‘ପଦ୍ମାବତୀ’ରୁ ‘ପଦ୍ମାବତ୍’ ହେବା ପରେ ବି ସଂକଟ ଟଳୁନି; ରାଜସ୍ଥାନ, ଗୁଜରାଟ ପରେ ହରିଆନାର ଖଟ୍ଟର ସରକାର ନିଷିଦ୍ଧ କଲେ ଫିଲ୍ମକୁ
ନୂଆଦିଲ୍ଲୀ, ୧୭ ଜାନୁୟାରୀ: ସଂଜୟ ଲିଲା ବଂଶାଳୀଙ୍କ ‘ପଦ୍ମାବତ୍’ ଆସନ୍ତା ୨୫ ତାରିଖ ମୁକ୍ତିଲାଭ କରିବ ବୋଲି ଏହାର ପ୍ରଯୋଜନା ସଂସ୍ଥା ଘୋଷଣା କରିଥିଲେ ମଧ୍ୟ ବିଜେପି ଶାସିତ ରାଜ୍ୟଙ୍କ ଆକ୍ରୋଶରୁ ଚଳଚ୍ଚିତ୍ରଟି ମୁକ୍ତ ହୋଇ ନ ଥିବା ଦେଖିବାକୁ ମିଳୁଛି । ପୂର୍ବରୁ ରାଜସ୍ଥାନ ଓ ଗୁଜରାଟ ସରକାର ସେମାନଙ୍କ ରାଜ୍ୟରେ ଏହି ଫିଲ୍ମ ମୁକ୍ତିଲାଭ କରିବା ଉପରେ ନିଷେଧାଦେଶ ଜାରି କରିଥିଲେ । ମଙ୍ଗଳବାର ଦିନ ହରିଆନା ସରକାର ଏଥିରେ ସାମିଲ ହୋଇ ହରିଆନାରେ ‘ପଦ୍ମାବତ୍’ ରିଲିଜ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏପର୍ଯ୍ୟନ୍ତ ରାଜ୍ୟରେ ଫିଲ୍ମର ମୁକ୍ତିଲାଭକୁ ନେଇ ନିଜ ମତ ସ୍ପଷ୍ଟ କରି ନ ଥିଲେ ମଧ୍ୟ ରାଜସ୍ଥାନ, ଗୁଜରାଟ ଓ ହରିଆନାର ରାସ୍ତାକୁ ଆପଣାଇବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ଆଲୋଚନା ହେଉଛି । ସେ ଭବିଷ୍ୟବକ୍ତ ନୁହନ୍ତି କହି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ୟୁପିରେ ‘ପଦ୍ମାବତ୍’ ୨୫ ତାରିଖ ରିଲିଜ୍ ହେବାକୁ ନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯିବାରୁ ଏଭଳି ଆଲୋଚନାର ବାଟ ଖୋଲିଛି ।
ବାସ୍ତବରେ ଗତ ଡ଼ିସେମ୍ବର ମାସରେ ଏହି ଚଳଚ୍ଚିତ୍ର ଦେଶବ୍ୟାପୀ ମୁକ୍ତିଲାଭ କରିବାକୁ ଥିଲା । ଫିଲ୍ମର ମୂଳ ନାମ ‘ପଦ୍ମାବତୀ’ । ଏଥିରେ ଚିତ୍ତୋରଗଡ଼ ମହାରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ନ୍ୟୁନ ଭାବେ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି ରାଜସ୍ଥାନର କରଣୀ ସେନା ରାଜସ୍ଥାନରୁ ହାଙ୍ଗାମା ଆରମ୍ଭ କରି ଦେବାରୁ ତାହା ସମଗ୍ର ଦେଶକୁ ବ୍ୟାପି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା । ରାଜପୁତ ସଂପ୍ରଦାୟ ଏହି ଫିଲ୍ମରେ ଚିତ୍ତୋରଗଡ଼ ମହାରାଣୀ ପହ୍ମାବତୀଙ୍କ ଚରିତ୍ରରେ ଅଭିନୟ କରୁଥିବା ଦୀପିକା ପାଦୁକୋନ୍ ଓ ଫିଲ୍ମର ନିଦେ୍ର୍ଦଶକ ସଂଜୟ ଲିଲା ବଂଶାଳୀଙ୍କୁ ଟାର୍ଗେଟ୍ କରିଥିଲେ । ‘ପଦ୍ମାବତୀ’ ଫିଲ୍ମକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବା ଦାବିରେ ବିଭିନ୍ନ ରାଜ୍ୟରେ ହିଂସାତ୍ମକ ବିକ୍ଷୋଭମାନ ହେବାରୁ କେନ୍ଦ୍ର ସରକାର ରାଜପୁତମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ‘ପଦ୍ମାବତୀ’ ଚଳଚ୍ଚିତ୍ର ବିରୋଧରେ ବୟାନବାଜୀ ଆରମ୍ଭ କରି ଦେଇଥିଲେ । ଗୁଜରାଟ ବିଧାନସଭା ନିର୍ବାଚନକୁ ମଧ୍ୟ କେନ୍ଦ୍ର ଗୁରୁତ୍ୱ ଦେଉଥିଲା । ତେଣୁ, ରାଜପୁତ ସଂପ୍ରଦାୟକୁ ସନ୍ତୁଷ୍ଟ ରଖିବା ସକାଶେ ବିଜେପିର ତୁଙ୍ଗ ନେତାମାନେ ‘ପଦ୍ମାବତୀ’ ବିରୋଧରେ ସ୍ୱରକୁ ଶାଣିତ କରି ବିବଦମାନ ପରିସ୍ଥିତି ସୃଷ୍ଟି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିବାଦକୁ ନେଇ ମୁହଁ ଖୋଳୁ ନ ଥିବା ବେଳେ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟ ‘ପଦ୍ମାବତୀ’କୁ ସଂପୂର୍ଣର୍ ନିଷିଦ୍ଧ କରାଯିବା ଦାବିକୁ ହାୱା ଦେଇଥିଲେ । ଫିଲ୍ମର ନିଦେ୍ର୍ଦଶକ ସଂଜୟ ଲିଲା ବଂଶାଳୀ ଓ ମହାରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଥିବା ବଳିଉଡ୍ ନାୟିକା ଦୀପିକା ପାଦୁକୋନ୍ଙ୍କୁ ହତ୍ୟା ପାଇଁ ସୁପାରୀ ମଧ୍ୟ ଘୋଷଣା ହୋଇ ଗଲା । ସେନସର୍ ବୋର୍ଡ ମୁଖ୍ୟ ପ୍ରସୁନ୍ନ ଯୋଶୀ କେନ୍ଦ୍ର ବିଜେପି ସରକାରଙ୍କ ମତିଗତି ଦେଖି ଏହି ଚଳଚ୍ଚିତ୍ରକୁ ସେନ୍ସର ସାର୍ଟିଫିକେଟ୍ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଫିଲ୍ମରେ କେତେକେ ବୈଷୟିକ ତୃଟୀ ଥିବା ଦର୍ଶାଇ ସେନ୍ସର ବୋର୍ଡ ପ୍ରଯୋଜକଙ୍କ ନିକଟକୁ ଫିଲ୍ମର ମୂଳ କପି ଫେରାଇ ଦେଇଥିଲେ । ଆବଶ୍ୟକ ପରିବର୍ତନ ପରେ ସେନ୍ସର ବୋର୍ଡ ନିକଟରେ ଫିଲ୍ମର କପି ପୁନଃ ଉପସ୍ଥାପନ କରାଯିବାକୁ ପ୍ରଯୋଜନା ସଂସ୍ଥାକୁ କୁହାଗଲା । ଇତିମଧ୍ୟରେ, ‘ପଦ୍ମାବତୀ’ର ମୁକ୍ତିଲାଭ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯିବା ସକାଶେ ସୁପ୍ରିମ କୋର୍ଟରେ ହୋଇଥିବା ଏକ ଆବେଦନ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଖାରଜ ହୋଇ ସାରିଥିଲା । ଏସବୁ ସତ୍ତ୍ୱେ କରଣୀ ସେନା ବା ବିଜେପି ସରକାର ନିଜ ଜିଦ୍ ରେ ଅଟଳ ରହି ଫିଲ୍ମ ରିଲିଜ୍ ହେବାକୁ ଦେଇ ନ ଥିଲେ ।
ନିକଟରେ, କିଛି କାଂଟଛାଂଟ ଓ ଫିଲ୍ମର ନାମ ପରିବର୍ତନ ପରେ ସେନ୍ସର ବୋର୍ଡ ଏହାର ପ୍ରଦର୍ଶନ ସକାଶେ ଅନୁମତି ଦେଇଛନ୍ତି । ଚଳଚ୍ଚିତ୍ରର ନାମ ‘ପଦ୍ମାବତୀ’ରୁ ‘ପଦ୍ମାବତ୍’ ହୋଇ ସେନ୍ସର ବୋର୍ଡ ସାର୍ଟିଫିକେଟ୍ ପାଇଛି । ଜାନୁୟାରୀ ୨୫ରେ ଏହାର ରିଲିଜ୍ ପାଇଁ ପ୍ରଯୋଜକ ଘୋଷଣା କରିଛନ୍ତି । ତେବେ, ଜିଦିଆ କରଣୀ ସେନା ଓ ବିଜେପି ଶାସିତ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ଏହାର ମୁକ୍ତିଲାଭ ଉପରେ ନିଷେଧାଦେଶ ଲଗାଇ ନିଜ ଅହଂକାର ବ୍ୟକ୍ତ କରୁଥିବା କ୍ଷୋଭର ବିଷୟ ହୋଇଛି । ୨୦୧୮ରେ ରାଜସ୍ଥାନ ବିଧାନ ସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରଥମେ ନିଜ ରାଜ୍ୟରେ ‘ପଦ୍ମାବତ୍’ର ୨୫ ତାରିଖ ମୁକ୍ତଲାଭକୁ ନିଷିଦ୍ଧ କରିଛନ୍ତି । ପରେ, ଗୁଜରାଟ ଓ ହରିଆନା ବିଜେପି ସରକାର ନିଜ ନିଜ ରାଜ୍ୟରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ନିଷିଦ୍ଧ କରି ଏହି ସୁଅରେ ସାମିଲ ହୋଇଛନ୍ତି । ଆଇନ ଶୃଙ୍ଖଳା ବିପନ୍ନ ହେବା ଆଳରେ ‘ପଦ୍ମାବତ୍’ର ରିଲିଜ୍ କୁ ରୋକା ଯାଉଛି । ସାହିଦ କପୁର, ଦୀପିକା ପାଦୁକୋନ୍ ଓ ରଣବୀର ସିଂହ ମୁଖ୍ୟ ଚରିତ୍ରରେ ଥାଇ ନିର୍ମିତ ଏହି ୧୯୦ କୋଟି ଟଙ୍କାର ଚଳଚ୍ଚିତ୍ର ବର୍ଷାଧିକ କାଳ ସଂକଟ ଦେଇ ଗତି କରିବା ପରେ ସେନ୍ସର ସାର୍ଟିଫିକେଟ୍ ପାଇ ଆଶ୍ୱସ୍ତ ହୋଇଥିଲା । ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଘୋଷଣା କରିଥିବା ବେଳେ ପୁନର୍ବାର ବିଜେପି ରାଜ୍ୟ ସରକାରମାନଙ୍କ ଆକ୍ରୋଶର ଶିକାର ହୋଇଛି । ଅନ୍ୟ ରାଜ୍ୟ ସରକାର ମାନେ କିଭଳି ଆଭିମୁଖ୍ୟ ଗ୍ରହଣ କରିବେ, ତାହା ଆଗାମୀ ଦିନରେ ଜଣାପଡିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS