ମୋଦୀଙ୍କୁ କଟାକ୍ଷ ମଣିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା..
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୮ ଡ଼ିସେମ୍ବର: କୂଟନୀତିଜ୍ଞରୁ ରାଜନେତା ପାଲଟି ଥିବା ୭୬ ବର୍ଷ ବୟସ୍କ ମଣିଶଙ୍କର ଆୟାର ଭାରତୀୟ ରାଜନୀତିରେ ଜଣେ ବିଜ୍ଞ ବ୍ୟକ୍ତି ଭାବେ ପରିଚିତ । ସ୍ତମ୍ଭକାର ଭାବେ ମଧ୍ୟ ତାଙ୍କ ପରିଚିତ ରହିଛି । ତେବେ, ବିଜ୍ଞ ବ୍ୟକ୍ତିଙ୍କ ପାଖରେ କିଛି କିଛି ଆଳୁ ଦୋଷ ଥାଏ, ଯାହାକି ସେମାନଙ୍କୁ ସମୟ ସମୟରେ ଅଡୁଆରେ ପକାଏ । ସେଭଳି ମଣିଶଙ୍କରଙ୍କ ଆଳୁ ଦୋଷ ହେଉଛି ସ୍ୱାଭିିମାନ ଓ ମୁଖୁରାପଣ । ଭାରତୀୟ କୂଟନୈତିକ ସେବାରୁ ରାଜନୀତିକୁ ଆସି ଥିବାରୁ ସେ କିଛି ମାତ୍ରାରେ ଅଭିମାନୀ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବନ୍ଧୁ ଓ ଡ଼ୁନ୍ ସ୍କୁଲ ସାଥୀ ଭାବେ ସେ କଂଗ୍ରେସ ରାଜନୀତିକୁ ଆସି ଥିଲେ । ଏକଦା ଗାନ୍ଧୀ ପରିବାର ସହ ତାଙ୍କ ଘନିଷ୍ଟତା ଚର୍ଚ୍ଚିତ ବିଷୟ ଥିଲା । ଅରୁଣ ନେହେରୁ, ଅରୁଣ ସିଂହ, ଅମିତାଭ ବଚ୍ଚନ, ଅଜିତ ଯୋଗୀଙ୍କ ସହ ମଣିଶଙ୍କର ଗାନ୍ଧୀ ପରିବାରର ‘ପାରିବାରିକ ବନ୍ଧୁ’ ଭାବେ ପରିଚୟ୍ୱ ବହନ କରୁଥିଲେ । ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ମଧ୍ୟ ଦଳରେ ତାଙ୍କ ଗୁରୁତ୍ୱ ରହି ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ୟୁପିଏ -୧ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇ ଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱରେ ଥିଲେ । ତେବେ, ତାଙ୍କ ମୁଖୁରାପଣ ସୋନିଆ ଗାନ୍ଧୀଙ୍କ ଦରବାରରେ ତାଙ୍କୁ ଗୁରୁତ୍ୱହୀନ କରି ଦେଲା । ଦଳର ଅନ୍ୟ ବହୁ ପୁରୁଖା ନେତାଙ୍କ ଭଳି ସେ ମଧ୍ୟ ଦଳରେ କୋଣଠେସା ହୋଇ ଗଲେ । ଏବେ ରାଜୀବ ପୁତ୍ର ରାହୁଲ ଗାନ୍ଧୀ କଂଗ୍ରେସର ମଙ୍ଗ ହାତକୁ ନ ଆସୁଣୁ ମଣିଶଙ୍କରଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ ତାଙ୍କୁ ‘କାରଣଦର୍ଶାଅ’ ନୋଟିସ ମଧ୍ୟ ଜାରି କରାଯାଇଛି । ମୋଦୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ରାହୁଲ ତାଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାକୁ ନେଇ ଭାରତୀୟ ରାଜନୀତି ସରଗରମ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରତି ମଣିଶଙ୍କରଙ୍କ କଟୁକ୍ତି ଡ଼ିସେମ୍ବର ୯ ଓ ୧୪ ତାରିଖରେ ହେଉଥିବା ଗୁଜୁରାଟ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କାରେ କଂଗ୍ରେସ ଦଳ ମଣିଶଙ୍କରଙ୍କ ପ୍ରତି ଦଣ୍ଡ ବିଧାନ ଭଳି ପ୍ରତିରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଭାଜପା ଏଥିରୁ ସର୍ବାଧିକ ଫାଇଦା ଉଠାଇବା ପାଇଁ ଲାଗି ପଡିଛି।
“ମୁଝେ ଲଗ୍ତା ହୈ କି ୟେ ଆଦ୍ମୀ ନୀଚା କିସମ୍ କା ଆଦମୀ ହେ, ଇସ୍ମେ କୋଇ ସଭ୍ୟତା ନହିଁ ହୈ …”ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମଣିଶଙ୍କର ଆୟାର ଏଭଳି ମନ୍ତବ୍ୟ ଦେଇଥିବା ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିବା ପରେ ଭାଜପା ବୋବାଲ ଆରମ୍ଭ କରି ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ଗୁଜରାଟର ସୁରଟ ସହରରେ ଦଳିତ ସଂପ୍ରଦାୟର ପ୍ରତୀକ ବି.ଆର. ଆମ୍ବେଦକର ସମ୍ମାନାର୍ଥେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେବା ବେଳେ ମଣିଶଙ୍କରଙ୍କ ‘ନୀଚ୍’ ମନ୍ତବ୍ୟକୁ ନେଇ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ତୀବ୍ର ସମାଲୋଚନା କରିବା ସହ ମଣିଶଙ୍କର ଏଭଳି ଜାତିଗତ ମନ୍ତବ୍ୟ ଦେଇ ଦଳିତ ସଂପ୍ରଦାୟକୁ ଓ ସାମଗ୍ରିକ ଭାବେ ଗୁଜରାଟକୁ ଅପମାନିତ କରିଛନ୍ତି ବୋଲି କହିଥିଲେ । ଗୁଜରାଟବାସୀ ଡ଼ିସେମ୍ବର ୧୮ ତାରିଖ (ବିଧାନସଭା ନିର୍ବାଚନ ଭୋଟ ଫଳାଫଳ ପ୍ରକାଶ ପାଇବ) ଦିନ ଏହାର ଉଚିତ ଜବାବ ଦେବେ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇ ଥିଲେ । ପରେ, ଭାଜପା ସମର୍ଥକମାନେ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ବିରୋଧୀ ଅଭିଯାନ ଯୋରଦାର କରି କଂଗ୍ରେସର ହୃତ୍କଂପ ବଢାଇ ଦେଇଛନ୍ତି । ଗୁଜୁରାଟ ନିର୍ବାଚନରେ କଂଗ୍ରେସର ମଙ୍ଗ ଧରି ଥିବା ଏଆଇସିସି ଉପ ସଭାପତି (୧୧ ତାରିଖ ସଭାପତି ଘୋଷିତ ହେବେ) ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ମଣିଶଙ୍କରଙ୍କ ‘ନୀଚ୍’ ମନ୍ତବ୍ୟ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କାରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଏଭଳି ଅଶାଳୀନ ମନ୍ତବ୍ୟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି । ‘ନୀଚ୍’ ମନ୍ତବ୍ୟ ପାଇଁ ଦଳର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ଷମା ମାଗିବା ଆବଶ୍ୟକ ବୋଲି ମଧ୍ୟ ରାହୁଲ ସ୍ପଷ୍ଟ କରି ଦେଇ ଥିଲେ । ପରେ, ମଣିଶଙ୍କରଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଗଲା ଏବଂ ଅଶାଳୀନ ମନ୍ତବ୍ୟ ପାଇଁ ‘କାରଣଦର୍ଶାଅ’ ନୋଟିସ ଜାରି କରାଯାଇଛି । ମଣିଶଙ୍କରଙ୍କ ବିରୋଧରେ ରାହୁଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କଥା ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ସକାଶେ ଏକ ପୋଷ୍ଟର ମଧ୍ୟ ଛଡା ଯାଇଛି । ଏଥିରେ କାର୍ଯ୍ୟାନୁଷ୍ଠାନ ପାଇଁ ରାହୁଲଙ୍କୁ ‘ସାବାସୀ’ ଦିଆ ଯାଇଛି । ଆଲହାବାଦର ଜନୈକ ହାସିବ ଅହମ୍ମଦଙ୍କ ନାମରେ ଏହି ପୋଷ୍ଟର ଛଡା ଯାଇଥିବା ବେଳେ ଏହା କଂଗ୍ରେସର ‘କାଉଂଟର୍ ପଲିଟିକ୍ସ’ ଭାବେ ବିଚାର କରାଯାଉଛି ।
ଅପରପକ୍ଷରେ, ପୂର୍ବତନ କୂଟନୀତିଜ୍ଞ ତଥା ନିଲମ୍ବିତ କଂଗ୍ରେସ ନେତା ମଣିଶଙ୍କର ନମ୍ରତାର ସହ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରି ହିନ୍ଦୀ ଭାଷା ଉପରେ ତାଙ୍କର ଦକ୍ଷତା ନଥିବାରୁ ସେ ଅଜାଣତରେ ଏଭଳି ଏକ ଭୁଲ ମନ୍ତବ୍ୟ ଦେଇଛନ୍ତି ବୋଲି ସ୍ୱୀକାର କରି କଂଗ୍ରେସ ହାଇକମାଣ୍ଡ୍ଙ୍କ କ୍ରୋଧରୁ ବର୍ତିବାକୁ ଉଦ୍ୟମ କରିଥିବା ବେଳେ ଭାଜପା ନେତୃତ୍ୱ ଗୁଜରାଟ ବିଧାନସଭା ନିର୍ବାଚନରେ ‘ନୀଚ୍’ ମନ୍ତବ୍ୟକୁ ଭୋଟରେ ପରିଣତ କରି ସର୍ବାଧିକ ଫାଇଦା ନେବାକୁ ଉଦ୍ୟମ କରୁଛି । ମୋଦୀଙ୍କ ପରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେତ୍ଲି ମଣିଶଙ୍କରଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଉପରେ ମନ୍ତବ୍ୟ ଦେଇଛନ୍ତି । ଏହା ଏକ ‘ପ୍ରତିରକ୍ଷାତ୍ମକ କୌଶଳ’ ବୋଲି ସେ କହିଛନ୍ତି । ‘ସାଧାରଣ ପରିବାରରୁ ଆସିଥିବା ଜଣେ ବ୍ୟକ୍ତି ବଂଶବାଦ ବିରୋଧରେ ରାଜନୈତିକ ଲଢେଇ କରି କ୍ଷମତା ଦଖଲ କରିବା ହେଉଛି ଭାରତୀୟ ଗଣତନ୍ତ୍ରର ବାସ୍ତବତା’ ବୋଲି ଜେତ୍ଲି ମନ୍ତବ୍ୟ ଦେବା ସହ କହିଛନ୍ତି ଯେ, ମଣିଶଙ୍କର ଜାଣିଶୁଣି ଏଭଳି ‘ଜାତିଆଣ’ ମନ୍ତବ୍ୟ ଦେଇଛନ୍ତି । ମଣିଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଲୋକ ଦେଖାଣିଆ ।
ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ବିବାଦୀୟ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ । ଗତ ଅକ୍ଟୋବର ମାସରେ ମଧ୍ୟ ସେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ । ଏଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ନୀଚ୍’ କହି ଚର୍ଚ୍ଚାରେ ଥିବା ବେଳେ ଅକ୍ଟୋବରରେ କଂଗ୍ରେସରେ ଚାଳିଥିବା ବଂଶାବାଦ ବିରୋଧରେ ଟିପ୍ପଣୀ ଦେଇ ମୋଦୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । କଂଗ୍ରେସରେ ଚାଲିଥିବା ସାଂଗଠନିକ ନିର୍ବାଚନ ସଂପର୍କରେ ସେ ମତଦେଇ କହିଥିଲେ ଯେ, କଂଗ୍ରେସରେ ମା’, ନ ହେଲେ ପୁଅ ସଭାପତି ହେବେ । ସାଂଗଠନିକ ନିର୍ବାଚନ କାହିଁକି ! ରାହୁଲ ସଭାପତି ଦାୟିତ୍ୱ ନେବାକୁ ପ୍ରସ୍ତୁତ, ନିର୍ବାଚନ ଲଢିବାକୁ ମଧ୍ୟ ସେ ପ୍ରସ୍ତୁତ । ମଇଦାନରେ ଏକାଧିକ ପ୍ରାର୍ଥୀ ନ ଥିଲେ ତାହାକୁ ନିର୍ବାଚନ କେମିତି କୁହାଯିବ (?) ବୋଲି ସେ ପ୍ରଶ୍ନ କରିଥିଲେ । ମଣିଶଙ୍କରଙ୍କ ଏହି କଟାକ୍ଷକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବିଭିନ୍ନ ନିର୍ବାଚନ ସଭାରେ ଉପସ୍ଥାପନ କରି କଂଗ୍ରେସରେ ଚାଲିତିବା ବଂଶବାଦ ବିରୋଧରେ ଚୁଟ୍କି ନେଇ ଆସିଛନ୍ତି । ସେତେବେଳେ ଆଶଙ୍କା କରାଯାଉଥିଲା ମଣିଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି। କିନ୍ତୁ, କଂଗ୍ରେସ ହାଇକାମଣ୍ଡ୍ ନୀରବ ଥିଲେ । ହଠାତ୍ ପଲ୍ଲା ପଲଟିିଛି ଗୁରୁବାର ଦିନ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ‘ନୀଚ୍’ ମନ୍ତବ୍ୟ ପ୍ରୟୋଗ ପାଇଁ ମଣିଶଙ୍କର ମୋଦୀ ଶିବିରରେ ନିନ୍ଦିତ ହୋଇଥିବା ବେଳେ ଦଳର ପ୍ରାଥମିକ ସଭ୍ୟ ପଦରୁ ମଧ୍ୟ ନିଲମ୍ବିତ ହୋଇଛନ୍ତି । ‘କାରଣଦର୍ଶାଅ’ ନୋଟିସ ମଧ୍ୟ ପାଇଛନ୍ତି । ଅକ୍ଟୋବର ମନ୍ତବ୍ୟର କାର୍ଯ୍ୟାନୁଷ୍ଠାନ ଏବେ ହେଲା କି (?) ବୋଲି ପ୍ରଶ୍ନ ହେଉଛି । ଆଜିର ରାଜନୀତିରେ ଏହା ହିିଁ ବାସ୍ତବିକତା ବୋଲି କୁହାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS