ରାହୁଲ ହେଲେ ଏଆଇସିସି ସଭାପତି, ୧୬ରେ ଦାୟିତ୍ୱ ନେବେ
ନୂଆଦିଲ୍ଲୀ, ୧୧ ଡ଼ିସେମ୍ବର: ଦେଶର ୧୩୨ ବର୍ଷ ପୁରୁଣା କଂଗ୍ରେସ ଦଳରେ ନେତୃତ୍ୱ ପରିବର୍ତନ ହୋଇଛି । ଏଆଇସିସି ଉପ-ସଭାପତି ରାହୁଲ ଗାନ୍ଧୀଙ୍କୁ ସୋମବାର ଦିନ ଦଳର ସଭାପତି ଭାବେ ଘୋଷଣା କରାଯାଇଛି । ୪ ତାରିଖ ଦିନ ରାହୁଲ ଦଳର ଏହି ସର୍ବୋଚ୍ଚ ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ । ସୋମାବାର (୧୧ ତାରିଖ) ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିବସରେ ଦଳର ସମ୍ବିଧାନ ଅନୁଯାୟୀ ରାହୁଲଙ୍କୁ ବିଧିବଦ୍ଧ ଭାବେ ଏଆଇସିସି ସଭାପତି ଘୋଷଣା କରାଯାଇଛି। ୪୭ ବର୍ଷ ବୟସ୍କ ରାହୁଲ ଆସନ୍ତା ୧୬ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଅୟୋଜନ ହେବାକୁ ଥିବା ଏକ ଉତ୍ସବରେ ଦଳର ନିର୍ବାଚନ ପରିଚାଳନା କମିଟି ଠାରୁ ଏଆଇସିସି ସଭାପତି ଭାବେ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ର ଗ୍ରହଣ କରିବେ ବୋଲି ରିଟର୍ଣ୍ଣିଂ ଅଫିସର ମୁଲାପାଲ୍ଲୀ ରାମଚନ୍ଦ୍ରନ ସାମ୍ବାଦିକମାନଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ନାମାଙ୍କନପତ୍ର ପ୍ରତ୍ୟାହାର ତାରିଖ ଓ ସମୟ ଶେଷ ହୋଇଯାଇ ଥିବାରୁ ଏବଂ ସଭାପତି ପଦ ପାଇଁ ରାହୁଲ ଏକମାତ୍ର ପ୍ରାର୍ଥୀ ଥିବାରୁ ଦଳର ସମ୍ବିଧାନର ଆର୍ଟିକିଲ ୧୭ (ଘ) ଅନୁସାରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ଥିବା ଘୋଷଣା କରାଯାଇଛିି । ଦୀର୍ଘ ୧୯ ବର୍ଷରୁ ଅଧିକ ହେଲା ରାହୁଲଙ୍କ ମାତା ଶ୍ରୀମତୀ ସୋନିଆ ଗାନ୍ଧୀ ଏହି ପଦ ସଂଭାଳି ଆସିଥିଲେ । ରାହୁଲ ମା’ଙ୍କ ଠାରୁ ଦଳର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
ଶ୍ରୀମତୀ ଗାନ୍ଧୀ ୧୯୯୮ ମସିହା ମାର୍ଚ୍ଚ ୧୪ ତାରିଖରେ ଏଆଇସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ବହୁ ଉତ୍ଥାନ, ପତନ ମଧ୍ୟରେ ଦଳକୁ ଆଗେଇ ନେଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ୧୦ ବର୍ଷ ସରକାରରେ ଥିଲା । ସେ ବିରୋଧୀ ଦଳଙ୍କୁ ଏକାଠି କରି ମେଂଟ ସରକାର ପ୍ରତିଷ୍ଠାର ବିନ୍ଧାଣୀ ଭାବେ ୟୁପିଏ -୧ ଓ ୟୁପିଏ -୨ ସରକାରର ମଙ୍ଗ ଧରି ଥିଲେ । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ରହି ଥିଲେ ମଧ୍ୟ ସୋନିଆଙ୍କ ସଂକେତ ବିନା ଦଳ ଓ ସରକାରରେ ପତ୍ର ବି ହଲୁ ନ ଥିଲା । ବ୍ୟାପକ ଦୁର୍ନୀତି ଓ କୁଶାସନ ଅଭିଯୋଗରେ ଦେଶବାସୀ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ହଟାଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)କୁ ବିପୁଳ ଭୋଟରେ ବିଜୟୀ କରାଇ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଛନ୍ତି । ଦେଶରେ କଂଗ୍ରେସ ଦଳ ଏକ ସଂକଟର ସମୟ ଦେଇ ଗତି କରୁଥିବା ବେଳେ ରାହୁଲ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ନିର୍ବାଚିତ ହୋଇ ଥିବାରୁ ତାଙ୍କ ଦାୟିତ୍ୱ ବହୁମାତ୍ରାରେ ବଢି ଯାଇଛି । ବର୍ତମାନ ଗୁଜରାଟରେ ଚାଲି ଥିବା ବିଧାନସଭା ନିର୍ବାଚନର ଫଳାଫଳ ୧୮ ତାରିଖ ପ୍ରକାଶ ପାଇବ । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏହି ନିର୍ବାଚନର ସମ୍ମୁଖୀନ ହୋଇ ଥିବାରୁ ନିର୍ବାଚନ ଫଳାଫଳ ଉପରେ ତାଙ୍କ ରାଜନୈତିକ ଭବିଷ୍ୟତ ବହୁମାତ୍ରାରେ ନିର୍ଭର କରୁଛି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS