ମା’ନଦୀ ପାଇଁ ଆବେଗ…
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୧୨ ଡ଼ିସେମ୍ବର: ଆଜିର ସମାଜରେ ଜନ୍ମ କରିଥିବା ମା’ ପ୍ରତି ସହାନୁଭୂତି ରଖୁ ନ ଥିବା ମଣିଷ ମହାନଦୀକୁ ନେଇ ଉଦବିଗ୍ନ ହେବ, ସେ ଆଶା କ୍ଷୀଣ । ତଥାପି, ମହାନଦୀ ଆଜି ରାଜନେତାଙ୍କ ଚା’ କପ୍ ହୋଇଛି । ସକାଳୁ ଉଠିଲେ ନେତାଙ୍କ ବୟାନ ଓ ଗଣମାଧ୍ୟମର ତାଡନା ମହାନଦୀକୁ ‘ରାଜନୀତିର ନଦୀ’ରେ ପରିଣତ କରି ଦେଇଛି । ଶାସକ ଓ ବିରୋଧୀ ରାଜ୍ୟର ଭୋକିଲା ମଣିଷ କିଭଳି ରୋଜଗାର ପାଇବେ ଓ ରାଜ୍ୟର ଅର୍ଥନୈତିକ ବିକାଶ କେମିତି ହେବ, ତାହା ଚିନ୍ତା ନ କରି ବିଧାନସଭା ଗୃହକୁ ମହାନଦୀ ନା’ରେ ରଣକ୍ଷେତ୍ରରେ ପରିଣତ କରିଥିବା ବେଳେ ନୂଆ କରି ଗଜରୁ ଥିବା କିଛି ରାଜନୈତିକ ଓ ସାମାଜିକ ସଂଗଠନ ଏହାକୁ ଉପରକୁ ଉଠିବାର ‘ସିଡ଼ି’ ଭାବି ଗୋଟି ଚାଳନା କରୁଛନ୍ତି । ସମସ୍ତେ ମିଶି ଓଡ଼ିଶାର କେତେ ଲୋକଙ୍କୁ ପ୍ରଭାବିତ କରି ପାରିଛନ୍ତି ଏବଂ ଛତିଶଗଡ଼ର ମନମାନିକୁ ରୋକିବା ଲଢିବାରେ ସାମିଲ କରିଛନ୍ତି, ସେ କଥା ପଚାରିଲେ ବୋଧହୁଏ କହାରି ପାଖରେ ଉତ୍ତର ନାହିଁ ।
ମହାନଦୀ ବିବାଦ ଆଜିର ନୁହେଁ । ସମସ୍ୟା ଯଦି ଆଜିର ହୋଇ ଥା’ନ୍ତା ତେବେ, କେନ୍ଦ୍ର ସରକାର ୧୯୮୩ ମେମୋରାଣ୍ଡମ୍ ଅଫ୍ ଏଗ୍ରିମେଂଟ ଅନ୍ତର୍ଗତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଦ୍ୱାର ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ସୁପ୍ରିମ କୋର୍ଟରେ କାହିଁକି କହିଥା’ନ୍ତେ ! ମହାନଦୀ ଛତିଶଗଡ଼ରୁ ବାହାରି ଓଡ଼ିଶା ଦେଇ ସମୁଦ୍ରରେ ମିଶୁଛି । ନଦୀ ଜଳ ଉପରେ ଉତ୍ପତ୍ତି ସ୍ଥଳର ହକ୍କୁ କେହି ଅଗ୍ରାହ୍ୟ କରିପାରିବ ନାହିଁ। ତେବେ, ନଦୀଟି ଓଡ଼ିଶା ମାଟି ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶୁ ଥିବାରୁ ଓଡ଼ିଶା ତାହାର ଅଂଶ ଦାବୀ କରିବା ହକ୍ ରଖିଛି । ଭାଇ ଭାଗ ଭଳି କଥାରେ ବିବାଦ ନ ଛିଡ଼ିବାରୁ ଏବେ କୋର୍ଟ କଚେରୀ, ବିଧାନସଭା ଓ ପାର୍ଲାମେଂଟକୁ ଯାଇଛି । ଏମିତି ଚାଲିଲେ, ଦୁଇ ରାଜ୍ୟର ଜନତା ହିଂସାତ୍ମକ କାର୍ଯ୍ୟକୁ ଉତୁରିବା କିଛି ଅସମ୍ଭବ ନୁହେଁ । ତେବେ,ଏହି ଚରମ ପରିଣତି ପାଇଁ ଓଡ଼ିଶାବାସୀଙ୍କୁ କେତେଦୂର ଜାଗରିତ କରିବାରେ ଆମ ଶାସନ ବ୍ୟବସ୍ଥା ଓ ରାଜନେତାମାନେ ସଫଳ ହେଲେଣି?
ମହାନଦୀ ବା ମା’ ନଦୀ (ଓଡ଼ିଶାର ୨କୋଟିରୁ ଅଧିକ ଲୋକଙ୍କ ଅନ୍ନଦାତ୍ରୀ)କୁ ନେଇ ଓଡ଼ିଶାରେ ଶାସକ ଦଳ ଓ ବିରୋଧୀ କେବଳ ରାଜନୀତି କରୁଛନ୍ତି । ଗତ ଏକ ବର୍ଷରୁ ଅଧିକ ସମୟର ରାଜନୈତିକ କାର୍ଯ୍ୟକଳାପକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି । ଇସ୍ୟୁ ହେଉଛି, ମହାନଦୀ ଜଳକୁ ଶିଳ୍ପ ଓ ଚାଷ କ୍ଷେତ୍ରରେ ଅଧିକ ଉପଯୋଗ କରିବା ପାଇଁ ଛତିଶଗଡ଼ ସରକାର ନଦୀର ଉପରମୁଣ୍ଡରେ ଜଳ ସଂରକ୍ଷଣ ବ୍ୟବସ୍ଥା କରୁଛନ୍ତି । ଏକାଧିକ ପ୍ରକଳ୍ପ ନିର୍ମାଣ କରାଯାଉ ଥିବାରୁ ତଳମୁଣ୍ଡରେ ଥିବା ଓଡ଼ିଶା ଅଂଚଳକୁ ପୂର୍ବ ଭଳି ଆଉ ନଦୀ ଜଳ ମିଳୁ ନାହିଁ । ଏହା ଦ୍ୱାରା ଓଡ଼ିଶାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ପାନୀୟ ଜଳ ସଂକଟ ବହୁଗୁଣିତ ହେବା ଆଶଙ୍କା ଦେଖା ଦେଇଛି । ଗ୍ରାଷ୍ମ ଋତୁରେ ହୀରାକୁଦ ଜଳ ଭଣ୍ଡାରରେ ଆବଶ୍ୟକତା ଅନୁଯାୟୀ ପାଣି ନ ରହିଲେ ବିଦ୍ୟୁତ ଉତ୍ପାଦନ ମଧ୍ୟ ବ୍ୟାହତ ହେବ । ତେଣୁ, ଓଡ଼ିଶା ସରକାର ଚିନ୍ତିତ ହେବା ସ୍ୱାଭାବିକ । ଛତିଶଗଡ଼ ସରକାର ନଦୀର ଉତ୍ପତ୍ତି ସ୍ଥଳ ଛତିଶଗଡ଼ ହୋଇ ଥିବାରୁ ଉପର ମୁଣ୍ଡରେ ବହୁ ସଂଖ୍ୟକ ଛୋଟ, ବଡ ପ୍ରକଳ୍ପ କାର୍ଯ୍ୟକାରୀ କରି ସର୍ବାଧିକ ପରିମାଣର ମହାନଦୀ ଜଳ ବିନିଯୋଗ କରିବାକୁ ଚାହୁଁଛନ୍ତି । ପ୍ରକଳ୍ପ ଗୁଡ଼ିକର ଆରମ୍ଭ ବେଳେ ଓଡ଼ିଶା ସରକାରଙ୍କ ବିରୋଧ ନ ଥିଲା । କାରଣ, ଓଡ଼ିଶାରେ ମହାନଦୀ ଜଳକୁ ଗଚ୍ଛିତ ରଖି ବହୁମୁଖୀ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ହୀରାକୁଦ ଜଳ ଭଣ୍ଡାରକୁ ଛାଡି ଦେଲେ ଆଉ କିଛି ବଡ଼ ପ୍ରକଳ୍ପ ନାହିଁ । ବର୍ଷା ଋତୁରେ ଓଡ଼ିଶାକୁ ପ୍ରବାହିତ ହେଉଥିବା ନଦୀ ଜଳ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି କରି ବ୍ୟାପକ ଧନ, ଜୀବନ ହାନୀ କରୁଥିଲେ ମଧ୍ୟ ମହାନଦୀ ଉପରେ ଆଉ ଗୋଟିଏ ବଡ଼ ଧରଣର ଜଳଭଣ୍ଡାର ନିର୍ମାଣ କରାଯିବାର ଆବଶ୍ୟକତାକୁ ରାଜ୍ୟ ସରକାର କେବେ ଅନୁଭବ କରି ନାହାନ୍ତି । ରାଜ୍ୟ ଦେଇ ପ୍ରବାହିତ ହେଉଥିବା ନଦୀ ଜଳର ଶତକଡା ୫୩ ଭାଗ ଉପଯୁକ୍ତ ବିନିଯୋଗ ଅଭାବରୁ ସମୁଦ୍ରକୁ ଚାଲି ଯାଉଥିବା ବିଶେଷଜ୍ଞମାନେ କହୁଛନ୍ତି । ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ ହୀରାକୁଦ ଭଳି ଆଉ ଏକ ବୃହତ୍ ଜଳଭଣ୍ଡାର ମହାନଦୀ ତଳ ମୁଣ୍ଡରେ ନିର୍ମାଣ କରି ବର୍ଷା ଋତୁରେ ସମୁଦ୍ରକୁ ବୋହି ଯାଉଥିବା ଜଳ ଗଚ୍ଛିତ ରଖିବା ଆବଶ୍ୟକ ଥିଲା । ତାହା କରା ଯାଇ ଥିଲେ ରାଜ୍ୟର ପ୍ରକୃତ ଆବଶ୍ୟକତା ଏବଂ ମିଳୁଥିବା ଜଳର ସଠିକ୍ ପରିମାଣ ଆକଳନ ସମ୍ଭବ ହୋଇଥା’ନ୍ତା ଏବଂ ଛତିଶଗଡ଼ ଆଡୁ ଯଦି କିଛି ଅନ୍ୟାୟ କରାଯାଇଛି, ତାହା ବିରୋଧରେ ଜନମତ ସୃଷ୍ଟି କରାଯିବା ସହଜ ହୁଅନ୍ତା । ବର୍ତମାନ ଯାହା କିଛି ଚାଲିଛି ସବୁ ଆନୁମାନିକ ଏବଂ ଯାହାକୁ ବିଶେଷଜ୍ଞ ରିପୋର୍ଟ କୁହାଯାଉଛି, ତାହା ସରକାରଙ୍କ ଦ୍ୱାରା ପ୍ରସ୍ତୁତ । ରାଜ୍ୟ ସରକାରଙ୍କ ଅନୁଗତ ଯନ୍ତ୍ରୀମାନେ ସରକାରଙ୍କୁ ସୁହାଇଲା ଭଳି ରିପୋର୍ଟ ପ୍ରସ୍ତୁତ କରୁଥିବା ବେଳେ ବିରୋଧୀମାନେ ସରକାରଙ୍କୁ ଘେରିବା ଭଳି ତଥ୍ୟ ଉପସ୍ଥାପନ କରୁଛନ୍ତି । ଛତିଶଗଡ଼ ସରକାର ରାଜ୍ୟର ରାଜନୈତିକ ସ୍ୱାର୍ଥକୁ ସୁହାଇଲା ଭଳି ରିପୋର୍ଟ ପ୍ରସ୍ତୁତ କରି ନଦୀର ଉପରମୁଣ୍ଡରେ ନିର୍ମାଣ ହୋଇଥିବା ବା ନିର୍ମାଣ ଚାଲିଥିବା ପ୍ରକଳ୍ପ ଗୁଡ଼ିକର ଆବଶ୍ୟକତା ବା ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଉଦ୍ୟମ କରୁଛନ୍ତି । ଏହାଦ୍ୱାରା, ମହାନଦୀ ପ୍ରସଙ୍ଗକୁ ନେଇ ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଓଡ଼ିଶାର ଲଢେଇ ବର୍ଷେରୁ ଅଧିକ ହେଲା ଚାଲି ଥିଲେ ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ ଆନେ୍ଦାଳନ ସହ ପୂର୍ଣ୍ଣତଃ ଯୋଡା ଯାଇ ପାରି ନାହିଁ । ଛତିଶଗଡ଼ ସରକାର ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାକୁ ଅଧିକ ପରିମାଣର ଜଳ ଯୋଗାଇ ଦେବା ସକାଶେ ଓଡ଼ିଶାର ହକ୍ ମାରୁଛନ୍ତି ବୋଲି ଅଭିଯୋଗ ଓଡ଼ିଶାବାସୀଙ୍କୁ ଯୋଶ୍ ଦେବାରେ ସଫଳ ହୋଇନି ।
ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ବିବାଦ ୨୦୧୬ରୁ ଯୋର୍ ଧରି ଥିବା ବେଳେ ୨୦୧୭ ପଂଚାୟତ ନିର୍ବାଚନରେ ତାହା ରାଜନୈତିକ ରୂପ ନେଇଥିଲା । ବିଜେଡ଼ି ସରକାର ଏକାକୀ ଏହି ବିବାଦର ଠିକଣା ଜବାବ ଦେବେ ବୋଲି ରାଜ୍ୟବାସୀଙ୍କୁ ଧାରଣା ଦେବା ସକାଶେ ପଂଚାୟତ ନିର୍ବାଚନ ସମୟରେ ଦଳୀୟ ଆନେ୍ଦାଳନ କାର୍ଯ୍ୟକ୍ରମରେ ସାମିଲ କରିଥିଲେ । ରାଜ୍ୟର କଂଗ୍ରେସ ନେତୃବୃନ୍ଦ ତୀବ୍ର ଗୋଷ୍ଠୀ କନ୍ଦଳ ସତ୍ୱେ ଭିନ୍ନ ଭାବେ ଆନେ୍ଦାଳନକୁ ଆଗେଇ ନେଇ ଥିଲେ । ବିଧାନସଭାରେ ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ର ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଧରି ମହାନଦୀ ଜଳ ବିବାଦର ସମାଧାନ ଦାବିରେ ମହାନଦୀ ଅବବାହିକା ଅଂଚଳ ବୁଲି ଆନେ୍ଦାଳନ କାର୍ଯ୍ୟକ୍ରମ ଆଗେଇ ନେଇ ଥିବା ବେଳେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ସମର୍ଥକଙ୍କ ସହ ଅଲଗା କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରୁ ଛତିଶଗଡ଼ର ରମଣ ସିଂହ ସରକାର ଓ କେନ୍ଦ୍ର ବିଜେପି ସରକାର ଓଡ଼ିଶାରେ ଏକତାର ଅଭାବ ଥିବା ମାପି ନେଇ ଥିଲେ । ଅନ୍ୟପକ୍ଷରେ, ରାଜ୍ୟର ବିଜେପି ନେତୃବର୍ଗ ପଂଚାୟତ ନିର୍ବାଚନ ବାହାନା ଦେଖାଇ ମହାନଦୀ ଜଳ ବିବାଦର ମୁଖ୍ୟ ସୂତ୍ରଧର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଅନ୍ୟ ବିଜେପି ମନ୍ତ୍ରୀମାନଙ୍କୁ ଆଣି ଓଡ଼ିଶା ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିଲେ । ଏହାଦ୍ୱାରା ବିଜେପି ପଂଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପିରୁ କିଛି ଅଧିକ ଜିଲ୍ଲା ପରିଷଦ ଆସନ ପାଇଲା ସିନା ରାଜ୍ୟର ସ୍ୱାର୍ଥ ବଳି ପଡି ଗଲା । ପଶ୍ଚିମ ଓଡ଼ିଶାରେ ଏହି ସ୍ୱଳ୍ପ ବିଜୟକୁ ନେଇ ବିଜେପି ଉତ୍ସାହିତ । ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୧୪୭ରୁ ୧୨୦ ପ୍ଲସ୍ ବିଧାନସଭା ଆସନ ଦଳ ହାତକୁ ଆସିବ ବୋଲି ଛାତିପିଟି କହୁଛି । ଓଡ଼ିଶାରେ ଗେରୁଆ ଶାସନର ଶୁଭ ପକାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ସଜ୍ଜନ ଶର୍ମାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଂଟା ଭିଡ଼ିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନିକଟରେ ସମସ୍ୟା ଉତ୍ଥାପନ କରି ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ । କିନ୍ତୁ, କେହି ସହଯୋଗ ନ କରିବାରୁ ମହାନଦୀ ଜଳ ବିବାଦର ସମାଧନା ପାଇଁ ସ୍ୱତନ୍ତ୍ର ଟ୍ରିବ୍ରୁନାଲ ଗଠନ ଦାବି ଉଠି ଥିଲା । ରାଜ୍ୟର ଏହି ଦାବିକୁ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ । ସୁପ୍ରିମ କୋର୍ଟରେ ଚାଲି ଥିବା ମହାନଦୀ ଜଳ ବିବାଦ ମାମଲାରେ ସତ୍ୟପାଠ ଦାଖଲ କରି ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ଏହି ସମୟ ସୀମା ପାରି ହୋଇ ଯିବା ପରେ ପୁନର୍ବାର ହୋ’ହାଲ୍ଲା ହେବାରୁ କେନ୍ଦ୍ର ସରକାର ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ମହାନଦୀ ଜଳ ବିବଦାର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ବିଭିନ୍ନ ନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗଠନ କରିବାକୁ ଯାଉଥିବା ଟ୍ରିବ୍ୟୁନାଲ ମହାନଦୀ ଜଳ ବିବାଦର ମଧ୍ୟ ସମାଧାନ କରି ପାରିବ ବୋଲି କେନ୍ଦ୍ର କହିଛି । ଛତିଶଗଡ଼ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଛି ।
ଛତିଶଗଡ଼ ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଗ୍ରହ ପ୍ରକାଶ ନ କରି ଗଡାଇ ନେବାର ରହସ୍ୟ ହେଉଛି ୨୦୧୮ ଅଗଷ୍ଟରେ ହେବାକୁ ଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ । ଓଡ଼ିଶାର ଦାବି ପୂରଣର ଅର୍ଥ ବିଜେଡ଼ିର ବିଜୟ । ତେଣୁ କେନ୍ଦ୍ର ସରକାର ରମଣଙ୍କୁ ସହାଯ୍ୟ କରିବାକୁ ଯାଇ ଓଡ଼ିଶାର ଦାବିକୁ ଉପେକ୍ଷା କରୁଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ କହି କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ବିଜେପି ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ରାଜନୈତିକ ଦଳ ବିରୋଧ କରି ବିଜେଡ଼ି ସରକାରଙ୍କ ପଛରେ ଠିଆ ହୋଇଛନ୍ତି । ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସି ମହାନଦୀ ସଂପର୍କୀତ ଗୃହ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାିଛି । ଯାହାକି ନିଜେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ଡ଼ିସସେମ୍ବର ୧୧ ତାରିଖ ଦିନ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ଏବଂ ‘ଟ୍ରିବ୍ରୁନାଲ ଗଠନ କରିବ କି ନାହିଁ ତାହା ଆଗେ ସ୍ପଷ୍ଟ କର’ ବୋଲି ନିଦେ୍ର୍ଦଶ ଦେବା ଉଭୟ ଛତିଶଗଡ଼ ସରକାର ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି । ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଏସ.ଏ. ଭାବ୍ଦେ ଓ ବିଚାରପତି ଏଲ୍. ନାଗେଶ୍ୱର ରାଓଙ୍କ ନେଇ ଗଠିତ ଖଣ୍ଡପୀଠ ଏହି ପ୍ରଶ୍ନ ଉଠାଇ କେନ୍ଦ୍ର ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ଓକିଲ ଭି. ମୋହନଙ୍କୁ ପ୍ରଶ୍ନ ହୋଇଥିଲା ଯେ, ‘ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ’ ବୋଲି ପୂର୍ବରୁ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିବା ବେଳେ ଡ଼ିସେମ୍ବର ପ୍ରଥମ ସପ୍ତାହରେ ଦାଖଲ ସତ୍ୟପାଠରେ ‘ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନାହିଁ’ ବୋଲି କହିବା ପଛରେ କିଛି ପୂର୍ବ ସର୍ତ ରହିଛି କି ? ସରକାରୀ ଓକିଲ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଏହି ପ୍ରଶ୍ନର କୌଣସି ଉତ୍ତର ଦେଇ ନ ପାରି ‘ବୁଝାମଣା ଜରିଆରେ ମାମଲାର ସମାଧାନ’ ପାଇଁ କେନ୍ଦ୍ର ତତ୍ପର ଅଛି ବୋଲି କହିଥିଲେ, ଯାହାକି କୋର୍ଟଙ୍କୁ ଅସନ୍ତୁଷ୍ଟ କରିଥିଲା । କେନ୍ଦ୍ର ସରକାର ଟ୍ରୁବ୍ୟୁନାଲ ଗଠନ କରିବେ କି ନାହିଁ ସ୍ପଷ୍ଟ ନ କଲେ ମାମଲାର ମେରିଟ୍ ଭିତ୍ତିରେ ଆଗକୁ ଶୁଣାଣୀ କରାଯିବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଚେତାବନୀ ଦେଇ ପରବର୍ତୀ ଶୁଣାଣି ତାରିଖ ଜାନୁୟାରୀ ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ସୁପ୍ରିମ କୋର୍ଟ ଖଣ୍ଡପୀଠର ଅସନ୍ତୋଷ ଦେଖି ‘ବିରି ମାଡରେ କୋଳଥ ଚେପା’ ନ୍ୟାୟରେ ଓଡ଼ିଶାର ବିଜେପି ପ୍ରବକ୍ତାମାନଙ୍କ ସ୍ୱର ନରମି ଯାଇଛି । ସବୁ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଶାଣିତ ସ୍ୱରରେ ସମାଲୋଚନା କରୁଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୧ ତାରିଖ ତାଙ୍କ ମତ ବ୍ୟକ୍ତ କରି ପୁରୁଣା ଟ୍ରିବ୍ୟୁନାଲରେ ମାମଲା ବର୍ଷ ବର୍ଷ ଧରି ପଡି ରହୁଥିବା ବେଳେ ନୂଆ ଟ୍ରିବ୍ୟୁନାଲରେ ତିନି ବର୍ଷରେ ମାମଲାର ଫଇସଲା ହୋଇଯିବ ବୋଲି କହିଥିଲେ । ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗକୁ ସେ ଟାଳି ଦେଇ ଥିଲେ । ରାଜ୍ୟର ଅନ୍ୟ ପ୍ରମୁଖ ବିଜେପି ମୁଖପାତ୍ରମାନେ ମଧ୍ୟ ‘କୋର୍ଟ ଟ୍ରିବ୍ୟୁନାଲ ଗଠନ କରିବାକୁ କହିଲେ କିଏ ରୋକି ପାରିବ’ କହି କଥା ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି । ଅପରପକ୍ଷରେ, ଏହା ଓଡ଼ିଶା ସରକାରଙ୍କ ଯୋଶ୍ ବଢାଇ ଦେଇଛି । ନଦୀ ସଂଯୋଗୀକରଣ ପାଇଁ ଛତିଶଗଡ଼ ସରକାରଙ୍କ ନୂତନ ଯୋଜନାକୁ ବିରୋଧ କରି ବିଜେଡ଼ି ପକ୍ଷରୁ ୧୧ ତାରିଖ ବିଧାନ ସଭା ଅଧିବେଶନରେ ଅଚଳାବସ୍ଥା ସୃଷ୍ଟି କା ଯାଇଥିଲା । ଛତିଶଗଡ଼ରେ ନଦୀ ସଂଯୋଗୀକରଣ କରା ଗଲେ ମହାନଦୀ ଶୁଷ୍କ ହୋଇଯିବ ବୋଲି ବିଜେନି ଅଭିଯୋଗ କରିଛି । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଆରମ୍ଭରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ରଖି ଥିଲେ । ବର୍ତମାନ ସୁପ୍ରିମ କୋର୍ଟଙ୍କ ମତିଗତି ଦେଖି ସେ ଉତ୍ସାହିତ ହୋଇ ବିଜେପିକୁ ଝଟକା ପରେ ଝଟକା ଦେଇ ଚାଲିଛନ୍ତି । ଦଳ ଭିତରେ ଫାଟ ସୃଷ୍ଟି ହୋଇ ଥିବାରୁ ବିଜେପିର ଚିନ୍ତା ବଢି ଯାଇଛି । ଛତିଶଗଡ଼ ରମଣ ସିଂହ ସରକାର ସପକ୍ଷରେ ଓକିଲାତି କରି ଆସୁଥିବା ରାଜ୍ୟ ବିଜେପି ନେତାମାନେ ମହାନଦୀ ଜଳ ବିବାଦ ଦଳର ‘୧୨୦ ପ୍ଲସ୍’ ସ୍ୱପ୍ନକୁ ଧୂଳିରେ ଉଡାଇ ଦେବ ବୋଲି ଆଶଙ୍କାରେ ଥିବା ଦେଖିବାକୁ ମିଳୁଛି ।
କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶାର ମହାନଦୀ ଜଳ ବିବାଦକୁ ନେଇ କେବେ ବି ଆଗ୍ରହ ପ୍ରକାଶ କରି ନାହିଁ । ବିଜେପି ଓ ବିଜେଡ଼ି ରାଜନୈତିକ ଫାଇଦା ପାଇଁ ଏହାକୁ ଇସ୍ୟୁ କରି ଥିବା ବେଳେ ଅନ୍ୟମାନେ କେବଳ ଗୋଳିଆ ପାଣିରୁ ମାଛ ମାରୁଛନ୍ତି । ‘ମହାନଦୀ ବଂଚାଅ ଆନେ୍ଦାଳନ’ ନା’ରେ କିଛି ସାମାଜିକ କର୍ମୀ ଯେଉଁ ଆନେ୍ଦାଳନ ଚଳାଇଛନ୍ତି ତାହା ମଧ୍ୟ ରାଜ୍ୟବାସୀଙ୍କ ମନରେ ଯଥେଷ୍ଟ ଆବେଗକୁ ଜାଗ୍ରତ କରିପାରି ନାହିଁ । ସାମଗ୍ରୀକ ଭାବେ ଜନତାର ଆବେଗ ଜାଗ୍ରତ ନ ହେବା ଯାଏଁ କୌଣସି ଆନେ୍ଦାଳନ ସଫଳ ହୁଏ ନାହିଁ । ତେଣୁ, ମହାନଦୀ ବା ମା’ନଦୀ ପାଇଁ ସୁପ୍ରିମ କୋର୍ଟ ହିଁ ଏକମାତ୍ର ଭରସା କହିଲେ ଅତ୍ୟୁକ୍ତି ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS