କନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବୁଧବାର କଂଗ୍ରେସର ୧୨ ଘଂଟିଆ ‘ଓଡ଼ିଶା ବନ୍ଦ’
ଭୁବନେଶ୍ୱର,୨୪ ଜାନୁୟାରୀ: କୋରାପୁଟ ଜିଲ୍ଲା ପଟ୍ଟାଗୀ ଥାନା ଅନ୍ତର୍ଗତ ମୁଷାଗୁଡା ଗ୍ରାମର ଜଣେ ଦଳିତ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇ ଉପଯୁକ୍ତ ନ୍ୟାୟ ନ ପାଇ ୧୦୦ ଦିନ ପରେ ଗତ ମଙ୍ଗଳବାର ଦିନ ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ଦଳମାନେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନକୁ ଘେରିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଆତ୍ମହତ୍ୟା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସତ୍ୱେ କଂଗ୍ରେସ ଓ ବିଜେପି ତାଙ୍କ ଇସ୍ତଫା ଦାବି କରି ଆନେ୍ଦାଳନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସରକାର ଓ ପୁଲିସର ଅବହେଳା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବୁଧବାର ୧୨ ଘଂଟିଆ ‘ଓଡ଼ିଶା ବନ୍ଦ’ ଆହ୍ୱାନ ଦିଆ ଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ‘ବନ୍ଦ’ ପାଳନ କରାଯିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି । ବିଜେପି ମଧ୍ୟ ଏହି ‘ବନ୍ଦ’ ଓ ‘ହରତାଳ’ରେ ସାମିଳ ଥିବା ସୂଚନା ମିଳିଛି । କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଓଡ଼ିଶା ପାଇଁ ଏକ ‘କଳା ଦିବସ’ ବୋଲି ପିସିସି ପକ୍ଷରୁ କୁହାଯାଇଛି । ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇ ଥିବାରୁ ଦଳ ଯେଉଁ ୧୨ ଘଂଟିଆ ବନ୍ଦ ପାଳନ କରୁଛି ସେଥିରେ ରାଜ୍ୟବାସୀ ପୂର୍ଣର୍ ସହଯୋଗ କରିବାକୁ ପ୍ରସାଦ ନିବେଦନ କରିଛନ୍ତି । ଘଟଣା ଘଟିବାର ୧୦୦ ଦିନ ପରେ ପୀଡ଼ିତ ନ୍ୟାୟ ନ ପାଇ ଆତ୍ମହତ୍ୟା କରି ଥିବାରୁ ଗୃହ ବିଭାଗ ମୁଖ୍ୟ ଭାବେ ରାଜ୍ୟ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମୁଣ୍ଡାଇ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି । ବିଜେପି ମଧ୍ୟ ମଙ୍ଗଳବାର ଦିନ ଶିଶୁ ଭବନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଅନୁରୂପ ଦାବି କରିଥିଲା । ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ ଉଭୟ ପକ୍ଷ ଆହତ ହୋଇଛନ୍ତି । ବିଜେପି ତାହାର ଆନେ୍ଦାଳନ ଚାଲୁ ରଖିବ ବୋଲି ଘୋଷଣା କରିଛି । ଇତିମଧ୍ୟରେ, ରାଜ୍ୟ ସରକାର ‘ବନ୍ଦ’ ଓ ‘ହରତାଳ’କୁ ଆଖିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବୁଧବାର ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ଛୁଟି ଘୋଷଣା କରିଛନ୍ତି । ଯଦି କୌଣସି ପରୀକ୍ଷା ହେବାକୁ ଅଛି, ତାହା ପରେ ଅନ୍ୟ ସୁବିଧାଜନକ ତାରିଖ ଦେଖି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS