସର ଉଭୟ ବୟୋଜ୍ୟେଷ୍ଠ ନେତା ଓ ଯୁବ ନେତାମାନେ ଏହି ନେତୃତ୍ୱ ପରିବର୍ତନ ଦଳରେ ଅଧିକ ଶକ୍ତି ସଂଚାର କରିବାରେ ସହାୟକ ହେବ ବୋଲି ମତ ଦେଇଛନ୍ତି । ୧୯ ବର୍ଷ ଧରି ତାଙ୍କ ମା’ ଶ୍ରୀମତୀ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନେଇ ଆସିଥିଲେ । ସୋନିଆଙ୍କ ନେତୃତ୍ୱରେ ଦଳ ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ଦେଶର ଶାସନ ଭାର ସଂଭାଳି ଥିଲା । ୟୁପିଏ ଅଧ୍ୟକ୍ଷା ଭାବେ ମଧ୍ୟ ଶ୍ରୀମତୀ ଗାନ୍ଧୀ ଦେଶରେ ନିଜର ପ୍ରଭାବ ଜାହିର କରିଥିଲେ । ୨୦୧୩ରେ କଂଗ୍ରେସ ଉପ-ସଭାପତି ହୋଇଥିବା ରାହୁଲଙ୍କୁ ସୋନିଆ କ୍ଷମତା ହସ୍ତାନ୍ତର କରିବେ କରିବେ ବୋଲି ଦୀର୍ଘ ବର୍ଷ ହେଲା ଯେଉଁ କଳ୍ପନାଜଳ୍ପନା ଚାଲି ଥିଲା ତାହାର ଅବସାନ ଘଟିଛି । ସେ ହେଉଛନ୍ତି ନେହେରୁ-ଗାନ୍ଧି ପରିବାରର ଷଷ୍ଠ ସଦସ୍ୟ ଯିଏକି ଦେଶରେ କଂଗ୍ରେସର ସର୍ବୋଚ୍ଚ ନେତା ଭାବେ ଅଭିଷିକ୍ତ ହେବାକୁ ଯାଉଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS