ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି, ୨୦୧୭ରେ ୧୦ ନିୟୁତ ଟପିଲା


ନୂଆଦିଲ୍ଲୀ, ୧୮ ଜାନୁୟାରୀ: ୨୦୧୭ରେ ଭାରତକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ନିୟୁତ ଟପିଛି । ୨୦୧୬ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଗଲା ବର୍ଷ ଦେଶ ଏ ବାବଦରେ ୨୭ ବିଲିଅନ ଡ଼ଲାରରୁ ଅଧିକ ଆୟ ହୋଇଛି । ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରିବା ମାଧ୍ୟମରେ ୨୦୧୮ରେ ଏହି ସଂଖ୍ୟା ଆହୁରି ବଢାଇବାକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।
ପର୍ଯ୍ୟଟନ ମନ୍ତ୍ରୀ କେ.ଜେ. ଆଲଫାନ୍ସୋ ମଙ୍ଗଳବାର ଦିନ କୋଚି ଠାରେ ଦେଇଥିବା ସୂଚନା ଅନୁଯାୟୀ, ଦେଶର ଜିଡ଼ିପିରେ ପର୍ଯ୍ୟଟନ ଶିଳ୍ପ ଆୟର ଯୋଗଦାନ ହେଉଛି ୬.୮୮ ପ୍ରତିଶତ । ଏହାଛଡା, ୨୦୧୭ ବର୍ଷ ଦେଶରେ ସୃଷ୍ଟି ହୋଇଥିବା ମୋଟ କର୍ମ ନିଯୁକ୍ତିର ୧୨ ପ୍ରତିଶତ ଏହି ଶିଳ୍ପରୁ ସୃଷ୍ଟି ହୋଇଛି । ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ୨୦୧୭ରେ ପ୍ରତିଯୋଗୀତାତ୍ମକ ପର୍ଯ୍ୟଟନ ଇଂଡେକ୍ସ (ଟୁରିଜିଅମ୍ କଂପିଟେଟିଭନେସ୍ ଇଂଡେକ୍ସ)ରେ ଭାରତ ୨୫ଟି ସ୍ଥାନ ଉପରକୁ ଉଠି ୪୦ତମ ସ୍ଥାନରେ ପହଂଚିଛି । ୨୦୧୩ରେ ଭାରତ ଏହି ଇଂଡେକ୍ସରେ ୬୫ତମ ସ୍ଥାନରେ ରହିଥିଲା । ପର୍ଯ୍ୟଟନ ଶିଳ୍ପ ପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହ ଭିତ୍ତିଭୂମୀର ବିକାଶ ଏବଂ ସ୍ୱଦେଶ ଦର୍ଶନ ସ୍କିମ୍ ଭଳି ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଥିମ୍-ଭିତ୍ତିକ ଓ ଧାର୍ମିକ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇଛନ୍ତି । ଏସବୁ ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମୀ ବିକାଶ ସହ ବ୍ୟାପକ ପ୍ରଚାର ଆଧାରରେ ଏହି ଲକ୍ଷ୍ୟ ହାସଲ ହୋଇପାରିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ସରକାର ସ୍ୱଦେଶ ଦର୍ଶନ ସ୍କିମ୍ ରେ ୧୧ଟି ନୂତନ ପ୍ରକଳ୍ପକୁ ମଂଜୁରୀ ଦେଇ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ପ୍ରକଳ୍ପ ସଂଖ୍ୟା ୬୭କୁ ବୃଦ୍ଧି କରିଛନ୍ତି । ବୁଦ୍ଧିଷ୍ଟ୍ ସର୍କିଟ୍ ଭଳି ଧାର୍ମିକ ପର୍ଯ୍ୟଟନ ବିକାଶକୁ ସରକାରଙ୍କ ଯୋଜନାରେ ପ୍ରାଥମିକତା ଦିଆଯାଇଛି ।
କେନ୍ଦ୍ର ସରକାର ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସକାଶେ ଉତ୍ତର ପୂର୍ବାଂଚଳ ରାଜ୍ୟରେ ଭିତ୍ତିଭୂମୀ ବିକାଶକୁ ଏବେ ଅଧିକ ଗୁରୁତ୍ୱ ଦେଉଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ‘ଇନକ୍ରେଡ଼ିବଲ୍ ଇଂଡ଼ିଆ’ ଅଭିଯାନ୍ରେ ଉତ୍ତର-ପୂର୍ବାଂଚଳ ରାଜ୍ୟର ସବୁଜିମା, ପର୍ବତମାଳା ଓ ଦୁଇ ପାହାଡ ମଝିରେ ଉପତ୍ୟାକାରେ ଥିବା ଗୋଲ୍ଫ୍ କୋର୍ସ ଗୁଡ଼ିକୁ ସାମିଲ କରାଯାଇ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ୟମ ହୋଇଛି । ବିଦେଶୀ ପର୍ଯ୍ୟଟକଙ୍କୁ ଏହି ଅଂଚଳର ସୌଦ୍ଧର୍ଯ୍ୟ ଓ ଗୋଲ୍ଫ କୋର୍ସ ଗୁଡ଼ିକ ପ୍ରତି ଆକୃଷ୍ଟ କରିବା ସକାଶେ ନୂତନ ଯୋଜନା ହୋଇଛି । ମଣିପୁରର ମହିଳା ପୋଲୋ ଟିମ୍ ଆମେରିକା ପୋଲୋ ଆସୋସିଏସନ୍ ଟିମ୍ (ୟୁଏସପିଏ) ବିପକ୍ଷରେ ଖେଳି ବେଶ୍ ସୁନାମ ଅର୍ଜନ କରି ଥିବାରୁ ଏହି ଅଂଚଳରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ସକାଶେ ମହିଳା ପୋଲୋ ଖେଳାଳୀଙ୍କୁ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ମଣିପୁରର ଏହି ମହିଳା ପୋଲୋ ଖେଳାଳୀମାନେ ଖେଳକୁ ଅଧିକ ଲୋକପ୍ରିୟ କରିବା ମାଧ୍ୟମରେ ପର୍ଯ୍ରଯନ ଶିଳ୍ପକୁ ଅଧିକ ସମୃଦ୍ଧ କରି ପାରିବେ ବୋଲି ବିଭାଗର ଅଧିକାରୀମାନେ କହିଛନ୍ତି ।
୨୦୧୭ରେ ଭାରତ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା:
ଏପ୍ରିଲରେ ୭.୪ ଲକ୍ଷ ( ୨୦୧୬ରେ ଆସିଥିଲେ ୫.୯୯ ଲକ୍ଷ), ମେ’ରେ ୬.୩୦ ଲକ୍ଷ (୨୦୧୬ରେ ଆସିଥିଲେ ୫.୯୯ ଲକ୍ଷ), ଜୁନ୍ ରେ ୬.୭୦ ଲକ୍ଷ (୨୦୧୬ରେ ଆସିଥିଲେ ୫.୪୭ ଲକ୍ଷ), ଜୁଲାଇରେ ୭.୮୮ ଲକ୍ଷ (୨୦୧୬ରେ ଆସିଥିଲେ ୭.୩୪ ଲକ୍ଷ), ଅଗଷ୍ଟରେ ୭.୨୪ ଲକ୍ଷ (୨୦୧୬ରେ ଆସିଥିଲେ ୬.୫୨ ଲକ୍ଷ), ସେପ୍ଟେମ୍ବରରେ ୭. ୨୩ ଲକ୍ଷ (୨୦୧୬ରେ ଆସିଥିଲେ ୬.୦୮ ଲକ୍ଷ), ନଭେମ୍ବର ରେ ୮.୭୬ ଲକ୍ଷ (୨୦୧୬ରେ ଆସିଥିଲେ ୭.୪୨ ଲକ୍ଷ) ଏବଂ ଡ଼ିସେମ୍ବର ରେ ୧୦.୫ ଲକ୍ଷ (୨୦୧୬ରେ ଆସିଥିଲେ ୮.୭୮ ଲକ୍ଷ) ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS