‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ଉନ୍ମୋଚିତ, ୪ ଜାତୀୟ ନେତାଙ୍କ ଉପସ୍ଥିତି ନୂଆ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟି କରିଛି
ଭୁବନେଶ୍ୱର,୨୮ ଜାନୁୟାରୀ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ପ୍ରଖ୍ୟାତ ଲେଖକ ସୁନ୍ଦର ଗଣେଷନଙ୍କ ଦ୍ୱାରା ରଚିତ ପୁସ୍ତକ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ଶନିବାର ଦିନ ଏଠାରେ ଉନ୍ମୋଚିତ ହୋଇଯାଇଛି । ଭାରତୀୟ ରାଜନୀତିର ୫ ଜଣ ଦିଗ୍ଗଜ ନେତା ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ରୁଦ୍ଧିମନ୍ତ କରିଥିଲେ । ବିଭିନ୍ନ ଜାତୀୟ ରାଜନୈତିକ ଦଳର ଏହି ନେତାମାନଙ୍କ ଉପସ୍ଥିତି ଆଗାମୀ ଦିନରେ ଭାରତୀୟ ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି କରିବା ସମ୍ଭାବନାକୁ ଜନ୍ମ ଦେଇଛି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ (କଂଗ୍ରେସ), ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା (ଜନତା ଦଳ-ଏସ), ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟାଚୁରୀଙ୍କୁ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଦେଖିବାକୁ ମିଳି ଥିଲା । ବିଜୁ ବାବୁଙ୍କ ପୁତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବକୁ ପରିଚାଳନା କରିବା ସହ ସଭାରେ ସଭାପତିତ୍ୱ କରିଥିଲେ ଏବଂ ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍’ର ସଂପାଦକୀୟ ନିଦେ୍ର୍ଦଶକ ପ୍ରଭୁ ଚାୱଲା ପୁସ୍ତକର ସମୀକ୍ଷା କରିଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ‘ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଉଦ୍ ବୋଧନ ଦେଇ ବିଜୁ ବାବୁଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ତାଙ୍କୁ କେନ୍ଦ୍ର ସରକାର ‘ଭାରତ ରତ୍ନ’ ସମ୍ମାନରେ ଭୂଷିତ କରିବା ସକାଶେ ଦୃଢ ଦାବି ଉପସ୍ଥାପନ କରିଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଭାରତୀୟ ରାଜନୀତିର ଜଣେ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଏବଂ ଅତ୍ୟନ୍ତ ସମ୍ମାନସ୍ପଦ ଜାତୀୟତାବାଦୀ ନେତା ବୋଲି ଉଲ୍ଲେଖ କରି ଦେବ ଗୌଡା କହିଲେ, ଦେଶ ପାଇଁ ବିଜୁ ବାବୁଙ୍କ ଅବଦାନ ଥିଲା ଅତୁଳନୀୟ । ତେଣୁ, କେନ୍ଦ୍ର ସରକାର ତାଙ୍କୁ ସମ୍ମାନଜନକ ‘ଭାରତ ରତ୍ନ’ ଉପାଧୀରେ ଭୂଷିତ କରିବା ଆବଶ୍ୟକ । ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ପରେ ଦେଶର ପ୍ରଧାନମନ୍ତ୍ରୀ ହେବାରେ ବିଜୁ ବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଗøଡା ସଭାରେ ସ୍ୱୀକାର କରିଥିଲେ ।
ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ଶନିବାର ଦିନ ଏହି ପୁସ୍ତକ ଉନ୍ମୋଚନ ଉତ୍ସବ ସ୍ଥାନୀୟ ଉକ୍ରଳ ମଂଡପ ଠାରେ ଆୟୋଜନ କରାଯାଇଥିଲା । ‘ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଶତବାର୍ଷିକୀ କମିଟି ଦ୍ୱାରା ପ୍ରକାଶିତ ହୋଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଜୁ ବାବୁଙ୍କୁ ଜଣେ କିମ୍ବଦନ୍ତୀ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ । ବିଜୁ ବାବୁ ବାସ୍ତବରେ ଜଣେ ଜାତୀୟତାବାଦୀ ନେତା ଥିଲେ ବୋଲି ଉଲ୍ଲେଖ କରି ମୁଖାର୍ଜୀ କହିଲେ ଯେ, ବିଜୁ ବାବୁଙ୍କ ନେତୃତ୍ୱ ଏବଂ ରାଜନୈତିକ ବ୍ୟକ୍ତିତ୍ୱ କେବଳ ଓଡ଼ିଶା ଭିତରେ ସୀମିତ ନଥିଲା, ସମଗ୍ର ଭାରତ ବର୍ଷ ପାଇଁ ତାଙ୍କ ଅବଦାନ ଥିଲା ଅତୁଳନୀୟ । ଦେଶ ପାଇଁ ତାଙ୍କ ଅବଦାନ ତାଙ୍କୁ ଜଣେ ଜାତୀୟସ୍ତର ନେତା ଓ କିମ୍ବଦନ୍ତୀ ପୁରୁଷର ପରିଚିତି ଦେଇଛି । ସେ ସମଗ୍ର ଭାରତ ବର୍ଷର ନେତା ଭାବେ ପରିଗଣିତ ହେଉଥିଲେ । ଯେ କୌଣସି ସଂକଟ ସମୟରେ ତାଙ୍କୁ ଓଡ଼ିଶାରୁ ଦିଲ୍ଲୀ ଡକା ଯାଇ ପରାମର୍ଶ ଗ୍ରହଣ କରାଯାଉଥିଲା ଏବଂ ଦଳମତ ନିର୍ବିଶେଷରେ ତାଙ୍କୁ ପରାମର୍ଶଦାତାର ସମ୍ମାନ ଦିିଆଯାଉ ଥିଲା । ସେ ଯୋଜନା କମିସନ ଉପାଧ୍ୟକ୍ଷ ଓ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ବିଜୁ ପଟ୍ଟନାୟକଙ୍କ ସହ ନିବିଡ ଭାବେ କାର୍ଯ୍ୟ କରିବାର ଅବକାଶ ପାଇଛନ୍ତି । ଦଳମତରୁ ଉଦ୍ଧ୍ୱର୍ରେ ରହି ବିଜୁ ବାବୁ ଯେ କୌଣସି ସଂକଟ ସମୟରେ ଯେ କୌଣସି ଦଳର ନେତାଙ୍କୁ ସହଯୋଗର ହାତ ବଢାଉ ଥଲେ ବୋଲି ପୂର୍ବତନ ରାଷ୍ଟ୍ର୍ରପତି ମୁଖାର୍ଜୀ କହିଛନ୍ତି ।
ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ମଧ୍ୟ ଦେଶର ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଉଦ୍ୟମ, ସହଭାଗିତା ଓ ଅବଦାନକୁ ପ୍ରଶଂସା କରି ଥିଲେ । ଆଡଭାନୀ କହିଲେ ଯେ, ସେ ଆଗରୁ ବହୁ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଛନ୍ତି । କିନ୍ତୁ, ‘ଟଲ୍ ମ୍ୟାନ୍’ ପୁସ୍ତକ ଉନ୍ମୋଚନ ଅବସରରେ ତାଙ୍କୁ ଯେଭଳି ଆନନ୍ଦ ମିଳିଛି ସେଭଳି ଆନନ୍ଦ ଅନ୍ୟ କେବେ ମିଳି ନାହିଁ । କାରଣ, ଦେଶର ଯେଉଁ ପାଂଚ ଜଣ ପ୍ରମୁଖ ନେତା ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ହୋଇଛନ୍ତି ସେମାନେ ଏକଦା ବିଜୁ ବାବୁଙ୍କ ଅତି ଘନିଷ୍ଟ ଥିଲେ ଏବଂ ବିଜୁ ବାବୁଙ୍କୁ ଅତି ଭଲ ପାଉଥିଲେ । ସିପିଏମ୍ ର ସର୍ବଭାରତୀୟ ସାଧାରଣ ସଂପାଦକ ସୀତାରାମ ୟାଚୁରୀ ମଧ୍ୟ ବିଜୁ ବାବୁଙ୍କୁ ପ୍ରଶଂସା କରି କହିଥିଲେ, ବିଜୁ ପଟ୍ଟନାୟକ ସର୍ବଦା ଧର୍ମ ନିରପେକ୍ଷ ଶକ୍ତିଙ୍କ ସହ ରହିଥିଲେ, ଆଜି ପୁଣିଥରେ ସେହି ମାର୍ଗକୁ ଅନୁସରଣ କରିବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଂଜଳୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ନେତା ଓ ବୁଦ୍ଧିଜୀବୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟାହ୍ନରେ ଅତିଥି ଭାବେ ଯୋଗ ଦେବାକୁ ଆସି ପହଂଚି ଥିବା ପୂବତନ ରାଷ୍ଟ୍ର୍ରପତି ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ସିପିଏମ ସର୍ବଭାରତୀୟ ସାଧାରଣ ସଂପାଦକ ସୀତାରାମ ୟାଚୁରୀଙ୍କ ବ୍ୟକ୍ତିଗତ ଭାବେ ବିମାନ ବନ୍ଦରରୁ ପାଛୋଟି ଆଣି ‘ନବୀନ ନିବାସ’ରେ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ‘ନବୀନ ନିବାସ’ରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସହ ଏହି ଜାତୀୟ ନେତାମାନେ ୪୦ ମିନିଟ ଆଲୋଚନା କରିବା ରାଜନୈତିକ ମହଲରେ କଳ୍ପନା ଜଳ୍ପନା ସୃଷ୍ଟି କରିଛି । ସିପିଏମ ନେତା ୟାଚୁରୀ ପୂର୍ବରୁ ଥରେ ଓଡ଼ିଶା ଆସିଥିବା ବେଳେ ନବୀନଙ୍କୁ ଭେଟି ତୃତୀୟ ସାମ୍ମୁଖ୍ୟ ଗଠନ ବିଷୟରେ ଚର୍ଚ୍ଚା କରି ଥିବାରୁ ଶନିବାର ମଧ୍ୟ ଏହା ଉପରେ ଅଧିକ ଆଲୋଚନା ହୋଇଥିବା ବିଶ୍ୱାସ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS