ବିଜେପୁର ଉପ ନିର୍ବାଚନ: ସରକାରଙ୍କୁ ଘେରିବା ପାଇଁ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ନୂଆ ଅସ୍ତ୍ର ହୋଇଛି
ଭୁବନେଶ୍ୱର, ୩୦ ଜାନୁୟାରୀ: ୨୦୧୮ ବର୍ଷ ଆରମ୍ଭରୁ ଓଡ଼ିଶା ସରକାରଙ୍କ ଅଡୁଆ ବଢିଛି । ୨୦୧୭ରେ ଚାଷି ଆତ୍ମହତ୍ୟା, ଛତିଶଗଡ଼ ସହ ମହାନଦୀ ଜଳ ବିବାଦ, ଚାଷିଙ୍କୁ ଉତ୍ପାଦନର ଲାଭଜନକ ମୂଲ୍ୟ ନ ମିଳିବା ପ୍ରଭୃତି ଇସ୍ୟୁ ସରକାରଙ୍କୁ ଭାରାକ୍ରାନ୍ତ କରିଥିଲା । ବିଜେଡ଼ିରେ ଆଭ୍ୟନ୍ତରୀଣ ବିବାଦ ମଧ୍ୟ ଦଳ ଓ ସରକାର ପାଇଁ ଅଡୁଆ ହୋଇଥିଲା । କଂଗ୍ରେସ ଓ ବିଜେପି ଶାସକ ଦଳକୁ ଘେରିବା ପାଇଁ କୌଣସି ସୁଯୋଗ ହାତ ଛଡା କରି ନ ଥିଲେ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଏବଂ ରାଜ୍ୟର ଚାଷିଙ୍କୁ ସୋମାନଙ୍କ ଉତ୍ପାଦନର ଉପଯୁକ୍ତ ସହାୟକ ମୂଲ୍ୟ ମିଳିିବା ଦାବିକୁ କେନ୍ଦ୍ର ସରକାର ଝୁଲାଇ ରଖିିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଅଧ୍ୟକ୍ଷତାରେ ଅଲଗା ଅଲଗା ଗୃହ କମିଟି ଗଠନ କରି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପାଇଁ ଅଂଟା ଭିଡି ଥିଲେ । ପ୍ରଧାନମନ୍ତ୍ରୀ ଆଲୋଚନା ପାଇଁ ସମୟ ଦେଉ ନ ଥିବାରୁ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ସ୍ଥିର କରାଯାଇ ରାଜ୍ୟପାଳଙ୍କ ଜରିଆରେ ସ୍ମାରକପତ୍ର ଦିଆଯାଇଥିଲା । ତେବେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ଉପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଜାନୁୟାରୀ ୨୩ ତାରିଖରେ ଦେଇ ଥିବା ରାୟ ରାଜ୍ୟ ସରକାରଙ୍କ ଆଶ୍ୱସ୍ତ କରିଛି । ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଚାଷିଙ୍କୁ ଉତ୍ପାଦନର ଉପଯୁକ୍ତ ସହାୟକ ମୂଲ୍ୟ ଦିଆଯିବା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେବା ମଧ୍ୟ ରାଜ୍ୟ ସରକାରଙ୍କୁ ସୁହାଇଛି । କାରଣ, କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ଅଧିକ ଶାଣିତ କରିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ବିଜେଡ଼ି ସରକାର ଭାବୁଛନ୍ତି । ବର୍ତମାନ ସରକାରଙ୍କ ପାଇଁ ବଡ ଅଡୁଆ ହୋଇଛି କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା । ଦୁଷ୍କର୍ମ ପୀଡ଼ିତା ଜୀବିତାବସ୍ଥାରେ ନ୍ୟାୟ ପାଇଲେ ନାହିଁ । ଜାନୁୟାରୀ ୨୨ ତାରିଖ ଦିନ ସେ ଆତ୍ମହତ୍ୟା କରିବା ପରେ ଯୋଉଁ ନୂଆ ନୂଆ ଖୁଲାସା ହେଉଛି ତାହା ସରକାର ଓ ରାଜ୍ୟ ପୁଲିସ ପ୍ରଶାସନର ନିଦ ହଜାଇ ଦେଇଛି । ବିରୋଧୀ ଦଳ ମାନେ ଏଥିରୁ ଭରପୁର ଫାଇଦା ନେବାକୁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାର ରକ୍ଷଣାତ୍ମକ ଭୂମିକାରେ ରହିଛନ୍ତି ।
କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ବଂଚି ଥିବା ସମୟରେ ରାଜ୍ୟ ସରକାରଙ୍କ ଠାରୁ ନ୍ୟାୟ ପାଇବା ଦୂରେ ଥାଉ, ମଲା ପରେ ବି ନ୍ୟାୟ ପାଇବା ନେଇ ଆଶଙ୍କା ରହିଛି । ପୁଲିସ ପ୍ରଶାସନର ମାନସିକ ନିର୍ଯାତନା ଯୋଗୁ ନାବାଳିକା ଜଣକ ଆତ୍ମହତ୍ୟା କଲେ ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରୁଥିବା ବେଳେ ସରକାର ‘ଏହା ଗଣ ଦୁଷ୍କର୍ମ ନୁହେଁ, ପ୍ରେମ ଜନିତ ଘଟଣା’ ବୋଲି ସଫେଇ ଦେଇ ଖସିବା ଉଦ୍ୟମ କରୁଥିଲେ । ତେବେ, ଗଣଦୁଷ୍କର୍ମ ଘଟିବାର ଶହେ ଦିନ ପରେ ସରକାରଙ୍କ ଏହି ସଫେଇ ବିରୋଧୀଙ୍କୁ ସନ୍ତୁଷ୍ଟ କରି ନାହିଁ । ନାବଳିକାର ଆତ୍ମହତ୍ୟାକୁ ‘ଇସ୍ୟୁ’ କରି କଂଗ୍ରେସ ପକ୍ଷରୁ ଜାନୁୟାରୀ ୨୪ ତାରିଖ ୧୨ ଘଂଟିଆ ‘ଓଡ଼ିଶା ବନ୍ଦ’ ଏବଂ ବିଜେପି ପକ୍ଷରୁ ‘ହରତାଳ’ ପାଳନ କରାଯାଇଥିଲା । ‘ବନ୍ଦ’ ଓ ‘ହରତାଳ’ ପ୍ରତି ସ୍ୱତଃସ୍ପୁର୍ତ ଜନସମର୍ଥନ ମିଳିବା ଦେଖି ରାଜ୍ୟ ସରକାର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ବିଚାର ବିଭାଗୀୟ ତଦନ୍ତ ଆଦେଶର ଆଢୁଆଳରେ ମୁହଁ ଲୁଚାଇବାକୁ ବାଧ୍ୟ ହୋଇଥିଲେ । ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ମିଳିବା ପରେ ସରକାର ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବେ କହି ବିଜେଡ଼ି ମୁଖପାତ୍ରମାନେ ସରକାରଙ୍କୁ ସୁରକ୍ଷା ଦେବାର ପ୍ରୟତ୍ନ କରିଥିଲେ । କୁନ୍ଦୁଲି ଘଟଣା ଶାନ୍ତ ନ ହେଉଣୁ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରାଯିବା ବାତାବରଣକୁ ଅଧିକ ସନ୍ଦିଗ୍ଧ କରିଛି । କୁନ୍ଦୁଲିର ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବୈଜୟନ୍ତଙ୍କ ମାଲିକାନାରେ ଥିବା ଏକ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ମଧ୍ୟ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଫୋରେନ୍ସିକ୍ ପରୀକ୍ଷା ରିପୋର୍ଟକୁ ନେଇ ନୂଆ ନୂଆ ଖୁଲାସା କରିବା ମାଧ୍ୟମରେ ସରକାରଙ୍କ ଅଡୁଆ ବଢାଇଛି ।
ନ୍ୟୁଜ୍ ଚ୍ୟାନେଲର ଖୁଲାସା ଅନୁଯାୟୀ, କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ନାବାଳିକାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ରାଜ୍ୟ ସରକାର ଓ ପୁଲିସ ସମସ୍ତ ପ୍ରୟାସ କରିଛନ୍ତି । ଘଟଣା ସ୍ଥଳରୁ ପୁଲିସ ସଂଗ୍ରହ କରିଥିବା ନାବାଳିକାଙ୍କ ଅନ୍ତଃବସ୍ତ୍ର ଓ ଅନ୍ୟାନ୍ୟ ସନ୍ଦିଗ୍ଧ ସାମଗ୍ରୀ ସଂଗ୍ରହକୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କ ଫୋରେନ୍ସିକ ସାଇନ୍ସ ଲାବରୋଟୋରୀରେ ପ୍ରାଥମିକ ସ୍ତରରେ ଯାଂଚ କଲା ବେଳେ ଗଣଦୁଷ୍କର୍ମର ଯେଉଁ ପ୍ରମାଣ ମିଳିଥିଲା ପରବର୍ତର ସମୟରେ ତାହାକୁ ଲୁଚାଇବାର ଉଦ୍ୟମ ହୋଇଛି । ଦୁଷ୍କର୍ମ ଘଟିବାର ଆଠ ଦିନ ପରେ ନାବାଳିକା ପ୍ୟାଂଟିର ଫୋରେନ୍ସିକ ଯାଂଚ ହୋଇଥିଲା । ସେଥିରେ ଦୁଇ ଜଣ ବ୍ୟକ୍ତିଙ୍କ ରକ୍ତ ଓ ବୀର୍ଯ୍ୟ (ସିମେନ୍)ର ନମୂନା ମିଳି ଥିଲା । ୧୩ ଦିନ ପରେ ଡ଼ିଏନଏ ଟେଷ୍ଟ୍ କରାଗଲା । ଡ଼ିଏନଏ ଟେଷ୍ଟ୍ ରିପୋର୍ଟ ପ୍ରଥମେ ହୋଇଥିବା ସେରୋଲୋଜି ଟେଷ୍ଟ୍ ରିପୋର୍ଟ ସହ ମେଳ ଖାଉ ନାହିଁ । କୌଣସି ଚାପରେ ପୁଲିସ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବାରୁ ଦୁଇଟି ଯାଂଚ ରିପୋର୍ଟରେ ତାରତମ୍ୟ ରହିଛି ବୋଲି ଅଭିଯୋଗ କରାଯାଇଛି । କଂଗ୍ରେସ ଓ ବିଜେପି ଦୁଇଟି ରିପୋର୍ଟରେ ଥିବା ତାରତମ୍ୟକୁ ନେଇ ସରକାରଙ୍କୁ ଘେରିବାରୁ ରାଜ୍ୟ ପୁଲିସ ମୁଖ୍ୟ ଡକ୍ଟର ଆର.ପି. ଶର୍ମା ଏସ୍ଏଫ୍ଏସ୍ଏଲ୍ ରିପୋର୍ଟର କ୍ରାଇମ୍ ବ୍ରାଂଚ୍ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଦିନେ, ଦୁଇ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ମିଳି ଯିବ ଏବଂ ଏସ୍ଏଫ୍ଏସ୍ଏଲ୍ ରିପୋର୍ଟରେ କୌଣସି ଚଂଚକତା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇଯିବ । ଯଦି କିଛି ଚଂଚକତା ହୋଇଥିବା ଜଣାପଡିବ, ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହି ଡକ୍ଟର ଶର୍ମା ସରକାରଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଛନ୍ତି ।
୨୦୧୭ ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ ଏହି ଗଣଦୁଷ୍କର୍ମ ହୋଇଥିଲା । ପୀଡ଼ିତାଙ୍କ ଅନ୍ତଃବସ୍ତ୍ରକୁ ପ୍ରଥମେ ଅକ୍ଟୋବର ୧୮ ତାରିଖରେ ଫୋରେନ୍ସିକ ଯାଂଚ କରାଯାଇଥିଲା । ଭୁବନେଶ୍ୱର ଏସ୍ଏଫ୍ଏସ୍ଏଲ୍ରେ ହୋଇଥିବା ପ୍ରାଥମିକ ସେରୋଲୋଜି ଟେଷ୍ଟରେ ନାବାଳିକାର ଅନ୍ତଃବସ୍ତ୍ରରେ ଦୁଇ ଜଣ ବ୍ୟକ୍ତିଙ୍କ ବୀର୍ଯ୍ୟର ଉପସ୍ଥିତି ଜଣାପଡିଥିଲା । ଗୋଟିଏ ‘ଏ’ଗୃପ୍ ରକ୍ତର ଓ ଅନ୍ୟଟି ‘ବି’ ଗୃପ ରକ୍ତର । ଏହା ଗଣଦୁଷ୍କର୍ମ ଅଭିଯୋଗକୁ ପୃଷ୍ଟି କରୁଥିବା ବେଳେ ଅକ୍ଟୋବର ୨୩ ରେ ସେହି ଏସ୍ଏଫ୍ଏସ୍ଏଲ୍ ରେ ନାବାଳିକାଙ୍କ ଅନ୍ତଃବସ୍ତ୍ରର ଡ଼ିଏନ୍ଏ ପ୍ରୋଫାଇଲିଂ ପରୀକ୍ଷା ହୋଇଥିଲା । ନାବାଳିକାଙ୍କ ଅନ୍ତଃବସ୍ତ୍ରରୁ କୌଣସି ପ୍ରମାଣ ମିଳୁ ନ ଥିବା ଦ୍ୱିତୀୟ ରିପୋର୍ଟରେ କୁହାଯାଇଛି । ଗୋଟିଏ ସରକାରୀ ଲ୍ୟାବ୍ ଦୁଇଟି ଯାକ ପରୀକ୍ଷା କରିଥିବା ବେଳେ ପରୀକ୍ଷଣ ରିପୋର୍ଟରେ ଏଭଳି ଭିନ୍ନତା ଆସିଲା କେମିତି ବୋଲି ପ୍ରଶ୍ନ ହେବା ସ୍ୱାଭାବିକ । ଏସ୍ଏଫ୍ଏସ୍ଏଲ୍ ଦୁଇଟି ଯାକ ଯାଂଚରେ କିଭଳି ପଦ୍ଧତି ଅନୁସରଣ କରିଛି ଏବଂ ଏହି ପରୀକ୍ଷଣ ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓରକୁ ଠିକ୍ ଭାବରେ ଅନୁସରଣ କରାଯାଇଛି କି ନାହିଁ ତାହା ରାଜ୍ୟ ରାଜ୍ୟ କ୍ରାଇମ୍ ବ୍ରାଂଚ ତଦନ୍ତ କରିବ ବୋଲି ପୁଲିସ ଡ଼ିଜି ଡ.ଶର୍ମା କହିଛନ୍ତି । ତେବେ, ପ୍ରଥମ ଯାଂଚ ରିପୋର୍ଟ ସଠିକ୍ ନୁହେଁ , ଦ୍ୱିତୀୟ ରିପୋର୍ଟ ହିଁ ଚୂଡାନ୍ତ ବୋଲି ରାଜ୍ୟ ଏସ୍ଏଫ୍ଏସ୍ଏଲ୍ ନିଦେ୍ର୍ଦଶକ ପିସି ମଂଡଲ ସଫେଇ ଦେଇଛନ୍ତି ।
ଫେବୃୟାରୀ ୨୪ ତାରିଖ ବିଜେପୁର ବିଧାନସଭା ଉପ ନିର୍ବାଚନପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ କୁନ୍ଦୁଳି ଗଣଦୁଷ୍କର୍ମ ସଂପର୍କୀତ ଫୋରେନ୍ସିକ ରିପୋର୍ଟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଖୋରାକ ଯୋଗାଇଛି । ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନେ୍ଦାଳନକୁ ଯୋରଦାର କରାଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ ଘୋଷଣା କରାଯାଇ ଥିବା ବେଳେ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୁନ୍ଦୁଲି ଦୁଷ୍କର୍ମ ଘଟଣାର ସିବଆଇ ତଦନ୍ତ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଇତିମଧ୍ୟରେ ରାଜ୍ୟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବା ମଧ୍ୟ ସୂଚନା ମିଳିଛି । ବିଜେପିୁର ଉପ ନିର୍ବାଚନରେ ଚାଷି ଆତ୍ମହତ୍ୟା ଓ ସରକାରୀ ଅପାରଗତା ପ୍ରମୁଖ ମୁଦ୍ଦା ହେବା ଜଣାଶୁଣା ଥିଲା । ଏବେ, କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା ସେଥିରେ ଯୋଡି ହୋଇ ଯାଇଛି । ବିଜେଡ଼ି ସରକାରରେ ନାରୀମାନେ ସୁରକ୍ଷିତ ନୁହନ୍ତି ବୋଲି କହିବାକୁ ବିରୋଧୀଙ୍କୁ ସୁଯୋଗ ମିଳି ଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS