ବିଶ୍ୱ ହକି ଲିଗ୍ ଫାଇନାଲ୍: ଜର୍ମାନୀକୁ ହରାଇ ଭାରତର ବ୍ରୋଞ୍ଜ୍ ପଦକ ହାସଲ, ବିଜେତା ଦଳର ପ୍ରତି ଖେଳାଳୀକୁ ମୁଖ୍ୟମନ୍ତ୍ରୀ ଦେଲେ ୧୦ ଲକ୍ଷର ଚେକ୍
ଭୁବନେଶ୍ୱର, ୧୦ ଡ଼ିସେମ୍ବର (ମୋଅନୁଭବ ମିଡ଼ିଆ): ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଚାଲି ଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍ରେ ଭାରତୀୟ ହକି ଦଳ ରବିବାର ଦିନ ଜର୍ମାନୀକୁ ୨-୧ରେ ପରାଜିତ କରି ବ୍ରୋଞ୍ଜ୍ ପଦକ ହାସଲ କରିଛି । ଖେଳର ପ୍ରଥମ ହାଫ୍ରେ ଭାରତର ଏସ.ଭି. ସୁନିଲ (୨୦) ଜର୍ମାନୀ ବିପକ୍ଷରେ ପ୍ରଥମ ଗୋଲ୍ ଦେଇ ଭାରତକୁ ଆଗୁଆ ରଖିଥିଲେ । ତେବେ, ଭାରତୀୟ ଦଳର ପ୍ରତିରକ୍ଷା ଭାଗର ଦୁର୍ବଳତାର ସୁଯୋଗ ନେଇ ଜର୍ମାନୀର ମାର୍କ ଆପେଲ୍ (୩୬) ଭାରତ ବିପକ୍ଷରେ ଗୋଟିଏ ଗୋଲ୍ ଦେଇ ଫଳାଫଳକୁ ସମାନ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଛକାପଂଝା ଭିତରେ ଖେଳ ରୋଚକ ମୋଡ ନେଇ ଥିଲା । ଖେଳ ସରିବାର ଛଅ ମିନିଟ ପୂର୍ବରୁ ଭାରତର ହରମିତ ସିଂହ (୫୪) ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଭାରତୀୟ ଦଳକୁ ବିଜୟୀ କରିବା ସହ ବିଶ୍ୱ ହକି ଲିଗ୍ ଫାଇନାଲରେ ଭାରତ ପାଇଁ ବ୍ରୋଞ୍ଜ୍ ପଦକ ପାଇବା ସୁଯୋଗ ସୃଷ୍ଟି କରିଥିଲେ । ଭାରତର ଏହି ବିଜୟ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଟିମ୍ କୁ ଅଭିନନ୍ଦନ ଜଣାଇବା ସହ ଟିମ୍ର ପ୍ରତ୍ୟେକ ସଭ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫ୍ କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି ।
ବିଜେତା ଦଳର ଖୋଳାଳୀ ଓ ସପୋର୍ଟ ଷ୍ଟାଫ୍ ଙ୍କୁ ପୁରସ୍କାର ରାଶି ଚେକ୍ରେ ବିତରଣ କଲା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିଶ୍ୱ ହକି ଲିଗ୍ ଫାଇନାଲରେ ଭାରତୀୟ ଦଳ ବ୍ରୋଞ୍ଜ୍ ପଦକ ଜିତି ଥିବାରୁ ସେ ଆନନ୍ଦିତ । ସମସ୍ତ ଖେଳାଳୀଙ୍କୁ ସେ ଅଭିନନ୍ଦନ ଜଣାଉଛନ୍ତି । ଖେଳାଳୀମାନେ ସୁନ୍ଦର ଖେଳ ପ୍ରଦର୍ଶନ କରିଥିବାରୁ ସେ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିବା ସକାଶେ ରାଜ୍ୟ ସରକାର ଆର୍ଥିକ ପୁରସ୍କାର ପ୍ରଦାନ କରିଥିବା କହିଛନ୍ତି । ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତି ଥିବା ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଗ୍ୟାଲେରିରେ ଉପସ୍ଥିତି ରହି ଖେଳାଳୀମାନଙ୍କୁ ଉତ୍ସାହିତ କରୁଥିବା ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ଏସ.ସି.ଜମିର୍, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର୍, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ରୋଞ୍ଜ୍ ପଦକ ଜିତି ଥିବା ଖେଳାଳୀଙ୍କ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଠୋର୍ କୌଣସି ପୁରସ୍କାର ଘୋଷଣା କରି ନଥିଲେ ମଧ୍ୟ ଖେଲୋ ଇଣ୍ଡିଆ ସ୍କିମ୍କୁ କେନ୍ଦ୍ର ସରକାର ପୁନର୍ଗଠନ କରିଥିବା ଏବଂ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ୧୦୦୦ ପ୍ରତିଭାଶାଳୀ ଖେଳାଳୀଙ୍କୁ ସ୍କଲରସିପ୍ ଦେବା ବ୍ୟବସ୍ଥା କରା ଯାଇଥିବା ସୂଚନା ଦେଇଥିଲେ । ଏହି ସ୍କିମ୍ରେ ମନୋନୀତ ହୋଇଥିବା ଖେଳାଳୀମାନେ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁ ଲଗାତର ଆଠ ବର୍ଷ ସ୍କଲରସିପ୍ ପାଇବେ ବୋଲି କେନ୍ଦ୍ର ମନ୍ତ୍ରୀ ରାଠୋର୍ କହିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS