ବୈଜୟନ୍ତଙ୍କ ନିଲମ୍ବନ ବିଜେଡ଼ି ପାଇଁ ମହଙ୍ଗା ପଡି ପାରେ


– ପ୍ରସାଦ ରାଓ –
ଭୁବନେଶ୍ୱର,୨୫ ଜାନୁୟାରୀ: କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ିରୁ ନିଲମ୍ବିତ କରାଯିବାରେ ନୂତନତା କିଛି ନାହିଁ । ବହୁ ଆଗରୁ ଏହି ଆଭାସ ମିଳି ସାରିଥିଲା । ବୁଧବାର କେବଳ ତାହା କାର୍ଯ୍ୟକାରୀ ହେଲା । ପ୍ରମିଳା ମଲ୍ଲିକ, ଉଷା ଦେବୀ ଓ ଧୃବ ସାହୁଙ୍କ ରିପୋର୍ଟ କେବଳ ନିମିତ୍ତ ମାତ୍ର ଥିଲା । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କରି ସାରିଥିଲେ, ତାହା ଏଇମାନଙ୍କ ଜରିଆରେ କାର୍ଯ୍ୟକାରୀ କରାଇ ନେଇ ନିଲମ୍ବନକୁ କେବଳ ଏକ ସାମ୍ବିଧାନିକ ପୁଟ ଦେଲେ ।
ବିଜେଡ଼ିର ଭିତିରି ବିଶୃଙ୍ଖଳାକୁ ପଦାରେ ପକାଇ ବୈଜୟନ୍ତ ବହୁ ଆଗରୁ ନବୀନଙ୍କ ଚକ୍ଷୁଶୂଳ ହୋଇ ସାରିଥିଲେ । ବାରମ୍ବାର ଖବର କାଗଜ ସ୍ତମ୍ଭ ଲେଖିବା, ଟ୍ୱିଟ୍ କରିବା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ଅଡୁଆରେ ପକାଇବା ବୈଜୟନ୍ତଙ୍କ ପାଇଁ କାର୍ଯ୍ୟାନୁଷ୍ଠାନର ବାଟ ଖୋଲି ଥିଲା । କେନ୍ଦ୍ରାପଡାରେ ବିଧାୟକମାନେ ବୈଜୟନ୍ତଙ୍କୁ କୋଣଠେସା କରି ନବୀନଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରି ଥିବା ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମର୍ଥକମାନେ ପାଣି ଟାଙ୍କି ଉଦ୍ଘାଟନକୁ ଯାଇଥିବା ବୈଜୟନ୍ତଙ୍କୁ ଅଣ୍ଡା ମାଡ କରିବା ଏବଂ ଏହା ଉପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଦିନ ଗଡାଇବା ପରେ ଧର୍ମକୁ ଆଖି ଠାର ନ୍ୟାୟରେ କିଛି ଲୋକଙ୍କୁ ଗିରଫ କରିବା ପଛରେ ଯେ ନବୀନଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିଲା, ଏଥିରେ କୌଣସି ସନେ୍ଦହ ନାହିଁ । ନବୀନଙ୍କ ‘କୋଟରୀ’ ତୃତୀୟ ମହଲାକୁ ବୈଜୟନ୍ତ ଟାର୍ଗେଟ୍ କରି କାର୍ଯ୍ୟାନୁଷ୍ଠାନକୁ ନିମନ୍ତ୍ରଣ କରି ଥିବା ବେଳେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ପାଖରେ ଅନ୍ୟ କିଛି ଇସ୍ୟୁ ନ ଥିଲେ ତୃତୀୟ ମହଲା (ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ଭି.କାର୍ତିକେୟ ପାଂଡିଆନଙ୍କୁ)କୁ ଆକ୍ରମଣ କରିଥାନ୍ତି ବୋଲି ପାଲଟା ବିବୃତି ଦେବା ଦିନ ଠାରୁ ବୈଜୟନ୍ତଙ୍କ ନିଲମ୍ବନର ଅବଗଣନା ଆରମ୍ଭ ହୋଇ ଯାଇଥିଲା । କେବଳ ଏହାକୁ ଓøପଚାରିକ ରୂପ ଦେବା ସକାଶେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ୱରେ ଥିବା ବିଜେଡ଼ି ପର୍ଯ୍ୟବକ୍ଷକ ପ୍ରମିଳା ମଲ୍ଲିକ ଓ ମନ୍ତ୍ରୀ ଉଷା ଦେବୀଙ୍କୁ ମୋହରା କରା ଯାଇଥିଲା । ତଦନ୍ତ କେବଳ ଫାର୍ସ ଥିଲା । ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ହାବଭାବରୁ ସେମାନେ ବୁଝି ନେଇ ଥିଲେ ବୈଜୟନ୍ତଙ୍କ ବିରୋଧ କିଭଳି ରିପୋର୍ଟ ଦେବାକୁ ପଡ଼ିବ । ତେଣୁ, ରିପୋର୍ଟ ନିରପେକ୍ଷ ହେବା ସମ୍ଭାବନା ହିଁ ନଥିଲା ।
ପ୍ରତି ଦିନ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର କିଛି କିଛି ବିଜେଡ଼ି ନେତା ଓ କର୍ମୀ ଆସି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବୈଜୟନ୍ତଙ୍କ ବିରୋଧରେ ଫେରାଦ ହେବା, କେଉଁ ଦିନ କେଉଁ ଅଂଚଳରୁ ନେତା ଓ କର୍ମୀ ଆସି ତାଙ୍କୁ ଭେଟିଲେ ତାହାର ଧାରା ବିବରଣୀ ଖୋଦ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ଦେବା ଏବଂ ବୈଜୟନ୍ତ ନିଜ ସମର୍ଥକଙ୍କ ଜରିଆରେ ଅଭିଯୋଗ ସବୁ ଖଣ୍ଡନ କରିବା ସହ ଟ୍ୱିଟରକ କୁ ସଫେଇର ମାଧ୍ୟମ କରିବା ବିଜେଡ଼ି ମୁଖ୍ୟ ଓ କେନ୍ଦ୍ରାପଡା ଏମପିଙ୍କ ମଧ୍ୟରେ ଚାଲି ଥିବା ଶୀତଳ ଯୁଦ୍ଧକୁ ଅଧିକ ସ୍ପଷ୍ଟ କରି ଦେଇଥିଲା । ସମସ୍ତେ ଅପେକ୍ଷା କରିଥିଲେ ନବୀନ କୋଉ ଦିନ ଏହି ବିବାଦର ମୁଣ୍ଡି ମାରିବେ ଦେଖିବାକୁ । ବୁଧବାର କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡ଼ିତାର ଆତ୍ମହତ୍ୟାକୁ ନେଇ ବିରୋଦୀ ତାତି ଥିବା ସମୟରେ ବୈଜୟନ୍ତଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରାଯିବା ଘୋଷଣା କରି ମୁଖ୍ୟମନ୍ତ୍ରୀ ଏହି ବାବଦର ମୁଣ୍ଡି ମାରିଲେ । ଗୋଟିଏ ପଟେ ବୈଜୟନ୍ତଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଉପଯୁକ୍ତ ଶିକ୍ଷା ଦିଆ ଗଲା । ଅନ୍ୟପଟେ, କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟାକୁ ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିବା ସରକାର ବିରୋଧୀ ହାୱାକୁ କିଛି ସମୟ ପାଇଁ ବୈଜୟନ୍ତଙ୍କ ଆଡକୁ ମୋଡି ଦିଆ ଗଲା । ଅବଶ୍ୟ ରାଜ୍ୟ ସରକାର ବେଶୀ ସମୟ ପାଇଁ ଏହି ନିଆଁକୁ ଅଂଟିରେ ରଖି ପାରିଲେ ନାହିଁ । ନିଲମ୍ବନ ପରେ ବୈଜୟନ୍ତ ବିଜେପିର ଅଧିକ ନିକଟତର ହେବା ନିଶ୍ଚିତ । ତେବେ, ନବୀନଙ୍କ ପରବର୍ତୀ ରଣକୌଶଳ କଣ ହେବ ଜାଣିବା ସକାଶେ ଉତ୍ସୁକତା ବଢୁଛି । ବୈଜୟନ୍ତ ନିଲମ୍ବନ ପରେ ବି ସଫେଇ ଦେୁଚନ୍ତି ଯେ, ସେ କୌଣସି ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ନ ଥିଲେ । ତୃତୀୟ ମହଲାରେ ବିଜେଡ଼ି ରାଜନୀତିକୁ ନିୟନ୍ତ୍ରଣ କରୁଥିବା ଜଣେ ଅଣ-ଓଡ଼ିଆ ଅଫିସରଙ୍କ ପ୍ରରୋଚନାରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ।
କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ ବିଜେପି ସହ ସଂପର୍କ କାହାରିକୁ ଅଛପା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମୁଦ୍ରାକରଣ ଓ ଜିଏସଟି ଭଳି ଆର୍ଥିକ ସଂସ୍କାର ନିଷ୍ପତ୍ତି ଗୁଡିକୁ ସେ ସମର୍ଥନ କରିବା ସହ ବିଜେପିର ଅନ୍ୟାନ୍ୟ ନୀତିକୁ ମଧ୍ୟ ପ୍ରଶଂସା କରି ବିଭିନ୍ନ ଜାତୀୟ ସମ୍ବାଦପତ୍ରରେ ସ୍ତମ୍ଭ ଲେଖିଛନ୍ତି । ଦିଳ ଓ ଦଳର ନେତାଙ୍କ ବିରୋଧରେ ବିଭିନ୍ନ ଟିପ୍ପଣୀ ପାଇଁ ତାଙ୍କୁ ସଂସଦରେ ଦଳର ମୁଖପାତ୍ର ପଦରୁ ହଟାଇ ଦିଆଯାଇ ଥିଲା । ଦଳ ଭିତରେ ଥାଇ ମଧ୍ୟ ତାଙ୍କୁ କୌଣସି ଗୁରୁତ୍ୱ ମିଳୁ ନ ଥିଲା । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ନିଜ ଦଳର ନେତା ଓ କର୍ମୀଙ୍କ ଆଡୁ ବିରୋଧର ସମ୍ମୁଖିନ ହେଉଥିଲେ । ଫଳରେ, ତାଙ୍କ ମାଲିକାନାରେ ଥିବା ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରତିକ୍ରିୟାଶୀଳ ହୋଇ ରାଜ୍ୟ ବିଜେଡ଼ି ସରକାରଙ୍କ ବିରୋଧରେ ସମାଲୋଚନାକୁ ଶାଣିତ କରି ଥିଲା । ବିଜେପିକୁ ଯିବା ସକାଶେ ସେ ଗୋଡ ଟେକି ବସି ଥିବାରୁ ନବୀନଙ୍କ ଆଡୁ ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ହେବା ସେ ବୋଧହୁଏ ଚାହୁଁ ଥିଲେ । ତେଣୁ, ନିଲମ୍ବନ ନିଷ୍ପତ୍ତି ତାଙ୍କ ବିଜେପିକୁ ଯିବା ରାସ୍ତାକୁ ସୁଗମ କରିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉ ଥିବା ବିଜେପି ‘୧୫୦ ପ୍ଲସ୍’ର ଟାର୍ଗେଟ୍କୁ ନଜରରେ ରଖି ବୈଜୟନ୍ତଙ୍କ ଭଳି ଅଭିଜ୍ଞ ନେତାଙ୍କୁ ନିଜ ଆଡକୁ ଟାଣିବାକୁ ଚାହୁଁଛି । ପୂର୍ବତନ ମନ୍ତ୍ରୀ ଦାମ ରାଉତ ଦଳରେ ଥିବା ବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦଳର ନେତୃତ୍ୱ ଓ ସରକାରକୁ କଟୁ ସମାଲୋଚନା କରୁଥିଲେ । ମନ୍ତ୍ରୀ ପଦ ଯିବା ପରେ କୁନ୍ଦୁଲି ଘଟଣାରେ ପୁଣି ଥରେ ମୁହଁ ଖୋଲିଛନ୍ତି । ‘ନାବାଳିକା ଜଣକୁ ଗଣ ଦୁଷ୍କର୍ମ ହୋଇଥିବା ସତ, ଆଦିବାସୀ ଝିଅଟି କାହିଁକି ମିଛ କହିବ’ ବୋଲି ମନ୍ତବ୍ୟ ଦେଇ ସେ ଦଳ ଓ ସରକାରକୁ କାଠଗଡାକୁ ଟାଣିଛନ୍ତି । ଦାମଙ୍କ ଏଭଳି ପ୍ରତିକ୍ରିୟାରୁ ସେ ମଧ୍ୟ ତୃତୀୟ ମହଲାର ଶିକାର ହୋିଥିବା ଏବଂ ବୈଜୟନ୍ତଙ୍କ ରାସ୍ତାରେ ଧରୁ ଥିବା ସୂଚନା ମିଳୁଛି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୧୮ ବର୍ଷରେ ୪୬ ନେତାଙ୍କୁ ଆଂଠେଇଲେଣି । ୪୭ ତମ ନେତାଙ୍କୁ ଦଳରୁ ବିଦାୟ କରି ବିବ୍ରତ ହେବାର ପ୍ରଶ୍ନ ଉଠୁନାହିଁ । ବୈଜୟନ୍ତଙ୍କ ମାଲିକାନାରେ ଥିବା ନ୍ୟୁଜ ଚ୍ୟାନେଲର ମୁକାବିଲା ପାଇଁ ସେ ତୃତୀୟ ମହଲା ଜରିଆରେ କିଛି ଅନୁଗତ ସାମ୍ବାଦିକ ସୃଷ୍ଟି କରି ସାରିଲେଣି । ଆଗାମୀ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ଆଶୀର୍ବାଦା ଆଶା ରଖି ଥିବା କିଛି ସଂପାଦକ ମଧ୍ୟ ଏବେ ଦେହଘଷା ଆରମ୍ଭ କଲେଣି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିଜ୍ଞାପନ ସହ ଦଳୀୟ ବିଜ୍ଞାପନ (ବିଜେଡ଼ି ପ୍ରତିଷ୍ଠା ଦିବସ, ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ଭଳି) ପୃଷ୍ଠା ପୃଷ୍ଠା ପ୍ରକାଶ ପାଉଛି । ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ‘ଝଡ଼ର ଇଗଲ୍’ ବୋଲି ନାମକରଣ କରିଥିବା ଖବରକାଗଜମାନେ ଏବେ ନବୀନଙ୍କୁ ‘ଅପ୍ରତିହତ, ଅପ୍ରତିଦ୍ୱନ୍ଦ୍ୱୀ’ ବୋଲି ଛାପିଲେଣି । ତେଣୁ, ବ÷ଜୟନ୍ତ ବିରୋଧରେ ହୋଇତିବା କାର୍ଯ୍ୟାନୁଷ୍ଠାନ ନବୀନ ବା ବିଜେଡ଼ିର କୌଣସି କ୍ଷତି କରି ପାରିବ ନାହିଁ ବୋଲି ତାଙ୍କ ସହଯୋଗୀମାନେ ଆଶା କରୁଛନ୍ତି ।
ବିଜେଡ଼ିର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ମହଲାର ନିରଂତର ହସ୍ତକ୍ଷେପକୁ ନେଇ କେବଳ ବୈଜୟନ୍ତ ନୁହନ୍ତି, ଦଳର ଅନ୍ୟ ନେତାମାନେ ମଧ୍ୟ ଅସୁଖୀ । ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ର ଦଳର ମଂଗ ଧରି ଥିବା ବେଳେ ଏକା ଭଳି ଅସନ୍ତୋଷ ଦେଖିବାକୁ ମିଳୁ ଥିଲା । ଦଳର ଅଧିକାଂଶ ନେତା କାର୍ଯ୍ୟାନୁଷ୍ଠାନ ଭୟରେ ମୁହଁ ମାଡି ରହୁଥିଲେ । ବୈଜୟନ୍ତଙ୍କ ଭଳି ଯେଉଁ ସ୍ୱାଭିମାନୀ ନେତାମାନେ ଅଣନିଶ୍ୱାସୀ ହୋଇ ମୁହଁ ଖୋଲୁ ଥିଲେ, ସେମାନଙ୍କୁ ଦଳ ବାହାରକୁ ବାଟ ଦେଖାଇ ଦିଆ ଯାଉଥିଲା । ଆଜି ବି ସେହି ଧାରା ଚାଲିଛି । ବୈଜୟନ୍ତଙ୍କ ନିଲମ୍ବନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଓଡ଼ିଶାରେ ୧୮ ବର୍ଷର ବିଜେଡ଼ି ଶାସନରେ ‘ବିକାଶ ହିଁ ବିକାଶ’ ହୋଇଥିବା ସରକାର ଦାବି କରୁଛନ୍ତି ଏବଂ ବିକାଶର ଲମ୍ବା ତାଲିକା ଜନସାଧାରଣଙ୍କ ସାମନାରେ ଥୋଉଛନ୍ତି । ଏହାସତ୍ୱେ ରାଜ୍ୟବ୍ୟାପୀ ସରକାର-ବିରୋଧୀ ଜନମତ ଦାନା ବାନ୍ଧୁ ଥିବା ଲକ୍ଷ୍ୟ କରାଯାଉଛି । କଂଗ୍ରେସ ଦଳ ଦୂୁର୍ବଳ ସ୍ଥିତିରେ ରହି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ରାଜ୍ୟରେ ବିଜେଡ଼ିର ବିକଳ୍ପ ହେବାକୁ ଅଂଟା ଭିଡିଛି । ରାଜ୍ୟ ବିଜେପିର ଆକ୍ରମଣାତ୍ମକ ପ୍ରଚାର ସରକାରଙ୍କୁ ପ୍ରତିରକ୍ଷାତ୍ମକ ସ୍ଥିତିରେ ରଖିଛି । ଏଭଳି ପରିସ୍ଥିତିରେ ବୈଜୟନ୍ତଙ୍କ ଭଳି ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଦଳ ବାହାରକୁ ରାସ୍ତା ଦେଖାଇବା ବିଜେଡ଼ି ପାଇଁ ମହଙ୍ଗା ପଡି ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS