ବିଂଶତମ ପ୍ରତିଷ୍ଠା ଦିବସରେ କର୍ପୋରେଟ୍ ଷ୍ଟାଇଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ..
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୬ ଡ଼ିସେମ୍ବର: ବର୍ତମାନ ନିର୍ବାଚନ ଋତୁ ଚାଲିଛି । ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜୟ ପରେ ଭାଜପା ପ୍ରସ୍ତୁତ ହେଉଛି ଓଡ଼ିଶା ସମେତ ନିର୍ବାଚନ ହେବାକୁ ଥିବା ଅନ୍ୟ ଅଣ-ଭାଜପା ଶାସିତ ରାଜ୍ୟ ଦଖଲ ପାଇଁ । ତାମିଲନାଡୁ ଉପ ନିର୍ବାଚନରେ ଲଜ୍ୟାଜନକ ପରାଜୟ ପରେ ମଧ୍ୟ ଭାଜପାର ନିଶା ଖସି ନାହିଁ । ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଓଡ଼ିଶା ଅଙ୍କ ‘୧୨୦ ପ୍ଲସ୍’ ହାତ ପାଆନ୍ତାରେ ନାହିଁ ଜାଣି ଓଡ଼ିଶା ନେତା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ‘ଗୁଜରାଟ ହାସାବ’ରେ ୭୮କୁ ଖସିଛନ୍ତି । ଦଳକୁ ୭୪ ବିଧାୟକ ମିଳିଲେ ଏକାକୀ ସରକାର ଗଠନ କରିପାରିବ । ତେଣୁ, ୭୮ ସଂଖ୍ୟା ମଧ୍ୟ ରାଜ୍ୟର ଭାଜପା କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ । ଦଳର ମୁଖପାତ୍ରମାନେ ବର୍ତମାନ ଏହି ସଂଖ୍ୟା ଘୋଷିବା ଆରମ୍ଭ କରି ଥିବା ବେଳେ ଓଡ଼ିଶାର ଶାସକ ବିଜେଡ଼ି (ବିଜୁ ଜନତା ଦଳ) ୨୬ ତାରିଖ ତାହାର ବିଂଶତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରାଜଧାନୀ ଭୁବନେଶ୍ୱରକୁ ଛାଡି ପୁରୀ ଶ୍ରୀ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରରୁ ତାହାର ‘୨୦୧୯ ସାଧାରଣ ନିର୍ବାଚନ’ ଯାତ୍ରା ଆରମ୍ଭ କରିଛି। ପ୍ରଥମ ଥର ପାଇଁ ୨୬ ତାରିଖ ଦିନ ରଜଧାନୀ ବାହାରେ ପୁରୀ ସରକାରୀ ସ୍ୱତନ୍ତ୍ର ଅତିଥି ଭବନ (ସ୍ପେଶାଲ୍ ସର୍କିଟ୍ ହାଉସ୍)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିନେଟ୍ ବୈଠକ କରିବା ସହ ତାଳବଣିଆରେ ଆୟୋଜିତ ବିଶାଳ ପ୍ରତିଷ୍ଠା ଉତ୍ସବରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ନେତା, କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ସତ୍ୟ, ସାଧୁତା, ସେବା ଓ ସ୍ୱାଭିମାନର ପାଠ ପଢାଇଛନ୍ତି । ଆତି ସାଧାରଣ ଜୀବନ ଯାପନ ଶୈଳୀକୁ ଆଦରି ନେବାକୁ, ସେବା ମାଧ୍ୟମରେ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହେବାକୁ ଏବଂ କୂଟିଳ ରାଜନୀତି କରି ଦୁର୍ନୀତି ମାଧ୍ୟମରେ ସଂପତ୍ତି ଆହରଣ ନ କରି ତ୍ୟାଗ ଓ ଆଦର୍ଶକୁ ସାଥୀ କରିବାକୁ ବିଜେଡ଼ି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ରାଜ୍ୟବାସୀଙ୍କ ମନ କିଣିବା ନିଶ୍ଚିତ । ତେବେ, ୧୭ ବର୍ଷରୁ ଅଧିକ ଦିନ ହେଲା କ୍ଷମତାରେ ରହି ଏହି ଆଦର୍ଶକୁ ଜଳାଂଜଳୀ ଦେଇ ଆସିଥିବା ବିଜେଡ଼ି ନେତାମାନେ ଏହି ମନ୍ତ୍ରକୁ କେତେଦୂର କାମରେ ଦେଖାଇବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି ।
ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଷ୍ଠା ଦିବସ ଆହ୍ୱାନକୁ ‘ଛଳନାର ରାଜନୀତି’ କହି ଏଡାଇ ଦେଇଛନ୍ତି । ୧୭ ବର୍ଷ ହେଲା ଯାହା ହେଲାନି, ଏବେ କେମିତି ହେବ ବୋଲି ପ୍ରଶ୍ନ କରୁଛନ୍ତି । ଚିଟ୍ଫଣ୍ଡ୍ ଦୁର୍ନୀତି, ମାଇନିଂ ସ୍କାମ୍ ଠାରୁ ଆରମ୍ଭ କରି ୧୭ ବର୍ଷ ମଧ୍ୟରେ ହୋଇଥିବା ବଡ଼ ବଡ଼ ଦୁର୍ନୀତି କଥା ଉଠାଇ, ବିଜେଡ଼ି ସଭାପତିଙ୍କ ସାଧୁବାଣୀ ଦୁର୍ନୀତିକୁ ନୀତି କରି ଆସିଥିବା ନେତା ଓ ପ୍ରଶାସକଙ୍କୁ କେମିତି ରାତାରାତି ସାଧୁରେ ପରିଣତ କରି ଦେବ ବୋଲି ପ୍ରଶ୍ନ ଉଠାଇଛନ୍ତି । ବାସ୍ତବରେ ଏହା ‘କର୍ପୋରେଟ୍ ଷ୍ଟାଇଲ୍’ ରାଜନୀତି କହି ବିରୋଧୀ ରାଜନେତାମାନେ ଜିରାରୁ ଶୀରା କାଢିବା ଉଦ୍ୟମ କରୁଛନ୍ତି । ବିଶେଷକରି, ବିଜେପି ରାଜ୍ୟ ଶାଖା । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଦଳ କହିଛି ଯେ, ଆଗାମୀ ନିର୍ବାଚନରେ ପରାଜୟ ଭୟରେ ବିଜେଡ଼ି ସଭାପତି ଶ୍ରୀ ପଟ୍ଟନାୟକ ଆତଙ୍କିତ ହୋଇ ରାଜ୍ୟବାସୀଙ୍କୁ ପ୍ରଭାବିତ କରିବା ପାଇଁ ଦଳର ପ୍ରତିଷ୍ଠା ଦିବସରେ ଏଭଳି ଏକ ନିରାମିଷ ଭାଷଣ ଦେଇଛନ୍ତି । ଅପରପକ୍ଷରେ, ରାଜ୍ୟ କଂଗ୍ରେସ ମୁଖପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଷଣରେ କଂଗ୍ରେସର ନୀତି ଓ ଆଦର୍ଶର ପ୍ରଭାବ ଥିବା ଦାବି କରି ଉଭୟ ବିଜେଡ଼ି ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ବିଜୁ ଜନତା ଦଳ ସଭାପତି ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ନାମ ନେଇ ସତ୍ୟ, ସାଧୁତା, ସେବା ଓ ସ୍ୱାଭିମାନ କଥା ଯାହା କହିଛନ୍ତି ତାହା ଅତୀତରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ମଧ୍ୟ କହିଥିଲେ । ଓଡ଼ିଶାରେ ଗଲା ୧୭ ବର୍ଷ ଭିତରେ ବିକାଶ ‘ବାଟବଣା’ ହୋଇ ଥିବାରୁ ଭାରତୀୟ ଜାତୀୟ କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ‘ବିକଳ୍ପ ବିକାଶ ମଡେଲ୍’ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରି କ୍ଷମତାକୁ ଫେରିବ ।
ବିଜେଡ଼ିର ବିଂଶତମ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଭାଷଣକୁ ନେଇ ଯେଉଁ ବିତର୍କର ସୂତ୍ରପାତ ହୋଇଛି ତାହା ଆଜିର କର୍ପୋରଟ୍ ସଂସ୍କୃତି ଯୁଗରେ ପରିବର୍ତିତ ରାଜନୈତିକ ବିଚାରଧାରାକୁ ସ୍ପଷ୍ଟ କରୁଛି । ବିଭିନ୍ନ କର୍ପୋରେଟ୍ ସଂସ୍ଥାରେ (ଆଜିର ଖବର କାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମ ପରିଚାଳନା ଏଥିରୁ ବାଦ୍ ନୁହେଁ) ଏଭଳି ପ୍ରତିଷ୍ଠା ଦିବସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ ନିର୍ଦ୍ଧିଷ୍ଟ ବାର୍ତା ପହଂଚାଇବାର ପ୍ରୟାସ ହୋଇଥାଏ, ଯାହା କି ବାସ୍ତବ ରୂପ ନେବା କୋଚିତ ଦେଖିବାକୁ ମିଳେ । ତେବେ,ଏହି ବାର୍ତା ମାଧ୍ୟମରେ ସଂସ୍ଥାର ମାଲିକ ଓ ଅଧିକାରୀମାନେ ସେମାନଙ୍କ ଧାର୍ଯ୍ୟଲକ୍ଷ୍ୟ ହାସଲ ପାଇଁ କର୍ମଚାରୀଙ୍କୁ ଏକପ୍ରକାର ଚାପରେ ରଖି ଥାନ୍ତି । ସଂପୂର୍ଣ୍ଣ ଲକ୍ଷ୍ୟ ହାସଲ ନ ହେଲେ ବି ପାଖାପାଖି ପହଂଚି ଗଲେ ପରବର୍ତୀ ଲକ୍ଷ୍ୟ ଧାର୍ଯ୍ୟ କରିବା ସୁବିଧା ହୋଇଥାଏ । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ‘୧୨୦ ପ୍ଲସ୍’ ହେଉ ବା ଧର୍ମେନ୍ଦ୍ର ପ୍ରଧାନଙ୍କ ‘୭୮ ଅଙ୍କ’ ହେଉ, କର୍ପୋରେଟ୍ ଟାର୍ଗେଟ୍ କହିବା ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ କଂଗ୍ରେସ ନିକଟରେ ଏଭଳି କିଛି ଅଙ୍କର ଟାର୍ଗେଟ୍ ନାହିଁ । ତେଣୁ, ଗୁଜରାଟ୍ ପରୀକ୍ଷା ନିରୀକ୍ଷାକୁ ନେଇ ବିକାଶର ବିକଳ୍ପ ଫର୍ମୂଲା ଉପସ୍ଥାପନ ହେଉଛି କଂଗ୍ରେସର ଗେମ୍ ପ୍ଲାନ୍ । ବିଜେଡ଼ି କଂଗ୍ରେସର ଏହି ଗେମ୍ ପ୍ଲାନ୍ ନେଇ ବିଚଳିତ ନୁହେଁ । କିନ୍ତୁ, ବିଜେପିର ଆକ୍ରମଣାତ୍ମକ ରାଜନୀତିକୁ ନେଇ ବିବ୍ରତ । ଗୁଜରାଟରେ କଂଗ୍ରେସ ଦଳ ସେଠାକାର ବିଜେପି ସରକାର-ବିରୋଧୀ ଜନ ଅସନ୍ତୋଷ ଏବଂ କିଛି ଆଂଚଳିକ ଯୁବ ନେତାଙ୍କ ବିଜେପି-ବିରୋଧୀ ଆଭିମୁଖ୍ୟକୁ ପୁଂଜି କରି ନିର୍ବାଚନ ଲଢି ଥିଲା । କଂଗ୍ରେସର ମୁକାବିଲା ପାଇଁ ବିଜେପି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ପାକିସ୍ତାନର ଶୁଭେଚ୍ଛୁ ଭାବେ ଚିତ୍ରଣ କରିବାକୁ ପଛାଇ ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏଭଳି ଅଭିଯୋଗ ଆଣିଥିବା ବେଳେ ପାର୍ଲାମେଂଟରେ ତାହାର ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି । ଫଳରେ, ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଆଗାମୀ ଦିନରେ ବିଜେପି ଓଡ଼ିଶାରେ ‘୭୮ ଲକ୍ଷ୍ୟ’ ହାସଲ ପାଇଁ ସମାନ ରଣନୀତି ଆପଣାଇ ପାରେ ବୋଲି ବିଜେଡ଼ି ସନେ୍ଦହ କରିବା ସ୍ୱାଭାବିକ । ତେଣୁ, ଓଡ଼ିଶାରେ ଦୀର୍ଘ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥାଇ ଅତି ମାର୍ଜୀତ ଶୈଳୀରେ ଜୀବନଯାପନ କରୁ ଥିବା ନବୀନଙ୍କ ଭାବମୂର୍ତୀକୁ ଅଧିକ ଶାଣିତ କରିବା ସକାଶେ ୨୬ ତାରିଖ ଯଥାସମ୍ଭବ ଉଦ୍ୟମ ହେଇଥିବା ଅନୁମାନ କରାଯାଉଛି । ଭାଷଣ ମଧ୍ୟ ସେହି ଅନୁସାରେ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ସଭା ପରିଚାଳନା କରୁଥିବା ଦଳର ସମସ୍ତ ସାଂଗଠନିକ ଅଧିକାରୀ, ମନ୍ତ୍ରୀ ଓ ସାଂସଦ ସେମାନଙ୍କ ଭାଷଣରେ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ତୀବ୍ର ସମାଲୋଚନା କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାରେ କେନ୍ଦ୍ର ସରକାର ମନା କରିବା, ମହାନଦୀ ଓ ପୋଲାଭରମ ନଦୀ ଜଳ ବିବାଦ ସମାଧାନରେ ଓଡ଼ିଶା-ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁ ନ ଥିବା ଏବଂ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁ ନ ଥିବା ପ୍ରଭୃତି ପ୍ରସଙ୍ଗ ଉଠାଇ ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟି କରିଥିଲେ । ତେବେ, ବିଜେଡ଼ି ସଭାପତି ପଟ୍ଟନାୟକ ତାଙ୍କ ଭାଷଣରେ ଏସବୁ ପ୍ରସଙ୍ଗକୁ ଏଡାଇ ବିଜେଡ଼ିରେ ବିଶୃଙ୍ଖଳା ସୃଷ୍ଟି ପାଇଁ ବିରୋଧୀଙ୍କ ଆଡୁ ଉଦ୍ୟମ ହେଉଥିବା ଅଭିଯୋଗ କରିବା ସହ ବିଜେଡ଼ି ନେତା ଓ କର୍ମୀମାନେ ଏଥିରେ ପ୍ରଲୋଭିତ ନ ହୋଇ ତ୍ୟାଗ ଓ ଉତ୍ସର୍ଗ ମାଧ୍ୟମରେ ରାଜ୍ୟବାସୀଙ୍କ ନିକଟତର ହେବାକୁ ଆହ୍ୱାନ ଦେଇଥିଲେ ।
ପ୍ରତିଷ୍ଠା ଦିବସରେ ଯୋଗ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସରେ କ୍ୟାବିନେଟ୍ ବୈଠକ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟକୁ ଦୁଇ ଭାଗ କରି ସ୍ୱତନ୍ତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରଣାଳୟ ପ୍ରତିଷ୍ଠା କରିବା, ଓଡ଼ିଆ ଭାଷା କମିସନ ଗଠନ କରିବା, ସବୁ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସାଇନ୍ବୋର୍ଡ ଲଗାଇବା ବାଧ୍ୟତାମୂଳକ କରାଯିବା, ଭାଗବତର ପ୍ରସାର ପାଇଁ ଭଗବାତ ଟୁଙ୍ଗୀର ପୁନରୁଦ୍ଧାର କରାଯିବା ଏବଂ ଅନୁଦାନକୁ ଦୁଇ ଗୁଣ ବୃଦ୍ଧି କରାଯିବା, କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଓଡ଼ିଆ ଭାଷାର ବହୁଳ ପ୍ରସାର ପାଇଁ ପ୍ରୋତ୍ସାହନ ଓ ବୃତ୍ତିର ବ୍ୟବସ୍ଥା କରିବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦେବା ପ୍ରଭୃତି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ପ୍ରତି ଅବହେଳା କରୁଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ପ୍ରସମିତ କରିବା ସକାଶେ ୨୬ ତାରିଖ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ଉଦ୍ଦିଷ୍ଟ ଥିବା ଏଥିରୁ ସ୍ପଷ୍ଟ ହେଉଛି । ନିଜ ଦେହରୁ ‘ଓଡ଼ିଆ ଭାଷା ବିରୋଧୀ’ର ଦାଗ ପୋଛିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଥିଲା । କେବଳ କ୍ୟାବିନେଟ୍ ନିଷ୍ପତ୍ତି ନୁହେଁ, ବିଜେଡ଼ି ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ‘ଜୟ ଜଗନ୍ନାଥ’ରୁ ତାଙ୍କ ଭାଷଣ ଆରମ୍ଭ କରି ଜାତିର ପିତା ମହାତ୍ମା ଗାନ୍ଧୀ, ଉକ୍ରଳମଣୀ ଗୋପବନ୍ଧୁୁ ଦାଶ, ଉକ୍ରଳ ଗୌରବ ମଧୁସୂଦନ ଦାଶ ଏବଂ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ ଏବଂ ‘ବନେ୍ଦ ଉକ୍ରଳ ଜନନୀ’ରେ ତାଙ୍କ ଭାଷଣ ସାରି ଥିଲେ। ଓଡ଼ିଶାରେ ସରକାର-ବିରୋଧୀ ଜନମତକୁ ପ୍ରସମିତ କରିବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ଏହା ଅନ୍ୟ ଏକ ପ୍ରୟାସ ବୋଲି ମଧ୍ୟ ଆଲୋଚନା ହେଉଛି । ‘ଆଜି ରାଜନୀତି ନୁହେଁ, ମୋ ପରିବାରକୁ ମୁଁ ହୃଦୟର କଥା କହିବି…’ ବୋଲି ମୁଖ୍ୟମନ୍ତ୍ରୀ ଭାଷଣର ପ୍ରାରମ୍ଭରୁ ସ୍ପଷ୍ଟ କରି ଦେଇଥିଲେ । ତେଣୁ, ତାଙ୍କ ୧୫ ମିନିଟର ଭାଷଣରେ ବିରୋଧୀଙ୍କୁ ସମାଲୋଚନା ଅପେକ୍ଷା ନିଜ ଦଳର କର୍ମୀ ଓ ନେତାମାନଙ୍କୁ ତାଗିଦ ଅଧିକ ଥିଲା । ୨୦୧୯ରେ ପଂଚମ ତର କ୍ଷମତାକୁ ଫେରିବା ପାଇଁ ବିଜେଡ଼ିର ଏହା ନୂଆ କୌଶଳ କୁହାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS