ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଚାରି ବରିଷ୍ଠ ବିଚାରପତିଙ୍କ ବିଦ୍ରୋହ
ନୂଆଦିଲ୍ଲୀ, ୧୩ ଜାନୁୟାରୀ: ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶର ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ଜଷ୍ଟିସ ଜେ.ଚେଲେମେଶ୍ୱର, ଜଷ୍ଟିସ ରଂଜନ ଗୋଗୋଇ, ଜଷ୍ଟିସ ମଦନ ଲୋକୁର ଓ ଜଷ୍ଟିସ କୁରିଆନ ଯୋଶେଫ୍ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲେ । ସୁପ୍ରିମ କୋର୍ଟ ପ୍ରାଶାସନରେ କୌଣସି କଥା ବ୍ୟବସ୍ଥିତ ଅବସ୍ଥାରେ ନାହିଁ ବୋଲି ମନ୍ତବ୍ୟ ଦେଇ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ଦୀପକ ମିଶ୍ରଙ୍କ ସହ ସେମାନଙ୍କ ମତ ପାର୍ଥକ ରହିଥିବାର ଆଭାସ ଦେଇଥିଲେ । ଏହି ଚାରି ଜଣ ବରିଷ୍ଟ ବିଚାରପତି ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ମିଶ୍ରଙ୍କୁ ଲେଖିଥିବା ଏକ ଚିଠି ସଂପର୍କରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଖୁଲାସା ହୋଇଥିଲା । ଗଣତନ୍ତ୍ରକୁ ବଜାୟ ରଖିବା ସକାଶେ ଏକ ସ୍ୱାଧୀନ ବିଚାର ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ଏହି ବରିଷ୍ଠ ବିଚାରପତିମାନେ ମତ ଦେବା ସହ ସେମାନେ ନିଜର ସାଂବିଧାନିକ ଦାୟିତ୍ୱ ସଂପନ୍ନ କଲା ବେଳେ ଆତ୍ମାକୁ ବିକି ଦେଇଥିଲେ ବୋଲି ଭବିଷ୍ୟତରେ କେହି ଯେମିତି ନ କହୁ, ତାହ ସେମାନେ ଚାହୁଁଛନ୍ତି ବୋଲି ମୁଖ୍ୟ ନ୍ୟାୟାଧିଶଙ୍କୁ ଳେଖିଥିବା ଚିଠିରେ ଦର୍ଶାଇ ଥିବା ଜଣାପଡିଛି । ମୁଖ୍ୟ ନ୍ୟାୟଧିଶଙ୍କ ସହ ଏସଂପର୍କରେ ହୋଇଥିବା ଆଲୋଚନା ଫଳପ୍ରଦ ନ ହେବାରୁ ସେମାନେ ଗଣମାଧ୍ୟମକୁ ଆସିଥିବା ଏହି ବରିଷ୍ଠ ବିଚାରପତିମାନେ ସୂଚନା ଦେଇଛନ୍ତି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରଣା ପାଇଁ ସୁପ୍ରିମ କୋର୍ଟର ବିଭିନ୍ନ ବେଂଚ୍କୁ ଦାୟିତ୍ୱ ବଂଟନ ସମୟରେ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରାଯାଇ କନିଷ୍ଠ ବିଚାରପତିଙ୍କୁ ପ୍ରଧାନ୍ୟ ଦିଆଯାଉଛି ବୋଲି ଏହି ବରିଷ୍ଠ ବିଚାରପତିମାନେ ସାମ୍ବାଦିକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ, ଏହି ଚାରି ଜଣ ବରିଷ୍ଠ ବିଚାରପତିଙ୍କ ଅଭିଯୋଗ ଉପରେ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ ମିଶ୍ର ମୁହଁ ଖୋଲି ନଥିବା ବେଳେ ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ନ୍ୟାୟାଧିଶ କେ.ଜି. ବାଳକ୍ରିଷ୍ଣନ ବରିଷ୍ଠ ବିଚାରପତିମାନେ ଏଭଳି ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ବ୍ୟକ୍ତ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସୁପ୍ରମି କୋର୍ଟ ବାର୍ ଆସୋସିଏସନ୍ ଘଟଣାବଳୀକୁ ନେଇ ବିଚାରବିମର୍ଷ ସକାଶେ ୧୩ ତାରିଖ ବୈଠକ ଡ଼ାକିଛି। ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳନ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିବା ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତିଙ୍କ କାର୍ଯ୍ୟକୁ ‘ଅନୁଚିତ ଥିଲା’ ବୋଲି ଦର୍ଶାଇବା ସହ ବର୍ତମାନ ଅନ୍ତତଃ ସେମାନେ ରାଷ୍ଟ୍ରନାୟକ ଭଳି ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରି ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS