ଇଂଟରନେଟ୍ ସେବା ପାଇଁ ଚୀନ ସହ ହାତ ମିଳାଇଲାଣି ନେପାଳ !
କାଠମାଣ୍ଡୁ, ୧୩ ଜାନୁୟାରୀ: ଦେଶର ଜନସାଧାରଣଙ୍କୁ ଇଂଟରନେଟ୍ ସେବା ଯୋଗାଇ ଦେବା ସକାଶେ ନେପାଳ ଏବେ ଚୀନ ସହ ହାତ ମିଳାଇ ଥିବା ସରକାରୀ ଭାବେ ସୂଚନା ମିଳିଛି । ଫଳରେ,ଏହି ହିମାଳୟ ପର୍ବତାଂଚଳରେ ସାଇବର କନେକ୍ଟିଭିଟି କ୍ଷେତ୍ରରେ ବର୍ଷ ବର୍ଷ ଧରି ଭାରତର ଯେଉଁ ଏକକ ଆଧିପତ୍ୟ ରହି ଥିଲା ତାହାର ପରିସମାପ୍ତି ଘଟିବାକୁ ଯାଉଛି । ଦୀର୍ଘ ବର୍ଷ ଧରି ନେପାଳ ତାହାର ବିଶ୍ୱର ବିଭିନ୍ନ ପ୍ରାନ୍ତ ସହ ଇଂଟରନେଟ୍ ସଂଯୋଗ ପାଇଁ ଭାରତୀୟ ଟେଲିକମ୍ କଂପାନୀଙ୍କ ଉପରେ ନିର୍ଭାରଶୀଳ ଥିଲା । ଭାରତୀ ଏୟାରଟେଲ୍ ଓ ଟାଟା କମ୍ୟୁନିକେସନ୍ ଲିମିଟେଡ୍ ନେପାଳକୁ ଏହି ସେବା ଯୋଗଇ ଆସୁଥିଲେ । ତେବେ, ନେଟ୍ୱାର୍କ ସଂଯୋଗକୁ ନେଇ ସମସ୍ୟା ରହୁ ଥିବା ଦର୍ଶାଇ ଏବେ ନେପାଳ ଇଂଟରନେଟ୍ ସେବା ସାକାଶେ ଚୀନ୍ ଟେଲିକମ୍ କଂପାନୀଙ୍କ ସହ ବୁଝାମଣା କରିଛି । ଚୀନ୍ ର କେରୁଙ୍ଗ୍ ଓ ନେପାଳର ରାସୁୱାଗାଦି ମଧ୍ୟରେ ଅପଟିକାଲ ପାଇବାର କେବୁଲ ବିଛା ସରିବା ପରେ ନେପାଳ ଟେଲିକମ୍ ଓ ଚୀନ୍ ଟେଲିକମ୍ ଗ୍ଲୋବାଲ୍ ମିଳିତ ଭାବେ ସେମାନଙ୍କ ଇଂଟରନେଟ୍ ସେବା ଆରମ୍ଭ କରିଛନ୍ତି ବୋଲି ଶୁକ୍ରବାର ଦିନ ନେପାଳ ଟେଲିକମ୍ କଂପାନୀ ମୁଖପାତ୍ର କହିଛନ୍ତି । ଏହା ଭାରତ ଯୋଗାଉ ଥିବା ଇଂଟରନେଟ୍ ସେବାର ବିକଳ୍ପ ଭାବେ କାର୍ଯ୍ୟ କରିବ ଏବଂ ନେପାଳବାସୀଙ୍କୁ ଅବାଧ ଓ ନିରନ୍ତର ସେବା ଯୋଗାଇବା ସଂଭବ ହେବ ବୋଲି ସେ ସୂଚନା ଦେଇଛନ୍ତି । ୨୮ ନିୟୁତ ଜନସଂଖ୍ୟା ବିଶିଷ୍ଟ ନେପାଳର ଶତକଡା ୧୯ ଭାଗ ଜନତା ୨୦୧୨ରେ ଇଂଟରନେଟ୍ ସେବା ବ୍ୟବହାର କରୁଥିବା ବେଳେ ବର୍ତମାନ ତାହା ୬୦ ଭାଗରୁ ଅଧିକକୁ ବୃଦ୍ଧି ପାଇଛି । ଏହାଛଡା, ଉଭୟ ଭାରତ ଓ ଚୀନ ନେପାଳ ଉପରେ ସେମାନଙ୍କ ଆଧିପତ୍ର ବଢାଇବାକୁ ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ନେପାଳ ଏବେ ଚୀନର ଅଧିକ ନିକଟତର ହେଉଥିବା ଭାରତ ପାଇଁ ଉଦ୍ବେଗର ବିଷୟ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS