ଫେବୃୟାରୀ ୨୪ରେ ବିଜେପୁର ବିଧାନସଭା ଉପ ନିର୍ବାଚନ
ଭୁବନେଶ୍ୱର,୨୪ ଜାନୁୟାରୀ: ବହୁ ପ୍ରତୀକ୍ଷିତ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନ ଆସନ୍ତା ମାସ ୨୪ ତାରିଖରେ ଅନୁଷ୍ଠିତ ହେବ । ୨୮ ତାରିଖ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଭାରତର ମୁଖ୍ୟ ନିର୍ବାଚନ କମିସନ ମଙ୍ଗଳବାର ଦିନ ଏହା ଘୋଷଣା କରିଛନ୍ତି । ଏହି ନିର୍ବାଚନ ମଂଡଳୀରୁ ଲଗାତର ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୁବଳ ସାହୁଙ୍କ ଅକାଳ ମୃତ୍ୟୁ ପରେ ଆସନଟି ଖାଲି ପଡିଛି । ତେଣୁ,ଉପ ନିର୍ବାଚନ ହେବାକୁ ଯାଉଛି । ଏସଂପର୍କୀତ ଗେଜେଟ ବିଜ୍ଞପ୍ତି ଏହି ମାସ ୩୦ ତାରିଖ ପ୍ରକାଶ ପାଇବ ।
ଉପ ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ, ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଫେବୃୟାରୀ ୬ ଧାର୍ଯ୍ୟ ହୋଇଥିବା ବେଳେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ଫେବୃୟାରୀ ୯ ରଖା ଯାଇଛି । ନିର୍ବାଚନ ତାରିଖ ଘୋଷଣା ସଂଗେ ସଂଗେ ନିର୍ବାଚନ ଆଚରଣବିଧି ଲାଗୁ ହୋଇ ଯାଇଛି ।
ଏହି ଉପ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଶାସକ ବିଜେଡ଼ି, କଂଗ୍ରେସ ଓ ବିଜେପି ମଧ୍ୟରେ ବେଶ୍ ଉକ୍ରଣ୍ଠା ଲାଗି ରହି ଥିଲା । ନିର୍ବାଚନ କମିସନ ତାରିଖ ଘୋଷଣାରେ ବିଳମ୍ବ କରୁଥିବା ନେଇ ଶାସକ ବିଜେଡ଼ି କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପିକୁ ଦାୟି କରୁଥିବା ବେଳେ ବିଜେପି ଶାସକ ଦଳକୁ ଦାୟି କରୁଥିଲା । ପରାଜୟ ଭୟରେ ବିଜେପି ଉପ ନିର୍ବାଚନ ଗଡାଇ ଚାଲିଛି ବୋଲି ଶାସକ ଦଳର ଅଭିଯୋଗ ଥିଲା । ଏଥିସକାଶେ ବିଜେଡ଼ି ନିର୍ବାଚନ କମିସନଙ୍କୁ ଦୋଷ ଦେବାକୁ ମଧ୍ୟ ପଛାଇ ନ ଥିଲା । ଅପରପକ୍ଷରେ, ୨୦୧୪ ନିର୍ବାଚନରେ ହାରି ଥିବା ବିଜେଡ଼ି ପ୍ରାର୍ଥୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଜୟୀ ପ୍ରାର୍ଥୀ କଂଗ୍ରେସର ସୁବଳ ସାହୁଙ୍କ ବିରୋଧରେ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଯେଉଁ ମାମଲା ଦାଏର କରିଥିଲେ ତାହା ପ୍ରତ୍ୟାହାର କରିବାରେ ବିଳମ୍ବ ହେବାରୁ ଉପ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ହୋଇଛି ବୋଲି ବିରୋଧୀ ବିଜେପି ପାଲଟା ଅଭିଯୋଗ କରିଥିଲା । ତେବେ, କଂଗ୍ରେସ ଦୁଇ ପକ୍ଷଙ୍କୁ ଦାୟି କରି ନିଜର ରାଜନୀତିର ରୁଟି ସେକୁଥିଲା । ମଙ୍ଗଳବାର ଦିନ ନିର୍ବାଚନ କମିସନ ଉପ ନିର୍ବାଚନ ତାରିଖ ଘୋଷଣା କରିବା ସହ ସ୍ଥାନୀୟ ପର୍ବପର୍ବାଣୀ, ମହୋତ୍ସବ, ଭୋଟର ତାଲିକା ପ୍ରସ୍ତୁତି, ପାଣିପାଗ ପ୍ରଭୃତି କାରଣ ଦର୍ଶାଇ ଫେବୃୟାରୀ ୨୪ରେ ଭୋଟ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ଦେବା ପରେ ଏହି କାଦୁଅ ଫିଙ୍ଗାର ଅବସାନ ଘଟିଛି ।
ବିଜେପୁର ଉପ ନିର୍ବାଚନକୁ ନେଇ ଉଭୟ ଶାସକ ଓ ବିରୋଧୀ ମାତ୍ରାଧିକ ଉକ୍ରଂଠା ପ୍ରକାଶ କରିବାର କାରଣ ହେଉଛି, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଲୋକପ୍ରିୟତା ପ୍ରମାଣ କରିବା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ ସୁଯୋଗ । ପଂଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ ଭଲ ଫଳାଫଳ କରି ଥିବାରୁ ବିଜେପୁର ଉପ ନିର୍ବାଚନରେ ମଧ୍ୟ ତାହା ଦୋହରାଇ ବିଜେଡ଼ି ପ୍ରତି ଜନସମର୍ଥନ କମୁ ଥିବା ପ୍ରମାଣ କରିବାକୁ ଚାହୁଁଛି । ବିଜେଡ଼ି ମଧ୍ୟ କଂଗ୍ରେସ ହାତରୁ ଏହି ଆସନ ଛଡାଇ ନେବା ସହ ବିଜେପିକୁ ତା’ର ଓøକାତ ଦେଖାଇବାକୁ ଅଂଟା ଭିଡ଼ିଛି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ପରେ ଶାସକ ବିଜେଡ଼ି ସୁବଳଙ୍କ ପତ୍ନୀ ରୀତା ସାହୁ ଓ ତାଙ୍କ ସମର୍ଥକମାନଙ୍କୁ ବିଜେଡ଼ିକୁ ଆଣି ଗଡ଼ ଦଖଲର ରାସ୍ତାକୁ ସୁଗମ କରିଛି । ରୀତାଙ୍କୁ ବିଜେଡ଼କୁ ଆଣିି ପ୍ରାର୍ଥୀ କରାଯିବା ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କର ଜାଣି ସୁଦ୍ଧା ଦଳରେ ପ୍ରବଳ ଅସନ୍ତୋଷର ସୂତ୍ରପାତ ହୋଇଥିଲା । ଏହା ଦେଖି ବିଜେଡ଼ି ସଭାପତି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ରୀତାଙ୍କୁ ଦଳର ପ୍ରାର୍ଥୀ ଭାବେ ଘୋଷଣା କରି ୨୦୧୪ ନିର୍ବାଚନରେ ପରାଜିତ ହୋଇଥିବା ବିଜେଡ଼ି ପ୍ରାର୍ଥୀ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରଖିଛନ୍ତି । ସେହିଭଳି, ବିଜେପିରେ ମଧ୍ୟ ଅଶାନ୍ତି ଦେଖିବାକୁ ମିଳିଛି । ଦଳର ରାଜ୍ୟ ଶଖା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ଟାଣି ନେଇ ବିଜେପିରେ ମିଶାଇବା ସହ ତାଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିବାର ଆଭାସ ଦେଇଛି । ଅଶୋକ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକଟ ନ ପାଇ ବିଜେଡ଼ି ପ୍ରାର୍ଥ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଥିଲେ ଏବଂ ବିଜେଡ଼ି ଭୋଟ ବିଭାଜନର କାରଣ ହୋଇଥିଲେ । ଫଳରେ, ବିଜେଡ଼ି ପ୍ରାର୍ଥୀ ଆଚାର୍ଯ୍ୟ ଅତି କମ୍ ଭୋଟ ବ୍ୟବଧାନରେ କଂଗ୍ସେ ପ୍ରାର୍ଥୀ ସୁବଳ ସାହୁଙ୍କ ନିକଟରୁ ପରାଜିତ ହୋଇଥିଲେ । ବିଜେପୁର ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ପାଣିଗ୍ରାହୀ ରୀତା ସାହୁଙ୍କ ନାମ ବିଜେଡ଼ି ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହେବା ପରେ ବିତୃଷ୍ଣ ହୋଇ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ପାଣିଗ୍ରାହୀ ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା ସଂପର୍କରେ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା ହୋି ନଥିଲେ ବି ନିର୍ବାଚନ ମଂଡଳୀ ସ୍ତରରେ ବିଜେପିରେ ଅସନ୍ତୋଷର ନିଆଁ ଜଳି ଥିଲା । ଦଳରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବିଜେପି ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ପୂର୍ବତନ ବିଧାୟକ ପାଣିଗ୍ରାହୀଙ୍କୁ ଦଳରେ ଗ୍ରହଣ କରାଯିବା ସହ ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀ କରାଯିବା ସମ୍ଭାବନାକୁ ଦେଖି ଅସନ୍ତୁଷ୍ଟ ହୋଇ ବିଜେପିରୁ ଇସ୍ତଫା ଦେବା ସହ ବିଜେଡ଼ିରେ ଯୋଗ ଦେଇଛନ୍ତି ।
ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏଭଳି ବହୁ ରାଜନୈତିକ ହଟଚମଟ ଦେକିବାକୁ ମିଳିଲାଣି । ଏପରିକି, ନିକଟରେ ବିଜେପୁର ନିର୍ବାଚନ ମଂଡଳୀରେ ଗୁଳି ଫୁଟିବା ଏବଂ ବିଜେପି ଏଥି ପାଇଁ ବିଜେଡ଼ି ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦାୟି କରିବା ବିଜେପୁରରେ ଲାଗି ରହିଥିବା ସ୍ପର୍ଶକାତର ବାତାବରଣର ସୂଚନା ଦେଉଛି । ବିଜେପୁର ଉପ ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାର ବହୁ କୋଟିର ଉନ୍ନୟନ କାର୍ଯ୍ୟ ଘୋଷଣା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିବା ବେଳେ ସେଥି ସକାଶେ ଅତିରିକ୍ତ ବଜେଟ ବ୍ୟବସ୍ଥା ହୋଇ ନ ଥିବା ଦର୍ଶାଇ ବିଜେପି ସରକାରଙ୍କୁ କାଠଗଡାରେ ଠିଆ କରିବାକୁ ଉଦ୍ୟମ କରୁଛି । ବିଜେପି ଓ ବିଜେଡ଼ି ଏହି ଉପ ନିର୍ବାଚନକୁ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ କରି ଶିଙ୍ଗ ଲଢେଇରେ ବ୍ୟସ୍ତ ଥିବା ବେଳେ କଂଗ୍ରେସ ମନ୍ଥର ଗତିରେ ତାହାର ପ୍ରସ୍ତୁତି ଚଳାଇଛି । ଉପ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏତେସବୁ ଦେଖିବାକୁ ମିଳି ଥିବାରୁ ଆଗାମୀ ଦିନରେ ଅଧିକ ରୋଚକ ଖବର ହାତକୁ ଆସିବା ନିଶ୍ଚିତ ହୋଇ ଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS