ରାଷ୍ଟ୍ରପତିଙ୍କୁ ସମୟ ମାଗିଲେ ‘ଆପ୍’ ବିଧାୟକ, ଉପ ନିର୍ବାଚନ ପାଇଁ କଂଗ୍ରେସ,ବିଜେପି ପ୍ରସ୍ତୁତ – ସବୁ କିଛି ପୂର୍ବ ପ୍ରୟୋଜିତ !


ନୂଆଦିଲ୍ଲୀ,୨୧ ଜାନୁୟାରୀ: ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗର ସମ୍ମୁଖୀନ ହୋଇଥିବା ଆମ୍ ଆଦମୀ ପାର୍ଟି (ଆପ୍)ର ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି । ଏହି ବିଧାୟକମାନେ ସେମାନଙ୍କ ପ୍ରତି ନିର୍ବାଚନ କମିସନ୍ ଅନ୍ୟାୟ କରିଥିବା ଅଭିଯୋଗ କରି ରାଷ୍ଟ୍ରପତିଙ୍କୁ ଭେଟି ଗୁହାରି ଜଣାଇବାକୁ ସମୟ ମାଗି ଥିବା ବେଳେ କଂଗ୍ରେସ ଓ ବିଜେପି ଉପ-ନିର୍ବାଚନର ସାମନା କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଲାଣି । କେତେକ ଜାତୀୟ ଗଣମାଧ୍ୟମ ଏଭଳି ଏକ ମାହୋଲ୍ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ଉପ ନିର୍ବାଚନ ନିଶ୍ଚିତ ଥିବାରୁ ୨୦ ଆସନରୁ କିଏ କେତେ ପାଇବେ ତାହାର ଆକଳନ ମଧ୍ୟ ବୈଦ୍ୟୁତିକ ଗଣ ମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି । ଅପରପକ୍ଷରେ, ନିର୍ବାଚନ କମିସନ୍ ‘ଅଫିସ୍ ଅଫ୍ ପ୍ରଫିଟ୍’ ଅଭିଯୋଗରେ ଅଭିଯୁକ୍ତ ବିଧାୟକମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ସକାଶେ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ‘ଆପ୍’ ନେତାମାନେ ଦୃଢ ଯୁକ୍ତି ବାଢୁଛନ୍ତି । ସଭ୍ୟ ପଦ ହରାଇବାକୁ ଯାଉଥିବା ବିଧାୟକ ମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନ୍ୟାୟ ମାଗିବେ ବୋଲି ଦଳ କହିଛି । ଏହା ହେଉଛି ୨୦ ‘ଆପ୍’ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ କମିସନ୍ ରାଷ୍ଟ୍ରପତିଙ୍କୁ ସୁପାରିଶ କରିବାର ମାତ୍ର ଗୋଟିଏ ଦିନ ପରର ଘଟଣାବଳୀ ।
ଶୁକ୍ରବାର ଅପରାହ୍ନରେ ନିର୍ବାଚନ କମିସନ୍ ରାଷ୍ଟ୍ରପତିଙ୍କୁ ସୁପରିଶପତ୍ର ପଠାଇବା ପରେ ଶନିବାର ଦିନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଭେଟି ନିର୍ବାଚନ କମିସନ୍ ଓ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ନିର୍ବାଚନ କମିସନ ଏକ ସାମ୍ବିଧାନିକ ଅନୁଷ୍ଠାନ ହୋଇଥିବା ସତ୍ୱେ ସାମାଜିକ ନ୍ୟାୟର କଂଠରୋଧ କରିବା କ୍ଷୋଭର ବିଷୟ ବୋଲି ସେ ମତ ଦେବା ସହ କମିସନଙ୍କ ସୁପାରିଶ ‘ଏକପାଖିଆ’ ଓ ‘ଅଗଣତାନ୍ତ୍ରିକ’ ବୋଲି କହିଛନ୍ତି । ସଭ୍ୟପଦ ହରାଇବାକୁ ଯାଉଥିବା ୨୦ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟି ଏହି ମାମଲାରେ ସେମାନଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିବେ । ନିର୍ବାଚନ କମସନ୍ ଯେଉଁ ସୁପାରିଶ କରିଛନ୍ତି ତାହା ରାଷ୍ଟ୍ରପତି କମିସନ୍ ଙ୍କ ନିକଟକୁ ଫେରାଇ ଦେଇ ବିଧାୟକମାନଙ୍କ ପକ୍ଷ ଶୁଣିବା ପରେ ମତାମତ ଦେବାକୁ କହିବା ସକାଶେ ରାଷ୍ଟ୍ରପତିଙ୍କୁ ନିବେଦନ କରାଯିବ ବୋଲି ସେ କହିଛନ୍ତି । ଏହି ବିଧାୟକମାନେ ନୂଆ ପଇସାଟିଏ ବି ପ୍ରାପ୍ୟ ନେଇ ନାହାନ୍ତି । ବଙ୍ଗଳା, ଅଫିସ ବା ଗାଡ଼ି ମଧ୍ୟ ନେଇ ନଥିବା ସେ ଯୋର ଦେଇ କହି ପାରିବେ ବୋଲି ସିସୋଦିଆ କହିଛନ୍ତି ।
ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବିଧାୟକମାନଙ୍କୁ ମୋହଲ୍ଲା କ୍ଲିନିକ, ସ୍କିଲ୍ ସେଂଟର, ପର୍ଯ୍ୟଟନ, ସରକାରଙ୍କ ଦ୍ୱାରା ଅନୁମୋଦନ ପାଇ ନଥିବା କଲୋନୀ ମାନଙ୍କରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଇବା ପ୍ରଭୃତି ଦାୟିତ୍ୱ ଦିଆ ଯାଇଥିଲା । ନିଜ ପକେଟରୁ ଖର୍ଚ୍ଚ କରି ସେମାନେ ଏହି ସବୁ କାର୍ଯ୍ୟ ତଦାରଖ କରିବା ସକାଶେ ଯାଉଥିଲେ । ଅନ୍ୟ ରାଜ୍ୟମାନଙ୍କରେ ପାର୍ଲାମେଂଟାରୀ ସଚିବ ଭାବେ ନିଯୁକ୍ତି ପାଇ ଥିବା ବ୍ୟକ୍ତିମାନେ ଲକ୍ଷାଧିକ ଟଙ୍କାର ଦରମା ନେଉ ଥିବା ବେଳେ ଏହି ବିଧାୟକମାନେ ଦରମା ବି ନେଇ ନାହାନ୍ତି । ଦିଲ୍ଲୀ ସରକାର ନିଃସ୍ୱାର୍ଥ ଭାବେ ଦିଲ୍ଲୀବାସୀଙ୍କ ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ବିଜେପି ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରି ଆସିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ୧୧ଟି ରାଜ୍ୟ ପାର୍ଲାମେଂଟାରୀ ସଚିବ ନିଯୁକ୍ତି ଦେଇ ଥିବା ବେଳେ ଦିଲ୍ଲୀର ‘ଆପ୍’ ସରକାରଙ୍କୁ ହିଁ ଟାର୍ଗେଟ୍ କରାଯାଉଛି ବୋଲି ଏଏପି ନେତା ଗୋପାଳ ରାୟ ଅଭିଯୋଗ କରିଛନ୍ତି ।
ନିର୍ବାଚନ କମିସନଙ୍କ ସୁପାରିଶ ଦ୍ୱାରା ସଭ୍ୟ ପଦ ହରାଉଥିବା ୨୦ ‘ଆପ୍’ ବିଧାୟକ ଏହି ସୁପାରିଶକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆବେଦନ ଉପରେ ସୋମବାର ଦିନ ଶୁଣାଣୀ ହେବାକୁ ରହିଛି । ନିର୍ବାଚନ କମିସନଙ୍କ ଯୁକ୍ତି ହେଉଛି, ଏହି ବିଧାୟକମାନେ ମାର୍ଚ୍ଚ ୧୩, ୨୦୧୫ରୁ ୮ ସେପ୍ଟେମ୍ବର ୨୦୧୬ ପର୍ଯ୍ୟନ୍ତ ପାର୍ଲାମେଂଟାରୀ ସଚିବ ପଦରେ ରହି ଥିଲେ, ଯାହାକୁ କି ଲାଭଜନକ ପଦବୀ (ଅଫିସ୍ ଅଫ୍ ପ୍ରଫିଟ୍) ଭାବେ ବିଚାର କରାଯାଉଛି । ତେଣୁ, ଏହି ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ ହେବା ଆଇନ ସମ୍ମତ । ଶୁକ୍ରବାର ଦିନ ଏହି ମର୍ମରେ ନିର୍ବାଚନ କମିସନ୍ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ‘ଆପ୍’ର ୨୦ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ସୁପାରିଶ କରିଛନ୍ତି । ସେଦିନ ଅପରାହ୍ନରେ ଏହା ପ୍ରଘଟ ହେବା ପରେ ଦିଲ୍ଲୀ ସରକାର କେବଳ ନୁହେଁ, ସଂପୂର୍ଣର୍ ଭାବେ ଭାରତୀୟ ରାଜନୀତିରେ ହଡକଂପ ସୃଷ୍ଟି ହୋଇଛି । ଏହି ନୂଆ ବିପଦର ମୁକାବିଲା ପାଇଁ ‘ଆପ୍’ ନିଜର ସମସ୍ତ ଶକ୍ତି ଖଟାଉ ଥିବା ବେଳେ ନିର୍ବାଚନ କମିସନ୍ ଙ୍କ ସୁପାରିଶ କାର୍ଯ୍ୟକାରୀ ହେବା ନିଶ୍ଚିତ ଜାଣି ବିଜେପି ଓ କଂଗ୍ରେସ ନେତୃତ୍ୱ ଏସବୁ ଆସନ ପାଇଁ ଉପ-ନିର୍ବାଚନର ଅବଗଣନା ଆରମ୍ଭ କରି ଦେଇଛନ୍ତି । ଦୁଇ ଦଳ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଦାବି କରିବା ସହ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଉପ-ନିର୍ବାଚନ ହାୱା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଦିଲ୍ଲୀ ବିଧାନସଭାର ୨୦ ଆସନରେ ଉପ ନିର୍ବାଚନ ହେଲେ କାହା ଖାତାକୁ କେତେ ଆସନ ଆସିବ, ତାହାର ଆକଳନ ମଧ୍ୟ ଦୁଇ ଦିନ ହେଲା ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେୁଛି । ଏହାକୁ ନେଇ ଟିଭିରେ ବିତର୍କର ଝଡ ମଧ୍ୟ ଦେଖିବାକୁ ମିଳିଲାଣି । ଏଥିରୁ ସବୁ କିଛି ଯେ ପୂର୍ବ ପ୍ରୟୋଜିତ, ତାହା ସ୍ପଷ୍ଟ ହୋଇ ଯାଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS