କ୍ୟାବିନେଟ୍ ନିଷ୍ପତ୍ତି, ତ୍ରିପଲ ତଲାକ୍ ପାଇଁ ୩ ବର୍ଷ ଜେଲ୍
ଭୁବନେଶ୍ୱର,୧୫ ଡ଼ିସେମ୍ବର: ତ୍ରିପଲ୍ ତଲାକ୍ ଅସାମ୍ବିଧାନିକ ବୋଲି ଗତ ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ) ରାୟ ଦେଇ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିବା ବେଳେ କେନ୍ଦ୍ର କ୍ୟାବିନେଟ୍ ଏହାକୁ ଏକ ‘ଆପରାଧିକ କାର୍ଯ୍ୟ’ ବୋଲି ଅଭିହିତ କରି ଏଥି ପାଇଁ ତିନି ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୁସଲାମାନ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ପାଇଁ ଏକ ବିଲ୍ ‘ମୁସଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍’ ଅନୁମୋଦନ ପାଇଛି । ଶନିବାର ଠାରୁ ଆରମ୍ଭ ହେଉଥିବା ପାର୍ଲମେଂଟର ଶୀତ ଅଧିବେଶନରେ ଏହି ବିଲ୍ ଉପସ୍ଥାପନ କରାଯିବ ।
ଏହି ନୂଆ ବିଲ୍ ରେ ମୁସଲିମ୍ ମହିଳାମାନେ ତ୍ରିପଲ୍ ତଲାକ୍ ଦ୍ୱାରା ଛାଡପତ୍ର ପାଇଲେ ସେମାନଙ୍କୁ ଭରଣପୋଷଣ ମିଳିବାର ସୁରକ୍ଷା ରହିଛି । ତ୍ରିପଲ୍ ତଲାକ୍ କୁ ଏକ ଦର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ପରିଗଣିତ କରିବାକୁ ବିଲ୍ ରେ ପ୍ରସ୍ତାବ ରହିଛି । ଏଥିରେ ତିନି ବର୍ଷ ଜେଲ୍ ବ୍ୟବସ୍ଥା ମଧ୍ୟ ରହିଛି । ତ୍ରିପଲ୍ ତଲାକ୍ ଉପରେ ପ୍ରସ୍ତୁତ କରାଯାଇ ଥିବା ଚିଠା ଆଇନ ଉପରେ ରାଜ୍ୟମାନେ ସେମାନଙ୍କ ମତାମତ ଦେବାକୁ ଡ଼ିସେମ୍ବର ୧ ତାରିଖରେ ରାଜ୍ୟଗୁଡ଼ିକୁ ପଠା ଯାଇଥିଲା । ୧୦ ତାରିଖ ସୁଦ୍ଧା ମତାମତ ଦେବାକୁ କେନ୍ଦ୍ର ସରକାର କହିଥିଲେ । ଝାରଖଣ୍ଡ, ଆସାମ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ୟୁପି ଓ ଉତ୍ତରାଖଣ୍ଡ ଭଳି ରାଜ୍ୟ ବିଲ୍ ରେ ଥିବା ପ୍ରସ୍ତାବଗୁଡ଼ିକ ପ୍ରତି ସମର୍ଥନ ଦେଇଛନ୍ତି । ସୁପ୍ରିମ କୋର୍ଟ ତ୍ରିପଲ୍ ତଲାକ୍ କୁ ଅସାମ୍ବିଧାନିକ ଘୋଷଣା କରିବା ପରେ ମଧ୍ୟ ବହୁ ସଂଖ୍ୟାରେ ଏଭଳି ଛାଡପତ୍ର ହେଉ ଥିବାରୁ ଏହା ଉପରେ ଏକ ଆଇନ ପ୍ରଣୟନ କରିବାର ଯଥାର୍ଥତା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସୁପ୍ରିମ କୋର୍ଟ ରାୟ ପରେ ୬୭ଟି ତ୍ରିପଲ୍ ତଲାକ୍ ଛାଡପତ୍ର ହୋଇ ଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ତ୍ରିପଲ୍ ତଲାକ୍ କୁ ‘ହତ୍ୟା’ ଅପରାଧ ସହ ତୁଳନା କରିଥିବା ବେଳେ ବହୁ ମୁସଲମାନ୍ ସଂଗଠନ ଓ ରାଜନୈତିକ ବ୍ୟକ୍ତିବିଶେଷ ଏହି ବିଲ୍ କୁ ବିରୋଧ କରୁଛନ୍ତି । ଏମ୍ଆଇଏମ୍ ମୁଖ୍ୟ ଅସାଉଦ୍ଦିନ ଓୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ, ମୋଦୀ ମୁସଲିମ୍ ମହିଳାଙ୍କ ଅଧିକାର କଥା କରୁଥିବା ବେଳେ ‘ହିନ୍ଦୁ ଭଉଣୀ’ ମାନଙ୍କ ସମସ୍ୟାକୁ ଅଣ ଦେଖା କରୁଛନ୍ତି । ନୂଆ ବିଲ୍କୁ ନେଇ ପର୍ଲାମେଂଟ୍ ସରଗରମ ହେବା ନିଶ୍ଚିତ । ତେବେ, ଏହି ଆଇନ କାର୍ଯ୍ୟକାରୀ ହେଲେ ତ୍ରିପଲ୍ ତଲାକ୍ ଆଇନ ଦୃଷ୍ଟିରୁ ଅସିଦ୍ଧ ହେବା ସହ ବାଧ୍ୟବାଧକତାରେ ଛାଡପାତ୍ର ପାଉଥିବା ମୁସଲିମ୍ ମହିଳାମାନେ ଅଦାଲତର ଆଶ୍ରୟ ନେବାର ସୁଯୋଗ ପାଇବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS