ମହାନଦୀ ଜଳ ବିବାଦ: ଭାଜପା ପାଇଁ ଓଡ଼ିଶାର ସ୍ୱାଥ କିଛି ନୁହଁ, ଦଳର ସ୍ୱାର୍ଥ ସବୁ କିଛି !
– ପ୍ରସାଦ ରାଓ –
ଭୁବନେଶ୍ୱର, ୮ ଡ଼ିସେମ୍ବର: ଓଡ଼ିଶା- ଛତିଶଗଡ଼ ମଧ୍ୟରେ ଏକ ବର୍ଷରୁ ଅଧିକ ଦିନ ହେଲା ଲାଗି ରହି ଥିବା ମହାନଦୀ ଜଳ ବିବାଦର ସମାଧାନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିବା ସହ କେନ୍ଦ୍ର ସହ ରାଜ୍ୟର ସଂପର୍କକୁ ଅଧିକ ତୀକ୍ତ କରିଛି । ବାରମ୍ବାର ଅନୁରୋଧ ସତ୍ୱେ ଛତିଶଗଡ଼ ସରକାର ଏହି ବିବାଦର ସମାଧାନ ଦିଗରେ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ନ କରିବାରୁ ରାଜ୍ୟ ସରକାର କେନ୍ଦ୍ରର ସହାୟତା ଲୋଡି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ସହ ନିକଟରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଆନ୍ତଃରାଜ୍ୟ ପରିଷଦ ବୈଠକରେ ଟ୍ରିବ୍ୟୁନାଲ ଗଠନ ଦାବି ଦୋହରାଇ ଥିଲେ । କେନ୍ଦ୍ର ସରକାରଙ୍କ ଆଡୁ ସକାରାତ୍ମକ ସହଯୋଗ ଆଶା କରାଯାଇଥିଲା । ତେବେ, କେନ୍ଦ୍ର ପକ୍ଷରୁ ଗତ ୬ ତାରିଖ ଦିନ ମହାନଦୀ ଜଳ ବିବାଦ ସଂପର୍କରେ ସୁପ୍ରିମ କୋର୍ଟରେ ଦାଖଲ କରାଯାଇ ଥିବା ସତ୍ୟପାଠ ରାଜ୍ୟ ସରକାରଙ୍କ ବିଶ୍ୱାସ ପ୍ରତି କୁଠାରାଘାତ କରିଛି । ଏହି ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର ସତ୍ୟପାଠ ମାଧ୍ୟମରେ ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି । ଗଲା ଅକ୍ଟୋବର ମାସରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ବିବାଦର ସମାଧାନ ପାଇଁ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ସକାଶେ ପଦକ୍ଷେପ ନିଆ ଯାଉଛି ବୋଲି କହିଥିବା ବେଳେ ଡ଼ିସେମ୍ବର ମାସରେ ସତ୍ୟପାଠ ଦାଖଲ କରି ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି କହିବା ରାଜ୍ୟବାସୀଙ୍କୁ ଆଚମ୍ବିତ କରିିଛି ।
ଗତ ବୁଧବାର ଦିନ ରାଜ୍ୟ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଦୀର୍ଘ ପାଂଚ ଘଂଟା ଧରି ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ବିରୋଧରେ ଭାଜପା ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ମିଳିତ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବା ସପକ୍ଷରେ ମତ ଦେଇଥିଲା । ଗୁରୁବାର ବିଧାନସଭା ଅଧିବେଶନର ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହେବା ସହ ଦୀର୍ଘ ସମୟ ଗୃହ ମୁଲତବୀ ରହି ଥିଲା । ପରେ ଗୃହରେ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରାଯିବା ସହ ଟ୍ରିବ୍ୟୁନାଲ ଗଠନ ଦାବି ସପକ୍ଷରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଏକ ଗୃହ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଭାଜପା ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ଟ୍ରିବ୍ୟୁନାଲ ଗଠନ ଦାବିରେ କେନ୍ଦ୍ରକୁ ଘେରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଫଳରେ, ଏହି ଆନେ୍ଦାଳନ ଅଧିକ ଯୋରଦାର ହେବା ନିଶ୍ଚିତ ହୋଇଛି । ଗୁରୁବାର ଅଧିବେଶନରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା ବେଳେ ଶାସକ ବିଜେଡ଼ି ସଭ୍ୟମାନେ କେନ୍ଦ୍ର ସରକାରଙ୍କ ନକାରାତ୍ମକ ଆଭିମୁଖ୍ୟ ବିରୋଧରେ ଗୃହରେ ହଟ୍ଟଗୋଳ କରିଥିବା ବେଳେ ଭାଜପା ବିଧାୟକମାନେ ରାଜ୍ୟ ସରକାରଙ୍କ ଅବହେଳାକୁ ସମାଲୋଚନା କରି ହଟ୍ଟଗୋଳ କରିଥିଲେ । କଂଗ୍ରେସ ସଦସ୍ୟମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଗୃହର ମଧ୍ୟଭାଗକୁ ଯାଇ ପାଟିତୁଣ୍ଡ କରିବାରୁ ଶୂନ୍ୟକାଳରେ ମାତ୍ର ୩ ମିନିଟ ପାଇଁ ଗୃହ ଚାଲି ଥିଲା । ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖି ଥିଲେ । ଅପରାହ୍ନରେ ଆଲୋଚନା ଆରମ୍ଭ ହୋଇ ଭାଜପା ବ୍ୟତୀତ ଅନ୍ୟ ବିରୋଧୀ ଦଳଙ୍କ ସହମତିରେ କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ଆନେ୍ଦାଳନର ନିଷ୍ପତ୍ତି ନିଆଯାଇ ଥିଲା । କେନ୍ଦ୍ର ସରକାର ବୁଧବାର ଦିନ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଓଡ଼ିଶା ସରକାରଙ୍କୁ ‘ମିଛୁଆ’ ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିବା ବେଳେ କେନ୍ଦ୍ର ବିରୋଧରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟ ଯିବାକୁ ବିଚାର କରୁଥିବା ଅଧିବେଶନ ପରେ ସୂଚନା ମିଳିଛି ।
ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ କରନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁ ଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ବିବାଦର ସମାଧାନ ପାଇଁ ଏକାଧିକ ବାର ଆଲୋଚନା କରି ବିଫଳ ହୋଇଛନ୍ତି । ତେବେ, ଓଡ଼ିଶା ସରକାର ରାଜ୍ୟର ଅନ୍ୟ ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନ ନେଇ ଏକାକୀ ଆନେ୍ଦାଳନ କାର୍ଯ୍ୟକ୍ରମ ଚଳାଇବାରୁ ସମାଲୋଚନାର ଶରବ୍ୟ ହୋଇ ଥିଲା । ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଗୋଷ୍ଠୀ ବିବାଦରେ ଆକ୍ରାନ୍ତ ଥିବା ସତ୍ୱେ ଦଳର ନେତାମାନେ ଏକାଠି ନ ହେଲେ ବି ଭିନ୍ନ ଭିନ୍ନ ଭାବେ ‘ମହାନଦୀ ବଂଚାଅ’ ଆନ୍ଦାଳନରେ ସାମିଲ ହୋଇ ଥିଲେ । କେନ୍ଦ୍ର ଭାଜପା ସରକାରଙ୍କ ସମର୍ଥନରେ ରାଜ୍ୟ ଭାଜପା ନେତାମାନେ ରାଜ୍ୟର ସ୍ୱାର୍ଥକୁ ଭୁଲି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ସପକ୍ଷରେ ଓକିଲାତି କରିବା କେନ୍ଦ୍ର ସରକାର ଓ ଛତିଶଗଡ଼ର ଭାଜପା ସରକାରଙ୍କୁ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ଦେଖାଇବାରେ ସାହାଯ୍ୟ କରିଛି । ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ସଂହତି ନ ଥିବା ଦେଖି ଛତିଶଗଡ଼ର ରମଣ ସିଂହ ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶାର ସମସ୍ତ ଦାବିକୁ ପ୍ରତ୍ୟାଖାନ କରି ଆସିଛନ୍ତି । ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ମାଧ୍ୟମରେ ବିବାଦର ସମାଧାନ ସମ୍ଭବ ବୋଲି ଓଡ଼ିଶାର ପୂର୍ବତନ ଜଳସଂପଦ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର ମତ ଦେବା ପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଟିବ୍ୟୁନାଲ ଗଠନ ଦାବି ଉଠାଇ ଥିଲା । କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ନୀତିନ ଗଡକାରୀ ପ୍ରମୁଖ ଟ୍ରିବ୍ୟୁନାଲ ଗଠନର ପ୍ରତିଶ୍ରୁତି ଦେଇ ବିଭିନ୍ନ ସଂକଟ ସମୟରେ କେନ୍ଦ୍ର ସପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ହାସଲ କରିବା ପରେ ଓଡ଼ିଶାର ଦାବିକୁ ଉପେକ୍ଷା କରି ଆସି ଥିବା ଦେଖିବାକୁ ମିଳିଛି। ବିଳମ୍ବରେ ହେଲେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଚେତିଛନ୍ତି । ରାଜ୍ୟର ବିରୋଧୀ ରାଜନୈତିକ ଦଳଙ୍କୁ ବିଶ୍ୱାସକୁ ନେଇ ସେ ଏବେ ମହାନଦୀ ଆନେ୍ଦାଳନକୁ ଆଗେଇ ନେବାକୁ ସଂକଳ୍ପ ନେଇଥବା ସ୍ପଷ୍ଟ ହେଉଛି ।
ମଙ୍ଗଳବାର ଦିନ ରାଜ୍ୟର ୧୩ଟି ରାଜନୈତିକ ଦଳର (ବିଜେଡ଼ି, କଂଗ୍ରେସ ସମେତ) ନେତାମାନେ ମିଳିତ ଭାବେ ରାଜଭବନକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମରକପତ୍ର ଦେଇଛନ୍ତି । ‘ମହାନଦୀ ବଂଚାଓ ଆନେ୍ଦାଳନ’ ଦ୍ୱାରା ଏହି ବିକ୍ଷୋଭ ସଂଗଠିତ ହୋଇଥିଲା । କେନ୍ଦ୍ର ସରକାର ଟାଳଟୁଳ ନୀତି ଛାଡି ମହାନଦୀ ଜଳ ବିବାଦର ସମାଧାନ ପାଇଁ ତୁରନ୍ତ ଏକ ଟ୍ରିବ୍ରୁନାଲ ଗଠନ କରନ୍ତୁ ବୋଳି ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ପରବର୍ତୀ ପଦକ୍ଷେପ ସ୍ୱରୂପ ଆସନ୍ତା ୧୮ ତାରିଖ ନୂଆଦିଲ୍ଲୀ ଠାରେ ବିଭିନ୍ନ ରାଜନୈତିକ ଦଳକୁ ନେଇ ଏକ ବଡ଼ ଧରଣର ବିକ୍ଷୋଭ କରାଯିବ ବୋଲି ‘ମହାନଦୀ ବଂଚାଓ ଆନେ୍ଦଳନ’ର ନେତାମାନେ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉଦେ୍ଦଶ୍ୟରେ ଦିଆ ଯାଇଥିବା ସ୍ମାରକପତ୍ରରେ ଟ୍ରିବ୍ୟୁନାଲ ଗଠନ ଦାବି ଉପସ୍ଥାପନ କରାଯାଇ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଛତିଶଗଡ଼ ସରକାରଙ୍କ ପକ୍ଷରୁ ମହାନଦୀ ଉପରେ ନିର୍ମାଣାଧୀନ ଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖା ଯିବା ଏବଂ ନିର୍ମାଣ ସରିଥିବା ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକ୍ଷମ କରା ନ ଯିବା ପାଇଁ ଦାବି ହୋଇଛି । ରାଜ୍ୟ ଭାଜପା ନେତୃତ୍ୱ ଏହି ଆନେ୍ଦାଳନ କାର୍ଯ୍ୟକ୍ରମରୁ ଦୂରେଇ ରହି କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପ୍ରତି ସମର୍ଥନ ଜାହିର କରିବା ରାଜ୍ୟ ସ୍ୱାର୍ଥ ବିରୋଧୀ ବୋଲି ଆଲୋଚନା ହେଉଛି ।
ତେବେ, ଭାଜପାର ଯୁକ୍ତି ହେଉଛି, କେନ୍ଦ୍ର ସରକାର ବୁଧବାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ମହାନଦୀ ବିବାଦର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ସିନା କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ନଦୀ ଜଳ ବିବାଦର ସମାଧାନ ପାଇଁ ଏକ ସ୍ଥାୟୀ ଟ୍ରିବ୍ୟୁନାଲ ବେଂଚ୍ ଗଠନ ପ୍ରସ୍ତାବ ଥିବା ସୂଚନା ଦେଇଛନ୍ତି । ପାର୍ଲାମେଂଟରେ ଏକ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସଂଶୋଧନ ବିଲ୍ ଆଗତ କରାଯାଇଛି, ଓଡ଼ିଶା ଚାହିଁଲେ ମହାନଦୀ ବିବାଦର ସମାଧାନ ପାଇଁ ସେହି ଟ୍ରିବ୍ୟୁନାଲରେ ଆବେଦନ କରି ପାରିବ ବୋଲି ଦଳ ସ୍ପଷ୍ଟ କରିଛି । ତେବେ, କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ ଛତିଶଗଡ଼ ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ଦେଇ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଛତିଶଗଡ଼ ପକ୍ଷରୁ ମହାନଦୀ ଜଳକୁ ବ୍ୟବହାର କରିବା ପାଇଁ ଉପରମୁଣ୍ଡରେ ଯେତେ ସବୁ ପ୍ରକଳ୍ପ କରାଯାଉଛି ବା କରାଯାଇଛି ସେସବୁ ଓଡ଼ିଶାର ସ୍ୱାର୍ଥରେ କୌଣସି ଆଂଚ ଆଣୁ ନାହିଁ ବୋଲି କେନ୍ଦ୍ର ପକ୍ଷରୁ ଦର୍ଶାଯାଇଛି । ଏହାମଧ୍ୟ କୁହାଯାଇଛି ଯେ, ମହାନଦୀ ଜଳ ବିବାଦ ସଂପର୍କରେ ଛତିଶଗଡ଼ ସରକାର ନିଜ ସପକ୍ଷରେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ସପକ୍ଷରେ ଯଥେଷ୍ଟ ତଥ୍ୟ, ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ପଛରେ ଛତିଶଗଡ଼ ସରକାରଙ୍କୁ ସାହାଯ୍ୟ କରିବା ଉଦେ୍ଦଶ୍ୟ ନିହିତ ରହିଛି । ୨୦୧୮ରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ସାହାଯ୍ୟ କରିବା ପାଇଁ ଓଡ଼ିଶାର ସ୍ୱାର୍ଥକୁ ବଳି ପକାଇ ଥିବା ଚର୍ଚ୍ଚା ହେଉଛି । ଓଡ଼ିଶାର ଭାଜପା ନେତାମାନେ ଏଥିରେ ଭାଗିଦାର ହୋଇ ସେମାନଙ୍କ ପାଇଁ ରାଜ୍ୟର ସ୍ୱାର୍ଥ ଅପେକ୍ଷା ନିଜ ଦଳର ସ୍ୱାର୍ଥ ଅଧିକ ଗୁରୁତ୍ୱ ବହନ କରୁଥିବା ପ୍ରମାଣିତ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS