ବିନା ପାସ୍ ରେ ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ ମନା !
ଭୁବନେଶ୍ୱର, ୧୭ ଜାନୁୟାରୀ: ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଭି. କାର୍ତିକେୟନ୍ ପାଂଡିଆନ୍ ଙ୍କୁ ଟାର୍ଗେଟ୍ କରିବା ମିଡ଼ିଆ ପାଇଁ ମହଙ୍ଗା ପଡିଛି । ସାମ୍ବାଦିକମାନେ ବିନା ପାସ୍ ରେ ସଚିବାଳୟରେ ପ୍ରବେଶ କରିବା ଉପରେ ସରକାର କଟକଣା ଜାରି କରିଛନ୍ତି । ପୁର୍ବରୁ ଏଭଳି ଯିବା, ଆସିବା ଚାଲିଥିଲା । ପାସ୍ ନ ଥାଇ ସଚିବାଳୟ ଭିତରେ ପ୍ରବେଶ ଉପରେ କଟକଣା ରହିଥିଲେ ମଧ୍ୟ ସାମ୍ବାଦିକମାନଙ୍କ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିଲା । ଏଇ କିଛି ଦିନ ହେଲା ପାଂଡିଆନ୍ ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ । ଏହି ତାମିଲ ଆଇଏଏସ୍ ଅଫିସର ଜଣକ ତୃତୀୟ ମହଲାରେ ବସି ରାଜ୍ୟ ବିଜେଡ଼ି ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମଧ୍ୟ ତାଙ୍କରି ଦ୍ୱାରା ପ୍ରଭାବିତ ହେଉଛି ବୋଲି କିଛି ବିଜେଡ଼ି ନେତାଙ୍କ ଅଭିଯୋଗକୁ ଭିତ୍ତି କରି ଗଣମାଧ୍ୟମରେ ଚର୍ଚ୍ଚା ଯୋର୍ ଧରିଥିଲା । ଏଭଳି ଅଭିଯୋଗ କରି ସରକାରଙ୍କୁ ଅଡୁଆରେ ପକାଇ ଥିବା ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ତୃତୀୟ ମହଲାକୁ ଡାକି ସଲାସୁତୁରା କରିଥିବା ବେଳେ ଗଣମାଧ୍ୟମକୁ ଟାର୍ଗେଟ୍ କରିଛନ୍ତି । ମଙ୍ଗଳବାର ଦିନ ପାସ୍ ନ ଥିବା ସାମ୍ବାଦିକଙ୍କୁ ଅନ୍ୟ ଏକ ଫାଟକ ଦେଇ ସଚିବାଳୟରେ ପ୍ରବେଶ ସୁଯୋଗ ଦିଆଯାଇ ଥିଲେ ମଧ୍ୟ ବୁଧବାରରୁ କଡାକଡି ଭାବେ ସରକାରୀ ଆଦେଶ କାର୍ଯ୍ୟକାରୀ କରାଯିବ ଏବଂ ବିନା ପାସ୍ ରେ ସଚିବାଳୟରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ମଙ୍ଗଳବାର ଜଣାଇ ଦିଆ ଯାଇଛି । ସରକାର ସାମାଜିକ ଗଣମାଧ୍ୟମକୁ ନିଜ ପ୍ରଚାରର ମାଧ୍ୟମ କରିଥିବା ବେଳେ ସାମ୍ବାଦିକଙ୍କ ସଚିବାଳୟ ପ୍ରବେଶ ଉପରେ ଏଭଳି କଟକଣା ଜାରି କରିବା ଯୋଗୁ ବିଭିନ୍ନ ସାମ୍ବାଦିକ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ପାଇଁ ଏଭଳି ନିଷ୍ପତ୍ତି ମହଙ୍ଗା ପଡ଼ିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS