ଶେଷରେ ବିରୋଧୀଙ୍କ ମନ ଜିଣିଲା ବିଜେଡ଼ି…
– ପ୍ରସାଦ ରାଓ –
ଭୁବନେଶ୍ୱର,୧୫ ଡ଼ିସେମ୍ବର: ଶେଷରେ ବିରୋଧୀଙ୍କ ମନ ଜିଣିବାକୁ ସକ୍ଷମ ହୋଇଛି ବିଜୁ ଜନତା ଦଳ (ବିଜେଡ଼ି) । ଗୁରୁବାର ଦିନ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବଶେନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିବା ପୂର୍ବରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇଟି ଗୃହ କମିଟି ଗଠନ ମାଧ୍ୟମରେ ସବୁ ରାଜନୈତିକ ଦଳକୁ ଏକାଠି କରିପାରିଛି । ଛତିଶଗଡ଼ ସରକାରଙ୍କ ପାଇଁ ଓକିଲାତି କରି ଆସୁଥିବା ରାଜ୍ୟ ବିଜେପି ମଧ୍ୟ ଏଥିରେ ସାମିଲ ହୋଇଛି । ଓଡ଼ିଶା ବିଜେପି ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ଶାସକ ବିଜେଡ଼ି ସହ ମିଳିତ ଭାବେ ଲଢିବାର ସଂକଲ୍ପ ନେବ, ଏହା ବିଶ୍ୱାସଯୋଗ୍ୟ ନ ହେଲେ ବି ତାହାକୁ ବାସ୍ତବରେ ପରିଣତ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ବିଜେପିର ‘୧୨୦-ପ୍ଲସ୍’ ଅଙ୍କ ଗୋଳମାଳିଆ ଧରିବା ଆଶଙ୍କା ରହିଛି । ତଥାପି, ବିଜେପି ନେତାମାନେ ମିଳିତ ଲଢେଇରେ ସାମିଲ ହେବାକୁ ସଂକଳ୍ପ ନେଇ ବିଳମ୍ବରେ ହେଳେ ବି ମହାନଦୀ ଇସ୍ୟୁରେ ରାଜନୀତିରୁ ଉଦ୍ଧ୍ୱର୍କୁ ଉଠିବାକୁ ରାଜି ହୋଇଛନ୍ତି। ଯାହାକି, ମା’, ମାଟି ଓ ମା’ ନଦୀ ପାଇଁ ମିଳିତ ଲଢେଇର ବାଟ ଖୋଲିଛି ।
ଗୁରୁବାର ରାଜ୍ୟ ବିଧାନସଭାରେ ଗଠିତ ଦୁଇଟି ଗୃହ କମିଟିରୁ ଗୋଟିକର ନେତୃତ୍ୱ ରାଜ୍ୟ ବିଧାନସଭା ବାଚସ୍ପତି ନେବାକୁ ଥିବା ବେଳେ ଅନ୍ୟଟିର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଜଳ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମହାନଦୀ ଜଳ ବିବଦାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବ । ଦୁଇ କମିଟିରେ ସଦସ୍ୟ ସମାନ ରହିଛନ୍ତି । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ସରକାରୀ ଦଳ ମୁଖ୍ୟ ସଚେତକ ଅମର ଶତପଥୀ, ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ସଂଜୟ ଦାସବର୍ମା,ନୀତିଶ ଗଙ୍ଗଦେବ, ଲକ୍ଷ୍ମଣ ମୁଣ୍ଡା, ଜର୍ଜ ତିର୍କୀ, ରାସେଶ୍ୱରୀ ପାଣିଗ୍ରାହୀ, ପଦ୍ମନାଭ ବେହେରାଙ୍କୁ ଦୁଇ କମିଟିରେ ସଭ୍ୟ ଭାବେ ନିଆଯାଇଛି । ନଭେମ୍ବର ୨୮ରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳୀନ ଅଧିବେଶନ ଡ଼ିସେମ୍ବର ୩୦ ତାରିଖ ପର୍ଯନ୍ତ ଚାଲିବା କଥା । ତେବେ, ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ୧୩ ଦିନ ଆଗରୁ ବିଧାନସଭାକୁ ମୁଲତବୀ କରି ଦିଆଯାଇଛି । ଦୁଇ କମିଟିର ବୈଠକ କେବେ ବସିବ ଏବଂ ପ୍ରଧାନ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ କେବେ ସମୟ ମଗା ଯିବ, ତାହା ଗୁରୁବାର ସରିଥିବା ବିଧାନସଭା ଅଧିବେଶନ ଅବସରରେ ସୂଚନା ମିଳି ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଗୃହ କମିଟିର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସଂକଳ୍ପ ନେଇ ଥିବାରୁ ସବୁ ବିରୋଧୀ ରାଜନୈତିକ ଦଳ ଏହାକୁ ସକାରତ୍ମକ ଭାବେ ଗ୍ରହଣ କରିଥିବା ଦେଖିବାକୁ ମିଳୁଛି । ଅତୀତରେ, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଯଥାର୍ଥ ସହାୟକ ମୂଲ୍ୟ ଦେବା ଦାବିରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ କରିଥିଲେ । କମିଟି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ସକାଶେ ସମୟ ମାଗି ଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ସମୟ ନ ଦେଇ ଏକପାଖିଆ ଭାବେ ଚାଷିଙ୍କ ଉତ୍ପାଦନର ସହାୟକ ମୂଲ୍ୟ ଘୋଷଣା କରି ଥିଲେ । ମହାନଦୀ ଜଳ ବିବାଦର ସମାଧାନ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସେଭଳି ନ ହେଉ ବୋଲି ଉଭୟ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ଆଶା କରିଛନ୍ତି ।
ସବୁଠାରୁ ବଡ଼ କଥା ହେଉଛି, ସର୍ବଦା ବିରୋଧୀଙ୍କ ମୁହଁରେ ଚାବି ପକାଇବାରେ ସିଦ୍ଧହସ୍ତ ବିଜେପି ଚାଣକ୍ୟ ବା ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଶୁକ୍ରବାର ସୁଦ୍ଧା କୌଣସି ପ୍ରତିକ୍ରିୟା ବ୍ୟକ୍ତ କରି ନାହାନ୍ତି। ଗୁରୁବାର ଯାଏଁ ସେ ଗୁଜରାଟ ଭୋଟ୍ରେ ମାତି ଥିଲେ । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୃହ କମିଟି ଗଠନ ଗୋଟି ଚାଳନାକୁ ତର୍ଜମା କରିବାକୁ ବୋଧହୁଏ ସମୟ ପାଇ ନ ଥିବେ । ଶାହାଙ୍କ ପ୍ରତିକ୍ରିୟାକୁ ଏଇଥି ପାଇଁ ଗୁରୁତପୂର୍ଣ୍ଣ ଯେ, ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ସହ ଯଦି ଆଲୋଚନା ପାଇଁ ରାଜି ହୋଇ ଯିବେ, ତାହା ହେଲେ ‘୨୦୧୯ରେ ଓଡ଼ିଶା ଦଖଲ’ ପାଇଁ ଶାହାଙ୍କ ସ୍ୱପ ଧୂଳିସାତ ହେବ ଏବଂ ୨୦୧୮ ଅଗଷ୍ଟରେ ଛତିଶଗଡ଼ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନରେ ମଧ୍ୟ ବିଜେପି ଅଡୁଆରେ ପଡିବ । ରାଜନୈତିକ ଦୃଷ୍ଟିରୁ ଶାହା ଏଭଳି କୌଣସି ଅଲୋଚନାକୁ ପ୍ରଶ୍ରୟ ଦେଇ ନ ପାରନ୍ତି ବୋଲି ଅନେକ ଆଶଙ୍କା କରୁଛନ୍ତି । ତେବେ, ଯାହା ବି ହେବ ସେଥିରେ ଓଡ଼ିଶା ଏବଂ ବିଜେଡ଼ିର ଲାଭ ହେବ । କାରଣ, ମହାନଦୀ ସହ ଓଡ଼ିଶାର ସାଢେ ୪ କୋଟି ଜନତାଙ୍କ ଆବେଗ ଯୋଡି ହୋଇ ରହିଛି । କଂଗ୍ରେସ ତ ମୂଳରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ଼ ସରକାର ଓ କେନ୍ଦ୍ର ସହ ଲଢେଇକୁ ସମର୍ଥନ କରି ଆସିଛି । ନୂଆ କରି ଶାସକ ଦଳ ସହ ହାତ ମିଳାଇ ଥିବା ବିଜେପିର ବିଧାୟକ ଦଳ ନେତା ସିଂହଦେଓ ମା’, ମାଟି, ଚାଷୀ ଓ ରଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ତାଙ୍କ ଦଳ ସମ୍ମିଳୀତ ଲଢେଇରେ ସାମିଲ ହେବାକୁ ପ୍ରସ୍ତୁତ ବୋଲି ଯାହା କହିଛନ୍ତି, ବାସ୍ତବ କାର୍ଯ୍ୟ କ୍ଷେତ୍ରରେ ସେହି ଜୋଶ୍କୁ କାଏମ ରଖିଲେ ଓଡ଼ିଶା ରାଜନୀତିର ଚିତ୍ର ବଦଳି ଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS